Home ଜିଲ୍ଲା ପରିକ୍ରମା ବାଲ୍ୟ ବିବାହ ନିଷେଧ ଅଭିଯାନ, ପାରମ୍ପରିକ ମୁଖିଆମାନଙ୍କୁ ନେଇ ସଚେତନତା ବୈଠକ

ବାଲ୍ୟ ବିବାହ ନିଷେଧ ଅଭିଯାନ, ପାରମ୍ପରିକ ମୁଖିଆମାନଙ୍କୁ ନେଇ ସଚେତନତା ବୈଠକ

26

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲ୍ୟ ବିବାହ ନିଷେଧ ପାଇଁ ସଚେତନତା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଂସ୍କୃତି ଭବନ ଠାରେ ବିଶେଷ କରି ମୁସଲିମ୍ ଧର୍ମର ପାରମ୍ପରିକ ମୁଖିଆ ଭାବେ କାଜି, ମୌଲବୀ, ସର୍ଦ୍ଦାରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ ମଙ୍ଗଳ କମିଟିର ଚେୟାରମ୍ୟାନ୍ ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ର, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ, ଆସିଆନାର ସମ୍ପାଦକ ସେକ୍ ସୋଫିଆ, ବାଲ୍ୟ ବିବାହ ନିଷେଦ୍ଧ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅସିମ୍ ଅମିତାଭ ଦାସ, ସମାଜସେବୀ ସେକ୍ ମହମ୍ମଦ ଫାରୁକ୍‌, ମୌଲବୀ ଅବଦୁଲ ମଜିଦ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଲ୍ୟ ବିବାହ ଯୋଗୁଁ ସମାଜରେ କୁପରିଣାମ ବିଷୟରେ ଆଲୋକପାତ କରିଥିଲେ । ବାଲ୍ୟବିବାହ ନିଷେଦ୍ଧ ନେଇ ରହିଥିବା ଆଇନ୍‌କୁ ୨୦୦୬ରୁ କଡ଼ାକଡ଼ି ଭାବେ ଲାଗୁ କରାଯାଇ ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଓ ରାଜ୍ୟ ଘୋଷଣା କରାଯିବା ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା ।

ନିର୍ଦ୍ଧାରିତ ବୟସ ୧୮ବର୍ଷ ରୁ କମ୍ ଝିଅ ଓ ୨୧ ବର୍ଷରୁ କମ୍ ପୁଅର ବାହାଘର ହେଲେ ମାତୃ ଓ ଶିଶୁ ମୃତ୍ୟୁ ହାର କିପରି ବୃଦ୍ଧି ହୁଏ, ରୁଗ୍‌ଣ ଶିଶୁ ଜନ୍ମ ନେବା, ମାଆ ଓ ଛୁଆ ଉଭୟର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଆର୍ଥିକ, ସାମାଜିକ ପାରିବାରିକ ବିଶୃଙ୍ଖଳା ସୃଷ୍ଟି ହେବା, ଏପରିକି ଏ ଘଟଣା ଦେଶର ମାନବ ସମ୍ବଳ ଉପରେ କିପରି କୁପ୍ରଭାବ ପକାଏ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏ ବୈଠକରେ ଯୋଗ ଦେଇଥିବା କାଜି, ମୌଲବୀ, ସର୍ଦ୍ଦାର ଆଦି ମାନଙ୍କ ଭଳି ଯେଉଁମାନଙ୍କ କଥା ସମାଜର ଲୋକେ ଶୁଣନ୍ତି ସେମାନେ ଏ ବିଷୟରେ ସଚେତନ ହୋଇ ସମାଜ ପାଇଁ ବାର୍ତ୍ତା ପ୍ରଦାନ କଲେ ନିଶ୍ଚେ ସୁଫଳ ମିଳିବ ବୋଲି ପ୍ରକାଶ କରାଯାଇଥିଲା । ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଅଧାରୁ ପାଠ ଛାଡ଼ିବା, ନିଶା ଆଡ଼କୁ ମୁହାଁଇବା ଶିଶୁ ସମସ୍ୟା ଆଦି ମଧ୍ୟ ବାଲ୍ୟ ବିବାହର ଗୋଟିଏ ଗୋଟିଏ ପ୍ରଭାବକାରୀ ଘଟଣା ବୋଲି ମତ ପ୍ରକାଶ ପାଇଥିଲା । ବିଶେଷ କରି ମୋବାଇଲର ବହୁଳ ବ୍ୟବହାର ନେଇ ୧୫ା୧୬ ବର୍ଷର ପୁଅ ଝିଅମାନେ ପରସ୍ପର ଭଲ ପାଇ ଘରୁ ପଳାଇ ଯାଉଥିବା ଘଟଣା ବେଶି ଦେଖା ଯାଉଥିବାରୁ ଏ ଦିଗ ପ୍ରତି ପ୍ରତ୍ୟେକ ବାପା ମାଆ ସଚେତନ ହେବା ଓ ପିଲାମାନଙ୍କ ଗତିବିଧି ଉପରେ ନଜର ରଖିବାର ବେଶୀ ଆବଶ୍ୟକ ଅଛି ବୋଲି ମତ ପ୍ରକାଶ ପାଇଥିଲା । ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଆଦି କୌଣସି ଧର୍ମାନୁଷ୍ଠାନରେ ବାଲ୍ୟ ବିବାହ କାର୍ଯ୍ୟ କରା ନଯିବା ନେଇ କଡ଼ା ପଦକ୍ଷେପ ନିଆଯିବା, ଫଳକ ଲଗାଯିବା, ପୁଅ, ଝିଅର ବୟସଗତ ପ୍ରମାଣ ପତ୍ର ସନ୍ଦେହ ଯୁକ୍ତ ହେଲେ ଅନୁସନ୍ଧାନ କରାଯିବା ଆଦି ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା । ସି.ଡ଼ି.ପି. ଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ, ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନ, ସ୍ୱଧାର ଗୃହ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କଲେଜ ଆଦିର କର୍ମକର୍ତ୍ତା ଓ କର୍ମଚାରୀ ଓ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.