Home ଜିଲ୍ଲା ପରିକ୍ରମା ଠିକା ଅଙ୍ଗନୱାଡ଼ି ସୁପରଭାଇଜରଙ୍କୁ ସ୍ଥାୟୀ ନିଯୁକ୍ତି କେବେ!, ଜିଲ୍ଲାପାଳଙ୍କୁ ସଂଘର ଦାବିପତ୍ର

ଠିକା ଅଙ୍ଗନୱାଡ଼ି ସୁପରଭାଇଜରଙ୍କୁ ସ୍ଥାୟୀ ନିଯୁକ୍ତି କେବେ!, ଜିଲ୍ଲାପାଳଙ୍କୁ ସଂଘର ଦାବିପତ୍ର

30

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୁକ୍ତିଭିତ୍ତିକ ମହିଳା ସୁପରଭାଇଜରଙ୍କୁ ନିଯୁକ୍ତି ଦିବସ ଠାରୁ ନିୟମିତ କରାଯାଇ ବକେୟା ଦରମା ପ୍ରଦାନ, ସମ୍ବିଧାନର ଧାରା ୧୪ ଅନୁସାରେ ସମାନ କାମକୁ ସମାନ ଦରମା ପ୍ରଦାନ, କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ସୁପରଭାଇଜରମାନଙ୍କ ପରିବାରକୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ପରିବାରର ଜଣଙ୍କୁ ଚାକିରୀ ଦେବା ଦାବିରେ ଆଜି ଅଙ୍ଗନୱାଡ଼ି ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ପ୍ରଦାନ କରାଯାଇଛି । ସଂଘର ବରିଷ୍ଠ ସଦସ୍ୟା ବାସନ୍ତୀ ମଲ୍ଲିକ, ରଂଜିତା ନାୟକ, ବନ୍ଦନା ନାୟକଙ୍କ ଅଭିଯୋଗ ଅନୁଯାୟୀ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଠିକା ସୁପରଭାଇଜରମାନଙ୍କ ଭବିଷ୍ୟତ ଓ ସାମାଜିକ ସୁରକ୍ଷା ବିପନ୍ନ ହୋଇଛି । ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ସ୍ଥାୟୀ କରାଯାଉ ନାହିଁ । ବରଂ ସରକାରୀ କାମ ବ୍ୟତୀତ ଅନ୍ୟ ବହୁ କାମରେ ନିୟୋଜିତ କରାଯାଉଛି । ଯାହାକି ସଂଘର ସଦସ୍ୟାଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଛି । ବିଭାଗୀୟ ପତ୍ର ସଂଖ୍ୟା ୫୩୨/୪.୧୦.୨୦୦୮ ନିର୍ଦ୍ଦେଶନୁସାରେ ରାଜ୍ୟରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ୫୫୭ଜଣ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଥାଇ ଅନ୍ୟୁନ ୫ବର୍ଷ ଅଭିଜ୍ଞତା ଥିବା ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଠିକା ସୁପରଭାଇଜର ପଦବୀରେ ନିଯୁକ୍ତି ଦେଇଛନ୍ତି ।

ମାତ୍ର ଠିକା ସୁପରଭାଇଜରମାନେ ସରକାରଙ୍କ ସମସ୍ତ ସର୍ତ୍ତାବଳୀ ପୂରଣ କରି ମଧ୍ୟ ଅଦ୍ୟାବଧି ନିୟମିତ ହୋଇ ପାରି ନାହାନ୍ତି । ଅନ୍ୟପକ୍ଷରେ ସରକାରଙ୍କ ସର୍ତ୍ତାବଳୀ ଅନୁସାରେ ୧୦ ବର୍ଷ ଅଭିଜ୍ଞତା ଥିବା ମାଟ୍ରିକ ପାସ ଅଙ୍ଗନୱାଡ଼ି କର୍ମୀଙ୍କୁ ନିୟମିତ ପଦୋନ୍ନତି ଦେଇଛନ୍ତି । ସେମାନେ ସରକାରଙ୍କ ସମସ୍ତ ସୁବିଧା ପାଉଛନ୍ତି । କିନ୍ତୁ ୫ବର୍ଷ ଅଭିଜ୍ଞତା ଥବା ସ୍ନାତକ ଅଙ୍ଗନୱାଡ଼ିକର୍ମୀମାନଙ୍କୁ ଠିକା ସୁପରଭାଇଜର ପଦବୀ ପ୍ରଦାନ କ୍ଷେତ୍ରରେ ସରକାର କାହିଁକି ଉଦାସୀନ ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି । ଏହି ସ୍ନାତକ ଡିଗ୍ରୀଧାରୀ ଠିକା ସୁପରଭାଇଜରମାନେ ମାତ୍ର ୧୬ହଜାର ୮୮୦ଟଙ୍କା ବେତନ ପାଉଥିବା ସମୟରେ ପରିବାର ଚଳାଇବା ଏତିକି ଅର୍ଥରେ ଯଥେଷ୍ଟ ନୁହେଁ ବୋଲି କୁହାଯାଇଛି । ଉପରୋକ୍ତ ସମସ୍ୟା ନେଇ ଆଜି ୫୦ରୁ ଉର୍ଦ୍ଧ୍ୱ ଠିକା ସୁପରଭାଇଜରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ଯଦି ଉକ୍ତ ଦାବି ପୂରଣ ନହୁଏ, ତେବେ, ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସସ୍ମିତା ଦାସ, ନିର୍ମଳା ସାହୁ, ମିନତି ଦାସ, ଭାରତୀ ସାହୁ, ହାରାମଣୀ ଦାସ, ମିନଲତା ନାୟକ, ପ୍ରଭାତୀ ବିଶ୍ୱାଳ, ଉର୍ବଶୀ ମହାନ୍ତି, କ୍ରିଷ୍ଣାପ୍ରଭାବ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.