Home Top News ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

51

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାଠାରେ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସବୁଠାରୁ ବଡ଼ ସମସ୍ୟା ହେଲା ନୂତନ ପ୍ରକଳ୍ପ ଘୋଷଣା ହେଲେ ମଧ୍ୟ ସେଥିପାଇଁ ଅର୍ଥ କେଉଁଠୁ ଆସିବ ସେ ବିଷୟରେ ଚିନ୍ତା କରାଯାଉ ନାହିଁ। ପ୍ରକଳ୍ପ ଆରମ୍ଭରୁ ହିଁ ଏଥିପାଇଁ ଆବଶ୍ୟକ ପାଣ୍ଠି ସରକାର ସୁନିଶ୍ଚିତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଭିତ୍ତିଭୂମି ପାଇପ ଲାଇନ ପ୍ରକଳ୍ପ ଅଧୀନରେ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ। ଏହାଛଡ଼ା ବହୁମୂଖୀ ଭିତ୍ତିଭୂମି ସଂଯୋଗକାରୀ ବୃହତ ଯୋଜନା ପାଇଁ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ଦେଶର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସମଗ୍ର ବିଶ୍ଵରୁ ପୁଞ୍ଜି ନିବେଶ ଆକୃଷ୍ଟ କରିବା ଲାଗି ଉଦ୍ୟମ ଜାରି ରହିଥିବା ମୋଦୀ ପ୍ରକାଶ କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ର ଯେଉଁଥିରେ କି ସମସ୍ତଙ୍କ ନିମନ୍ତେ ରୋଜଗାରର ଅବକାଶ ରହିଛି ସେ କ୍ଷେତ୍ରରେ ଇ- ଭିସା ସୁବିଧା ପାଇଁ ଅଧିକ ଦେଶକୁ ସରକାର ଅନ୍ତର୍ଭୁକ୍ତ କରିଥିବା ବେଳେ ହୋଟେଲ ରୁମ ଶୁଳ୍କ ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ଵଦେଶ ଦର୍ଶନ ଓ ପ୍ରସାଦ ଯୋଜନା ମାଧ୍ୟମରେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ହେଉଛି। ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ଯାତ୍ରା ଓ ପର୍ଯ୍ୟଟନ ସୂଚୀରେ ଭାରତ ଏବେ ୩୪ ତମ ସ୍ଥାନରେ ରହିଛି। ୨୦୧୩ରେ ଭାରତ ଏହି ସୂଚୀରେ ୬୫ ତମ ସ୍ଥାନରେ ଥିଲା। କରୋନା ସ୍ଥିତିରେ ସୁଧାର ଆସିବା ସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଚମକ ଆସିବ ବୋଲି ମୋଦୀ ଆଶା ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଦେଶରେ ସଂସ୍କାର ପ୍ରକ୍ରିୟା ଅଧାପନ୍ତରିଆ ନହୋଇ ପୁରା ଦମରେ ଚାଲିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ନଗରଗୁଡିକର ବିକାଶ କାର୍ଯ୍ୟ ୪ଟି ସ୍ତରରେ ହେଉଛି। ସେଗୁଡିକ ହେଲା ଦୀର୍ଘଦିନ ଧରି ପଡ଼ି ରହିଥିବା ସମସ୍ୟାର ସମାଧାନ, ସ୍ଵଚ୍ଛନ୍ଦ ରହଣି, ସର୍ବାଧିକ ବିନିଯୋଗ ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଅଧିକ ଉପଯୋଗ। ଘର କିଣୁଥିବା ବ୍ୟକ୍ତି ଓ ନିର୍ମାଣକାରୀଙ୍କ ମଧ୍ୟରେ ବିଶ୍ଵାସର ଏକ ବ୍ୟବଧାନ ସୃଷ୍ଟି ହୋଇଛି। କିଛି ଲୋକ ଉଦ୍ଦେଶ ପ୍ରଣୋଦିତ ଭାବେ ମନ୍ଦ ଅଭିପ୍ରାୟ ରଖି ସମଗ୍ର ଭୂ- ସମ୍ପତ୍ତି କ୍ଷେତ୍ରକୁ ବଦନାମ କରିବା ଯୋଗୁଁ ମଧ୍ୟବିତ୍ତ ଶ୍ରେଣୀୟ ବ୍ୟକ୍ତ ଦୁଶ୍ଚିନ୍ତାରେ ରହୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ରେରା (ଆରଇଆରଏ) ଆଇନ ପ୍ରବର୍ତ୍ତନ କରାଯାଇଛି। ଏହି ଆଇନ ପ୍ରବର୍ତ୍ତନ ପରେ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ପାଇଁ କୋଠାବାଡ଼ି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହେବା ଦେଖାଯାଉଛି। ଅତ୍ୟାଧୁନିକ ସାଧାରଣ ପରିବହନ ଠାରୁ କୋଠାବାଡ଼ି ପର୍ଯ୍ୟନ୍ତ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ପରିଲକ୍ଷିତ ହୋଇଥିବା ମୋଦୀ କହିଛନ୍ତି।


ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଗ୍ରାରେ ଉଦଘାଟିତ ହେବା ପରଠାରୁ ସହରାଞ୍ଚଳ ଗରିବ ଲୋକଙ୍କ ନିମନ୍ତେ ୧ କୋଟିରୁ ଉର୍ଦ୍ଧ୍ଵ ଆବାସସ୍ଥଳୀ ଅନୁମୋଦିତ ହୋଇଛି। ସହରର ମଧ୍ୟବିତ୍ତ ଶ୍ରେଣୀ ନିମନ୍ତେ ପ୍ରଥମ ଘର କିଣିବା ପାଇଁ ସହାୟତା ପ୍ରଦାନ କରାଯାଉଛି। ଘର କିଣିବା ନିମନ୍ତେ ଏ’ପର୍ଯ୍ୟନ୍ତ ୧୨ ଲକ୍ଷ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ୨୮ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଅମୃତ ମିଶନ ଅଧୀନରେ ଜଳ ଓ ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥାର ଭିତ୍ତିଭୂମିକୁ ଉନ୍ନତି କରାଯାଇଛି। ୨୦୧୪ ପୂର୍ବରୁ ୨୨୫ କିଲୋମିଟର ମେଟ୍ରୋ ଲାଇନ ଥିବାବେଳେ ୨୦୧୪ ପରଠାରୁ ୪୫୦ କିଲୋମିଟର ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହୋଇଛି। ୧ ହଜାର କିଲୋମିଟର ଦୀର୍ଘ ମେଟ୍ରୋ ଲାଇନ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଦେଶର ୨୭ଟି ନଗରୀରେ ଏହି କାର୍ଯ୍ୟ ଚାଲିଛି ବୋଲି ମୋଦୀ କହିଛନ୍ତି। ଆଗ୍ରା ମେଟ୍ରୋ ପ୍ରକଳ୍ପର ଦୈର୍ଘ୍ୟ ୨୯.୪ କିଲୋମିଟର ହୋଇଥିବା ବେଳେ ଏଥିରେ ୨ଟି କରିଡର ରହିଛି। ଏହା ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତାଜମହଲ, ଆଗ୍ରା ଦୁର୍ଗ, ସିକନ୍ଦର ସମେତ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡକୁ ସଂଯୋଗ କରୁଛି। ଏହି ପ୍ରକଳ୍ପ ଯୋଗୁଁ ଆଗ୍ରା ମହାନଗରୀର ୨୪ ଲକ୍ଷ ଜନସାଧାରଙ୍କ ସମେତ ପ୍ରତିବର୍ଷ ଆଗ୍ରାକୁ ଆସୁଥିବା ୬୦ ଲକ୍ଷ ପର୍ଯ୍ୟଟକ ଉପକୃତ ହେବେ। ଏହା ଏକ ପରିବେଶ ଅନୁକୂଳ ମାସ୍ ରାପିଡ଼ ଟ୍ରାଂଜିଟ ସିଷ୍ଟମ ବା ସର୍ବସାଧାରଣଙ୍କ ପାଇଁ ଉଦିଷ୍ଟ ପରିବହନ ବ୍ୟବସ୍ଥା ପ୍ରଦାନ କରିବ। ୫ ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ବାବଦକୁ ପ୍ରାୟ ୮,୩୮୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ପୂର୍ବରୁ ଗତ ବର୍ଷ ମାର୍ଚ୍ଚ ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ସହ ଲକ୍ଷ୍ନୌ ମେଟ୍ରୋର ୨୩ କିଲୋମିଟର ଦୀର୍ଘ ଉତ୍ତର- ଦକ୍ଷିଣ କରିଡରର ସିସିଏ ବିମାନ ବନ୍ଦରରୁ ମୁନିଶିପୁଲିଆ ପର୍ଯ୍ୟନ୍ତ ବାଣିଜ୍ୟିକ କାରବାର ପଥର ଶୁଭାରମ୍ଭ କରିଥିଲେ।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.