Home ଓଡ଼ିଶା ଚାପଗ୍ରସ୍ତ ଉଦ୍ୟୋଗଙ୍କୁ ସାହାଯ୍ୟ କରିବା ପାଇଁ ଏମଏସଏମଇ ମନ୍ତ୍ରଣାଳୟର ଆଉ ଏକ ଅର୍ଥ ଯୋଗାଣ ଯୋଜନା

ଚାପଗ୍ରସ୍ତ ଉଦ୍ୟୋଗଙ୍କୁ ସାହାଯ୍ୟ କରିବା ପାଇଁ ଏମଏସଏମଇ ମନ୍ତ୍ରଣାଳୟର ଆଉ ଏକ ଅର୍ଥ ଯୋଗାଣ ଯୋଜନା

213

– ୨ଲକ୍ଷ ଉଦ୍ୟୋଗକୁ ଏହି ଯୋଜନାରେ ୨୦ ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ
– ଯେଉଁ ଉଦ୍ୟୋଗ ଆର୍ଥିକ ଦୁର୍ଦ୍ଦଶାର ସମ୍ମୁଖୀନ କିମ୍ବା ଏନପିଏ ଘୋଷିତ ସେଗୁଡ଼ିକୁ ଅର୍ଥ ଯୋଗାଇବା ପାଇଁ ଏହା ଏକ ଉପ-ଋଣ ବ୍ୟବସ୍ଥା

ନୂଆ ଦିଲ୍ଲୀ ୨୪-୬ (ଓଡ଼ିଆ ପୁଅ) କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ସବର୍ଡିନେଟ ଡେଟ ବା ଉପଋଣ ଗ୍ୟାରେଂଟି ଯୋଜନା ଘୋଷଣା କରିଛନ୍ତି। ଏହାକୁ ମଧ୍ୟ ‘ଡିସଟ୍ରେଷ୍ଟ ଆସେଟ୍ସ ଫଣ୍ଡ-ସବଅର୍ଡିନେଟ ଡେଟ ଫର ଏମଏସଏମଇ’ କୁହାଯାଉଛି।

ଏହି ଯୋଜନା ଅନୁସାରେ ୨୦ ହଜାର କୋଟି ଟଙ୍କାର ଋଣ ଗ୍ୟାରେଂଟି ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯିବ। ସେମାନେ ନିଜ ନିଜର ଆର୍ଥିକ ଚାପଗ୍ରସ୍ତ ଉଦ୍ୟୋଗରେ ପୁଞ୍ଜି ଲଗାଇବା ପାଇଁ ବ୍ୟାଙ୍କରୁ ଋଣ ନେଲେ ସରକାର ଗ୍ୟାରେଂଟର ରହିବେ। ଏବେ ଅନଭୂତ ହେଉଛି ଯେ ଯେଉଁସବୁ ଏମଏସଏମଇ ଉଦ୍ୟୋଗର ଆର୍ଥିକ ସ୍ଥିତି ଭଲ ନାହିଁ ସେମାନେ ପୁଞ୍ଜି ସଂଗ୍ରହ କରିବାରେ, ଋଣ କିମ୍ବା ଇକ୍ୟୁଟି ପାଇବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଦନୁସାରେ ଚଳିତବର୍ଷ ମେ’ ୧୩ ତାରିଖରେ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପ୍ୟାକେଜରେ ଏହି ଯୋଜନା ସ୍ଥାନ ପାଇଛି। ସଂପୃକ୍ତ ଉଦ୍ୟୋଗୀମାନଙ୍କୁ ସବର୍ଡିନେଟ ଡେଟ ଯୋଜନାରେ ଏହି ଋଣ ମିଳିବ। ତେବେ ଯେଉଁ ଉଦ୍ୟୋଗଗୁଡିକ ଚାଲୁଛି କିନ୍ତୁ ଉତ୍କଟ ଅର୍ଥାଭାବର ସମ୍ମୁଖୀନ ସେଗୁଡିକ ପାଇଁ ଏହି ଯୋଜନା ମୁଖ୍ୟତଃ ଉଦ୍ଦିଷ୍ଟ। ଅର୍ଥ ମନ୍ତ୍ରଣାଳୟ, ସିଡବି ଏବଂ ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥାଙ୍କ ସହ ପରାମର୍ଶ କ୍ରମେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଏହି ଯୋଜନାକୁ ଅନୁମୋଦନ କରିଛି। ନାଗପୁରଠାରେ ଆଜି ଶ୍ରୀ ଗଡ଼କରୀ ଆନୁଷ୍ଠାନିକଭାବେ ଏହା ଘୋଷଣା କରିଛନ୍ତି।

ଯୋଜନାର ମୁଖ୍ୟାଂଶ

ଯେଉଁସବୁ ଉଦ୍ୟୋଗ ଚଳିତବର୍ଷ ଏପ୍ରିଲ ୩୦ ତାରିଖ ସୁଦ୍ଧା ଉତ୍କଟ ଅର୍ଥାଭାବର ସମ୍ମୁଖୀନ ହୋଇ ଏନପିଏ ଘୋଷିତ ହୋଇଥିବେ ସେଭଳି ଉଦ୍ୟୋଗକୁ ଏହି ଯୋଜନାରେ ସହାୟତା ପ୍ରଦାନ କରାଯିବ।

ସଂପୃକ୍ତ ଉଦ୍ୟୋଗର ଉଦ୍ୟୋକ୍ତାଙ୍କୁ ସେମାନଙ୍କ ମୋଟ ଇକ୍ୟୁଟି ଓ ଋଣର ୧୫ ଶତାଂଶ କିମ୍ବା ୭୫ ଲକ୍ଷ ଟଙ୍କା ମଧ୍ୟରୁ ଯେଉଁଟି ସର୍ବନିମ୍ନ ହେବ ତାହା ଋଣ ଆକାରରେ ଯୋଗାଇ ଦିଆଯିବ।

ସଂପୃକ୍ତ ଉଦ୍ୟୋଗୀଙ୍କୁ ସମାନ ପରିମାଣର ଅର୍ଥ ନିଜ ଉଦ୍ୟୋଗରେ ଇକ୍ୟୁଟି ଆକାରରେ ନିବେଶ କରିବାକୁ ପଡିବ ଏବଂ ତଦନୁସାରେ ନଗଦ ପରିମାଣ ବଢାଇ ଋଣ-ଇକ୍ୟୁଟି ଅନୁପାତକୁ ବଜାୟ ରଖିବାକୁ ହେବ।

ସବଡେଟର ନବେ ଶତାଂଶ ଅର୍ଥ ଗ୍ୟାରେଂଟି ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ ଏବଂ ଅବଶିଷ୍ଟ ୧୦ ଶତାଂଶ ସଂପୃକ୍ତ ଉଦ୍ୟୋଗୀ ଯୋଗାଇବେ।

ମୂଳ ଋଣ ପରିଶୋଧ ପାଇଁ ୭ ବର୍ଷର ସ୍ଥଗନାଦେଶ ବା ମୋରଟରିୟମ ରହିବ। ତେବେ ୧୦ ବର୍ଷ ମଧ୍ୟରେ ସମସ୍ତ ଋଣ ପରିଶୋଧ କରିବାକୁ ପଡ଼ିବ।

ଆଶା କରାଯାଉଛି ଯେ ଏହି ଯୋଜନା ଦ୍ୱାରା ଆର୍ଥିକ ସଂକଟର ସମ୍ମୁଖୀନ ପ୍ରାୟ ୨ଲକ୍ଷ ଉଦ୍ୟୋଗ ଉପକୃତ ହେବେ ଏବଂ ସେମାନେ ପୁନର୍ବାର ନିଜର ଉତ୍ପାଦନ ଆରମ୍ଭ କରିବାକୁ ସୁଯୋଗ ପାଇବେ। ଏହାର ସିଧା ପ୍ରଭାବ ଅର୍ଥନୀତି ଉପରେ ପଡିବ ଓ ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆସିବ। ଏହାଦ୍ୱାରା ମଧ୍ୟ ଏମଏସଏମଇ ଉଦ୍ୟୋଗ ଉପରେ ନିର୍ଭରଶୀଳ ନିୟୁତ ନିୟୁତ ଲୋକଙ୍କ ଜୀବିକା ସୁରକ୍ଷିତ ହୋଇପାରିବ।

ଯେଉଁ ଉଦ୍ୟୋଗଗୁଡିକ ଏହି ଋଣ ସହାୟତ ପାଇବା ପାଇଁ ଯୋଗ୍ୟ ସେମାନେ ଯେକୌଣସି ଅନୁସୂଚିତ ବ୍ୟାବସାୟିକ ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଯୋଜନା ଏମଏସଏମଇଏସ କ୍ରେଡିଟ ଗ୍ୟାରେଂଟି ଫଣ୍ଡ ଟ୍ରଷ୍ଟ ଦ୍ୱାରା କାର୍ଯ୍ୟକାରୀ ହେବ। ଏଥିପାଇଁ ଆବଶ୍ୟକ ନିର୍ଦେଶାବଳୀ ଏବଂ ସନ୍ଦେହ ମୋଚନ ପାଇଁ ବିଭିନ୍ନ ପ୍ରଶ୍ନର ଉତର ଆଜି ଜାରି କରାଯାଇଛି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଉକ୍ତ ଯୋଜନା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏଭଳି ଏକ ଉତମ ଯୋଜନା ପ୍ରସ୍ତୁତ କରିଥିବାରୁ ସେ ମଧ୍ୟ ଆର୍ଥିକ ବ୍ୟୟ ବିଭାଗ, ଆର୍ଥିକ ସେବା ବିଭାଗ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସାଧୁବାଦ ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.