Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ

ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ

116

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗତ ରବି ଚାଷର ସମୀକ୍ଷା କରାଯାଇଥିଲା । ଗତ ରବି ଋତୁରେ ଜିଲ୍ଲାରେ ୪୩ ହଜାର ୯୪୧ ହେକ୍ଟର ଜମିରେ ଚାଷ କରାଯିବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୩୩ହଜାର ୬୭୨ ହେକ୍ଟର ଜମିରେ ଚାଷ ହୋଇଥିଲା । ଜଳସେଚନ ବିଭାଗ ପକ୍ଷରୁ ୨୬ ହଜାର ୭୫୬ ହେକ୍ଟର ଜମିକୁ ଜଳସେଚିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୧କୋଟି ୭୦ ଲକ୍ଷ ୬୨୪ ଟଙ୍କାର ଋଣ ଯୋଗାଣ ହୋଇଥିଲା । ମୁଗଚାଷ ୨ହଜାର ହେକ୍ଟର ଏବଂ ବିରି ୫ଶହ ହେକ୍ଟର ଜମିରେ କରାଯାଇଥିଲା । ସେହିପରି ବାସୁଦେବପୁର ବ୍ଲକରେ ୪୫୦ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଥିଲା । ଚଳିତ ଖରିଫ ଋତୁରେ ଜିଲ୍ଲାରେ କୃଷିକାର୍ଯ୍ୟ କିଭଳି ଭାବେ ହେବ, ଚାଷୀ ସେମାନେ ଫସଲ ଉତ୍ପାଦନ ଯେପରି ସୂଚାରୁ ଭାବେ କରି ପାରିବେ, ସେମାନେ ବ୍ୟାଙ୍କରୁ କିଭଳି ଭାବେ ଋଣ ନେଇ ଚାଷ କାର୍ଯ୍ୟ କରିବେ, ସେ ସମସ୍ତ ବିଷୟକୁ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଜିଲ୍ଳାର ପ୍ରାୟ ଶତକଡା ୬୫ ଭାଗ ଜମି ଜଳସେଚନ ସୁବିଧା ରହିଛି । ମୋଟ ୧୯ ଗୋଟି ପ୍ରୋଜେକ୍ଟ ଜରିଆରେ ଚାଷୀଙ୍କୁ ଉପକୃତ କରାଯିବ । ଖରିଫ ନିମନ୍ତେ ୧ଲକ୍ଷ ୭୪ ହଜାର ୬୩ ହେକ୍ଟର ଜମିରେ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ସେହିପରି ବିଭିନ୍ନ ଜଳସେଚନ ବ୍ୟବସ୍ଥା ଅନୁଯାୟୀ ୧ ଲକ୍ଷ ୧୯ ହଜାର ୩୦୭ ହେକ୍ଟର ଜମିକୁ ଜଳସେଚିତ କରାଯିବ । ମୋଟ ୧୦ହଜାର ୨୮୧ ମୃତ୍ତିକା ସାମ୍ପୁଲ ଟେଷ୍ଟ କରାଯାଇ ଚାଷୀଙ୍କୁ ସେଥି ନିମନ୍ତେ ଉପଯୁକ୍ତ ପ୍ରଣାଳୀ ମାଧ୍ୟମରେ ଚାଷ କାର୍ଯ୍ୟ କରାଯିବାକୁ ପ୍ରବର୍ତ୍ତାଯିବ । ଯାହା ଫଳରେ ଚାଷୀ ଅଧିକ ଉତ୍ପାଦନ କରି ପାରିବ । ଚାଷୀଙ୍କୁ ୪୨ ହଜାର ୮ଶହ ମେଟ୍ରିକ ଟନ ସାର ଯୋଗାଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କିରଣ କୁମାର ପରିଡା, ରାଣୀତାଲ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷିବୈଜ୍ଞାନିକ ଡ. ଅରବିନ୍ଦ ଦାସ, ଜିଲ୍ଲା ଉନ୍ନୟନ ପରିଚାଳକ ପ୍ରମୋଦ କୁମାର ବେହେରା, ଜିଲ୍ଳା ଉଦ୍ୟାନ ବିଭାଗ ଅଧିକାରୀ, ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ପୂର୍ବରୁ ଆଜି ଜିଲ୍ଲାପାଳ ଜିଲ୍ଲାର ଜଳସେଚନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ବିଭିନ୍ନ କେନାଲ, ସାଳନ୍ଦୀ ନଦୀରେ ଦଳ ଯୋଗୁ ଜଳ ନିଷ୍କାସନରେ ହେଉଥିବା ବ୍ୟାଘାତ ଅନୁଧ୍ୟାନ କରିବା ସହିତ ତାହାକୁ ତୁରନ୍ତ ମୁକ୍ତ କରିବାକୁ ଜିଲ୍ଲା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.