Home ଓଡ଼ିଶା ଏମଏସଏମଇଗୁଡ଼ିକର ଊର୍ଦ୍ଧ୍ୱ ସୀମା ସଂଶୋଧନ ଏବଂ ଏହି କ୍ଷେତ୍ର ଲାଗି ଅବଶିଷ୍ଟ ଦୁଇଟି ପ୍ୟାକେଜକୁ କ୍ୟାବିନେଟ...

ଏମଏସଏମଇଗୁଡ଼ିକର ଊର୍ଦ୍ଧ୍ୱ ସୀମା ସଂଶୋଧନ ଏବଂ ଏହି କ୍ଷେତ୍ର ଲାଗି ଅବଶିଷ୍ଟ ଦୁଇଟି ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି

168

– ସଙ୍କଟଗ୍ରସ୍ତ ଏମଏସଏମଇ ପାଇଁ ୨୦ହଜାର କୋଟି ଟଙ୍କାର ପ୍ୟାକେଜ ଓ ଫଣ୍ଡ ଅଫ ଫଣ୍ଡସ ମାଧ୍ୟମରେ ୫୦ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରକ୍ରିୟା ଓ ରୋଡମ୍ୟାପକୁ ଅନୁମୋଦନ
– ଆତ୍ମନିର୍ଭର ଭାରତ ପ୍ୟାକେଜ ମାଧ୍ୟମରେ ଏମଏସଏମଇ କ୍ଷେତ୍ରକୁ ଜୀବନ୍ନ୍ୟାସ ଦେବାର ମାର୍ଗ ପ୍ରଶସ୍ତ ହେବ

ନୂଆ ଦିଲ୍ଲୀ ୨-୬ (ଓଡ଼ିଆ ପୁଅ) ଭାରତ ସରକାର ଦେଶର ଏମଏସଏମଇ କ୍ଷେତ୍ରକୁ ନୂଆ ଜୀବନ୍ନ୍ୟାସ ଦେବା ଦିଗରେ ନେଉଥିବା ପଦକ୍ଷେପ କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ)ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆତ୍ମନିର୍ଭର ଭାରତ ପ୍ୟାକେ ଅନ୍ତର୍ଗତ ଅବଶିଷ୍ଟ ଦୁଇଟି ଘୋଷଣାର ପ୍ରଭାବୀ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ରୋଡମ୍ୟାପକୁ ମଞ୍ଜୁରି ମିଳିଥିଲା। ଏଥିରେ ସାମିଲ ରହିଛି :

ପ୍ୟାକେଜ ଘୋଷଣାରେ ସୂକ୍ଷ୍ମ ଉତ୍ପାଦନ ଏବଂ ସେବା ୟୁନିଟ (ମାଇକ୍ରୋ)ର ଊର୍ଦ୍ଧ୍ୱ ସୀମାକୁ ୧କୋଟି ଟଙ୍କାର ନିବେଶ ଏବଂ ୫ କୋଟି ଟଙ୍କାର କାରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେହିପରି ଲଘୁ ଉଦ୍ୟୋଗଗୁଡ଼ିକର ସୀମାକୁ ୧୦ କୋଟି ଟଙ୍କାର ନିବେଶ ଏବଂ ୫୦ କୋଟି ଟଙ୍କାର କାରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେହିପରି ଏକ ମଧ୍ୟମ ଉଦ୍ୟୋଗଗୁଡ଼ିକର ନିବେଶ ସୀମାକୁ ୨୦ କୋଟି ଟଙ୍କା ଏବଂ କାରବାର ସୀମାକୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୦୬ରେ ଏମଏସଏମଇ ବିକାଶ ଆଇନ ଲାଗୁ ହୋଇଥିଲା। ୧୪ ବର୍ଷ ପରେ ଏଥିରେ ସଂଶୋଧନ କରାଯାଇଛି। ପ୍ୟାକେଜ ୧୩ ମେ ୨୦୨୦ରେ ଘୋଷଣା ହେବା ପରେ କେତେକ ପ୍ରସ୍ତାବ ମିଳିଥିଲା ଯେ ଘୋଷିତ ସଂଶୋଧନ ତଥାପି ବଜାର ଓ ମୂଲ୍ୟ ନିର୍ଦ୍ଧାରଣ ସ୍ଥିତି ଅନୁରୂପ ହୋଇନାହିଁ। ତେଣୁ ଏହାକୁ ଆହୁରି ଅଧିକ କରି ସଂଶୋଧନ କରାଯିବା ଆବଶ୍ୟକ। ଏସବୁ ପ୍ରସ୍ତାବକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ମଧ୍ୟମ ଉତ୍ପାଦନ ଏବଂ ସେବା ୟୁନିଟଗୁଡ଼ିକର ସୀମାକୁ ଆହୁରି ବଢ଼ାଇବା ଲାଗି ନିଷ୍ପତି ନେଇଛନ୍ତି। ବର୍ତମାନ ଏହି ସୀମାକୁ ୫୦ କୋଟି ଟଙ୍କାର ନିବେଶ ଏବଂ ୨୫୦ କୋଟି ଟଙ୍କାର କାରବାରକୁ ବୃଦ୍ଧି କରି ଦିଆଯାଇଛି। ଏହାଛଡ଼ା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମଧ୍ୟ ନିଆଯାଇଛି। ସୂକ୍ଷ୍ମ, ଲଘୁ କିମ୍ବା ମଧ୍ୟମ, ଯେକୌଣସି ଏମଏସଏମଇ ଉଦ୍ୟୋଗର ରପ୍ତାନି ସଂକ୍ରାନ୍ତ କାରବାରକୁ ଟର୍ଣ୍ଣଓଭର ଭାବେ ଗଣନା କରାଯିବ ନାହିଁ। ବ୍ୟବସାୟକୁ ସହଜ କରିବା ଦିଗରେ ଏହା ଏକ ପଦକ୍ଷେପ। ଏହା ଏମଏସଏମଇ କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇପାରିବ। ନିମ୍ନ ତାଲିକାରେ ସଂଶୋଧିତ ସୀମାର ବିବରରୀ ପ୍ରଦାନ କରାଯାଇଛି।

ଶ୍ରେଣୀ ପୁରୁଣା ନିବେଶ ପୁରୁଣା କାରବାର ନୂଆ ନିବେଶ ନୂଆ କାରବାର

ସୂକ୍ଷ୍ମ ୨୫ ଲକ୍ଷ ୧୦ ଲକ୍ଷ ୧ କୋଟି ୫ କୋଟି

ଲଘୁ ୫ କୋଟି ୨ କୋଟି ୧୦ କୋଟି ୫୦ କୋଟି

ମଧ୍ୟମ ୧୦ କୋଟି ୫ କୋଟି ୫୦ କୋଟି ୨୫୦ କୋଟି

– ଚାପଗ୍ରସ୍ତ ଏମଏସଏମଇଗୁଡ଼ିକୁ ଇକ୍ୟୁଟି ସହାୟତା ପ୍ରଦାନ କରିବା ଲାଗି ଅଧୀନସ୍ଥ ଋଣ ରୂପରେ ୨୦, ୦୦୦ କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବକୁ ଆଜି କ୍ୟାବିନେଟ ଔପଚାରିକ ଭାବେ ମଞ୍ଜୁରି ଦେଇଛନ୍ତି। ଏହାଦ୍ୱାରା ୨ ଲକ୍ଷ ଚାପଗ୍ରସ୍ତ ଏମଏସଏମଇ ଲାଭାନ୍ୱିତ ହେବେ

– ଫଣ୍ଡ ଅଫ ଫଣ୍ଡସ ମାଧ୍ୟମରେ ଏମଏସଏମଇ ଲାଗି ୫୦, ୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ମଞ୍ଜୁରି ମିଳିଛି। ଏହାଦ୍ୱାରା ଏମଏସଏମଇର କ୍ଷମତା ବିସ୍ତାରେ ସହାୟତା ପ୍ରଦାନ ଲାଗି ଏକ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ। ଫଳରେ ସେମାନେ ନିଜକୁ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିପାରିବେ।

– ଆଜିର ମଞ୍ଜୁରି ଫଳରେ ଆତ୍ମନିର୍ଭର ଭାରତର ସମ୍ପୂର୍ଣ୍ଣ ଭାଗ ନିମନ୍ତେ ପ୍ରକ୍ରିୟା ଓ ରୋଡମ୍ୟାପ ଅସ୍ତିତ୍ୱକୁ ଆସିଯାଇଛି। ଏହାଦ୍ୱାରା ଏମଏସଏମଇ କ୍ଷେତ୍ରରେ ନିବେଶ ଆକୃଷ୍ଟ କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟତା ମିଳିପାରିବ।

କୋଭିଡ-୧୯ ମହାମାରୀ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ନିର୍ମାଣରେ ଏମଏସଏମଇର ଭୂମିକାକୁ ତୁରନ୍ତ ଚିହ୍ନଟ କରିଥିଲେ। ସେଥିପାଇଁ ଏମଏସଏମଇଗୁଡ଼ିକୁ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ କରାଯାଇଥିବା ଘୋଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଭାବେ ସାମିଲ କରାଯାଇଥିଲା। ଏହି ପ୍ୟାକେଜ ଅନ୍ତର୍ଗତ ଏମଏସଏମଇ କ୍ଷେତ୍ର ପାଇଁ ଯଥେଷ୍ଟ ଅର୍ଥରାଶି ଆବଂଟନ କରାଯିବା ସହିତ ଅର୍ଥବ୍ୟବସ୍ଥାର ସୁଧାର ଲାଗି ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ପ୍ରାଥମିକତା ଦିଆଗଲା। ଅନେକ ପ୍ରମୁଖ ଘୋଷଣା ସହ ଜଡ଼ିତ ପଦକ୍ଷେପ ପୂର୍ବରୁ କାର୍ଯ୍ୟକାରୀ କରାଯିବା ଆରମ୍ଭ ହୋଇସାରିଛି। ଏଥିମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ନିମ୍ନରେ ଦିଆଗଲା:

– ପରିଚାଳନା ସମ୍ବନ୍ଧୀୟ ଦାୟିତ୍ୱ ପୂରଣ କରିବା, କଂ- ମାଲ କ୍ରୟ ଏବଂ କାରବାର ପୁଣିଥରେ ଆରମ୍ଭ କରିବା ଲାଗି ଏମଏସଏମଇ ଲାଗି ୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ସ୍ୱୟଂକ୍ରିୟ ଋଣ।

– ଏମଏସଏମଇ କ୍ଷେତ୍ରକୁ ସର୍ବାଧିକ ଲାଭ ପ୍ରଦାନ ଲାଗି ଏମଏସଏମଇ ପରିଭାଷାରେ ସଂଶୋଧନ।

– ଘରୋଇ କମ୍ପାନୀଗୁଡ଼ିକୁ ଅଧିକ ସୁଯୋଗ ଉପଲବ୍ଧ କରାଇବା ଲାଗି ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ରୟ ନିମନ୍ତେ ବୈଶ୍ୱିକ ଟେଣ୍ଡର ଆହ୍ୱାନକୁ ଅନୁମତି ନଦେବା;

– ସରକାର ଏବଂ ରାଷ୍ଟ୍ରାୟତ କ୍ଷେତ୍ରର ଉପକ୍ରମ ଦ୍ୱାରା ୪୫ ଦିନ ମଧ୍ୟ ବକେୟା ପଇଠ କରିବା।

ଭାରତ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯାହାଫଳରେ ଏହି ପ୍ରମୁଖ ନିଷ୍ପତିଗୁଡ଼ିକର ଲାଭ ତୁରନ୍ତ ଏମଏସଏମଇ କ୍ଷେତ୍ରଗୁଡ଼ିକୁ ମିମଳିପାରିବ। ଏ ସଂକ୍ରାନ୍ତରେ ନିମ୍ନଲିଖିତ ଆବଶ୍ୟକ ନୀତିଗତ ନିଷ୍ପତି ପୂର୍ବ ନିଆଯାଇସାରିଛି ଏବଂ କାର୍ଯ୍ୟାନ୍ୱୟନ ରଣନୀତି ଲାଗୁ କରି ଦିଆଯାଇଛି।

– ତିନି ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ସ୍ୱୟଂଚାଳିତ ଋଣ ଯୋଜନାକୁ ସିସିଇଏ ପୂର୍ବରୁ ମଞ୍ଜୁରି ଦେଇସାରିଛି ଏବଂ ଔପଚାରିକ ଭାବେ ଏହାକୁ ଉପସ୍ଥାପନ କରାଯାଇସାରିଛି।

– ଏମଏସଏମଇ ପରିଭାଷାର ଊର୍ଦ୍ଧ୍ୱ ସୀମାରେ ସଂଶୋଧନ ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇସାରିଛି, ଯାହାଫଳରେ ଏମଏସଏମଇଗୁଡ଼ିକୁ ନିଜ କ୍ଷମତାଠାରୁ ଅଧିକ ସୁଯୋଗ ମିଳିବ।

– ସେହିପରି ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ରୟ ଲାଗି ବାଧ୍ୟତାମୂଳକ ଭାବେ ବୈଶ୍ୱିକ ଟେଣ୍ଡର ଆହ୍ୱାନ କରାନଯିବା ନିମନ୍ତେ ସାଧାରଣ ଆର୍ଥିକ ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ପୂର୍ବରୁ ଜାରି କରାଯାଇସାରିଛି ଏବଂ ସେସବୁ ଲାଗୁ ମଧ୍ୟ ହୋଇସାରିଛି। ଏହାଫଳରେ ଭାରତୀୟ ଏମଏସଏମଇଗୁଡ଼ିକ ପାଇଁ ବ୍ୟବସାୟର ନୂଆ ସୁଯୋଗ ଉପଲବ୍ଧ ହେବ।

– ଏମଏସଏମଇଗୁଡ଼ିକର ଅର୍ଥ ୪୫ ଦିନର ସମୟସୀମା ମଧ୍ୟରେ ପରିଶୋଧ ସୁନିଶ୍ଚିତ କରିବା ଲାଗି କ୍ୟାବିନେଟ ସଚିବ, ବ୍ୟୟ ସଚିବ ଏବଂ ଏମଏସଏମଇ ସଚିବଙ୍କ ସ୍ତରରେ ଦିଶାନିର୍ଦ୍ଦେଶ ଜାରି କରି ଦିଆଯାଇଛି।

– ଏମଏସଏମଇଗୁଡ଼ିକ ଉପରୁ ଚାପ ହ୍ରାସ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣ ଆଦାୟର ସମୟସୀମାକୁ ଆହୁରି ୩ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ଏ ସମସ୍ତ ପଦକ୍ଷେପ ପରିଚାଳନା ନିମନ୍ତେ ମନ୍ତ୍ରଣାଳୟ ଦ୍ୱାରା ଏକ ସୁଦୃଢ଼ ଆଇସିଟି ଆଧାରି ପ୍ରଣାଳୀ ‘ଚାମ୍ପିଅନ୍ସ’ର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲ ଫଳରେ ଏମଏସଏମଇଗୁଡ଼ିକ ପାଇଁ ବର୍ତମାନ ପରିସ୍ଥିତିରେ କେବଳ ସହାୟତା ମିଳିବ ନାହିଁ ବରଂ ବ୍ୟବସାୟର ନୂଆ ସୁଯୋଗ ଉପଲବ୍ଧ ହେବ। ଏହାବ୍ୟତୀତ ଦୀର୍ଘଅବଧିରେ ଜାତୀୟ ଓ ଅନ୍ତର୍ଜାତୀୟ ଚାମ୍ପିଅନ ହେବା ନିମନ୍ତେ ସେମାନଙ୍କୁ ସହାୟତା ମିଳିବ।

ଏମଏସଏମଇ ଏବଂ ଏହା ଉପରେ ନିର୍ଭର କରୁଥିବା ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ନିମନ୍ତେ ଏମଏସଏମଇ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ। ଆତ୍ମନିର୍ଭର ଭାରତ ପ୍ୟାକେଜ ଅନ୍ତର୍ଗତ କରାଯାଇଥିବା ଉପାୟର ଲାଭ ଉଠାଇବା ନିମନ୍ତେ ଏମଏସଏମଇଗୁଡ଼ିକୁ ପ୍ରୋତ୍ସାହନ ଦେବା ଦିଗରେ ଯଥାସମ୍ଭବ ପ୍ରୟାସ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.