Home ଜିଲ୍ଲା ପରିକ୍ରମା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବୃହତ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବୃହତ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

28

ପୁରୀ ୨୦ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟକାରିତାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାର ୫୫ଟି ଗ୍ରାମ ଓ ପୁରୀ ଜିଲ୍ଲାର ଚିଲିକା ପାର୍ଶ୍ବରେ ଥିବା କୃଷ୍ଣପ୍ରସାଦ ବ୍ଲକର ୧୪ଟି ପଞ୍ଚାୟତର ୯୨ଟି ଗ୍ରାମ ଏହି ପ୍ରକଳ୍ପ ଦ୍ବରା ଉପକୃତ ହେବେ। ବସୁଧା ଯୋଜନା ମାଧ୍ୟମରେ ଋଷିକୁଲ୍ୟା ନଦୀର କଂସାରୀ ଗଣ୍ତରୁ ପାଣି ଆଣି ବିଶୁଦ୍ଧ ପିଇବା ପାଣି ଯୋଗାଇବା ନିମନ୍ତେ ଏହି ବୃହତ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୃଷ୍ଣପ୍ରସାଦ ଠାରେ ପ୍ରାଥମିକତା ଭିତ୍ତିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପର ଅଗ୍ରଗତି ସଂପର୍କରେ ରାମଲେଙ୍କା, ବଜ୍ରକୋଟ, ମାଲୁଦ, ବୁଦ୍ଧିବର, ବଡଅଁଳ, ସିଆଳ, ସିଆଣ୍ତି, କୃଷ୍ଣପ୍ରସାଦ, ଅଲଣ୍ତା, ତିତିପ, ଗୋମୁଣ୍ତିଆ, ବଡଝାଡ, ଚିଲିକା ନୂଆପଡା ଓ ବ୍ରହ୍ମପୁର ପଞ୍ଚାୟତର ୯୨ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଚାଲୁଥିବା ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଶ୍ରୀ ଦାସବର୍ମା ସମୀକ୍ଷା କରିଛନ୍ତି। ବଡଅଁଳ, ବଡ ଖଟିଆକୁଦି, କୃଷ୍ଣପ୍ରସାଦର ପାଇକ ସାହି, ସାନଅଁଳ ଓ କୁରୁପାଳ ଗ୍ରାମକୁ ପିଇବା ପାଣି ଯୋଗାଇବା ନିମନ୍ତେ ସୃଷ୍ଟି ସମସ୍ୟାର ତ୍ବରିତ ସମାଧାନ କରିବା ପାଇଁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି। ଅଲଣ୍ତା ଓ ସିଆଣ୍ତି ପଞ୍ଚାୟତର ଅଲଣ୍ତା ଓ ସିଆଣ୍ତି ଗ୍ରାମର ପିଇବା ପାଣି ପ୍ରକଳ୍ପ ଶୀଘ୍ର ଶେଷକରି ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଶ୍ରୀ ଦାସବର୍ମା ୧୧ଟି ପଞ୍ଚାୟତର କ୍ଷେତ୍ର ପରିଦର୍ଶନ କରି ନିର୍ମାଣଧିନ ଥିବା ସମସ୍ତ ଓଭରହେଡ ଟ୍ୟାଙ୍କ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବୈଠକରେ ପରାମର୍ଶ ଦେଇଛନ୍ତି। ଉକ୍ତ ପାନୀୟ ଜଳ ପ୍ରକଳ୍ପ କୃଷ୍ଣପ୍ରସାଦର ଉଚ୍ଚାକାଂକ୍ଷୀ ପ୍ରକଳ୍ପ ହୋଇଥିବାରୁ ଓ ପାନୀୟ ଜଳକୁ ନେଇ ଥିବା ଦୀର୍ଘକାଳୀନ ସମସ୍ୟାର ସମାଧାନ ହେବାକୁ ଯାଉଥିବାରୁ ଏହି ପ୍ରକଳ୍ପର ସଫଳତା ନିମନ୍ତେ ଶ୍ରୀ ଦାସବର୍ମା ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସର୍ବୋଚ୍ଚଯନ୍ତ୍ରୀ ଶ୍ରୀ ସର୍ବେଶ୍ବର ବାରିକ, ଉପ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସର୍ବେଶ୍ବର ମହାପାତ୍ର, ପୁରୀ ଜିଲ୍ଲା ପାନୀୟ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଭିମନ୍ୟୁ ବାରିକ, ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକଳ୍ପକୁ ନେଇ ସ୍ଥାନ ବିଶେଷରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ କୃଷ୍ଣପ୍ରସାଦ ତହସିଲଦାର ଶ୍ରୀ ଉଲ୍ଲାସ ଚନ୍ଦ୍ର ସେଠୀ ଓ କୃଷ୍ଣପ୍ରସାଦ ଥାନଧିକାରୀଙ୍କୁ ତ୍ବରିତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.