Home Top News ଉତ୍ତମ ପ୍ରଶାସନକୁ ଫଳପ୍ରଦ କରିବା ଲାଗି ସରକାରୀ ଡିଜିଟାଲ ପ୍ଲାଟଫର୍ମ ଗୁଡ଼ିକର ଉପସ୍ଥାପନା ସହିତ ଶୁଭାରମ୍ଭ...

ଉତ୍ତମ ପ୍ରଶାସନକୁ ଫଳପ୍ରଦ କରିବା ଲାଗି ସରକାରୀ ଡିଜିଟାଲ ପ୍ଲାଟଫର୍ମ ଗୁଡ଼ିକର ଉପସ୍ଥାପନା ସହିତ ଶୁଭାରମ୍ଭ ହେଲା ଆଜାଦୀ କା ଡିଜିଟାଲ ମହୋତ୍ସବ

54

ନୂଆଦିଲ୍ଲୀ: ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆଜାଦୀ କା ଡିଜିଟାଲ ମହୋତ୍ସବ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ଦକ୍ଷତା ବିକାଶ, ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସାପ୍ତାହିକ କାର୍ଯ୍ୟକ୍ରମର ପ୍ରତ୍ୟେକ ଦିନ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଗୋଟିଏ ଲକ୍ଷ୍ୟ ପ୍ରତି ସମର୍ପିତ ରହିବ। ଆଜାଦୀ କା ଡିଜିଟାଲ ମହୋତ୍ସବର ପ୍ରଥମ ଦିନ ପ୍ରଥମ ଅଧିବେଶନ ଉତ୍ତମ ପ୍ରଶାସନକୁ ଫଳପ୍ରଦ କରିବା ଲାଗି ସରକାରୀ ଡିଜିଟାଲ ପ୍ଲାଟଫର୍ମ ପ୍ରତି ସମର୍ପିତ ଥିଲା। ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଜରିଆରେ ପ୍ରଦାନ କରାଯାଉଥିବା ଯୋଜନାଗୁଡ଼ିକ ଏହି ଅବସରରେ ପ୍ରଦର୍ଶିତ କରାଯାଇଥିଲା। ଏନଇଜିଡିର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ସିଂ ଇଣ୍ଡିଆ ଏଣ୍ଟରପ୍ରାଇଜ ଆର୍କିଟେକ୍ଚର (ଆଇଏନଡିଇଏ)ର ନୀତିଗୁଡ଼ିକୁ ବ୍ୟବହାର କରି ସରକାରୀ ଡିଜିଟାଲ ପ୍ଲାଟଫର୍ମ ଉପରେ ପ୍ରାରମ୍ଭିକ ଉପସ୍ଥାପନା କରିଥିଲେ। ଏକ ସଂଯୁକ୍ତ ସରକାରୀ ଅନୁଭୂତି ହାସଲ କରିବା ଲାଗି ବିଭିନ୍ନ ଅନଲାଇନ ପ୍ରକଳ୍ପ ସହିତ ଏଗୁଡ଼ିକୁ କିଭଳି ଭାବେ ଯୋଡ଼ା ଯାଇପାରିବ ତାହା ସେ ଉଲ୍ଲେଖ କରିଥିଲେ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବ ଅଜୟ ସାହାନୀ ଇ- ଗଭର୍ଣ୍ଣାନ୍ସ ପ୍ରକଳ୍ପ କ୍ଷେତ୍ରରେ ରହିଥିବା ବାଧା ଏବଂ ସେଗୁଡ଼ିକର ସମ୍ମିଶ୍ରଣ ମଧ୍ୟରେ ରହିଥିବା ବ୍ୟବଧାନକୁ ହ୍ରାସ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏ କ୍ଷେତ୍ରରେ ଉଭୟ ସରକାରୀ ଏବଂ ଘରୋଇ ଅଂଶୀଦାରମାନଙ୍କୁ ଯୋଡ଼ିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ମାର୍ଟ ସିଟିଜ୍ ମିଶନ ନିର୍ଦ୍ଦେଶକ ତଥା ଯୁଗ୍ମ ସଚିବ ଶ୍ରୀ କୁନାଲ କୁମାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ, ବେଙ୍ଗାଲୁରୁର ସହଯୋଗରେ ଏବଂ ଅନ୍ୟ ଷ୍ଟାର୍ଟଅପ୍ସ ଓ ସରକାରୀ ଏଜେନ୍ସିଗୁଡ଼ିକର ସମର୍ଥନରେ ବିକଶିତ କରାଯାଇଥିବା ଇଣ୍ଡିଆନ ଅର୍ବାନ ଡାଟା ଏକ୍ସଚେଞ୍ଜ (ଆଇୟୁଡିଏକ୍ସ) ପ୍ଲାଟଫର୍ମ ଉପରେ ବିବରଣୀ ଉପସ୍ଥାପନା କରିଥିଲେ। ସରକାରୀ ଘରୋଇ ଭାଗିଦାରୀର ଏକ ସହଭାଗିତା ଭାବେ ଏହାକୁ ଅଭିହିତ କରି ସେ କହିଥିଲେ ଯେ ଆଇୟୁଡିଏକ୍ସ ହେଉଛି ଏକ ଓପନ ସୋର୍ସ, ନିରାପଦ, କ୍ଲାଉଡ ଆଧାରିତ ଏବଂ ବହୁସ୍ତରୀୟ ଡାଟା ବିନିମୟ ପ୍ଲାଟଫର୍ମ ଯାହା ପାଖରେ ଏକ ଜାତୀୟ ଡାଟା ଏକ୍ସଚେଞ୍ଜ ଭାବେ କାର୍ଯ୍ୟ କରିବାର ସାମର୍ଥ୍ୟ ରହିଛି।

କର୍ଣ୍ଣାଟକ ଇ- ଗଭର୍ଣ୍ଣାନ୍ସର ଅତିରିକ୍ତ ସଚିବ ରାଜୀବ ଚାଓଲା କୃଷି ପଞ୍ଜୀକରଣ ଏବଂ ଏକୀକୃତ ହିତାଧିଚାରୀ ସୂଚନା ବ୍ୟବସ୍ଥା (ଫ୍ରୁଟ୍ସ) ଉପରେ ଏକ ଉପସ୍ଥାପନା କରିଥିଲେ। କର୍ଣ୍ଣାଟକରେ ଚାଷୀଙ୍କ ତଥ୍ୟ ସଂଗ୍ରହରେ ଏହି ବ୍ୟବସ୍ଥା କିଭଳି ସଫଳ ହେଉଛି ତାହା ସେ କହିଥିଲେ। ସେ ଆହୁରି କହିଥିଲେ ଯେ ଏହି ବ୍ୟବସ୍ଥା ଜରିଆରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ହାସଲ କରିବାରେ ସୁବିଧା ହେଉଛି। ପ୍ରଶାସନ ମଧ୍ୟ ସଠିକ ଭାବେ ସରକାରୀ ସେବାର ସୁପରିଚାଳନା କରିପାରୁଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅତିରିକ୍ତ ସଚିବ ସନ୍ତୋଷ ଷଡ଼ଙ୍ଗୀ ଜାତୀୟ ଡିଜିଟାଲ ଶିକ୍ଷା ଢାଞ୍ଚା (ଏନଡିଇଏଆର) କାର୍ଯ୍ୟକ୍ରମ ଏବଂ ଦୀକ୍ଷା ଅଧ୍ୟୟନ ପ୍ଲାଟଫର୍ମ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ଭାରତରେ ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ।

ଯୋଜନା ବିଭାଗ କମିଶନର ତଥା ସଚିବ ଡକ୍ଟର ବିଜୟ କୁମାର ଏହି ଅବସରରେ ମେଘାଳୟ ଏଣ୍ଟରପ୍ରାଇଜ୍ ଆର୍କିଟେକ୍ଚର (ମେଘ ଇଏ) ଉପରେ ବିସ୍ତୃତ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅଧୀନରେ ମାଇଁମେଗ ନାଗରିକ ଡ୍ୟାଶବୋର୍ଡର ପରିକଳ୍ପନା କରାଯାଇଛି। ମେଘ ଇଏ ଫାଇଲ ଆଧାରିତ ଅନୁମୋଦନ ଏବଂ ମଞ୍ଜୁରି ସମୟ ହ୍ରାସ କରିବା ଲାଗି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିଛି ଫଳରେ ୧୨୦ ମାନବ ବର୍ଷର ସମୟ ସଞ୍ଚୟ କରାଯାଇପାରିଛି। ଏନଆଇସିର ଉପ ମହାନିର୍ଦ୍ଦେଶକ ଡି.ସି ମିଶ୍ରା ଏନଆଇସି ଦ୍ବାରା ବିକଶିତ ଉତ୍ତମ ପ୍ରଶାସନ ପାଇଁ ସରକାରୀ ଡିଜିଟାଲ ପ୍ଲାଟଫର୍ମ ଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଏନଆଇସିର ଯୋଜନାଗୁଡ଼ିକ ବିଷୟରେ ସୂଚନା ଦେଇ ସେ ଇ- ଅଫିସ, ଜିଏସଟି ପ୍ରାଇମ, ଇ- ହସ୍ପିଟାଲ, ସର୍ଭିସ ପ୍ଲସ, ସନ୍ଦେସ, ପିଏମ- କିଷାନ, ଇ- କୋର୍ଟ୍ସ, ଇ- ସମ୍ପର୍କ, ଇ- ତାଲ ଆଦି ଅଭିନବ ବ୍ୟବସ୍ଥାଗୁଡ଼ିକ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ଏହିସବୁ ବ୍ୟବସ୍ଥା ଉତ୍ତମ ପ୍ରଶାସନ ଏବଂ ଉପାଦେୟତା ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି।

ଏକଷ୍ଟେପ ଫାଉଣ୍ଡେସନର ମୁଖ୍ୟ ସୁବାର୍ତ୍ତା ପ୍ରଚାରକ (ଚିଫ ଏଭାଞ୍ଜେଲିଷ୍ଟ) ଡକ୍ଟର ବିବେକ ରାଘବନ ଅଧିବେଶନ ଶେଷରେ ଉଦବୋଧନ ଦେଇ ଦର୍ଶକମାନଙ୍କୁ ଜାତୀୟ ଭାଷା ଅନୁବାଦ ମିଶନ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ଭାଷାଜନିତ ବାଧା ଦୂର କରି ଲୋକମାନଙ୍କୁ ନିଜ ଭାଷାରେ ଡିଜିଟାଲକରଣର ସୁବିଧା ଉପଯୋଗ କରିବା ଲାଗି ସଶକ୍ତ କରିବ। ଫଳରେ ଲୋକମାନେ ନିଜ ଭାଷାରେ ଇଣ୍ଟରନେଟ ଆକ୍ସେସ ସୁବିଧା ହାସଲ କରିପାରିବେ। ଏହା ଆତ୍ମନିର୍ଭର ଭାରତ ଗଠନ ପାଇଁ ଡିଜିଟାଲ ଅନ୍ତର୍ଭୂକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବ। ଉତ୍ତମ ପ୍ରଶାସନ ପାଇଁ ସରକାରୀ ଡିଜିଟାଲ ପ୍ଲାଟଫର୍ମର ଅଧିବେଶନ ଶେଷରେ ଉଦଯାପନୀ ବକ୍ତବ୍ୟ ରଖି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବ ଅଜୟ ସାହାନୀ ଭାରତକୁ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ବିଶ୍ବ ନେତୃତ୍ବରେ ପରିଣତ କରିବା ନେଇ ଆଶା ପ୍ରକଟ କରିଥିଲେ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.