Home Top News ପରୀକୁ ନ୍ୟାୟ, ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ସିବିଆଇ ତଦନ୍ତ ଦାବୀରେ ରାଜଭବନ ସମ୍ମୁଖରେ...

ପରୀକୁ ନ୍ୟାୟ, ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ସିବିଆଇ ତଦନ୍ତ ଦାବୀରେ ରାଜଭବନ ସମ୍ମୁଖରେ ଗଣଧାରଣା: ଘଟଣାରେ ହସ୍ତକ୍ଷେପ କରିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ

52

ଭୁବନେଶ୍ୱର: ଶିଶୁ ସୁରକ୍ଷା ପାଇଁ ରାଜ୍ୟ ସରକାର ‘ପରୀ ରଥ‘ ବୁଲାଉଥିବା ବେଳେ ଅନ୍ୟ ପଟେ ଅପହରଣ କରାଯାଇ ହତ୍ୟା ହୋଇଥିବା ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁ’ର ୫ ବର୍ଷୀୟ ଝିଅ ପରୀର ବାପା, ମା’ ଏ’ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିଲେ। ନ୍ୟାୟ ନମିଳିବାରୁ ଶେଷରେ ସେମାନେ ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଦୁର୍ଭାଗ୍ୟଜନକ ଯେତେବେଳେ ପ୍ରଥମେ ଖୋଦ୍ ରାଜ୍ୟ ପୋଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରୁନଥିଲେ। ଏହି ଅଭାବନୀୟ ଘଟଣା ପରେ ମାମଲାର ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ଏସଆଇଟି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ଘଟଣାରେ ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚ ଶିକ୍ଷା ବିଭାଗର କ୍ୟାବିନେଟ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ନେଇ ପରୀର ବାପା, ମା’ ସିଧାସଳଖ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ଏସଆଇଟି ତଦନ୍ତକୁ ମନ୍ତ୍ରୀ ପଦରେ ଥିବା କାରଣରୁ ଅରୁଣ ସାହୁ ପ୍ରଭାବିତ କରିବେ। ଅନ୍ୟ ପଟେ ଏସଆଇଟି ତଦନ୍ତକାରୀ ଦଳ ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ଛୁଇଁ ପାରିବେ ତ’ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପରୀ ନ୍ୟାୟ ପାଇଁ ପ୍ରଥମେ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରାଯାଉ ଏବଂ ଏହି ହତ୍ୟାକାଣ୍ଡର ସତ୍ୟାସତ୍ୟ ପର୍ଦ୍ଦଫାଶ ପାଇଁ ସିବିଆଇ ଦ୍ୱାରା ସଂପୂର୍ଣ୍ଣ ଘଟଣାର ତଦନ୍ତ ହେଉ। ଏହି ଦାବୀ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ରାଜଭବନ ସମ୍ମୁଖରେ ଗଣଧାରଣା ଆୟୋଜିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାର ଅଡିଓ ବିଭିନ୍ନ ଗଣମାଧ୍ୟମରେ ଖୁଲାସା ହୋଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ସାହୁ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ସ୍ଥାନୀୟ ସରପଞ୍ଚଙ୍କ ସହ ବାର୍ତ୍ତାଳପରୁ ସ୍ପଷ୍ଟ ହୋଇଛି। ମନ୍ତ୍ରୀ ଶଅରୁଣ ସାହୁ ସ୍ଥାନୀୟ ସରପଞ୍ଚଙ୍କୁ ସିଧାସଳଖ ଧମକ ଦେବା ସହ ଆନ୍ଦୋଳନକୁ ଚାପିବାକୁ ଉଦ୍ୟମ କରୁଛନ୍ତି। ବାର୍ତ୍ତାଳପର ଏହି ଅଡିଓ ଭାଇରାଲ ହେବା ସତ୍ତ୍ୱେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ମନ୍ତ୍ରୀଙ୍କୁ ଏ’ଯାଏଁ ତଦନ୍ତ ପରିସରଭୁକ୍ତ କରାନଯିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ଏହା କ’ଣ ପରୀ ହତ୍ୟାକାଣ୍ଡର ପ୍ରମାଣ ନୁହେଁ କି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ଅନ୍ୟ ପକ୍ଷରେ ପୋଲିସ ପକ୍ଷରୁ ପରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲାଞ୍ଚ ଯାଚି ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା ହୋଇଥିବାର ଅଭିଯୋଗ ହୋଇଛି। ସାମାନ୍ୟ ଅଟୋ ଚାଳକ ଟିଏର ଝିଅ ହୋଇଥିବାରୁ ପରୀକୁ କ’ଣ ନ୍ୟାୟ ମିଳିବ ନାହିଁ ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଗତ ୨ ବର୍ଷରେ ୫୩୨୩ ଶିଶୁ ନିଖୋଜ ଘଟଣା ସମସ୍ତଙ୍କୁ ତାଜୁବ୍ କରିବା ସହ ଗୃହ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ବିଜେଡି- କଂଗ୍ରେସ ଯୋଡ଼ି ପରୀକୁ ନ୍ୟାୟ ପାଇଁ ସିବିଆଇ ତଦନ୍ତର ପ୍ରତିବନ୍ଧକ ସାଜିଛି ବୋଲି କହିବା ସହ କାହିଁକି ଭୟ କରୁଛନ୍ତି ବୋଲି ସମୀର ପ୍ରଶ୍ନ କରିଛନ୍ତି।

ନୟାଗଡ଼ ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକରଙ୍କ ପାଇଁ ପୋଲିସ ଘଟଣାକୁ ଦିଗହରା କରିଛି। ସ୍ଥାନୀୟ ଥାନାଧିକାରୀ ଘଟଣାକୁ ଗୁରୁତର ସହ ଗ୍ରହଣ କରି ନାହାଁନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ତରଫରୁ ବିଧାନସଭା ଅଧିବେଶନରେ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରାଯାଇ ଥିଲେ ସୁଦ୍ଧା ରାଜ୍ୟ ସରକାର ବିଧାନସଭା ଗୃହରେ ନୀରବ ରହିବା ଓ କେବଳ ବିବୃତି ଦେଇ କାର୍ଯ୍ୟ ସାରିଦେବା ଘଟଣାକୁ ଜଟିଳ କରିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ତଦନ୍ତ ପ୍ରକ୍ରିୟା ହାଇକୋର୍ଟର କେଉଁ ବିଚାରପତିଙ୍କ ତତ୍ୱାବଧାନରେ ହେଉଛି, ଏହାକୁ ନେଇ ରାଜ୍ୟବାସୀ ଅନ୍ଧାରରେ ଅଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି। ପରୀକୁ ନ୍ୟାୟ, ଅଭିଯୁକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର, ଏବଂ ପରୀ ହତ୍ୟାକାଣ୍ଡର ସିବିଆଇ ଦ୍ୱାରା ତଦନ୍ତ ଦାବୀ କରି ରାଜଭବନ ସମ୍ମୁଖରେ ଅନୁଷ୍ଠିତ ଏହି ଗଣଧାରଣାରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ ଅମର ନାୟକ, ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ଡଃ ଯତୀନ ମହାନ୍ତି, ଠାକୁର ରଣଜିତ ଦାସ, ଏସସି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ତରାଇ, ସଂଖ୍ୟାଲଘୁ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ସୁରଥ ବିଶ୍ୱାଳ, ଦିଲୀପ ମଲ୍ଲିକ, ବାବୁ ସିଂ, ଜଗନ୍ନାଥ ପ୍ରଧାନ, ଗୈାତମ ରାୟ, ହରେକୃଷ୍ନ ଖୁଣ୍ଟିଆ, ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।

ଏହା ସହ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଘଟଣାରେ ହସ୍ତକ୍ଷେପ କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ବବିତା ମଲ୍ଲିକ, ଅନୁ ଚୌଧୁରୀ, ଭୁବନେଶ୍ୱର ପୂର୍ବତନ ଡେପୁଟି ମେୟର ଉର୍ମିଳା ମହାପାତ୍ର, ଚିତ୍ରଲେଖା ମହାନ୍ତି, ଡାଃ ଐଶ୍ୱର୍ଯ୍ୟା ବିଶ୍ୱାଳ, ରଶ୍ମିରେଖା ଦାଶ, କସ୍ତୁରୀ ମିଶ୍ର, ସୁଜାତା ପାଢ଼ୀ ଏବଂ ରାଜ୍ୟ ପ୍ରବକ୍ତା ସୋନାଲି ସାହୁ ପ୍ରମୂଖ ସାମିଲ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.