ଯୋଡା, ୨୩/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଚାରିଆଡେ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ନେଇ ଡିଣ୍ଡିମ ବାଜୁଛି । ହେଲେ ବାସ୍ତବ ଚିତ୍ର ଏବେ ବି ଯଥା ପୂର୍ବଂ ତଥା ପରଂ । ବିକାଶ ଏହି ଗ୍ରାମବାସୀଙ୍କ ପାଇଁ ସତେ ଯେମିତି ସାତସପନ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ସବୁ ଏଠି ଅପହଁଞ୍ଚ । ସମାଧାନ ନାଁରେ ମିଳୁଛି କେବଳ ପ୍ରତିଶ୍ରୁତି । ବାସ୍ତବରେ ସରକାରଙ୍କ ଯୋଜନା ସବୁ କିଭଳି କାର୍ଯ୍ୟକାରୀ ହେଉଛି ତାହାର ନଗ୍ନ ନମୂନା ଏହି ଗାଁରେ ଦେଖିବାକୁ ମିଳୁଛି । ଖଣି ଅଞ୍ଚଳର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଏହି ଯୋଜନା ଯେ ଠିକ୍ ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ତାହା ଲହୁଣୀପଶି ଗ୍ରାମକୁ ଗଲେ ବେଶ ଜାଣିହେବ । ଯୋଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଏହି ଗାଁ ଏକ ପାହାଡ ପର୍ବତ ଘେରା ଅପନ୍ତରା ଜାଗାରେ ଅବସ୍ଥିତ । କମଳପୁର ଠାରୁ ଏକ ପାଦ ଚଲା ଅଙ୍କାବଙ୍କା ରାସ୍ତାରେ ବୁଦା ଆଡେଇ ୨ କିମି ପାହାଡ ଉପରକୁ ଗଲେ ଏହି ଗାଁ ପଡିଥାଏ । ବର୍ଷା ଦିନ ହେଲେ ପାଦରେ ଚାଲି ଯିବା ବି କଷ୍ଟକର ହୋଇପଡେ । ପାଦରେ ଚାଲି ଯିବା କଷ୍ଟକର , ଏହା ଛଡା ଗାଁରେ କାହାର ଦେହ ଖରାପ ହେଲେ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ନିଆଯାଏ । ଫଳରେ ବହୁ ସମୟ ବିଳମ୍ବରେ ମେଡିକାଲ ପହଁଞ୍ଚିବା ଯୋଗୁ ଅନେକ ନିରୀହ ଜୀବନ ମଧ୍ୟ ଯାଇସାରିଛି । ଏନେଇ ପ୍ରଶାସନକୁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ ନିଦାବିଷ୍ଣୁ ପାଲଟିଛି ପ୍ରଶାସନ । ଏହି ଗାଁରେ ନା ଅଛି ବିଜୁଳି ଆଲୁଅ ନା ପିଇବା ପାଣି । ସରକାରୀ ଆବାସ ଯୋଜନା ତ ଦୂରର କଥା ସ୍ୱଚ୍ଛ ଭାରତ ଯୋଜନାରେ ମଧ୍ୟ ଏଠାରେ ଅପହଞ୍ଚ । ଗାଁଟିରେ କେତେ ଗୁଡିଏ ପୁରୁଣା କାଳିଆ ଝାଟିମାଟି ଖପର ଘର ବ୍ୟତୀତ ଛାତ ଘରଟିଏ ନାହିଁ । କେତେକଙ୍କ ଘର ଉପରେ ଖପର ନଥିବା ବେଳେ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ପଲିଥିନ ଢଙ୍କା ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଗାଁ ଭିତରେ ବସବାସ କରନ୍ତି ୪ଶହରୁ ଉର୍ଦ୍ଧ୍ୱ ଆଦିବାସୀ ସମ୍ପ୍ରଦାୟର ଗ୍ରାମବାସୀ । ଗ୍ରାମ ନିକଟରେ ବୋହିଯାଇଥିବା ଏକ ବର୍ଷାଦିନିଆ ନାଳ ସେମାନଙ୍କ ନିତ୍ୟ ବ୍ୟବହାର ପାଇଁ ବ୍ୟବହାର କରିଥାନ୍ତି । ଏହି ଗାଁରେ ଗୋଟିଏ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି । ତାରି ଭିତରେ ରହିଛି ଏକ ନଳକୂପ । ସେଠାରୁ ପିଇବା ପାଣି ନେଇ ଗ୍ରାମବାସୀମାନେ ବ୍ୟବହାର କରିଥାନ୍ତି । ଗାଁଟିରେ ଅଧିକାଂଶଙ୍କର ରାସନକାର୍ଡଟିଏ ନାହିଁ । ବାର୍ଦ୍ଧକ୍ୟ, ବିଧବା କିମ୍ବା ଭିନ୍ନକ୍ଷମ ଭତା ପାଇବାରୁ ଏହି ଗ୍ରାମବାସୀମାନେ ବଞ୍ଚିତ । ଦ୍ୱିପ ତଳ ଅନ୍ଧାର ପରି ଗାଁଟିରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ ପାଚେରୀ ନଥିବା ସହିତ ଏକ ଅଧାଗଢା ଶୌଚାଳୟ ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଛି । ଏହି ଗାଁଟିର ଲୋକମାନେ ଆଧୁନିକ ସଭ୍ୟତା ଠାରୁ ବହୁ ଦୂରରେ । ଗାଁ ଗହିରରେ ଖେଳୁଥିବା କିଛି ଶିଶୁ କ୍ୟାମେରୀ ଦେଖି ଫଟୋ ଉଠାଇବାକୁ ଦୌଡିଆସିଥିଲେ । ଶିଶୁମାନଙ୍କୁ ଦେଖିଲେ ସେମାନେ ଅପପୃଷ୍ଟିର ଶିକାର ହୋଇଥିବା ପରିସ୍କାର ବାରି ହୋଉପଡୁଛି । କେତେକଙ୍କର ପେଟ ବାହାରିପଡୁଥିବା ବେଳେ ହାତ ଗୋଡ ଶରୁ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଅଧିକାଂଶ ପିଲା ସ୍କୁଲ ମାଟି ମାଡିନଥିବା ଜାଣିବାକୁ ମିଳିଥିଲା । ଏହି ଗାଁର ଚତ୍ତୁର୍ପାଶ୍ୱରେ ଅନେକ ବଡ ବଡ ଖଣି କମ୍ପାନୀ ଅବସ୍ଥିତ ଥିଲେ ମଧ୍ୟ ପାରିପାଶ୍ୱର୍ିକ ଉନ୍ନୟନରେ ଏହି ଗାଁଟିକୂ ସମ୍ପୂର୍ଣ୍ଣ ଭୁଲିଯାଇଥିବା ଦେଖିବାକୁ ମିଳିଥିଲା । ଶେଷରେ ଗାଁର ଜଣେ ବୟୋଜ୍ୟେଷ୍ଠ ତଥା ଭିନ୍ନକ୍ଷମ ବ୍ୟକ୍ତି ବିକରା ମୁଣ୍ଡାଙ୍କୁ ଆମେ ଭେଟିଥିଲୁ । ସେ କୁହନ୍ତି, ମୁଁ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ମୋର ରାସନକାର୍ଡ, ଭିନ୍ନକ୍ଷମ ପ୍ରମାଣପତ୍ରଟିଏ ମଧ୍ୟ ନାହିଁ । ଯାହାଦ୍ୱାରା ସରକାରୀ ଯୋଜନାଟିଏ ଆଜି ପର୍ଯ୍ୟନ୍ତ ମୁଁ ପାଇପାରିନାହିଁ । ନିର୍ବାଚନ ଆସିଲେ ରାଜନେତା ମାନେ ଡେରା ପକାଇ ପୁଳାପୁଳା ପ୍ରତିଶ୍ରୁତି ବି ଦିଅନ୍ତି । ହେଲେ ଭୋଟ୍ ହାତେଇବା ପରେ କାହାର ଦେଖା ମିଳେନି ।ବହୁବାର ଏହି ଅଞ୍ଚଳର ସରପଞ୍ଚ ରତ୍ନମଣୀ ନାଏକ ଏବଂ ଭି.ଏଲ୍.ଡବ୍ଲୁ ଙ୍କ ପାଖକୁ ଦୌଡି ଦୌଡି ମୁଁ ନିରାଶ ହୋଇଛି । ସରକାର ଏହି ଗ୍ରାମଟି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି ।