Home ଜିଲ୍ଲା ପରିକ୍ରମା ମୋଚିଛକ ଠାରୁ ମା’ ଭଦ୍ରକାଳୀ ପର୍ଯ୍ୟନ୍ତ ୩୦ ଫୁଟ୍ ଓସାର ବିଶିଷ୍ଟ ରାସ୍ତା ନିର୍ମାଣ ନେଇ...

ମୋଚିଛକ ଠାରୁ ମା’ ଭଦ୍ରକାଳୀ ପର୍ଯ୍ୟନ୍ତ ୩୦ ଫୁଟ୍ ଓସାର ବିଶିଷ୍ଟ ରାସ୍ତା ନିର୍ମାଣ ନେଇ ପଦଯାତ୍ରା ଓ ବିକ୍ଷୋଭ, ୪ ମାସ ମଧ୍ୟରେ ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ହେବ – ଜିଲାପାଳ

66

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଚେରୀ ବଜାର ମୋଚି ଛକ ଠାରୁ ମା’ ଭଦ୍ରକାଳୀ ପର୍ଯ୍ୟନ୍ତ ୩୦ ଫୁଟ୍ ଓସାର ବିଶିଷ୍ଟ ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ୍‌ଙ୍କ ନେତୃତ୍ୱରେ ଏକ ଅଭୁତପୂର୍ବ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ଶୋଭାଯାତ୍ରାରେ ଜିଲା କଂଗ୍ରେସ ଦଳ, ନବ ନିର୍ମାଣ ଛାତ୍ର ସଂଗଠନ ଓ ସହରର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ ଥିଲେ । ପୁରୁଣାବଜାର ଅଂଚଳରୁ ଏହି ପଦଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଶେଷକରି ଜନସାଧାରଣଙ୍କ ଗମନାଗମନାର ସୁବିଧା ଓ ଯାନବାହନ ଚଳପ୍ରଚଳ ପାଇଁ ଏହି ରାସ୍ତାଟିକୁ ୩୦ ଫୁଟ୍ ଓସାର ବିଶିଷ୍ଟ କରିବା ଲକ୍ଷ୍ୟନେଇ ଏହି ଆନ୍ଦୋଳନର ଆୟୋଜନ ହୋଇଥିଲା । ମୋଚିଛକ ଠାରୁ ମା’ ଭଦ୍ରକାଳୀ ପର୍ଯ୍ୟନ୍ତ ଯାଇଥିବା ୫୦ ବର୍ଷର ସର୍ବସାଧାରଣ ରାସ୍ତାଟି ଆଜିମଧ୍ୟ ସଂକୀର୍ଣ୍ଣ ଅବସ୍ଥାରେ ରହିଛି । ୫୦ ବର୍ଷ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ସହ ଯାନବାହନ ଚଳାଚଳର ବହୁ ସଂଖ୍ୟାରେ ବୃଦ୍ଧି ପାଇଛି । ଏଣୁ ଜନସାଧାରଣ ଓ ଯାନବାହନ ଚଳାଚଳର ସୁବିଧାକୁ ଦୃଷ୍ଟିରେ ରଖି ରାସ୍ତାର ପ୍ରଶସ୍ତିକରଣ କରାଯିବା ଏକାନ୍ତ ଜରୁରୀ ଅଟେ । ପ୍ରଶାସନର ଏହା ଏକ ଗୁରୁ ଦାୟିତ୍ୱ । କିନ୍ତୁ ଏହା ଅବହେଳିତ ଅବସ୍ଥାରେ ରହିଛି ।

ଏଥିପାଇଁ ସହରର ସହସ୍ରାଧିକ ଲୋକ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ସମବେତ ହୋଇ ବାଧ୍ୟହୋଇ ସରକାରୀ କଳ ନିକଟରେ ନିଜର ଦାବିକୁ ଆଜି ଉତ୍ଥାପନ କରିଛନ୍ତି । ବିଗତ ୬ ମାସରୁ ଉର୍ଦ୍ଧ୍ୱ କାଳ ହେବ ଭଦ୍ରକ ମ୍ୟୁନସିପାଲଟିର ଜନସାଧାରଣ ଏହି ରାସ୍ତାର ପ୍ରଶସ୍ତିକରଣ ସକାଶେ ବାରମ୍ବାର ପୂର୍ତ୍ତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲାପାଳଙ୍କ ନିକଟରେ ଦାବି ଉତ୍ଥାପନ କରିଆସୁଛନ୍ତି । ଗତ ମଇ ୨ ତାରିଖରେ ଜିଲାପାଳଙ୍କ ଡାକରାରେ ଏକ ସର୍ବଦଳୀୟ ବୈଠକ ଡକାଯାଇ ୪ ଟି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କିନ୍ତୁ ପରିତାପର ବିଷୟ ଏହି ନିଷ୍ପତ୍ତର ୪ ମାସ ବିତିଗଲାଣି । ନିଷ୍ପତ୍ତି କେବଳ ମୁହଁରେ ଓ କାଗଜରେ ସୀମିତ ରହିଯାଇଛି । କୌଣସି ପଦକ୍ଷେପ ଅଦ୍ୟାବଧି ନିଆଯାଇନାହିଁ । ଜିଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଏହି ରାସ୍ତାଟିର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ବୟୋଜ୍ୟେଷ୍ଠ ବ୍ୟକ୍ତି, ପ୍ରସୂତି ମହିଳା, ରୋଗୀ, ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଦୁର୍ଘଟଣାର ଶୀକାର ହେଉଛନ୍ତି । ଆସନ୍ତା ଦିନରେ ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜନ୍ମତିଥି, ଗଣେଶ ପୂଜା, ସରକାର ବାବାଙ୍କ ବାର୍ଷିକ ଉତ୍ସବ, ଦୁର୍ଗାପୂଜା ଆଦି ବହୁ ପର୍ବପର୍ବାଣୀ ପାଳନ ହେବାକୁ ଯାଉଛି । ତଥାପି ଜିଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ଏହାକୁ ଗୁରୁତ୍ୱ ଦେଉନାହାଁନ୍ତି । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟ ନାହିଁ ।

ଏଭଳି ପରିସ୍ଥିତିରେ ଆଜି ସହରବାସୀ ଏକୁଜଟ ହୋଇ ଜିଲାପ୍ରଶାସନର ପୁଣି ଥରେ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ଜାହିଦ ହବିବ୍ । ଅନ୍ୟପକ୍ଷରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କର ଏହି ଶୋଭାଯାତ୍ରାକୁ ରାଜନୈତିକ ମହଲରେ ଏକ ଶକ୍ତି ପ୍ରଦର୍ଶନ ବୋଲି ଗୁରୁତ୍ୱ ଦିଆଯାଇଛି । ପରେ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳଙ୍କ ସହ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲାପାଳ ଶ୍ରୀ ବୋନ୍ଦର ଆସନ୍ତା ୪ ମାସ ମଧ୍ୟରେ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଯେଉଁଠି ସରକାରୀ ଜାଗା ଅଛି, ସେଠାରେ ୩୦ ଫୁଟ୍ ଓସାର ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । ଯେଉଁଠି ବେସରକାରୀ ସ୍ଥିତିବାନ ଜମି ଅଛି, ତାହାକୁ ସରକାରଙ୍କ ଭୂ-ଅର୍ଜନ ଆଇନ୍ ଦ୍ୱାରା ଅଧିଗ୍ରହଣ କରାଯାଇ ୩୦ ଫୁଟ୍ ପ୍ରଶସ୍ତିକରଣ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଅନୁଷ୍ଠିତ ବୈଠକରେ ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ଜାହିଦ ହବିବ, ନବ ନିର୍ମାଣ ଛାତ୍ର ସଂଗଠନର ସବିର ଖାନ, ଜାହିର ଖାନ, କଂଗ୍ରେସର ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀ ମହାନ୍ତି, ଶୁଭେନ୍ଦୁ ରାୟ ମହାପାତ୍ର, ତପନ ରାଉତ, ଚିନ୍ମୟ ସ୍ୱାଇଁ, ପିତବାସ ଧଳ, ଗୟାଧର ସେଠୀ, କାଉନ୍‌ସିଲର ସେକ୍ ସାହିଲ, ଜାହିଦ ସାହା, ସେକ୍ ତନବିର ଖାନ, ରୁକସାନା ଖାତୁନ, ହେମନ୍ତ ସାହୁ, ସନିଆ ନନ୍ଦ, ଦୀପୁନ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ବିଶାଳ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ସହର ତମାମ୍ ଓ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ କଡା ସୁରକ୍ଷା ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.