Home Top News ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ନେଇ ମହାମହିମ ରାଷ୍ଟ୍ରପତି ଦେଖିଥିବା ସ୍ୱପ୍ନକୁ ସାକାର କରାଯିବ -ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ନେଇ ମହାମହିମ ରାଷ୍ଟ୍ରପତି ଦେଖିଥିବା ସ୍ୱପ୍ନକୁ ସାକାର କରାଯିବ -ଧର୍ମେନ୍ଦ୍ର ପ୍ରଧାନ

88

ରାଷ୍ଟ୍ରପତି ଭବନରେ ‘ଲୋକତନ୍ତ୍ରର ସ୍ୱର’ ଚତୁର୍ଥ ସଂସ୍କରଣର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

– ମହାମହିମ ରାଷ୍ଟ୍ରପତିଙ୍କ ପ୍ରମୁଖ ଭାଷଣକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଲୋକତନ୍ତ୍ରର ସ୍ୱର’
– ରାଷ୍ଟ୍ରପତିଙ୍କ ବୌଦ୍ଧିକ ପରିପ୍ରକାଶକୁ ଲୋକାର୍ପଣ କରିଥିବାରୁ ମୁଁ ସୌଭାଗ୍ୟଶାଳୀ
– ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି
– ରାଷ୍ଟ୍ରପତିଙ୍କ ପ୍ରମୁଖ ବିଚାରର ଦୁଇ ଆଧାର ସ୍ତମ୍ଭ ହେଉଛି ନୈତିକତା ଓ ଦୃଷ୍ଟି
– ରାଷ୍ଟ୍ରପତି ଭବନ ଭାରତବର୍ଷର ୧୩୦ କୋଟି ଜନତାଙ୍କ ଆସ୍ଥାର ମନ୍ଦିର

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦୮ (ଓଡ଼ିଆ ପୁଅ) – ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ପ୍ରଦାନ କରିବା ବେଳେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦(ଏନଇପି) ଉପରେ ଦେଇଥିବା ଟିପ୍ପଣୀ ତଥା ଶିକ୍ଷା ନୀତିକୁ ନେଇ ସେ ଦେଖିଥିବା ସ୍ୱପ୍ନକୁ ସାକାର କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବୁଧବାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ପ୍ରମୁଖ ଭାଷଣକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଲୋକତନ୍ତ୍ରର ସ୍ୱର’ ଚତୁର୍ଥ ସଂସ୍କରଣକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ଏକ ରାଷ୍ଟ୍ର ନେତା ଭାବରେ ରାଷ୍ଟ୍ରପତିଙ୍କ ବିଭିନ୍ନ ବିଷୟରେ ବିଗତ ଦିନର ୩୮ ମୁଖ୍ୟ ଭାଷଣର ସମାହାରକୁ ନେଇ ‘ଲୋକତନ୍ତ୍ର’ର ସ୍ୱର’ ଚତୁର୍ଥ ସଂସ୍କରଣ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି। ପୁସ୍ତକରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବୋଧିତ ଗୁରୁତ୍ୱପୂର୍ଣ୍ଣ ବିଷୟ ଯଥା ରାଷ୍ଟ୍ର ହିତରେ ବାର୍ତ୍ତା, ଶିକ୍ଷା ଓ ସଂସ୍କୃତ ଦ୍ୱାରା ଭାରତର ନବନିର୍ମାଣ, ଜନସେବାର ଧର୍ମ, ସାମରିକ ସୁରକ୍ଷାରେ ଆଧୁନିକ ପଦକ୍ଷେପ, ସମ୍ବିଧାନ ଓ ବିଧି ବ୍ୟବସ୍ଥାର ଆଧାର ଭୂମି, ଉତ୍କୃଷ୍ଟତାର ଉତ୍ସବ, ଆମର ପ୍ରକାଶ ସ୍ତମ୍ଭ, ବିଶ୍ୱ ମଂଚରେ ଭାରତ ଆଦି ଭଳି ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତିଙ୍କ ବୌଦ୍ଧିକ ପରିପ୍ରକାଶକୁ ଲୋକାର୍ପଣ କରିବା ନିଜ ନିଜ ମଧ୍ୟରେ ହିଁ ଗୌରବର ବିଷୟ ଓ ଏଥିପାଇଁ ମୁଁ ସୌଭାଗ୍ୟଶାଳୀ।

ଅନେକ ବିଷୟରେ ମହାମହିମ ରାଷ୍ଟ୍ରପତିଙ୍କ ବିଚାର ଯଥା ବୈଶ୍ୱିକ ସ୍ଥିତି, ଦେଶରେ ଥିବା ଆହ୍ୱାନ, ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ଓ ଶିକ୍ଷା ବିଷୟରେ ତାଙ୍କ ମାର୍ଗଦର୍ଶନ ରହିଛି। ରାଷ୍ଟ୍ରୀୟ ଶିକ୍ଷା ନୀତି ବିଷୟରେ ମହାମହିମ ରାଷ୍ଟ୍ରପତି ଅଭିଭାଷଣରେ କହିଛନ୍ତି ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବ। ଏହା ରାଷ୍ଟ୍ରପତିଙ୍କ ଦୁଇ ଚାରୋଟି ଶବ୍ଦ ନୁହେଁ ବରଂ ଆଗାମୀ ଦଶନ୍ଧିର ଏକ ବେଂଚମାର୍କ ଓ ଭିନ୍ନ ମୋଡ଼ ରହିବ। ସେହିପରି ଦେଶର ଶିକ୍ଷା ବ୍ୟବସ୍ଥା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ନିଜ ଭାଷଣରେ ଏନଇପି ପ୍ରତି ରଖିଥିବା ଅପେକ୍ଷାକୁ ସାକାର କରିବାକୁ ହେବ ଏବଂ ତାଙ୍କ ମାର୍ଗଦର୍ଶନକୁ ବାସ୍ତବ ରୂପ ଦେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ରାଷ୍ଟ୍ରପତି ଭବନ ଭାରତବର୍ଷର ୧୩୦ କୋଟି ଜନତାଙ୍କ ଆସ୍ଥାର ମନ୍ଦିର। ଆଜି ପ୍ରଜାତନ୍ତ୍ରର ମନ୍ଦିରରେ ସାଧାରଣ ଦଳିତ ଘରର ବ୍ୟକ୍ତି ଦେଶର ରାଷ୍ଟ୍ରପତି ଏବଂ ପର ଘରେ ବାସନ ମାଜି ଘର ଭରଣପୋଷଣ କରୁଥିବା ମାଆର ପୁଅ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଦୁନିଆର କେଉଁଠାରେ ସମୟରେ ଏପରି ଉଦାହରଣ ଦେଖିବାକୁ ମିଳେ କି? ଏହା ହିଁ ଭାରତୀୟ ପ୍ରଜାତନ୍ତ୍ରର ପରାକାଷ୍ଠା ବୋଲି ରାଷ୍ଟ୍ରପତିଙ୍କ କଥାକୁ ଶ୍ରୀ ପ୍ରଧାନ ଦୋହରାଇଛନ୍ତି।

ଭାରତ ଭଳି ବୃହତ ଗଣତନ୍ତ୍ରର ଦେଶ ଆଜି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ଏହି ସମୟରେ ରାଷ୍ଟ୍ରପତିଙ୍କ ପ୍ରମୁଖ ବିଚାରର ଦୁଇ ଆଧାର ସ୍ତମ୍ଭ ହେଉଛି ନୈତିକତା ଓ ଦୃଷ୍ଟି। ଭାରତର ଅଭୁତପୂର୍ବ ବିଚାର ଓ ଆଧୁନିକ ଚ୍ୟାଲେଞ୍ଜ ସହ ଆଧୁନିକ ଦାୟିତ୍ୱ କଣ, ଏ ସମସ୍ତ ବିଷୟରେ ରାଷ୍ଟ୍ରନେତାଙ୍କ ପୁସ୍ତକକୁ ସମସ୍ତ ପ୍ରତ୍ୟକ୍ଷ ପୁସ୍ତକ ଓ ଇ-ପୁସ୍ତକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ପ୍ରମଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.