Home ଜିଲ୍ଲା ପରିକ୍ରମା ବିପଦ ସଂକୁଳ ଅବସ୍ଥାରେ ଉପନିବନ୍ଧକ କାର୍ଯ୍ୟାଳୟ, ବର୍ଷାହେଲେ ଅଫିସ କାର୍ଯ୍ୟରେ ଡ଼ୋରି ବନ୍ଧା ହୁଏ

ବିପଦ ସଂକୁଳ ଅବସ୍ଥାରେ ଉପନିବନ୍ଧକ କାର୍ଯ୍ୟାଳୟ, ବର୍ଷାହେଲେ ଅଫିସ କାର୍ଯ୍ୟରେ ଡ଼ୋରି ବନ୍ଧା ହୁଏ

58

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ /ସିଗ୍ଧା ରାୟ) – କେନ୍ଦ୍ର ଠାରୁ ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ମରାମତି ଓ ପୁନଃରୁଦ୍ଧାର କରୁଥିବାବେଳେ ଧାମନଗର ଠାରେ ଥିବାର ସର୍ବପୁରାତନ ୧୯୦୩ ମସିହାରେ ସ୍ଥାପିତ ହୋଇଥିବା ଧାମନଗର ଉପ ନିବନ୍ଧକଙ୍କ କାର୍ଯ୍ୟାଳୟର ଛାତ ଓ କାନ୍ଥ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ସରକାରଙ୍କର ସେଥିପ୍ରତି ଟିକିଏ ନଜର ନାହିଁ । ଉକ୍ତ କାର୍ଯ୍ୟାଳୟ ବିପଦ ସଂକୁଳ ଅବସ୍ଥାରେ ଦୀର୍ଘଦିନ ହେବ କାର୍ଯ୍ୟ ଚାଲିଛି । ସମୟ ସମୟରେ ସାମାନ୍ୟ ବର୍ଷାରେ ଛାତରୁ ପାଣି ଝରୁଥିବାବେଳେ ରଡ଼ରେ ଜଂଗ ଲାଗି ପୁଳା ପୁଳା କଂକ୍ରିଟ ଖସୁଛି । ଏହି କାର୍ଯ୍ୟାଳୟ ଭିତରେ ଭଦ୍ରକ ଜିଲ୍ଲାର ବନ୍ତ, ଭଣ୍ଡାରିପୋଖରୀ, ଧାମନଗର ବ୍ଲକ ସମେତ ଭଦ୍ରକ ବ୍ଲକର ମଧ୍ୟ ବହୁ ଜମିଜମା ସରକାରୀ କାଗଜପତ୍ର ଓ ଦସ୍ତାବିଜ ଥିବାବେଳେ ସାମାନ୍ୟ ବର୍ଷାହେଲେ ଛାତରୁ ପାଣିଗଳି ଉକ୍ତ ସରକାରୀ କାଗଜପତ୍ର ବର୍ଷା ପାଣିରେ ଭିଜି ନଷ୍ଟହେବାରେ ଲାଗିଛି । ଏପରିକି ଅଫିସରେ ଥିବା କମ୍ପ୍ୟୁଟରରେ ମଧ୍ୟ ଏହି ବର୍ଷାପାଣି ପଡ଼ି ନଷ୍ଟ ହୁଏ । ସାମାନ୍ୟ ବର୍ଷାହେଲେ କର୍ମଚାରୀ ମାନେ କାଗଜପତ୍ର ଓ କମ୍ପ୍ୟୁଟର ଉପରେ ଜରି ଢାଙ୍କି ହାତଯୋଡ଼ି ବସିଥାଆନ୍ତି । ବେଳେ ବେଳେ ଛାତରୁ ମଧ୍ୟ କଙ୍କ୍ରିଟ ଖସି ଲୋକମାନଙ୍କ ଉପରେ ପଡ଼ିଥାଏ ।

ଉକ୍ତ ଅଫିସକୁ ଆସୁଥିବା ଲୋକମାନେ ଖଣ୍ଡିଆ ଖାବରା ହୋଇଥାଆନ୍ତି । ସରକାର ବିଭିନ୍ନ ବିଭାଗର କାର୍ଯ୍ୟାଳୟ ନିର୍ମାଣ ଓ ମରାମତି ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଧାମନଗରରେ ଏହି ସର୍ବ ପୁରାତନ ସରକାରୀ କାର୍ଯ୍ୟାଳୟ ପ୍ରତି ବିଭାଗୀୟ ପ୍ରଶାସନ ଅଣଦେଖା ସହ ଏହା ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଏହି କାର୍ଯ୍ୟାଳୟର ଅଧିକାରୀଙ୍କ ସହିତ କର୍ମଚାରୀମାନେ ବିପଦ ସଂକୁଳ ଅବସ୍ଥାରେ କାର୍ଯ୍ୟ କରୁଥିବା ବେଳେ କେତେବେଳେ ଅଘଟଣ ଘଟି କାହାର ଜୀବନ ଯିବ ତାହା କହିହେବନାହିଁ । ସରକାରୀ ଭାବେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହି କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ବା ମରାମତି ସମ୍ପର୍କରେ କୌଣସି ସରକାରୀ ଅନୁଦାନ ଏଯାଏ ମିଳିନାହିଁ । ତେଣୁ ସରକାର ଓ ବିଭାଗୀୟ ଅଧିକାରୀ ଘଟଣାର ଗୁରୁତ୍ୱ ଉପଲବ୍‌ଧି କରି ଧାମନଗର ଉପନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟ ତୁରନ୍ତ ନୂତନ ଭାବେ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିବାକୁ ସ୍ଥାନୀୟ ଅଂଳର ବୁଦ୍ଧୀଜୀବୀମାନଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.