Home Top News ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ କୃଷି ପରାମର୍ଶ

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ କୃଷି ପରାମର୍ଶ

99

ଭୁବନେଶ୍ୱର ୨୦-୫ (ଓଡ଼ିଆ ପୁଅ) ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ଵର ସୂଚନା ଅନୁଯାଇ ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ କ୍ରମଶଃ ଘନିଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ୨୬ତାରିଖ ସନ୍ଧ୍ୟା ସମୟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୫ ତାରିଖଠାରୁ ବର୍ଷା ଆରମ୍ଭହୋଇ ପରବର୍ତ୍ତୀ ସମୟରେ ବର୍ଷାର ଓ ପବନର ତୀବ୍ରତା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଫସଲର ସୁପରିଚାଳନା ପାଇଁ ନିମୋକ୍ତ ପଦକ୍ଷେପ ଗ୍ରହଣ କରରିବାକୁ ଓୟୁଏଟି ପକ୍ଷରୁ ଏକ ମାର୍ଗଦର୍ଶିକା ଜାରୀ କରାଯାଇଛି।

• ଡାଳୁଅ ଧାନ ଶତକଡ଼ା ୮୦ ଭାଗ ପାଚି ଯାଇଥିଲେ ତୁରନ୍ତ କାଟିନେଇ ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ।

• କଟା ଧାନ ଅମଳ ପାଇଁ ଖଳାରେ ରଖିଥିଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇ ଯାଅନ୍ତୁ କିମ୍ବା ପାଲ ଢାକି ରଖନ୍ତୁ।

• ଡାଳୁଅ ଧାନ, ଆଖୁ, ରାଶି, ନଳିତା, ବାଇଗଣ, ଭେଣ୍ଡି, ଲଙ୍କା ଓ କଖାରୁ ଜାତୀୟ ପନିପରିବା ଏବଂ ବିଭିନ୍ନ ଫୁଲ ଚାଷ କରାଯାଇଥିବା ଜମିରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ।

• ରାଟୁନ ଆଖୁ ଚାଷ କରିଥିଲେ ଭେଳା ବାନ୍ଧି ପବନରୁ ସୁରକ୍ଷା ଦିଅନ୍ତୁ।

• ଖରାଟିଆ ମୁଗ ଓ ବିରି ଜମିରୁ ଆଣି ଖଳାରେ ଶୁଖାଉଥିଲେ ତୁରନ୍ତ ଅମଳ କରି ଦିଅନ୍ତୁ। ଅମଳ ହୋଇ ପାରୁନଥିବା ଶୁଖିଲା ଗଛଗୁଡିକୁ ଖଳାରୁ ସୁରକ୍ଷିତ ସ୍ଥାନକୁ ନେଇ ଯାଅନ୍ତୁ।

• ବର୍ଷାଯୋଗୁଁ ପୋଟଳ, କାକୁଡି, କଖାରୁ, ତରଭୁଜ, ଜହ୍ନି ଆଦି ଲତା ଜାତୀୟ ପନିପରିବା ଓ ବାଇଗଣ, ଭେଣ୍ଡି ଆଦି ଫସଲ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ତଥା ରଞ୍ଜi/ଷ୍ଟ୍ରେଲିକୁ ମଜଭୁତ କରି ଦିଅନ୍ତୁ।

• ସାମୟିକ ଭାବେ କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ବନ୍ଦ ରଖନ୍ତୁ।

• ଆମ୍ବ, କଦଳୀ ଓ ଅମୃତଭଣ୍ଡା ପାକଳ ଅବସ୍ଥାରେ ଥିଲେ ପବନ ବହିବା ଆଗରୁ ତାକୁ ତୋଳି ଦିଅନ୍ତୁ ଏବଂ କଦଳୀ ଓ ଅମୃତଭଣ୍ଡା ଫସଲରେ ଜିରା ଦେଇ ସୁରକ୍ଷା ଦିଅନ୍ତୁ।

• ବର୍ଷା ପରବର୍ତ୍ତୀ ସମୟରେ ପନିପରିବା ଫସଲରେ କବକ ଓ ବୀଜାଣୁ ଜନିତ ରୋଗ ଯଥା ପତ୍ରପୋଡ଼ା, ଝାଉଁଳା, ସଢା ଆଦି ଲାଗିବାର ସମ୍ଭାବନା ଅଛି। ଏହାକୁ ନିୟନ୍ତ୍ରଣ କରିବାପାଇଁ ପ୍ରତି ଏକ ଲିଟର ପାଣିରେ ୨ ଗ୍ରାମ ହିସାବରେ ମେଟାଲିକ୍ସିଲ+ମାଙ୍କାଜେବ ବା କାର୍ବେଣ୍ଡାଜିମ+ ମାଙ୍କାଢେବ ମିଶ୍ରିତ ଔଷଧ କିମ୍ବା ୧ ମି.ଲି.ହିସାବରେ ଟେବୁକୋନାଜୋଲ ସହିତ ୧ ଗ୍ରାମ ହିସାବରେ ପ୍ରାକ୍ଟୋମାଇସିନ ମିଶାଇ ଫସଲର ମୂଳ ଓ ପତ୍ରରେ ସିଂଚନ କରନ୍ତୁ।

• ବର୍ଷା ଛାଡ଼ିଗଲା ପରେ ଗଛରେ ରହି ଯାଇଥିବା ଆମ୍ବ ଓ କାଜୁ ଫିମ୍ପି ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ଥିବାରୁ ପ୍ରତି ଲିଟର ପାଣିରେ ୨ ଗ୍ରାମ କାର୍ବେଣ୍ଡାଜିମ ୫୦% ଡବ୍ଲୁ ପି.ମିଶାଇ ସିଂଚନ କରନ୍ତୁ।

• ଗୃହପାଳିତ ପଶୁମାନଙ୍କୁ ଗୁହାଳ ଭିତରେ ଆବଦ୍ଧ ରଖନ୍ତୁ ଓ ତିନିଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଡ କରି ରଖନ୍ତୁ।

• ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥୁବାରୁ ସମୁଦ୍ରକୁ ନ ଯିବାପାଇଁ ମତ୍ସ୍ୟଜୀବୀମାନଙ୍କୁ ଅନୁରୋଧ କରାଯାଉଛି ଓ ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ୨୩ ତାରିଖ ସୁଦ୍ଧା ଫେରିବାକୁ ପରାମର୍ଶ ଦିଆଯାଉଛି। କୋଭିତ-୧୯ ଯୋଗୁଁ ତାଲାବନ୍ଦ ଅବଧିରେ ବିଭିନ୍ନ କୃଷି କାର୍ଯ୍ୟ ଓ ବିକ୍ରିବଟା କରିବା ସମୟରେ ଅନୁମୋଦିତ ସତର୍କତା ଯଥା ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର ଓ ସାମାଜିକ ଦୁରତା ରକ୍ଷା କରନ୍ତୁ।

ବି.ଦ୍ର, ଅଧିକ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.