Home ଜିଲ୍ଲା ପରିକ୍ରମା ସଚେତନତାର ଅଭାବ ମହିଳା ହିଂସାର ପ୍ରମୁଖ କାରଣ, ୱାନ୍ ଷ୍ଟପ୍ ସେଣ୍ଟରରେ ବିଶ୍ୱ ମହିଳା ହିଂସା...

ସଚେତନତାର ଅଭାବ ମହିଳା ହିଂସାର ପ୍ରମୁଖ କାରଣ, ୱାନ୍ ଷ୍ଟପ୍ ସେଣ୍ଟରରେ ବିଶ୍ୱ ମହିଳା ହିଂସା ନିରୋଧୀ ଦିବସ ପାଳିତ

53

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୋର୍ଟ ପରିସରସ୍ଥ ୱାନ୍ ଷ୍ଟପ ସେଣ୍ଟର ପ୍ରାଙ୍ଗଣରେ ବିଶ୍ୱ ମହିଳା ଓ ବାଳିକା ହିଂସା ନିରୋଧୀ ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ ଫେଲୋସିପ୍ ଦ୍ୱାରା ପରିଚାଳିତ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆୟୋଜିତ ସଭାକୁ ମୁଖ୍ୟଅତିଥି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସମାପିକା ମହାନ୍ତି, ଶିକ୍ଷକ ନେତ୍ରୀ ସୁରଜିତା ନାୟକ, ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ବିଜୟ କେତନ ସାହୁ ପ୍ରମୁଖ ଯୋଗ ଦେଇ ସମାଜରେ ମହିଳାମାନେ ଅଧିକରୁ ଅଧିକ ପାରିବାରିକ ହିଂସାର ଶିକାର ହେଉଥିବା ବେଳେ ବାଳିକାମାନେ ମଧ୍ୟ ଏଥିରୁ ବାଦ୍ ପଡ଼ୁ ନାହାନ୍ତି । ଏଥିଲାଗି ଜନ ସଚେତନତାର ଯଥେଷ୍ଟ ଆବଶ୍ୟକତା ରହିଛି । ଯେ ପର୍ଯ୍ୟନ୍ତ ଲୋକମାନେ ନିଜେ ସଚେତନ ନ ହୋଇଛନ୍ତି ସେତେଦିନ ପର୍ଯ୍ୟନ୍ତ ମହିଳାମାନେ ଏଥିରୁ ବର୍ତ୍ତି ପାରିବେ ନାହିଁ ବୋଲି କହିଥିଲେ । ବିଶେଷ ଭାବେ ମହିଳାମାନେ ସାମାଜିକ ହିଂସା ଠାରୁ ଅଧିକ ଘରୋଇ ହିଂସା ବା ପାରିବାରିକ ହିଂସାର ଶିକାର ହେଉଛନ୍ତି । ସେହିପରି ବାଳିକାଙ୍କ କ୍ଷେତ୍ରରେ ଉଭୟ ସାମାଜିକ ଓ ପାରିବାରିକ ହିଂସା ଦେଖା ଦେଉଛି । ଅନେକ ସମୟରେ ବାଳିକା ମାନେ ପାରିବାରିକ ଓ ସାମାଜିକ ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ଏହା ଏକ ସାମାଜିକ ବ୍ୟାଧି । ଏହାକୁ ଦୂର କରିବାର ଏକମାତ୍ର ଅମୋଘ ଅସ୍ତ୍ର ହେଉଛି ସଚେତନତା ।

ଆଇନ ଯେତେ କଠୋର ହୋଇଥିଲେ ବି ଲୋକେ ସଚେତନ ନ ହେଲେ ବହୁ ହିଂସା ଅଜ୍ଞାତରେ ରହିବାରୁ ବର୍ତ୍ତିଯିବ ବୋଲି ମତ ପ୍ରକାଶ ପାଇଥିଲା । ଶିକ୍ଷକ ନେତ୍ରୀ ଚାରୁଲତା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଫେଲୋସିପ୍‌ର ସଭାନେତ୍ରୀ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ପ୍ରାରମ୍ଭିକ ସୂଚନା ଓ ୱାନ ଷ୍ଟପ ସେଣ୍ଟରର ସେଣ୍ଟର ଆଡ୍‌ମିନିଷ୍ଟ୍ରେଟର ପୁଷ୍ପାଞ୍ଜଳି ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରାଧ୍ୟାପିକା ରାଧାରାଣି ମହାପାତ୍ର, ଡ. ପ୍ରଭାତ ନଳିନୀ ମହାପାତ୍ର, ଇନର ହୁଇଲ ସଭାନେତ୍ରୀ ସ୍ନେହଲତା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଫେଲୋସିପ୍ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ୱାନ୍ ଷ୍ଟପ ସେଣ୍ଟରର ସମସ୍ତ କର୍ମକର୍ତ୍ତା, କର୍ମଚାରୀ ତଥା ଅତିଥିମାନେ ଏବଂ ଫେଲୋସିପର କର୍ମଚାରୀ ସମୂହ ଭାବେ କ୍ୟାଣ୍ଡେଲ ପ୍ରଜ୍ୱଳନ କରି ଏହାକୁ ପାଳନ କରିଥିଲେ । ଆମନ୍ତ୍ରିତ ଅତିଥିମାନେ ସେମାନଙ୍କ ମତ ପୋଷଣ କରିଥିଲେ । ଅନ୍ନପୂର୍ଣ୍ଣା ସାହୁ, ଫେଲୋସିପ ଶିଶୁ ଯତ୍ନ ଅନୁଷ୍ଠାନର ସୁପରିନ୍‌ଟେଣ୍ଡେଣ୍ଟ ଯୋଗମାୟା ଚାନ୍ଦ ପରିଚାଳନା କରିଥିବା ବେଳେ ଫେଲୋସିପ୍‌ର ସମ୍ପାଦକ ଏସ୍‌. ଏମ୍‌. ଫାରୁକ୍ ପୂର୍ଣ୍ଣ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.