Home ଓଡ଼ିଶା ଚାଷୀଙ୍କ ସ୍ୱାର୍ଥକୁ ନେଇ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ

ଚାଷୀଙ୍କ ସ୍ୱାର୍ଥକୁ ନେଇ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ

70

ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ) – ସଂସଦରେ ଅଗଣତାନ୍ତ୍ରିକ ଉପାୟରେ କେନ୍ଦ୍ରର ବିଜେପି ସରକାର ପାରିତ କରିଥିବା ତିନୋଟି କୃଷି ବିଧେୟକକୁ ନେଇ ସାରାଭାରତରେ କୃଷକମାନଙ୍କର ପ୍ରତିବାଦ ଓ ଆନ୍ଦୋଳନ ତିବ୍ର ହେବାର ଲାଗିଛି। କୃଷକ ଓ ଭାଗଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ସାରା ଭାରତରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାକୁ ନିଷ୍ପତି ନିଆଯାଇଛି। ତଦନୁଯାୟୀ ଓଡିଶା ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ସମସ୍ତ ଜିଲ୍ଲା ନେତୃବୃନ୍ଦଙ୍କୁ ସୂଚାରୁ ରୂପେ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ନିବେଦନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ମଧ୍ୟରେ ଆସନ୍ତା କାଲି ରାଜ୍ୟସଭା ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଦିଗ୍‌ବିଜୟ ସିଂହ ଓଡିଶା ଗସ୍ତରେ ଆସି ଅପରାହ୍ନ ୪ ଘଟିକାରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖିବାକୁ ଥିବା ବେଳେ ସେପ୍ଟେମ୍ବର ୨୫ ତାରିଖ ଦିନ ଅଖିଳ ଭାରତ କୃଷକ ସଂଗଠନର ଡାକରାକୁ କଂଗ୍ରେସ ସମର୍ଥନ କରିବ ଏବଂ ଆନ୍ଦୋଳନରେ ଭାଗ ନେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିପରି ୨୬ ତାରିଖ ଦିନ ସାମାଜିକ ଗଣମାଧ୍ୟମ ଜରିଆରେ କୃଷକମାନଙ୍କ ପାଇଁ ଏକ “Speakup For Farmers” ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହେବ। ଯେଉଁଥିରେକି କୃଷକମାନେ ନିଜର ମତପୋଷଣ କରିବା ସହ କଂଗ୍ରେସ ନେତୃବୃନ୍ଦ ଏଥିରେ ବହୁଳ ପରିମାଣରେ ଅଂଶଗ୍ରହଣ କରିବେ। ୨୮ ତାରିଖ ଦିନ ଓପିସିସିର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓଡିଶାର ମହାମହିମ ରାଜ୍ୟପାଳଙ୍କ ସହ ଆଲୋଚନା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ପିସିସି ପକ୍ଷରୁ କିଷାନ ମଜଦୁର ବଂଚାଓ ଦିବସ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ବିଧାନସଭା କ୍ଷେତ୍ରରେ ପାଳନ କରାଯିବ। ୧୦ ତାରିଖ ଦିନ ଓଡିଶାର ଯେ କୌଣସି ଗୋଟିଏ ସ୍ଥାନରେ ରାଜ୍ୟସ୍ତରୀୟ କୃଷକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଏବଂ କୃଷକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୨ ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବୁଥ୍‌, ଗ୍ରାମପଂଚାୟତ ଠାରୁ ଆରମ୍ଭ କରି ଏନଏସି, ମ୍ୟୁନିସିପାଲଟି, ମହାନଗର ନିଗମ ଓ ସର୍ବୋପରି ଜିଲ୍ଲାସ୍ତରରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ହେବ ବୋଲି ନିର୍ଦ୍ଦେଶ ଅଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର କର୍ମୀମାନେ ସଫଳ କରିବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.