Home ଜିଲ୍ଲା ପରିକ୍ରମା ବିପର୍ଯ୍ୟୟ ପ୍ରଶମନ ମକଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ

ବିପର୍ଯ୍ୟୟ ପ୍ରଶମନ ମକଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ

66

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଦିନରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦିର ମୁକାବିଲା କରିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତ୍ୱ ରକ୍ଷା କରି ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ କିପରି ସଫଳ ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଜିଲ୍ଲାର ଉପକୂଳବର୍ତ୍ତୀ ୪୧ଟି ଗ୍ରାମ ସହ ସମସ୍ତ ବନ୍ୟା ବାତ୍ୟା ପ୍ରବଣ ଅଞ୍ଚଳର ଲୋକମାନଙ୍କୁ ସଚେତନ କରିବା ସହ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧରେ ଅବଗତ କରାଇବା ପାଇଁ ଆସନ୍ତା ୧୯ ତାରିଖରେ ମକ୍‌ଡ୍ରିଲ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଳକରେ ୪୮ଟି ବାତ୍ୟା ଆଶ୍ରୟସ୍ଥଳରେ ଏହି ମକଡ୍ରିଲ ଅନୁଷ୍ଠିତ ହେବ । ପ୍ରତି ବାତ୍ୟା ଆଶ୍ରୟସ୍ଥଳକୁ ଆନୁସଂଗିକ ଖର୍ଚ୍ଚ ବାବଦରେ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ୮ ହଜାର ଟଙ୍କା ଯୋଗାଇ ଦିଆଯିବ । ଏହି ମକ୍‌ଡ୍ରିଲରେ ସ୍ଥାନୀୟ ଗ୍ରାମବାସୀମାନେ ଭାଗ ନେବାକୁ ଥିବା ବେଳେ ସ୍ଥାନୀୟ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଳାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବେ । ମକ୍‌ଡ୍ରିଲ ପୂର୍ବରୁ ଆଶ୍ରୟସ୍ଥଳୀ ଗୁଡିକର ଅବସ୍ଥା ଏବଂ ସେଠାରେ ଥିବା ଯନ୍ତ୍ରପାତି ଆଦି ପରୀକ୍ଷା ନିରୀକ୍ଷା କରି ଆବଶ୍ୟକ ସରଞ୍ଜାମ ଠିକ୍ ଅଛି କି ନାହିଁ ସେ ବାବଦରେ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ଅବଗତ କରାଇଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଚଳତି ବର୍ଷ ମକ୍‌ଡ୍ରିଲରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଶ୍ରେଷ୍ଠ ବାତ୍ୟା ଆଶ୍ରୟସ୍ଥଳୀକୁ ପୁରସ୍କାର ପ୍ରଦାନ କରାଯିବ । ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ଗୋଟିଏ ଲେଖାଏଁ ଏବଂ ଅନ୍ୟ ସମସ୍ତ ବ୍ଲକରୁ ଗୋଟିଏକୁ ମିଶାଇ ମୋଟ ୩ଟି ପୁରସ୍କାର ସ୍ୱାଧୀନତା ଦିବସର ସମାରୋହରେ ପ୍ରଦାନ କରାଯିବ ।

 

 

ପ୍ରତି ବାତ୍ୟା ଆଶ୍ରୟସ୍ଥଳ କ଼ମିଟି ପକ୍ଷରୁ ଏକ ପରିଚାଳନା ଯୋଜନା ପ୍ରସ୍ତୁତ କରି ଜିଲ୍ଲା କାର୍ଯ୍ୟାଳୟକୁ ପଠାଇବେ ଏବଂ ଶ୍ରେଷ୍ଠ ବିବେଚିତ ଯୋଜନାକାରୀଙ୍କୁ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ପୁରସ୍କୃତ କରାଯିବ । ବିପର୍ଯ୍ୟୟ ପୂର୍ବର ବିସ୍ଥାପନ ସମୟରେ ପ୍ରଥମେ ମାନବ ସମ୍ବଳକୁ ସୁରକ୍ଷା ଏବଂ ଧନଜୀବନ ରକ୍ଷାକୁ ପ୍ରାଧାନ୍ୟ ଦିଆଯିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ, ସ୍ୱୟଂ ସହାୟିକା ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ଏନ୍‌ଏନ୍‌ଏସ, ସ୍କାଉଟ ଗାଇଡ, ନେହେରୁ ଯୁବକେନ୍ଦ୍ର, ରେଡକ୍ରସକୁ ସାମିଲ କରାଯିବ । ପ୍ରତି ବାତ୍ୟା ଆଶ୍ରୟ ସ୍ଥଳରେ ଦୁଇଜଣ ଶିକ୍ଷକଙ୍କୁ ମଧ୍ୟ ଦାୟିତ୍ୱରେ ରଖାଯିବ । ସମସ୍ତ କାର୍ଯ୍ୟକ୍ରମ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ସମ୍ପନ୍ନ କରାଯିବାକୁ ଥିବା ବେଳେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ବୋଲି ବୈଠକରେ କୁହାଯାଇଥିଲା । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଳାପାଳ (ସା) ଶ୍ୟାମଭକ୍ତ ମିଶ୍ର, ଡେପୁଟି କଲେକ୍ଟର (ଜରୁରୀ କାଳୀନ) ଜୟଶ୍ରୀ ସେନାପତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରିଣୀ ସୁଲୋଚନା ଦାସ, ଜିଲ୍ଲାର ସମସ୍ତ ତହସିଲଦାର, ସ୍ୱେଚ୍ଛାସେବୀ ସଂଗଠନ ଓ ସମସ୍ତ ବାତ୍ୟା ଆଶ୍ରୟସ୍ଥଳର ସମ୍ପାଦକମାନେ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.