Home ଓଡ଼ିଶା ଅକ୍ଷୟ ପ୍ରଧାନ ସ୍ମୃତି ସମାରୋହ

ଅକ୍ଷୟ ପ୍ରଧାନ ସ୍ମୃତି ସମାରୋହ

18

ଭୁବନେଶ୍ୱର, ୨୦/୧୧ (ଓଡ଼ିଆ ପୁଅ) ସିପିଆଇର ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସମ୍ପାଦକ, ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା, ବିପ୍ଳବୀ ଅକ୍ଷୟ କୁମାର ପ୍ରଧାନଙ୍କ ୨୧ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ୟୁନିଟ୍‌୬ସ୍ଥିତ ଭିଆଇଆର-୮ଠାରେ ପାଳିତ ହୋଇଯାଇଛି। ସ୍ମୃତି କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସ୍ମୃତି କମିଟିର ସମ୍ପାଦକ ମହେଶ୍ୱର ରାଉତ ପ୍ରାରମ୍ଭିକ ସୂଚନା ଦେବା ପରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସିପିଆଇ(ଏମ୍‌)ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରୟାତ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେମାନେ ଅକାଳରେ ୨୧ ବର୍ଷ ତଳେ ଆମଠାରୁ ବିଦାୟ ନେଇଯାଇଥିବା ବିପ୍ଳବୀ ଅକ୍ଷୟ କୁମାର ପ୍ରଧାନଙ୍କ ସାଙ୍ଗଠନିକ ଦକ୍ଷତା, ତ୍ୟାଗ ଓ ସଂଗ୍ରାମମୟ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ସାମ୍ପ୍ରଦାୟିକ ତାନାସାହି ଶକ୍ତିକୁ ମଥାନତ କରିବା ପାଇଁ ବାଧ୍ୟ କରିଥିବା ଦିଲ୍ଲୀ ସୀମାନ୍ତର ଐତିହାସିକ କୃଷକ ଆନ୍ଦୋଳନ ଭଳି ଓଡ଼ିଶାରେ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷ ଶକ୍ତିବର୍ଗ ଐକ୍ୟବଦ୍ଧ ହୋଇ କମ୍ୟୁନିଷ୍ଟ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ସହିତ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ସାଲିସ ବିହୀନ ସଂଗ୍ରାମ ଚଳାଇବା ପାଇଁ ଆହ୍ୱାନ ଦେଇଥିଲେ।

ଏହି ସମାରୋହରେ ଓଡ଼ିଶାର ବିଶିଷ୍ଟ କମ୍ୟୁନିଷ୍ଟ ଓ ଶ୍ରମିକ ନେତା ପ୍ରଶାନ୍ତ ପାଟ୍ଟଯୋଷୀ, ଓଡ଼ିଶାର କମ୍ୟୁନିଷ୍ଟ ଓ ମହିଳା ଆନ୍ଦୋଳନର ବରିଷ୍ଠ ନେତ୍ରୀ ବନଲତା ଜେନା, ବିଶିଷ୍ଟ କୃଷକ ନେତା ସନାତନ ପାତ୍ର ଓ ସିପିଆଇ ପୁରୀ ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ୨୦୨୧ ମସିହାର ଅକ୍ଷୟ ସମ୍ମାନ ଅର୍ପଣ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ପ୍ରଧାନଙ୍କର ବାଲ୍ୟ ବନ୍ଧୁ ଦେବେନ୍ଦ୍ର କୁମାର ସାହୁ, କୃଷକ ନେତା କୃଷ୍ଣ ଚନ୍ଦ୍ର ରାଉତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାବେଳେ ଅକ୍ଷୟ ପ୍ରଧାନଙ୍କ ସହଧର୍ମିଣୀ ପ୍ରତିମା ପ୍ରଧାନ ମଞ୍ଚାସୀନ ଥିଲେ। ଏହି ସମାରୋହରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.