Home ଓଡ଼ିଶା ପ୍ରବାସୀ ଶ୍ରମିକ

ପ୍ରବାସୀ ଶ୍ରମିକ

142

– ପଙ୍କଜ ପାଣିଗ୍ରାହୀ

ଉପଯୁକ୍ତ ଭିତ୍ତିଭୂମିର ଅଭାବ ସାଙ୍ଗକୁ ନିଜସ୍ୱ ସମ୍ବଳରେ ରୋଜଗାର ପନ୍ଥାର ସୁଯୋଗ ନଥିବା ହେତୁ ସାଧାରଣତଃ ମଣିଷ ନିଜ ପେଟକୁ ଗଣ୍ଡେ ଦାନା, ଶରୀରକୁ ଖଣ୍ଡିଏ କନା ଓଢ଼େଇ ବଞ୍ଚିରହିବା ଲକ୍ଷ୍ୟରେ ଅନ୍ୟ ସ୍ଥାନ ଗସ୍ତ କରିଥାନ୍ତି ଯେଉଁଠି ସେମାନଙ୍କୁ ସେସବୁର ସୁଯୋଗ ମିଳିଥାଏ। ସେମାନଙ୍କ ଜୀବନ ଜୀବିକା ଏବଂ କର୍ମକୁ ନେଇ ଯାହା କିଛି ରୋଜଗାର କରନ୍ତି ସେହି ସ୍ଥାନରେ ବଞ୍ଚିରହିବା ପାଇଁ ତାହା ପର୍ଯ୍ୟାପ୍ତ ନହେଲେ ମଧ୍ୟ କେବଳ ଜୀବନ ବଞ୍ଚିରହିବା ଲୋଭ ହେତୁ ସମସ୍ତଙ୍କ କଡା ପ୍ରତାରଣାର ଶିକାର ହୋଇ ବଞ୍ଚିଥାନ୍ତି। ଜୀବନରେ ନିଜେ କୌଣସି ପ୍ରକାର ଆନନ୍ଦ ଉପଭୋଗ କରିବା କିମ୍ବା ନିଜ ପିଲାଙ୍କ ଉନ୍ନତ୍ତିର ପଥ ପରିସ୍କାର କରିପାରିବା ଭଳି କ୍ଷମତାହିଁ ନଥାଏ ସେମାନଙ୍କ ପାଖରେ ଯାହା ଆଉ ଭବିଷ୍ୟତ ବୋଲି କିଛି ଭାବିବା ତ ବହୁତ ଦୂରର ବିଷୟ ହୋଇଥାଏ ସେମାନଙ୍କ ପାଇଁ। କୌଣସି ପ୍ରକାରେ ନିଜର ଜୀବନ ବଞ୍ଚିଯିବା ପରେ ଅତି କଷ୍ଟରେ କିଛି ସଞ୍ଚିତ ଅର୍ଥ ପ୍ରେରଣ କଲେ ଘରେ ବୃଦ୍ଧ ପିତାମାତା କିମ୍ବା ଅନ୍ୟାନ୍ୟ କୁଟୁମ୍ବ ଚାଳନ୍ତି ସେମାନଙ୍କର। ହେଲେ ସେମାନଙ୍କର ଏହି ଯନ୍ତ୍ରଣାଦାୟୀ ଜୀବନ ବଞ୍ଚିବା ନେଇ ସମାଜରେ କେହି କୌଣସି ପ୍ରକାର ଆଶ୍ୱାସନା କରିନଥାନ୍ତି କିମ୍ବା ସେମାନଙ୍କ ପ୍ରତି କାହାର ଦାୟାର୍ଦ୍ଧ ଭାବ ମଧ୍ୟ ନଥାଏ। କେବଳ ନିଜ ଭାଗ୍ୟ କୁ ଆଦରି ସେମାନେ କୌଣସିମତେ ବଞ୍ଚି ରହିଥାନ୍ତି। ବାଲ୍ୟ କାଳରେ ଶିକ୍ଷା ଅର୍ଜନ ନକରି ସେମାନେ ସମାଜର ଗୋଟିଏ ଗୋଟିଏ ଅନାବଶ୍ୟକ ବସ୍ତୁ ଭଳି ନିଜକୁ ଭାବି ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଯେତିକି ଶ୍ରମ ଦାନ କରିଥାନ୍ତି ତଥା କଥିତ ଶିକ୍ଷିତ ସମାଜ ସେସବୁ ଉପଭୋଗ କରି ସେମାନଙ୍କ ଠାରୁ ଶତଗୁଣରେ ଐଶ୍ୱର୍ଯ୍ୟ ମଧ୍ୟରେ ରହିଥାନ୍ତି। ସେହି ଶିକ୍ଷିତ ମାନଙ୍କ ଦ୍ୱାରା ନିୟନ୍ତ୍ରିତ, ପରିଚାଳିତ ହୋଇ ଯେତିକି ଆଦାୟ କରିଥାନ୍ତି ତାହାର ଏକ ଦଶମାଂଶ ମଧ୍ୟ ପାଇନଥାନ୍ତି ସେମାନେ। ତଥାପି ପ୍ରାତଃ ସୂର୍ଯ୍ୟର ଆରମ୍ଭରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ନିଜକୁ ଲହୁଲୁହାଣ କରି ସମାଜକୁ ଚଳାଇଥାନ୍ତି ଯାହା ସେମାନଙ୍କ ବୁଝିବା କ୍ଷମତା ବହିର୍ଭୁତ। ଶାରୀରିକ ଶ୍ରମ ଦାନ କରି ପ୍ରକୃତ ଜୀବନ ବଞ୍ଚିବାର ସାର୍ଥକତା ଅଛିବୋଲି ତ ସେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ, ନିଷ୍ପେସିତ ।।

 

ମଣିଷ ଗୋଟିଏ ସଂସ୍କୃତ, ଉନ୍ନତ୍ତ ସାମାଜିକ ପ୍ରାଣୀ ଭାବେ ପରସ୍ପର ପ୍ରତି ପ୍ରେମ ବାଣ୍ଟି ଅସମୟରେ ଜଣେ ଜଣକୁ ସାହାଯ୍ୟର ହାତ ବଢ଼ାଇ ଆନନ୍ଦରେ ରହିବା ଉଦେଶ୍ୟ ନେଇ ଗଠନ କରିଥିଲା ମଣିଷ ସମାଜ। କିନ୍ତୁ ଏଇଠି ତାହାର ବିପରୀତ କାର୍ଯ୍ୟ ହେଉଥିବା କେହି ଅସ୍ବୀକାର କରିପାରିବେ ନାହିଁ। ସମସ୍ତେ ସବୁବେଳେ ଅନ୍ୟ ପ୍ରତି ହିଂସା, ଦ୍ୱେଷ, କ୍ରୋଧ, ଲୁଣ୍ଠନ, ପ୍ରତିଯୋଗିତା ମୂଳକ ଚିନ୍ତାଧାରା ରଖି ବଞ୍ଚୁଛନ୍ତି। କେହି କାହାର ଦୁଃଖରେ ଭାଗିଦାରୀତା ହେବାତ ଦୂରର କଥା, ବରଂ ଓଲଟା ଦୁଃଖରେ ରହିଥିବା ମଣିଷ ପ୍ରତି ଅଧିକ ଈର୍ଷାନ୍ୱିତ ହେଉଥିବା ଦେଖିବାକୁ ମିଳୁଛି । ଭାଇଚାରାର ନାରା କେବଳ ଶବ୍ଦ ମାଧ୍ୟମରେ କୁହେଳିକା ପ୍ରଚାର କରି ସମସ୍ତେ ସମସ୍ତଙ୍କ ପ୍ରତି ଭଗାରିଚାରା ଉଦେଶ୍ୟ ରଖୁଥିବା ଅସ୍ବୀକାର କରିହେବ ନାହିଁ ।। ତଥା କଥିତ ଶିକ୍ଷିତ ସମାଜ ନିଜକୁ ବଡ଼ଲୋକର ମିଥ୍ୟା ପରିଚୟ ଦେଇ ସେମାନଙ୍କଠାରୁ ଶ୍ରମ ଲୁଣ୍ଠନ କରି ପ୍ରତାରିତ କରିବା ସହିତ ସେମାନଙ୍କୁ ବିଭିନ୍ନ ମିଛ କଥା କହି ଭୁଆଁ ବୁଲାଇ ନିଜସ୍ୱ ସ୍ୱାର୍ଥ ହାସଲ କରିଥାନ୍ତି। ସେମାନେ ବିଚାରା ଜୀବନ ବଞ୍ଚିବାର ବାଟ ନପାଇ ନିଜ ଭାଗ୍ୟକୁ ଆଦରି ଅକଥନୀୟ ଶ୍ରମଦାନ କରି ସଂସାର ଚଳାଇ ଆସୁଛନ୍ତି।

 

ଏସବୁ ବିଷୟର ସତ୍ୟାସତ୍ୟ ଏବଂ ଯୁକ୍ତିଯୁକ୍ତତା ଉପରେ ମୋର ବ୍ୟକ୍ତିଗତ ଅନୁଭୂତି, କିଛି ପ୍ରବାସୀ ଓଡ଼ିଆଙ୍କ ସହିତ କଥୋପକଥନରୁ ପାଦେ

 

ବାଲେଶ୍ୱର ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଅନେକ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସହିତ କଥୋପକଥନ କରି ଜାଣିବାକୁ ପାଇଲିଯେ ଅନେକଙ୍କର କିଛି ଜମିଜମା ଥିଲେ ମଧ୍ୟ ଉପଯୁକ୍ତ ଜଳସେଚନର ଅଭାବ ସାଙ୍ଗକୁ ବାତାବରଣ ଜନିତ କ୍ଷୟକ୍ଷତି ତଥା ଶସ୍ୟ ଆଦାୟ ହେବାପରେ ସେସବୁ ବିକ୍ରି କରି ତାହାର ଉପଯୁକ୍ତ ମୂଲ୍ୟ ପାଇବା ଇତ୍ୟାଦିର ଅଭାବନିୟତା ହେତୁ ସେମାନେ ଆମରାଜ୍ୟରେ କ୍ଷେତରେ କାର୍ଯ୍ୟକାରୀ ପରିବାର ଚଳାଇବା ସମ୍ଭବ ହେଉନାହିଁ। ଆଉ କିଛି ମତ ଦେଲେ ସେମାନେ କୌଣସି ବ୍ୟବସାୟ କରି ପରିବାର ଚଳାଇବା ପାଇଁ ଉଦ୍ୟମ କରି ବିଫଳ ହୋଇ ଅନ୍ୟରାଜ୍ୟ ମାନଙ୍କରେ ଦାଦନ ଖଟୁଛନ୍ତି। କିଛି ଲୋକ ନିଜର ସ୍ଥାବର ସମ୍ପତ୍ତି କିମ୍ବା ଆର୍ଥିକ ସ୍ୱଚ୍ଛଳତା ନଥିବା ହେତୁ କୌଣସି ଶିଳ୍ପ କିମ୍ବା ହୋଟେଲରେ କାର୍ଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ ସେସବୁର କ୍ଷେତ୍ର ମିଳୁନାହିଁ ଆମ ରାଜ୍ୟରେ, ତେଣୁ ସେମାନେ ଅନ୍ୟରାଜ୍ୟରେ ଥିବା ବିଭିନ୍ନ କ୍ଷୁଦ୍ର ଶିଳ୍ପ କିମ୍ବା ହୋଟେଲରେ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଛନ୍ତି। ହେଲେ ସେମାନେ କେବଳ ନିଜର ଦୁର୍ଭାଗ୍ୟ ବୋଲି ମନେ କରିବା ଛଡା ସେସବୁର ଅଭାବନିୟତା ଦୂର ହେଲେ ନିଜ ସ୍ଥାନରେ ରହି କାର୍ଯ୍ୟ କରିବାରେ କୋଣସି ଅସୁବିଧା ରହିବ ନାହିଁ ବୋଲି ଭାବୁଥିଲେ ମଧ୍ୟ କିଂକର୍ତ୍ତବ୍ୟମୂଢ଼ ।।

 

ଏଠାରେ ଆଉ ଏକ ପ୍ରଶ୍ନ ମନକୁ ଆସେ ଯେ କେବଳ ପ୍ରବାସୀ ଶ୍ରମିକ କାହିଁକି, ଉଚ୍ଚ ଶିକ୍ଷିତ ମାନେ ମଧ୍ୟ ରାଜ୍ୟ ବାହାରେ ରହି କାର୍ଯ୍ୟ କରୁଥିବା ଆମେ ସମସ୍ତେ ଜାଣୁ। ସେମାନେ ମଧ୍ୟ ଅନୁରୂପ ପରିସ୍ଥିତିର ଦାସ ହୋଇଥିବା ବେଳେ ସେମାନଙ୍କ ରୋଜଗାର ଶ୍ରମିକ ମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥିବା ହେତୁ ସେମାନଙ୍କୁ କେହି ପ୍ରବାସୀ ଶ୍ରମିକ ଭାବରେ ଗ୍ରହଣ ନକରି ବରଂ ଉଚ୍ଚ ଆସନରେ ଅଭିଷିକ୍ତ କରିଥାନ୍ତି। କେବଳ ରୋଜଗାର ଅଧିକ କରୁଥିବା ବ୍ୟକ୍ତି ଆମ ସମାଜରେ ସମସ୍ତଙ୍କ ଦ୍ୱାରା ସମ୍ମାନିତ ହୋଇଥାନ୍ତି, ଯେଉଁଠି କମ ରୋଜଗାର କ୍ଷମ ମଣିଷ ମାନଙ୍କୁ ସମସ୍ତେ ଏକରକମ ଘୃଣା ଚକ୍ଷୁରେ ଦେଖୁଥିବା ଅସ୍ବୀକାର କରିହେବ ନାହିଁ।

 

ମନରେ ଏକ ପ୍ରଶ୍ନ ଉଠେ ଯେ କେବଳ ଓଡିଶା କାହିଁକି ଅନ୍ୟାନ୍ୟ ଯେତେସବୁ ରାଜ୍ୟ ଆମଦେଶରେ ଅଛନ୍ତି ପ୍ରାୟତଃ ଅନେକ ରାଜ୍ୟର ଲୋକମାନେ ବିଭିନ୍ନ ସହର ଗୁଡିକରେ ପ୍ରବାସୀ ଶ୍ରମିକ ଭାବେ ନିୟୋଜିତ ହୋଇ କାର୍ଯ୍ୟ କରିଆସୁଛନ୍ତି। ହେଲେ ସେହିସବୁ ରାଜ୍ୟ ଗୁଡିକରେ ଉପଯୁକ୍ତ ଭିତ୍ତିଭୂମି ଗଢି ଉଠିବା ସମ୍ଭବପର ହେଉନାହିଁ । ନା ଆମ ମାନସିକତାର ଅଭାବ ଯୋଗୁଁ ହୋଇପାରୁନାହିଁ। ଦ୍ଵିତୀୟତଃ କେବଳ ପ୍ରବାସୀ ଶ୍ରମିକ କାହିଁକି, ଅନ୍ୟାନ୍ୟ ଯେଉଁମାନେ ସେହିସବୁ ରାଜ୍ୟରେ ସ୍ଵବାସରେ ରହୁଛନ୍ତି ସେମାନେ କଣ ଉନ୍ନତ୍ତ ରାଜ୍ୟ ଗୁଡିକ ତୁଳନାରେ ଭଲରେ ଅଛନ୍ତି । ବୋଧହୁଏ ନୁହେଁ । କାରଣ ରାଜ୍ୟବାସୀଙ୍କ ଆନ୍ତରିକତାର ଅଭାବ ହେତୁ ତଥାକଥିତ ଗରିବ ରାଜ୍ୟ ଗୁଡିକ ପ୍ରଗତି କରିପାରୁନଥିବା ସ୍ୱିକାରଯୋଗ୍ୟ। ଲୋକଙ୍କ ସ୍ୱାର୍ଥନ୍ୱେଷୀ ଚିନ୍ତାଧାରା ହେତୁ ଅନୁନ୍ନତ ରାଜ୍ୟ ଗୁଡିକର ଉନ୍ନତ୍ତି ହେଉନଥିବା ଏକ ଅପ୍ରିୟ ସତ୍ୟ। ଏଠି ଲୋକଙ୍କର ସାମୁହିକ ସ୍ୱାର୍ଥକୁ ପଛରେ ପକାଇ ନିଜସ୍ୱ ସ୍ୱାର୍ଥ ପଛରେ ପଡିଥିବା ଲୋକ ଅଧିକ। ବିନା ପରିଶ୍ରମରେ ଅଧିକ ଆଦାୟ କରିବା ସହିତ ନିଜର ଆସନ୍ତା ପିଢିଙ୍କ ପାଇଁ ଅର୍ଥ ସଞ୍ଚୟ କରି ରଖିବା ଏବଂ ସେହି ଅର୍ଥକୁ ବଜାରରେ ପ୍ରଚଳିତ କରିବା ନଶିଖି ବରଂ ବିଭିନ୍ନ ବିନିଯୋଗକାରି ସଂସ୍ଥା ମାଧ୍ୟମରେ ସହରରେ ଥିବା ବଡ ବଡ ଶିଳ୍ପ ମାନଙ୍କୁ ସହାୟତା ଯୋଗାଇଦେବାରେ ଏମାନଙ୍କ ଆଭିମୁଖ୍ୟ ବହୁତ ବେଶୀ। ତେଣୁ ସହରରେ ଥିବା ଶିଳ୍ପ ଗୁଡିକ ଜନସଧାରଣଙ୍କ ଅର୍ଥରେ ପରିଚାଳିତ ହୋଇ ଶ୍ରମିକ ମାନଙ୍କୁ ପ୍ରତାରିତ କରି ନିଜେ ବିତ୍ତଶାଳୀ ହେଉଥିବା ବେଳେ ଯାହାଙ୍କ ଅର୍ଥରୁ ସେମାନଙ୍କ ଶିଳ୍ପ ପରିଚାଳିତ ହୁଏ ଏବଂ ଯେଉଁମାନେ ଶ୍ରମଦାନ କରି ସେମାଙ୍କୁ ବିତ୍ତଶାଳି କରିଥାନ୍ତି ସେମାନେ ସମସ୍ତେ ଅତି ଦୁର୍ବଳ ଜୀବନ ଯାପନ କରିଥାନ୍ତି। ବିତ୍ତଶାଳି ଶିଳ୍ପପତି ସେମାନଙ୍କ ଠାରୁ ଆଦାୟ କରି ତାଙ୍କରି ଉପରେ ଶାସନ କରୁଥିବା ସାଧାରଣ ଲୋକ ନବୁଝିପାରିବା ପର୍ଯ୍ୟନ୍ତ ସମାଜ ଏମିତି ଯେ ଚାଲୁଥିବ ସେଥିରେ ତିଳେହେଲେ ସନ୍ଦେହ ନାହିଁ।

 

ଇତି ମଧ୍ୟରେ ସାଧାରଣ ଆର୍ଥିକ ସ୍ୱଚ୍ଛଳ ଥିବା ମଧ୍ୟବିତ୍ତ ପରିବାର ବର୍ଗ ସେହି ବିତ୍ତଶାଳି ସମ୍ଭ୍ରାନ୍ତ ପରିବାରଙ୍କ ସମକକ୍ଷ ହେବାତ ସ୍ୱପ୍ନର ଦୂରତ୍ୱ ଥିବାବେଳେ ସେମାନଙ୍କ ଦ୍ୱାର ମୁହଁକୁ ମଧ୍ୟ ଯାଇପାରିବେ ନାହିଁ। କିନ୍ତୁ ନିଜକୁ କିଞ୍ଚିତ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ତଳେ ଥିବା ଏହି ଶ୍ରମିକ ଗୋଷ୍ଠୀଙ୍କୁ ଏକ ରକମ ଛୋଟ ନଜରରେ ଦେଖି ସେମାନଙ୍କ ପ୍ରତି ମନରେ ବିଦ୍ବେଷଭାବ ରଖୁଥିବା ଦେଖିବାକୁ ମିଳୁଛି। ଏହି ମଧ୍ୟବିତ୍ତ ପରିବାର ବର୍ଗ ଜାଣି ପାରୁନାହାନ୍ତି ଯେ ସେମାନେ କ୍ରୀତଦାସ ହେଲେ ଏହିମାନେ କ୍ରିତଦାସଙ୍କ ବଡଭାଇ । ଅର୍ଥାତ ବିତ୍ତଶାଳୀଙ୍କ ଦ୍ୱାରା ଏମାନେ ଏତେ ମାତ୍ରାରେ ଲାଂଛିତଯେ ସେହି ଶ୍ରମିକ ଶ୍ରେଣୀ ଅପେକ୍ଷା ମାଧ୍ୟମ ବର୍ଗ ଆହୁରି ବହୁତ ମାତ୍ରାରେ ଲୁଣ୍ଠିତ ହୋଇଥାନ୍ତି । ଉପଯୁକ୍ତ ଜ୍ଞାନର ଅଭାବରୁ ଏମାନଙ୍କ ମନରେ ସୃଷ୍ଟି ହେଉଥିବା ଅହଂଭାବ ସଙ୍କୁଚିତ ନହେଲେ ଏହିମାନଙ୍କ ପରୋକ୍ଷରେ ପର୍ଯ୍ୟାପ୍ତ କ୍ଷତି ହେଉଥିବା ସେମାନଙ୍କ ବିଚାର ବହିର୍ଭୁତ। ତେଣୁ ଉଚ୍ଚ ସ୍ତରରେ ଥିବା ଠକ ଗୋଷ୍ଠୀଙ୍କୁ ବିରୋଧ କରି ମଧ୍ୟବିତ୍ତ ପରିବାର ଏବଂ ଶ୍ରମିକ ଗୋଷ୍ଠୀ ଏକ ହେଲେ ସମାଜରେ ସାମ୍ୟବାଦ ସୃଷ୍ଟି ହେବା ସମ୍ଭବ ହୋଇ ପାରିବ ବୋଲି ଆମର ଅନୁମାନ। କାରଣ ଶିଳ୍ପପତି, ଧନୀକ ଗୋଷ୍ଠୀଙ୍କ ନିଜସ୍ୱ ବୋଲି କିଛି ନାହିଁ। ସେମାନେ କେବଳ ଠକିବା ଜାଣନ୍ତି ଯାହା ମଧ୍ୟବିତ୍ତ ଲୋକେ ଧନ ଏବଂ ଶ୍ରମିକ ଶ୍ରମ ଦାନ କରି ସେମାନଙ୍କୁ ଉଚ୍ଚ ସ୍ଥାନରେ ବସାଇ ସେମାନଙ୍କ ଦ୍ୱାରା ପ୍ରତାରିତ ହେଉଛନ୍ତି। ଏହା ବୁଝିବା ସାଧାରଣ ମଧ୍ୟବିତ୍ତ ଲୋକ କିମ୍ବା ଶ୍ରମିକଙ୍କ ଜ୍ଞାନ ବହିର୍ଭୁତ ଥିବାବେଳେ ସଚେତନତାର ଆବଶ୍ୟକ ଯଥେଷ୍ଟ ଅଧିକ ଅଛି।

 

ଇତି ମଧ୍ୟରେ ସରକାରୀ ସଚେତନତା ଏବଂ ସହଯୋଗର ଅଭାବ ଲୋକମାନଙ୍କୁ ଏହିସବୁ ବିଷୟରୁ ମୁକୁଳିତ କରି ରଖିଥିବା ଏକ ଅତ୍ୟନ୍ତ ବିଚାରଶୀଳ ବିଷୟ। ସାଧାରଣ ଲୋକ ଜ୍ଞାନ ଅଭାବରୁ ଏମିତି କରୁଥିବା ବେଳେ ସମାଜକୁ ପରିଚାଳନା କରି ସୁସ୍ଥ ସବଳ ସମାଜ ଗଠନ କରିବା ଦାଇତ୍ୱ ଦିଆଯାଇଥିବା ଶାସକ, ନେତା, ପ୍ରଶାସକ ମାନେ ବିଭିନ୍ନ କ୍ରିୟାଶୀଳ ଯୋଜନା କରି ସେଗୁଡିକୁ ଆନ୍ତରିକତାର ସହିତ ସମାଜରେ ପ୍ରଚାର ପ୍ରସାର କରାଇ କ୍ରିୟାଶୀଳ କରାଇପାରିଲେ ହୁଏତ ଆସନ୍ତା ଭବିଷ୍ୟତରେ ଦୁର୍ବଳ ରାଜ୍ୟ ଗୁଡିକ ଧୀରେ ଧୀରେ ସବଳ ହେବାକୁ ଲାଗିଥାନ୍ତେ ବୋଲି ଆମ ବିଚାର। କିନ୍ତୁ ସାମୁହିକ ସ୍ୱାର୍ଥ ବ୍ୟତୀତ କେବଳ ନିଜସ୍ୱ ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ ସ୍ୱାର୍ଥନ୍ୱେଷୀ ମଣିଷ କଣ ନିଜର ମାନସିକତା ପରିବର୍ତ୍ତନ କରିପାରିବ । ଆଉ ନୂତନ ଏକ ସୁସ୍ଥ ସମାଜ ଆମେ ଆମ ଜୀବନ ମଧ୍ୟରେ ଦେଖି ପାରିବା । ପ୍ରଶ୍ନ ଅନେକ ଉତ୍ତର ..

ସୋସିଆଲ ଫୋରୁମ, ଛତ୍ରପୁର, ଗଞ୍ଜାମ

(ଏହା ଲେଖକଙ୍କର ନିଜସ୍ୱ ମତ)

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.