Home ଓଡ଼ିଶା ଲକ୍‌ଡାଉନ୍ ପାଇଁ ଜେ.କେ ପେପର ମିଲ ବନ୍ଦ

ଲକ୍‌ଡାଉନ୍ ପାଇଁ ଜେ.କେ ପେପର ମିଲ ବନ୍ଦ

213

ରାୟଗଡା ୨୯ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପାଇଁ ଲକ୍‌ଡାଉନ୍ କରିବା ଫଳରେ ଅଧିକାଂଶ କଳକାରଖାନା ଏକପ୍ରକାର ବନ୍ଦ ହେବା ଦେଖିବାକୁ ମିଳିଛି। ଆଜି ରାୟଗଡାରେ ଥିବା ଜେ.କେ ପେପର ମିଲ କଞ୍ଚାମାଲ ଅଭାବ ସାଙ୍ଗକୁ ଉତ୍ପାଦିତ ସାମଗ୍ରୀ ରପ୍ତାନି ହୋଇପାରୁ ନ ଥିବାରୁ କଂପାନି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ ରଖିବାକୁ ଆଜି ଘୋଷଣା କରିଥିବା ସୂଚନା ମିଳିଛି। ଜେ.କେ ପେପର ମିଲରେ କାର୍ଯ୍ୟକରୁଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଜେ.କେ ପେପର ମିଲ ବାର୍ଷିକ ୪.୫ ଲକ୍ଷ ଟନ୍ ଉତ୍ପାଦନ କ୍ଷମତା ରଖିଥିବା ରୁ ଦୈନିକ ୫ ଶହ ଟନ୍ କାଗଜ ଉତ୍ପାଦିତ ହେଉଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିବା ପରେ କଂପାନିରୁ ଉତ୍ପାଦିତ ଦ୍ରବ୍ୟ ରପ୍ତାନିରେ ବାଧା ସୃଷ୍ଟି ହୋଇଥିଲା। ସମସ୍ତ ଦୋକାନ ବଜାର ସମେତ ବହୁ କଂପାନି ଓ ଅନୁଷ୍ଠାନ ବନ୍ଦ ଥିବାରୁ କଂପାନିର ବହୁ ଅର୍ଡର୍ ବାତିଲ୍ ହୋଇଥି‌ଲା। ସେହିପରି ବିଶାଖାପାଟଣା ବନ୍ଦରରେ ବାହାରକୁ ଯିବା ପାଇଁ ପଡ଼ି ରହିଥିବା ମାଲ୍ ଖାଲି ହେଉପାରି ନାହିଁ। ଗାଡ଼ି ଚଳାଚଳ ବନ୍ଦ ଯୋଗୁ କଞ୍ଚାମାଲ ଆସିବାରେ ମଧ୍ୟ ବାଧା ସୃଷ୍ଟି ହୋଇଛି।କଂପାନି ପାଇଁ ଆବଶ୍ୟକ ୭୦ ପ୍ରତିଶତ କଞ୍ଚାମାଲ ଆନ୍ଧ୍ରପ୍ରଦେଶରୁ ଆସୁଥିବାରୁ ସୀମା ସିଲ୍ ପରେ ଶହ ଶହ ଟ୍ରକ୍ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଅଟକି ରହିଛି। ଫଳରେ କଂପାନି ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଉନ୍ନତମାନର କାଗଜ ଉତ୍ପାଦନ ଲାଗି ବିଶ୍ବ ବଜାରରେ ଜେକେ ପେପରର ବହୁତ ଚାହିଦା ରହିଛି। କିନ୍ତୁ ରପ୍ତାନିରେ ସମସ୍ୟା ସାଙ୍ଗକୁ କଞ୍ଚାମାଲର ଅଭାବ ଯୋଗୁ କଂପାନି ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ଉଚ୍ଚ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା କଂପାନିର ଲୋକ ସଂପର୍କ ବିଭାଗ ବରିଷ୍ଠ ପ୍ରବନ୍ଧକ ସୁନୀଲ କୁମାର ନାଥ ସୂଚନା ଦେଇଛନ୍ତି।କଂପାନିରେ ଦୈନିକ ଓ ଚୁକ୍ତିଭିତ୍ତିକ ଭାବେ ୪ ହଜାର କର୍ମଚାରୀ କାର୍ଯ୍ୟରତ ଥିବାରୁ କରୋନା କବଳରୁ ବର୍ତ୍ତିବା ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଯେଉଁ କର୍ମଚାରୀ ଲକଡାଉନ୍ ନିଷ୍ପତ୍ତିକୁ ଉଲ୍ଲଂଘନ କରିଥିବା ପ୍ରମାଣିତ ହେବ ସଂପୃକ୍ତ କର୍ମଚାରୀଙ୍କ ଚଳିତ ବର୍ଷ ପଦୋନ୍ନତି ସାଙ୍ଗକୁ ଦରମା ବନ୍ଦ କରାଯିବାକୁ କଂପାନି ଚେତାବନୀ ଦେଇଛି। କେବଳ ବିଦ୍ୟୁତ୍, ପାଣି ଯୋଗାଣ, ୟାର୍ଡ ରକ୍ଷଣାବେକ୍ଷଣ, ସଫେଇ ଓ ପରିମଳ ଭଳି ଜରୁରି କାମ ତୁଲାଇବାକୁ ଦୈନିକ ୨ ଶହ କର୍ମଚାରୀ ନିୟୋଜିତ ରହିବେ ବୋଲି କଂପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.