Home ଜିଲ୍ଲା ପରିକ୍ରମା ଭଦ୍ରକରେ ୫୪ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଭଦ୍ରକରେ ୫୪ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

1

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ, ଟ୍ରାଫିକ୍ ନିୟମର କଡ଼ାକଡ଼ି ଅନୁପାଳନ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୫୪ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ। ବୈଠକରେ ଗତ ୨୮.୧୦.୨୦୨୬ ତାରିଖରେ ଅନୁଷ୍ଠିତ ୫୩ତମ ବୈଠକର ନିଷ୍ପତ୍ତି ଓ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରାଯାଇଥିଲା। ଇଚ୍ଛାପୁର–ବାସୁଦେବପୁର, ବରିକପୁର–ବନ୍ତ, ଭଦ୍ରକ–ଆରଡ଼ି, ବନ୍ତ ଛକ–ବାସନ୍ତିଆ ଏବଂ ଜାମୁଝାଡ଼ି–ଧାମରା ରାସ୍ତାରେ ତୃତୀୟ ପକ୍ଷ ଅଡିଟ୍ ଅନୁଯାୟୀ ବାକି ରହିଥିବା ସଡ଼କ ସୁରକ୍ଷା କାର୍ଯ୍ୟ, ରାସ୍ତା ସଙ୍କେତ ଓ ମାର୍କିଂ କାର୍ଯ୍ୟର ସ୍ଥିତି ଆଲୋଚନା କରାଯାଇଥିଲା। ଚିହ୍ନଟ ରାସ୍ତାଗୁଡ଼ିକରେ ପ୍ରତ୍ୟେକ ସ୍ଥାନରେ କମ୍‌ରେ ୫ଟି ଲେଖାଏଁ ଗତିସୀମା ସୂଚନା ଫଳକ ସ୍ଥାପନ, ଆରଡ଼ି ଛକର ଜଳ ନିଷ୍କାସନ ସମସ୍ୟା, ରାହାଞ୍ଜ ଓ ରାଣୀତାଳ ଫ୍ଲାଏଓଭର ତଳେ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ଏବଂ ଏନ୍‌ଏଚ୍‌-୧୬ରେ ଅଚଳ ୨୭୨ଟି ଷ୍ଟ୍ରିଟ୍ ଲାଇଟ୍‌ର ପୁନଃ କାର୍ଯ୍ୟକ୍ଷମତା ଆଦି ସମ୍ପର୍କରେ ସମୀକ୍ଷା ହୋଇଥିଲା।ଏଥିସହ ତ୍ରିଶଳପୁର ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ, ବିଷ୍ଣୁପୁର ଫ୍ଲାଏଓଭର ମରାମତି, ଏନ୍‌ଏଚ୍‌-୧୬ରେ ସୃଷ୍ଟି ହୋଇଥିବା ବଡ଼ ଖାଲର ମରାମତି, ଭଦ୍ରକ ଆର୍ଟିଓ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତୀକରଣ ଏବଂ ବାହୁଦରଡ଼ାଠାରେ ସର୍ଭିସ୍ ରୋଡ୍ ନିର୍ମାଣ ଓ ଜମି କ୍ଷତିପୂରଣ ପ୍ରଦାନର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଆରଡ଼ି ଛକ ଡ୍ରେନେଜ୍ ସଫା କାର୍ଯ୍ୟ ଗୋଟିଏ ସପ୍ତାହ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ଅକ୍ଟୋବର ୨୦୨୫ରେ ଜିଲ୍ଲାରେ ୨୧ଟି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୨୦୨୬ରେ ୧୯ଟି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜାନୁଆରୀରୁ ଅକ୍ଟୋବର ୨୦୨୫ ମଧ୍ୟରେ ୨୫୦ଟି ଦୁର୍ଘଟଣାରେ ୧୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତ ବର୍ଷ ସମାନ ଅବଧିରେ ୨୩୫ଟି ଦୁର୍ଘଟଣାରେ ୧୧୯ ଜଣଙ୍କ ମୃତ୍ୟୁ ଘଟିଛି। ସୁପ୍ରିମକୋର୍ଟ କମିଟି ଅନ୍ ରୋଡ୍ ସେଫ୍ଟିର ନିର୍ଦ୍ଦେଶାବଳୀ ଅନୁଯାୟୀ ଭଦ୍ରକ ଆ?ର୍ଟିଓ ପକ୍ଷରୁ ଗତ ୨୦୨୬ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ମୋଟ ୧୦,୦୮୬ଟି ଇ-ଚାଲାଣ ଜାରି କରାଯାଇଥିବା ବେଳେ ୪୪୮ଟି ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ କରାଯାଇଛି ଏବଂ ୧ କୋଟି ୫୧ ଲକ୍ଷ ୯୪ ହଜାର ୭୩୦ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିମଧ୍ୟରେ ବିନା ହେଲମେଟରେ ୩,୬୯୭ଟି, ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ୫,୮୩୯ଟି ଏବଂ ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ୧୩୨ଟି ଇ-ଚାଲାଣ ଜାରି କରାଯାଇଛି। ଇ-ଡାର୍ ଅଧୀନରେ ମୋଟ ୧୩ଟି ଆବେଦନ ମିଳିଥିବା ବେଳେ ୧୦ଟି ମଞ୍ଜୁର ହୋଇଛି ଏବଂ ୩ଟି ଖାରଜ ହୋଇଛି। କୌଣସି ଆବେଦନ ବିଚାରାଧୀନ ନାହିଁ। ବୈଠକରେ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ବାକି ରହିଥିବା ସଡ଼କ ସୁରକ୍ଷା କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ସଡ଼କ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.