Home ଜିଲ୍ଲା ପରିକ୍ରମା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡ଼ିହେଲା ଭଦ୍ରକ ଜିଲ୍ଲା, କାର୍ଡ଼ ପାଇବେ ୩ଲକ୍ଷ ୨୬ ହଜାର...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡ଼ିହେଲା ଭଦ୍ରକ ଜିଲ୍ଲା, କାର୍ଡ଼ ପାଇବେ ୩ଲକ୍ଷ ୨୬ ହଜାର ୧୯୨ ହିତାଧିକାରୀ : ୨୭ ରୁ ବଣ୍ଟନ ଆରମ୍ଭ

71

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଓ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଆଭାସି ଜରିଆରେ ଭଦ୍ରକ ଜିଲ୍ଲାପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରାଯିବା ସହ ୨୯୦ କୋଟି ୭୫ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଓ ଶୁଭ ଉଦ୍‌ଘାଟନ କରାଗଲା । ଏଥି ଉପଲକ୍ଷେ ଭଦ୍ରକର ନେହେରୁ ଷ୍ଟାଡ଼ିୟମ ପଡ଼ିଆରେ ଜିଲ୍ଲାସ୍ତରୀୟ ଉତ୍ସବର ଆୟୋଜନ କରାଯାଇଥିଲା । ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜିଲ୍ଲା କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିଲେ । ନେହେରୁ ଷ୍ଟାଡ଼ିୟମ ପଡ଼ିଆରେ ଆୟୋଜିତ ଜିଲ୍ଲା କାର୍ଯ୍ୟକ୍ରମରେ ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍ ପ୍ରମୁଖ ଯୋଗ ଦେଇଥିଲେ । ସନ୍ଧ୍ୟା ଘ ୫.୩୦ମି ସମୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସି ଜରିଆରେ କାର୍ଡ଼ ବଣ୍ଟନ ଓ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସର ଉଦ୍‌ଘାଟନ କରାଗଲା । ଭଦ୍ରକ ଜିଲ୍ଲାପାଇଁ ଆଜି ଦିନଟି ସ୍ମରଣୀୟ । ସାରା ଦେଶରେ ପ୍ରଥମ, ଅଦ୍ୱିତୀୟ ଶ୍ରେଷ୍ଠ ଯୋଜନା ଭାବେ ବିବେଚିତ ମୁଖ୍ୟମନ୍ତ୍ରୀଙ୍କ ଏହି ବିଏସ୍‌କେୱାଇ ଯୋଜନାରେ ଭଦ୍ରକ ଜିଲ୍ଲାର ୮୬ ଭାଗ ଲୋକ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇବେ । ଜିଲ୍ଲା ପାଇଁ କମ୍ ଏହା ଗୌରବ କଥା ନୁହଁ ବୋଲି ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କାରିଥିଲେ । ଶ୍ରୀଯୁକ୍ତ ରାୟ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଯୋଜନାରେ ଭଦ୍ରକ କୁ ସାମିଲ କରି ସାଢ଼େ ଏଗାର ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଖରେ ଏହି ସ୍ୱାସ୍ଥ୍ୟ ସେବା ପହଞ୍ଚାଇ ପାରିଥିବାରୁ ଅତ୍ୟନ୍ତ ଖୁସି ବୋଲି ପ୍ରକାଶ କରିଥିଲେ । ଏହି ଯୋଜନା ଘୋଷଣାରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁଠାରୁ ବଡ଼ ଚିନ୍ତା ଥାଏ ଚିକିତ୍ସା ପାଇଁ ଟଙ୍କା । ଜମି, ବାଡ଼ି, ସୁନା ବିକି ଏଥିପାଇଁ ଲୋକେ ବହୁକଷ୍ଟ ପାଆନ୍ତି । ଏହି ସ୍ମାଟ କାର୍ଡ଼ ହିଁ ଲୋକଙ୍କ ସେହି ଦୁଃଖ ଦୂର କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପୂର୍ବତନ ବିଧାୟକ ତଥା ଚଳଚ୍ଚିତ୍ର ତାରକା ଆକାଶ ଦାଶ ନାୟକ ଓ ଉପଦେଷ୍ଟା ସୁଲତା ଦେଓ ଉଦ୍‌ଘୋଷକ ଭାବେ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍‌.ପି. ଚରଣସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ଅରୁଣ ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଭଦ୍ରକ ବିଡ଼ିଓ ମନୋଜ କୁମାର ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପ୍ରମୁଖ ଆନୁଷଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରଭୃତିଙ୍କ ସହ ଅନ୍ୟ ଜନପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ । ଉଦ୍‌ଘାଟନୀ ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ୬ଜଣ ହିତାଧିକାରୀମାନଙ୍କୁ ଡ଼େମୋ କାର୍ଡ଼ ବଣ୍ଟନ କରାଯାଇଥିଲା ।

ଭଦ୍ରକ ବ୍ଲକରୁ ୩ ଜଣ ଓ ମ୍ୟୁନିସିପାଲିଟର ୩ ଜଣ ଥିଲେ । ସମୁଦାୟ ୨୦ଜଣ ହିତାଧିକାରୀ ବ୍ଲକ୍ ରୁ ୧୦ ଓ ଭଦ୍ରକ ମ୍ୟୁନିସ୍‌ପାଲିଟି ରୁ ୧୦ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲାର ବଣ୍ଟନ କରାଯିବାକୁ ଥିବା ସମୁଦାୟ ୩ଲକ୍ଷ ୨୬ ହଜାର ୧୯୨ଟି କାର୍ଡ଼କୁ ୨୭-୧୧-୨୧ରିଖ ଦିନ ଠାରୁ ସଂଯୁକ୍ତ ବ୍ଲକ, ମ୍ୟୁନିସ୍‌ପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ଦ୍ଧାରିତ କେନ୍ଦ୍ରମାନଙ୍କରେ ଅତିଥିଭାବେ ସାଂସଦ, ବିଧାୟକ ଓ ଅନ୍ୟଜନ ପ୍ରତିନିଧି ମାନଙ୍କ ଦ୍ୱାରା ବଣ୍ଟନ ଆରମ୍ଭ କରାଯାଇ କାର୍ଡ଼ ସରିବା ପର୍ଯ୍ୟନ୍ତ ପ୍ରତିଦିନ ବଣ୍ଟାଯିବ । ଆଜିର ଏହି ଜିଲ୍ଲାସ୍ତରୀୟ ଉଦ୍‌ଘାଟନୀ ଉତ୍ସବକୁ ଭଦ୍ରକ ବ୍ଲକ ଓ ମ୍ୟୁନସିପାଲଟି ବ୍ୟତୀତ ଅନ୍ୟ ସମସ୍ତ ବ୍ଲକରେ ଏଲ.ଇ.ଡ଼ି. ଜରିଆରେ ସିଧାସଳଖ ଲାଇଭ୍ କରାଯାଇ ପ୍ରଦର୍ଶନ କରାଯାଇଛି । ବ୍ଲକ୍ ଓ ପୌରପରିଷଦ ମିଶି ଗୋଟିଏ ଲେଖାଏଁ ପ୍ରଦର୍ଶନ କେନ୍ଦ୍ରର ଆୟୋଜନ କରାଯାଇଛି । ଆଜି ୧୦୬.୨୭ କୋଟି ଟଙ୍କାର ୧୫୯ ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ କରି ୧୮୪.୪୮ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ଉଦ୍‌ଘାଟିତ ପ୍ରକଳ୍ପ ମଧ୍ୟରେ ଥିଲା ଆର୍‌.ଡ଼ବ୍ଲୁଏସ୍ ର ୩୦ଟି ପ୍ରକଳ୍ପ ପାଇଁ ୪୬.୯୬ କୋଟି, ଆର୍ ଆଣ୍ଡ ବି.ର ୩ଟି ପ୍ରକଳ୍ପ ପାଇଁ ୧୪.୩୨ କୋଟି, ଆର୍‌.ଡ଼ବ୍ଲୁ.ଡ଼ିର ୭ଟି ପ୍ରକଳ୍ପପାଇଁ ୨୮.୫୪ କୋଟି, ସ୍କୁଲ ଓ ଗଣଶିକ୍ଷାର ୫ଟି ପାଇଁ ୦.୨୯ କୋଟି, ବ୍ଲକ୍ ଗୁଡ଼ିକ ପାଇଁ ୧୦୭ଟି ପ୍ରକଳ୍ପ ବାବଦ ୧୦.୮ କୋଟି, ଆର୍‌.ଏସ୍‌.ସି.ର ୨ଟି ପାଇଁ ୦.୮ କୋଟି, ଉଠାଜଳସେଚନର ୩ଟି ପାଇଁ ୦.୮୧ କୋଟି, ଗୃହନିର୍ମାଣ ଓ ସହରାଞ୍ଚଳ ଉନ୍ନୟନ ର ୨ଟି ପାଇଁ ୩.୭୨ କୋଟି ଏବଂ ଶିଳାନ୍ୟାସରେ ଥିଲା ଆର.ଆଣ୍ଡ.ବି.ର ୪ଟି ପ୍ରକଳ୍ପ ପାଇଁ ୧୧୦.୯୯ କୋଟି ଆର୍‌.ଡ଼ବ୍ଲ୍ୟୁ.ଡ଼ିର ୮ଟି ପାଇଁ ୩୫.୧୫ କୋଟି, ଜଳ ସମ୍ପଦ ୬ଟି ପାଇଁ ୨୧.୯୬ କୋଟି, ସ୍ୱାସ୍ଥ୍ୟର ୫ଟି ପାଇଁ ୩.୭୧ କୋଟି, ସ୍କୁଲ ଓ ଗଣଶିକ୍ଷାର ୨ଟି ପାଇଁ ୦.୮୫ କୋଟି, ଆର.ଏମ୍‌.ସି. ର ୨୩ଟି ପାଇଁ ୬.୨୬ କୋଟି ଗୃହ ନିର୍ମାଣ ଓ ସହରାଞ୍ଚଳ ଉନ୍ନୟନ ର ୬୪ଟି ପ୍ରକଳ୍ପ ପାଇଁ ୫.୫୬ କୋଟି । କେନ୍ଦ୍ର କିମ୍ବା ରାଜ୍ୟ ଯୋଜନାରେ ରେସନ୍‌କାର୍ଡ଼ ଥିବା ସମସ୍ତ ହିତାଧିକାରୀ ଏହି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ପାଇବେ, ଏକ ବର୍ଷ ପାଇଁ ଏହି କାର୍ଡ଼ ପ୍ରଯୁଜ୍ୟ, ରେସନ କାର୍ଡ଼ରେ ନାମ ଥିବା ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ସ୍ତ୍ରୀ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସେବା ଉପଲବ୍‌ଧ ହେବ ।

ବଣ୍ଟାଯିବାକୁ ଥିବା ପ୍ରତି କିଟ୍‌ରେ ୨ଟି ସ୍ମାର୍ଟକାର୍ଡ଼ ସହ ଚିକିତ୍ସା ସୁବିଧା ପାଇବାକୁ ଥିବା ଡ଼ାକ୍ତରଖାନା ଗୁଡ଼ିକର ନାମ ତାଲିକା ପୁସ୍ତିକା ରହିଛି । ଗୋଟିଏ କାର୍ଡ଼ ହଜିଗଲେ କି ନଷ୍ଟ ହେଲେ ଅନ୍ୟ କାର୍ଡ଼ଟି ବ୍ୟବହାର କରିହେବ । ନଭେମ୍ବର ୨୭ ତାରିଖ ଠାରୁ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସଂପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବି.ଡ଼ି.ଓ. ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ଦ୍ଧାରିତ କେନ୍ଦ୍ରମାନଙ୍କରେ ଏହି କାର୍ଡ଼ ବଣ୍ଟନ କରାଯିବ । ଏଥିପାଇଁ ଅଧିକାରୀ, କର୍ମଚାରୀ ମାନଙ୍କୁ ତାଲିମ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ପ୍ରତି କେନ୍ଦ୍ରରେ ଆଶା, ଅଙ୍ଗବାଡ଼ି କର୍ମୀ, ଶିକ୍ଷକ, ଏମ.ଆଇ. ଡ଼ାଟା ଏଣ୍ଟ୍ରି ଅପରେଟର ଆଦି ନିୟୋଜିତ ହେବା ସହ ନୋଡ଼ାଲ ଅଫିସର, ସେକ୍ଟର ଅଫିସର, ଲିଆସନିଂ ଅଫିସର ନିଯୁକ୍ତ କରାଯାଇଛି । ପ୍ରତିକେନ୍ଦ୍ରରେ ପ୍ରତିଦିନ ୧୫୦ ରୁ ୨୫୦ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ କାର୍ଡ଼ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି । କେଉଁଦିନ କେଉଁ କେନ୍ଦ୍ରରେ କେଉଁ ହିତାଧିକାରୀ ମାନଙ୍କୁ କାର୍ଡ଼ ଦିଆଯିବ ଚିରକୁଟି ବଣ୍ଟନ କରାଯାଉଛି । ରେସନକାର୍ଡ଼, ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍‌ର ଅବିକଳ ନକଲ ଧରି କେନ୍ଦ୍ରକୁ ହିତାଧିକାରୀ ମାନେ ଆସିବା ନେଇ ଚିରକୁଟି ପଛପଟରେ ଲେଖାଯାଇଛି । ବିଧାୟକ ବା ଅନ୍ୟ ଅତିଥିଙ୍କ ଦ୍ୱାରା କେଉଁ ଦିନ କେଉଁ ସମୟରେ କେଉଁ କେନ୍ଦ୍ର ଉଦ୍‌ଘାଟିତ ହେବ ସେ ନେଇ ରୁଟ୍‌ଚାର୍ଟ ପ୍ରସ୍ତୁତ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକରେ ୫୧,୮୬୭ ବାସୁଦେବପୁର ମ୍ୟୁନିସିପାଲିଟିରେ ୭,୫୩. ଭଦ୍ରକ ବ୍ଲକ୍‌ରେ ୪୬,୨୬. ଭଦ୍ରକ ମ୍ୟୁନିସିପାଲିଟିରେ ୧୭,୬୯. ଭଣ୍ଡାରିପୋଖରୀ ବ୍ଲକ୍‌ରେ ୩୭,୭୫୯ ଧାମନଗର ଏନ୍‌.ଏସି.ରେ ୪,୨୪୪ ଟି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ କରାଯିବ । ପ୍ରତିଦିନ ୫ରୁ ୬ଟି ଗ୍ରାମପଞ୍ଚାୟତର କେନ୍ଦ୍ର ମାନଙ୍କରେ ଏହି ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯିବା ନେଇ କାର୍ଯ୍ୟସୂଚୀ ରହିଛି । ଆଜିର ଏହି କାର୍ଯ୍ୟକ୍ରମ ପୂର୍ବରୁ ପୁଲିସ୍ ଅଣ୍ଡା ମାଡ ଓ କଳା ପତାକା ପ୍ରଦର୍ଶନ ଭୟରେ ରାଜ୍ୟ ଯୁବ ମୋର୍ଚ୍ଚା ସୋସିଆଲ ମିଡିଆ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ ଓ ଚନ୍ଦନ ଦାସଙ୍କୁ ଉଠାଇ ନେଇ ପରେ ଛାଡିଦେଇଥିବାର ଜଣାପଡିଛି । ସେହିପରି ବିଜେପି ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ହରପ୍ରିୟା ସାହୁ ଓ ସଂପାଦିକା ଲିପିକା ବାରିକକୁ ପୁଲିସ୍ ସଭାସ୍ଥଳର କିଛିଦୂରରୁ ମଧ୍ୟ ଉଠାଇ ନେଇଥିଲା । ତେବେ ସଭାପୂର୍ବରୁ ବହୁ ବିଜେପି କର୍ମୀ ଓ ନେତା ରାସ୍ତାରେ କଳା ପତାକା ଦେଖାଇ ବିକ୍ଷୋଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.