Home ଜିଲ୍ଲା ପରିକ୍ରମା ରେଳ ବଜେଟରେ ପୁଣି ଯାଜପୁର ରୋଡ-ଧାମରା ରେଳପଥକୁ ଉପେକ୍ଷା, ଦୁଇ ଜିଲ୍ଲାବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା

ରେଳ ବଜେଟରେ ପୁଣି ଯାଜପୁର ରୋଡ-ଧାମରା ରେଳପଥକୁ ଉପେକ୍ଷା, ଦୁଇ ଜିଲ୍ଲାବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା

45

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ରେଳ ବଜେଟରେ ପୁଣି ରାଜ୍ୟର ବହୁ ପ୍ରତିକ୍ଷିତ ଯାଜପୁର ରୋଡ-ଧାମରା ରେଳପଥକୁ ଉପେକ୍ଷା କରାଯାଇଛି । ଆବଶ୍ୟକତା କୁ ଦୃଷ୍ଟିରେ ରଖି ଗତ ୨୦୧୨/୧୩ ରେଳ ବଜେଟରେ ଏହି ପ୍ରକଳ୍ପର ସର୍ଭେ ପାଇଁ ଅନୁମୋଦନ ମିଳିଥିଲା । ବଜେଟ ଅନୁମୋଦନ ପରେ ୯୬ କିମି ଦିର୍ଘ୍ୟ ଏହି ରେଳ ପ୍ରକଳ୍ପର ସର୍ଭେ କରାଯାଇ ୨୦୧୫ ମସିହାରେ ରେଳବାଇ ବୋର୍ଡ ନିକଟରେ ଏହାର ରିର୍ପୋଟ ଦାଖଲ କରାଯାଇଥିଲା । ଆଶା କରାଯାଉଥିଲା ୯୯୫ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତ ଏହି ରେଳ ପ୍ରକଳ୍ପ ସର୍ଭେ ରିର୍ପୋଟ ୨୦୧୬/୧୭ ନଚେତ ୨୦୧୭/୧୮ ରେଳ ବଜେଟରେ ଆର୍ଥିକ ମଞ୍ଜୁରୀ ପ୍ରାପ୍ତ ହୋଇ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇ ଯିବ । କାରଣ ସର୍ଭେ ରିର୍ପୋଟରେ ଏହି ପ୍ରକଳ୍ପ ଏକ ଲାଭଦାୟକ ପ୍ରକଳ୍ପ ସାବ୍ୟସ୍ତ ହୋଇଥିବା ଏବଂ ପ୍ରାରମ୍ଭରେ ଏଥିରୁ ରେଳବାଇ କୁ ସର୍ବନିମ୍ନ ୩୧ ପ୍ରତିଶତ ଲାଭ ସୁନିଶ୍ଚିତ ହୋଇଥିବା କଥା ପୂର୍ବତଟ ରେଳବାଇଙ୍କ ପକ୍ଷରୁ ବୋର୍ଡଙ୍କୁ ଅବଗତ କରାଯାଇଥିଲା । ହେଲେ ପୁର୍ବତଟ ରେଳବାଇର ଏହି ପ୍ରସ୍ତାବ ଗତ ୫ ବର୍ଷ ଧରି ବୋର୍ଡରେ ପଡି ରହିଥିବା ବେଳେ ତାହା ବଜେଟ ଅନୁମୋଦନ ଲାଭ କରିପାରୁ ନାହିଁ । ଯାହାକୁ ନେଇ ଯାଜପୁର ଏବଂ ଭଦ୍ରକ ଜିଲ୍ଲାବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉଭୟ ଜିଲ୍ଲାର ପ୍ରମୁଖ ବ୍ୟକ୍ତିମାନଙ୍କୁ ନେଇ ଗଠିତ ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ନେତୃତ୍ୱରେ ଏଥିନେଇ ନିରନ୍ତର ସଂଗ୍ରାମ ଜାରି ରହିଛି । ସମିତିର ଆବାହକ ସନ୍ତୋଷ ଦାସ ଏବଂ ଅଧକ୍ଷ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ରେଳପଥ ପାଶ୍ୱର୍ବର୍ତ୍ତି ଗାଁ ଗଣ୍ଡାରେ ଜନ ସଚେତନତା ସୃଷ୍ଟି କରିବା ସହିତ ଏଥିନେଇ ପୂର୍ବତଟ ରେଳବାଇ ଏବଂ କେନ୍ଦ୍ର ରେଳମନ୍ତ୍ରଣାଳୟ ନିକଟରେ ବାରମ୍ଭାର ଦାବୀପତ୍ର ଦେଇ ଆସୁଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁ ନାହିଁ । ଏହା ପଛରେ କେନ୍ଦ୍ର ସରକାର ଙ୍କର ହିନ ବ୍ୟବସାୟୀକ ଅଭିଷନ୍ଦି ରହିଛି ବୋଲି ଅଭିଯୋଗ କରି ଏଥିନେଇ ଏକ ବଡ ଧରଣର ଜନ ଆନ୍ଦୋଳନ ର ଆବଶ୍ୟକତା ଦେଖାଦେଇଛି ବୋଲି ସମିତିର ଆବାହକ ସନ୍ତୋଷ ଦାସ କହିଛନ୍ତି ।

ନିଜ ପ୍ରତିକ୍ର୍ରିୟାରେ ସେ କହିଛନ୍ତି ଯେ ଏହି ରେଳପଥ ନିର୍ମାଣ ହେଲେ ଆଦାନୀ କମ୍ପାନୀ ପରିଚାଳିତ ଧାମରା-ଭଦ୍ରକ ରେଳପଥ ର ଗୁରୁତ୍ୱ ହ୍ରାସ ପାଇବା ସହିତ କମ୍ପାନୀର ଏକଚାଟିଆ ବ୍ୟବସାୟ ବାଧାପ୍ରାପ୍ତ ହେବ । ତେଣୁ କେନ୍ଦ୍ର ସରକାର ଜାଣିଶୁଣି ଏହି ରେଳ ପ୍ରକଳ୍ପକୁ ଅନୁମୋଦନ କରୁନଥିବା ସେ କହିଛନ୍ତି । ରେଳପଥର ଆବଶ୍ୟକତା ସଂର୍ପକରେ ସୁଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ ୯୬ କିମି ଦର୍ଘ୍ୟ ବିଶିଷ୍ଟ ଏହି ରେଳପଥ ନିର୍ମାଣ ହେଲେ ପ୍ରାଚୀନ ଓଡିଶାର ରାଜଧାନୀ ଯାଜପୁର ଜିଲ୍ଲାର ସଦର ମହକୁମା ସହିତ ପ୍ରଶିଦ୍ଧ ବିରଜା କ୍ଷେତ୍ର କୁ ସିଧାସଳଖ ସଂର୍ପକ ସ୍ଥାପିତ ହୋଇ ପାରିବ । ସେହିଭଳି ଏହି ରେଳପଥ ସିଧା ସଳଖ ବିଶ୍ୱ ପ୍ରଶିଦ୍ଧ ଧାମରା ବନ୍ଦର ସହିତ ପ୍ରତିରକ୍ଷା ବିଭାଗର ଡିଆରଡିଓ,ଭିତରକନିକା ଅଭୟାରଣ୍ୟ ,ମା ଧାମୁରାଇ ପୀଠ,ବାବା ଆଖଣ୍ଡଳମଣୀଙ୍କ ପୀଠକୁ ସଂଯୋଗ ସ୍ଥାପନ କରିପାରିବ । ଯାହାକି ପର୍ଯ୍ୟଟନ ଶିଳ୍ପ ବିକାସରେ ସହାୟକ ହୋଇ ପାରିବ । ସେହିଭଳିଏହି ଅର୍ଥନୈତିକ ଦୃଷ୍ଟି କୋଣରୁ ରେଳପଥ ସିଧା ସଳଖ କଳିଙ୍ଗନଗର ଇସ୍ପାତ ନଗରୀ ସହିତ ଧାମରା ବନ୍ଦରକୁ ସଂଯୋଗ ସ୍ଥାପନ କରୁଥିବା ହେତୁ ଲୁହାପଥ,ମାଙ୍ଗାନିଜ ଏବଂ କୋଇଲା ଭଳି ଖଣିଜ ପଦାର୍ଥର ସୁପରିବହନ ସମ୍ଭବ ହୋଇ ପାରିବ । କାରଣ ଅନୁଗୋଳ-ଡୁବୁରୀ-ସୁକିନ୍ଦା ରେଳପଥ ନିର୍ମାଣ ସମାପ୍ତ ହେବା ପରେ ତାଳଚେର କୋଇଲା ଖଣି ଓ ନାଲକୋ ସହିତ ଯାଜପୁର ରେଳପଥ ସଂଯୁକ୍ତ ହୋଇ ପାରିବ । ଯାହାକି ପର୍ଯ୍ୟଟନ,ଶିଳ୍ପ ଏବଂ କୃଷି ଅର୍ଥନୈତିକ ବିକାସରେ ସହାୟକ ହୋଇ ପାରିବ ବୋଲି ସେ କହିଛନ୍ତି । ସେହିଭଳି ଏହି ରେଳପଥ ନିର୍ମାଣ ହେଲେ ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ସାଳନ୍ଦୀ,ବୈତରଣୀ ଏବଂ ଖରସ୍ରୋତା ଭଳି ନଦୀ ଅବବାହିକାରେ ରହିଥିବା ଉର୍ବର ଜମିରୁ ମିଳୁଥିବା ପ୍ରଚୁର କୃଷି ଉତ୍ପାଦ ଏବଂ ମତ୍ସ୍ୟ ରପ୍ତାନୀ ଭିତିକ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହୋଇପାରିବ । କେବଳ ଶିଳ୍ପ ଅଭିବୃଦ୍ଧି ନୁହେଁ ଗମନା ଗମନ କ୍ଷେତ୍ରରେ ମଧ୍ୟ ଏହି ରେଳପଥ ରାଜ୍ୟବାସୀଙ୍କ ସକାସେ ଏକ ବୃହତ ଉପଲବ୍ଧି ହୋଇ ପାରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.