Home ଓଡ଼ିଶା ବରଗଡ ଠାରେ ଖୁବ୍ ଶୀଘ୍ର କେନ୍ସର ହସ୍ପିଟାଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେଵ : କ୍ୟାନସର...

ବରଗଡ ଠାରେ ଖୁବ୍ ଶୀଘ୍ର କେନ୍ସର ହସ୍ପିଟାଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେଵ : କ୍ୟାନସର ଚିକିତ୍ସା ପଦ୍ଧତିରେ ମାନସିକ କନ୍ସଲଟେସନ ଚିକିତ୍ସାକୁ ସାମିଲ କରିବା ଆବଶ୍ୟକ

88
medical analysis concept: cancer treatment

ବରଗଡ ୮-୬ (ଓଡ଼ିଆ ପୁଅ/ସଚିଦାନନ୍ଦ ପାତ୍ର): – କେନ୍ସର ଏକ ଅସାଧ୍ୟ ରୋଗ ଏବଂ ଏହି ରୋଗ ସହିତ ଲଢେଇ କରି ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା କେନ୍ସର ସରଭାଇଭର ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତି ବର୍ଷ ଜୁନ ମାସର ପ୍ରଥମ ରବିବାର ଦିନଟିକୁ ନ୍ୟାସନାଲ କ୍ୟାନ୍ସର ସରଭାଇଭର ଡେ ଭାବରେ ପାଳନ କରାଯାଇଥାଏ। ୧୯୮୮ ରୁ କେନ୍ସର ସରଭାଇଭର ଡ଼େ ପାଳନ କରାଯାଉଥିବା ବେଳେ ବରଗଡ ଜିଲ୍ଲାରେ ୨୦୧୮ ମସିହାରୁ ଫାଇଟର୍ସ ଗୃଫ ଦ୍ଵାରା ଏହି ଦିବସ ପାଳନ କରାଯାଉଛି। ତେବେ ଏହି ଅବସରରେ ବରଗଡର କେନ୍ସର ଫାଇଟର୍ସ ଗୃଫ ସଙ୍ଗଠନ ଏବଂ ସାମ୍ବାଦିକ ସଂଘର ମିଳିତ ଉଦ୍ୟମରେ ରବିବାର ସଂଧ୍ୟାରେ ଏକ ଭର୍ଚୁଆଲ ୱବିନାର୍ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲା କେନ୍ସର ଜିଲ୍ଲାରେ ପରିଣତ ହେବାପରେ ବରଗଡର ବହୁ କେନ୍ସର ସରଭାଇଭର ଗତ ୨୦୧୮ ମସିହାରୁ ବରଗଡରେ କେନ୍ସର ହସ୍ପିଟାଲ ନିହାତି ଆବଶ୍ୟକ ବୋଲି ଦାବି କରି ଆସୁଛନ୍ତି। ତେବେ ଏହି ୱେବିନାର କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ” କ୍ୟାନସର ଚିକିତ୍ସା ଏକ ଆନ୍ଦୋଳନ ନୁହେଁ, ଆମର ଅବଶ୍ୟକତା ବୋଲି ” ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରଗଡ ସାଂସଦ ଶ୍ରୀ ସୁରେଶ ପୁଝାରୀ, ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ୟୁନାଇଟେଡ ଫୋରମ ଫର କେନ୍ସର ହସ୍ପିଟାଲ ଇନ ବରଗଡ ସଙ୍ଗଠନ ର ଆବାହକ ପ୍ରଦୀପ ଦେବତା , ବରଗଡ ବିକାଶ ମଲ୍ଟି ସ୍ପେଶିଆଳିଟି ହସ୍ପିଟାଲ ର ଅଙ୍କୋ ସର୍ଜନ (Onco-surgeon ) ଡ଼ା ଭରତ ଚନ୍ଦ୍ର ମିଶ୍ର , ବୁର୍ଲା ଭୀମସାର ଅଙ୍କୋ ମେଡ଼ିସିନ (Onco-medicine) ଡ଼ା.ଦୀପକ କୁମାର ପାଣିଗ୍ରାହୀ , ଛତିଶଗଡ଼ ସ୍ଥିତ ପଣ୍ଡିତ ଜବାହାରଲାଲ ନେହେରୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ର ମନୋଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡ଼ା.ମନୋଜ ସାହୁ, କେନ୍ସର ସରଭାଇଭର ତଥା ଫାଇଟର୍ସ ଗୃଫର କୋଷାଧ୍ୟକ୍ଷା ମିନତୀ ପତୀ, ଓଟିଭିର (ନ୍ୟୁଜ ଇନ୍ଟ୍ରିଗେସନ) ସଂପାଦିକା ଶାରଦା ଲାହାଙ୍ଗିର, ଯୋଗଦାନ କରି ଏହି ଆଲୋଚନା ଚକ୍ରରେ ନିଜର ମତ ରଖିଥିଲେ। ସାମ୍ବାଦିକ ସଂଘର ଉପସଭାପତି ଉମେଶ ବିଶ୍ଵାଳ ସମସ୍ତଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କେନ୍ସର ସରଭାଇଭର ଶ୍ରୀମତୀ ମିନତୀ ପତି ନିଜର ମତ ପ୍ରକାଶ କରିଥିଲେ। କେନ୍ସର ସରଭାଇଭର ଅନ୍ୟମାନଙ୍କ ପାଇଁ ଏକ ଆଶା ଏବଂ ପ୍ରେରଣାର ଉତ୍ସ ଅଟନ୍ତି ତଥା ଭବିଷ୍ୟତରେ କେନ୍ସର ରୋଗୀଙ୍କୁ ପ୍ରୋତ୍ସାହନ ସୁବିଧା ଉଚିତ ସ୍ଥାନରେ ଚିକିତ୍ସା ଓ ପ୍ରେରଣା ଯୋଗେଇବା ଫାଇଟର୍ସ ଗୃଫ ର ଲକ୍ଷ୍ୟ। ତେବେ ବରଗଡରେ ଅନେକ ଗରିବ ଅସହାୟ ରୋଗୀଙ୍କ ସୁବିଧା ନିମନ୍ତେ କେନ୍ସର ହସ୍ପିଟାଲ ନିତାନ୍ତ ଆବଶ୍ୟକ ବୋଲି ନିଜର ମତ ରଖିଥିଲେ। ସେ ନିଜେ କେନ୍ସର ସରଭାଇଭର ହୋଇଥିବା ବେଳେ ନିଜର ଅଭିଜ୍ଞତା ଜଣାଇଥିଲେ ଏବଂ କେନ୍ସର ରୋଗର ଯଥା ଶୀଘ୍ର ଚିହ୍ନଟ ହେବା ନିହାତି ଜରୁରୀ ଅଟେ ଯାହା ବରଗଡ ଜିଲ୍ଲାରେ ତାହାର ସୁବିଧା ନାହି। କେନ୍ସର ରୋଗର ଶୀଘ୍ର ଚିହ୍ନଟ ସହିତ ଶୀଘ୍ର ଚିକିତ୍ସା ପାଇଁ ବରଗଡରେ କେନ୍ସର ହସ୍ପିଟାଲ ନିହାତି ଆବଶ୍ୟକ। ଅନ୍ୟପଟେ କେନ୍ସର ରୋଗ ଚିହ୍ନଟ ହେବାପରେ ଧର୍ଯ୍ୟ ନହରାଇ ସାହାସର ସହିତ ସଂଗ୍ରାମ ଜାରି ରଖିବାକୁ କେନ୍ସର ରୋଗୀଙ୍କୁ ଆଜିର ଦିନରେ ନିଜର ବାର୍ତ୍ତା ଦେଇଥିଲେ।

ଶାରଦା ଲାହାଙ୍ଗିର ନିଜର ଅନୁଭୂତି ପ୍ରକାଶ କରିଥିଲେ। ସେ କହିଥିଲେ ଯେ ୨୦୦୭ ମସିହାରେ ନିଜର ସ୍ଵାମୀଙ୍କ କେନ୍ସର ରୋଗ ଚିହ୍ନଟ ହେବାପରେ ସେ ନିଜର ଅଙ୍ଗେନିଭା ଅଭିଜ୍ଞତା ପ୍ରକାଶ କରିଥିଲେ ଏବଂ କିପରି ତାଙ୍କୁ ସାମାଜିକ ଅସହଯୋଗ ଏବଂ ବିଭିନ୍ନ ସମସ୍ୟାର ମୁକାବିଲା କରିବାକୁ ପଡିଥିଲା ଜଣାଇଥିଲେ। ତେବେ କେନ୍ସର ରୋଗୀଙ୍କ ସହିତ ସମ୍ପୂର୍ଣ ପରିବାର ର ମାନସିକ ଅବସ୍ଥା ଦୋହଳିଯାଏ। ଏପରି ସ୍ଥିତିରେ ରୋଗୀ ଏବଂ ସମ୍ପୂର୍ଣ ପରିବାରକୁ ଅନ୍ତତଃ ସମାଜର ମାନସିକ ସହଯୋଗ ନିହାତି ଦରକାର। ବରଗଡର ବହୁ କେନ୍ସର ରୋଗୀ ଚିକିତ୍ସା ପାଇଁ ସଠିକ ରାସ୍ତା ପାଇ ପାରୁନଥିବା ବେଳେ ଠିକ ସମୟରେ ରୋଗର ଚିହ୍ନଟ ଓ ଚିକିତ୍ସା ହୋଇ ପାରୁନଥିବାରୁ ବରଗଡରେ ଅତ୍ୟାଧୁନିକ କେନ୍ସର ହସ୍ପିଟାଲର ଦାବୀକୁ ଏଠାକାର ସାମ୍ବାଦିକ , ସ୍ଥାନୀୟ ନେତା ମନ୍ତ୍ରୀ ଏବଂ ସମସ୍ତ ରାଜନୈତିକ ଦଳ ସଂବେଦନଶୀଳ ଭାବରେ ଗ୍ରହଣ କରିବା ଉଚିତ। ଅନ୍ୟପଟେ ସେ ନିଜ ସ୍ବାମୀଙ୍କୁ ଗତ ଦେଢ ବର୍ଷ ହେଲାଣି ମହାମାରୀ ପାଇଁ ମୁମ୍ବାଇ ସ୍ଥିତ TMH କୁ ଚେକଅପ ପାଇଁ ନେଇ ପାରିନାହାନ୍ତି ଯାହା ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ସେ ନିଜ ସ୍ବାମୀଙ୍କୁ ଜଣେ କେନ୍ସର ସରଭାଇଭର ନୁହେଁ ବରଂ ଜଣେ ଯୋଦ୍ଧା ବୋଲି ଆଖ୍ୟା ଦେଇଥିଲେ।

ଡ଼ା.ଭରତ ଚନ୍ଦ୍ର ମିଶ୍ର ନିଜର ମତ ରଖି କହିଥିଲେ ଯେ ଆଜିର ସମୟରେ କେନ୍ସର ରୋଗ ବଢିବାର ମୁଖ୍ୟ କାରଣ ଆଜିର ପରିବର୍ତିତ ଜୀବନଶୈଳୀ ଏବଂ ପ୍ରତ୍ୟାଶୀ ଜୀବନ ଜାପନ ଶୈଳୀ। ପରିବର୍ତିତ ଆଧୁନିକ ଖାଦ୍ୟ ଖାଇବା , ଅତ୍ୟଧିକ କୀଟନାଶକ ଓ ସାର ପ୍ରୟୋଗ ଦ୍ଵାରା ଖାଦ୍ଯ ବିଶ ହୋଇ ଶରୀରରେ ଜମାଟ ହୋଇ ରହୁଥିବା ବେଳେ ପରବର୍ତ୍ତୀ ସମୟରେ ଏହା କେନ୍ସର ର କାରଣ ହୋଇଥାଏ। ଏପରିକି ବାୟୁ ପ୍ରଦୂଷଣ ଫୁସଫୁସ କେନ୍ସର ର କାରଣ ମଧ୍ୟ। କେନ୍ସର ଦୂରାରୋଗ୍ୟ ରୁ ରକ୍ଷା ପାଇବା ପାଇଁ ଶୀଘ୍ର କେନ୍ସର ରୋଗର ଚିହ୍ନଟିକରଣ , ଶୀଘ୍ର ଚିକିତ୍ସା ସହିତ ବାରମ୍ବାର ବ୍ୟବଧାନରେ ରୋଗୀଙ୍କୁ ଚିକିତ୍ସା କରାଇବା ଜରୁରୀ ଅଟେ। ତେବେ ଫାଇଟର୍ସ ମାନଙ୍କ ପାଇଁ ସ୍ୱାସ୍ଥ୍ୟକର ଭୋଜନ , ସକାରାତ୍ମକ ଚିନ୍ତା ଧାରା , ନିୟମିତ ବ୍ୟାୟମ ଏବଂ ଅବହେଳା ନକରି ଚିକିତ୍ସା ଜାରି ରଖିବାକୁ ଉପଦେଶ ଦେଇଥିଲେ। ତେବେ ସେ ବରଗଡରେ ଏକ ଅତ୍ୟାଧୁନିକ କେନ୍ସର ହସ୍ପିଟାଲ ବା ରିସର୍ଚ ସେଣ୍ଟର ର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଡ଼ା.ଦୀପକ କୁମାର ପାଣିଗ୍ରାହୀ କହିଲେ ଯେ କେନ୍ସର ରୋଗ କେବଳ ରୋଗୀଙ୍କ ପାଇଁ ନୁହେଁ ବରଂ ଡାକ୍ତରଙ୍କ ପାଇଁ ମଧ୍ୟ ଯୁଦ୍ଧ ସଦୃଶ୍ୟ ଏବଂ ଏହି ଯୁଦ୍ଧରେ ସରଭାଇଭର ମାନେ ଅନ୍ୟ କେନ୍ସର ରୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ। କେନ୍ସର ସରଭାଇଭର ବା ଫାଇଟର ମାନେ ଡାକ୍ତର ମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟୀ ଅଟନ୍ତି। ୨୦୧୬ – ୧୭ ରେ ବୁର୍ଲାର ଏକ ତଥ୍ୟ ଅନୁଶାରେ ବରଗଡରେ କେନ୍ସର ରୋଗ ଚିହ୍ନଟ ହେବାରେ ରାଜ୍ୟର ପ୍ରଥମ ସ୍ଥାନରେ ରହିଥିବା ଜଣାପଡିଥିଲା। ଏହି ଅଞ୍ଚଳର କେନ୍ସର ରୋଗୀ ହାତପାହାନ୍ତାରେ ଚିକିତ୍ସା ସୁବିଧା ପାଇବାପାଇଁ ବରଗଡରେ କେନ୍ସର ହସ୍ପିଟାଲ ନିର୍ମାଣ ନିହାତି ଆବଶ୍ୟକ ବୋଲି ଜଣାଇଥିଲେ।

ପ୍ରଫେସର ମନୋଜ ସାହୁଙ୍କ ମତରେ କେନ୍ସର ଏକ ଜଟିଳ ରୋଗ। ଏହି ରୋଗରେ ରୋଗୀ ତଥା ପରିବାର ଲୋକେ ଚିକିତ୍ସାରେ ଆସୁଥିବା ପ୍ରତିବନ୍ଧକ ଏବଂ ଅତ୍ୟଧିକ ବ୍ୟୟ ସାପେକ୍ଷର କଷ୍ଟରୁ ମାନସିକ ଭାରସାମ୍ୟ ହରାଇବସିଥାନ୍ତି। ତେବେ ମାନସିକ ସ୍ଥିତିକୁ ନିୟନ୍ତ୍ରଣରେ ରଖି ସକାରାତ୍ମକ ଚିନ୍ତାଧାରା ଦ୍ଵାରା କେନ୍ସର ରୋଗୀ ନିଜର ଜୀବିତା ବସ୍ଥାକୁ ଉନ୍ନତ କରିପାରିଥାଏ| କେବଳ ରୋଗର ଲକ୍ଷଣକୁ ଚିକିତ୍ସା ନକରି ତାର ମାନସିକ ଚିନ୍ତାଧାରାକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ବରଗଡରେ କେନ୍ସର ରୋଗୀଙ୍କ ଚିହ୍ନଟ ଓ ତାର ଚିକିତ୍ସା କରାଇବା କାର୍ଯ୍ୟ ସହିତ ମାନସିକ ଚାପର ପ୍ରଭାବକୁ କମ କରାଇବାପାଇଁ ସହାୟକ ହେଉଥିବା ଏକ ଅତ୍ୟାଧୁନିକ କେନ୍ସର ହସ୍ପିଟାଲର ଆବଶ୍ୟକତା ରହିଛି ବୋଲି ଡ଼ା ମନୋଜ ସାହୁ ପ୍ରକାଶ କରିଥିଲେ।

ସାଂସଦ ସୁରେଶ ପୂଜାରୀ ଙ୍କ ମତରେ ବରଗଡରେ ବହୁ କେନ୍ସର ରୋଗୀ ଚିହ୍ନଟ ହେଉଥିବା ବେଳେ ସେ ଦୁଇଥର ଲୋକସଭାରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ , ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରିଥିବା ଜଣାଇଥିଲେ। କେନ୍ଦ୍ର ସରକାରଙ୍କ ଆର୍ଥିକ ଓ ବାଇଶାୟୀକ ସହାୟତାରେ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମରେ ବରଗଡରେ ଅତ୍ୟାଧୁନିକ କେନ୍ସର ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନାବା ଜରୁରୀ। ନିଜ ପରିବାରରେ ସେ ନିଜର ବଡ ଭଉଣୀକୁ ମଧ୍ୟ ୧୯୭୫ ରେ କେନ୍ସର ରୋଗରେ ହରାଇଥିବା ବେଳେ ଅନ୍ୟ କେନ୍ସର ରୋଗୀ ଏବଂ ପରିବାରର ଦୁଃଖ ଅଙ୍ଗେ ନିଭାଇଥିବା କହିଥିଲେ। ବରଗଡରେ କେନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଆଜି ଲୋକଙ୍କ ଦାବି ବା ଏହା ଏକ ଆନ୍ଦୋଳନ ନୁହେଁ ବରଂ ଏହା ଏକ ବଡ ଆବଶ୍ୟକତା ଏବଂ ଏଥିରେ ସମସ୍ତଙ୍କ ମିଳିତ ସହଯୋଗ ଆବଶ୍ୟକ ବୋଲି ସାଂସଦ ଶ୍ରୀ ପୂଜାରୀ କହିଥିଲେ।

ରାଜନୈତିକ ସ୍ତରରେ ବରଗଡରେ କେନ୍ସର ହସ୍ପିଟାଲ ସ୍ଥାପନ ପାଇଁ ତାଙ୍କର ଉଦ୍ୟମ ଜାରିରହିଥିବା ଜଣାଇଥିଲେ। ୨୦୧୯ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ବରଗଡରେ କେନ୍ସର ହସ୍ପିଟାଲ ନିର୍ମାଣ ପାଇଁ ପ୍ରଥମ ପ୍ରସ୍ତାବ ଦେଇଥିବା ବେଳେ ସ୍ଥାନ ଚୟନ ସହିତ ୫୨ କୋଟି ଟଙ୍କାର ଅର୍ଥ ମଞ୍ଜୁରୀ ହୋଇଥିବା ଜଣାଇଛନ୍ତି। ଆସନ୍ତା ୧୦ ଦିନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଜଣାଇଥିଲେ।ତେବେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବଂ କେନ୍ସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ କରିବା ତାଙ୍କର ଉଦ୍ୟେଶ ବୋଲି କହିଥିଲେ।କେବଳ ଜନପ୍ରତିନିଧି ନୁହେଁ ବରଗଡର ସନ୍ତାନ ଭାବରେ କେନ୍ସର ହସ୍ପିଟାଲ ସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ଅଜା ମଧ୍ୟ କେନ୍ସର ରେ ମୃତ୍ୟୁ ବରଣ କରିଥିବା ଯୋଗୁଁ ନିଜେ କେନ୍ସର ରୋଗୀଙ୍କ ଦୁଃଖ ଅନୁଭବ କରି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ଯ ସମ୍ବେଦନଶୀଳତା ବ୍ୟକ୍ତ କରିଥିଲେ।

ପ୍ରଦୀପ ଦେବତାଙ୍କ ମତରେ ବରଗଡର ପ୍ରତ୍ଯେକ ଗଳିରେ କେନ୍ସର ରୋଗୀ ଦେଖାଦେଉଥିବା ବେଳେ ବରଗଡରେ କେନ୍ସର ହସ୍ପିଟାଲ ଏଯାଏଁ ନିର୍ମାଣ ନହୋଇଥିବା ଯୋଗୁଁ ଦୁଃଖ ପ୍ରକାଶ କରିଥିଲେ। ସ୍ଥାନୀୟ ସାଂସଦ , ବିଧାୟକ ତଥା ଅନ୍ୟ ନେତା ଓ ମନ୍ତ୍ରୀ ବରଗଡରେ କେନ୍ସର ହସ୍ପିଟାଲ ସ୍ଥାପନକୁ ନେଇ ଇଛୁକ ଥିବା ଏବଂ ପ୍ରୟାସ ଜାରି ରଖିଥିବା ବେଳେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେଉଥିବା ଏବଂ ପଶ୍ଚିମ ଓଡିଶାବାସୀଙ୍କୁ ଉପେକ୍ଷା କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ସରକାର ଏଠାକାର ସମସ୍ୟାକୁ ହୃଦବୋଧ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବା ଦୁଃଖର ବିଷୟ। ବରଗଡରେ କେନ୍ସର ହସ୍ପିଟାଲ ନିର୍ମାଣ କୁ ରାଜନୈତିକ ବିଷୟ ଭାବରେ ନନେଇ ଏହାକୁ ଆବଶ୍ୟକତା ଭାବରେ ନିଆଯାଉ ବୋଲି ଅନୁରୋଧ କରିଥିଲେ।

ଏହି ଭାର୍ଚ୍ୟୁଏଲ ୱେବିନାର କାର୍ଯ୍ୟକ୍ରମରେ ଡାକ୍ତର ଏବଂ କେନ୍ସର ସରଭାଇଭରଙ୍କ ଆଲୋଚନାରୁ ସ୍ଵଷ୍ଟ ହୋଇଥିଲା ଯେ କେନ୍ସର ରୋଗୀଙ୍କର ମାନସିକ ଚିନ୍ତାଧାରାକୁ ମଧ୍ୟ ଧ୍ୟାନ ଦେବା ସହିତ ମନୋଚିକିତ୍ସକଙ୍କ ଆବଶ୍ୟକତା ନିହାତି ଜରୁରୀ ହୋଇଛି। ତେବେ ବରଗଡରେ କେନ୍ସର ରୋଗୀଙ୍କ ଚିହ୍ନଟ ଓ ତାର ଚିକିତ୍ସା କରାଇବା କାର୍ଯ୍ୟ ସହିତ ମାନସିକ ଚାପର ପ୍ରଭାବକୁ କମ କରାଇବାପାଇଁ ସହାୟକ ହେଉଥିବା ଏକ ଅତ୍ୟାଧୁନିକ କେନ୍ସର ହସ୍ପିଟାଲର ଆବଶ୍ୟକତା ରହିଛି। ତେବେ ରାଜନିତୀ ର ଉର୍ଦ୍ଧ୍ବରେ ଦଳମତ ନିର୍ବିଶେଷରେ ବରଗଡରେ ଶୀଘ୍ର କେନ୍ସର ହସ୍ପିଟାଲ ନିର୍ମାଣ ପାଇଁ ମିଳିତ ଉଦ୍ୟମ କରିବାକୁ ସମସ୍ତେ ମତ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.