Home ଓଡ଼ିଶା ଗଣତନ୍ତ୍ରର ତାଲା ଖୋଲନ୍ତୁ ସରକାର – ନିରଞ୍ଜନ ପଟ୍ଟନାୟକ

ଗଣତନ୍ତ୍ରର ତାଲା ଖୋଲନ୍ତୁ ସରକାର – ନିରଞ୍ଜନ ପଟ୍ଟନାୟକ

279

ଭୁବନେଶ୍ୱର, ୨୩ା୫ (ଓଡ଼ିଆ ପୁଅ) : ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। ତାଙ୍କର ନୈତିକ କର୍ତ୍ତବ୍ୟ ସେ କରିଛନ୍ତି। ସେଥିପାଇଁ ପି.ସି.ସି. ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ସାଧାରଣ ଲୋକ ହିସାବରେ ଆମେ ଜାଣିପାରିଲୁ ନାହିଁ ବାତ୍ୟାର କ୍ଷୟକ୍ଷତି ନେଇ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ କେତେ କୋଟି ଟଙ୍କା ମାଗିଛନ୍ତି। ଯେମିତି ପଶ୍ଚିମବଙ୍ଗ ସରକାର ୧ ଲକ୍ଷ କୋଟି ଟଙ୍କା ମାଗିଲେ, ସେମିତି ଆମ ସରକାର କେତେ କୋଟି ଟଙ୍କା ମାଗିଲେ ତାହାର ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଯେଉଁ ୫୦୦ କୋଟି ଦେଲେ ସରକାର ସେଥିରେ ସନ୍ତୁଷ୍ଟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ଏହି ବାତ୍ୟାରେ ଆମ ଚାଷୀମାନଙ୍କର, ସେହିପରି ଚାଳଘର କରି ରହିଥିବା ଲୋକଙ୍କ ଭୟାବହ କ୍ଷତି ହେବା ସହ ଆମ ଭିତ୍ତିଭୂମି ଯଥା- ରାସ୍ତା, ଘାଟ, ବିଦ୍ୟୁତ୍ ଇତ୍ୟାଦି ବିପର୍ଯ୍ୟସ୍ତ ହୋଇପଡ଼ିଛି। ସେଥିରେ ବିଶେଷକରି ଆମ ଚାଷୀଭାଇମାନଙ୍କର ଅଦ୍ଭୁତପୂର୍ବ କ୍ଷତି ହୋଇଛି, ସେମାନଙ୍କର କିପରି ଭରଣା କରାଯିବ ସରକାର ଚିନ୍ତା କରିବା ଦରକାର ବୋଲି ସେ ପ୍ରକାଶ କରିଥିଲେ। ଗତ ‘ଫନି’ ରେ କ୍ଷତିଗ୍ରସ୍ତ ହୋଇଥିବା ଖୋର୍ଦ୍ଧା, ପୁରୀ ଇତ୍ୟାଦି ଜିଲ୍ଲା ଲୋକଙ୍କ ଉଜୁଡ଼ି ଯାଇଥିବା ଚାଷ, ଭାଙ୍ଗି ଯାଇଥିବା ଘର ପାଇଁ ଏପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇଲେନାହିଁ। ତେଣୁ ଏସବୁ କଥାକୁ ଦୃଷ୍ଟିରେ ରଖି ସରକାର କାମ କରନ୍ତୁ। ‘ଫନି’ ବେଳେ ମୁଖ୍ୟମନ୍ତ୍ରୀ ମହାଶୟ କିଛି ସ୍ଥାୟୀ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ସ୍ଥାୟୀ ସମାଧାନ ପାଇଁ ଖସଡ଼ା ପ୍ରସ୍ତୁତ କରି ଦେବାପାଇଁ। ସେତେବେଳେ ଏହି କଥାଟି ଉଠିଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ଖସଡ଼ା ପ୍ରସ୍ତୁତ କରି ଦେଲେଣି କି ଓ କିଏ ଖସଡ଼ା ପ୍ରସ୍ତୁତ କରି ଦେବ, ସରକାର ବର୍ତ୍ତମାନ ଜଣାଇବା ଦରକାର। ଦୁଃଖ ଓ ପରିତାପର ବିଷୟ ଖସଡ଼ା ପ୍ରସ୍ତୁତ ନ କରି ଖାଲି ଟିଭିରେ କହିବା ପାଇଁ ଏ ବ୍ୟବସ୍ଥା, କାମରେ କିଛି ନୁହଁ। ଓଡ଼ିଶା ଲୋକେ ବାତ୍ୟାରେ ଚଳିବାରେ ଅଭ୍ୟସ୍ତ ଏବଂ ଯେପରି ଭାବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି, ସେଥିରେ ଲୋକ ସତର୍କ ରହୁଛନ୍ତି। ସେହି ସତର୍କତା ଦୃଷ୍ଟିରୁ ଆମ ରାଜ୍ୟରେ ମୃତ୍ୟୁସଂଖ୍ୟା ବଢୁନାହିଁ। ତେଣୁ ଏହା ଲୋକଙ୍କ ବାହାଦୁରୀ, ଏଥିରେ ସରକାରଙ୍କ କିଛି ବାହାଦୂରୀ ନାହିିଁ। ବର୍ତ୍ତମାନ କରୋନା ପାଇଁ ସାରା ଦେଶ ଓ ରାଜ୍ୟରେ ଯେଉଁ ଭୟାବୟ ପରିସ୍ଥିତି ଦେଖାଦେଲାଣି, ସେଥିପାଇଁ ସରକାର ଦାୟୀ। ପ୍ରଧାନମନ୍ତ୍ରୀ ମହାଶୟ, ବନାରସରେ ମାର୍ଚ୍ଚ ୧୮ରେ ଯେଉଁ କଥା କହିଥିଲେ କି, ମହାଭାରତ ଯୁଦ୍ଧ ୧୮ ଦିନରେ ସରିଥିଲା, ମୁଁ ସେହିପରି ୨୧ ଦିନ ସମୟ ମାଗୁଛି ସାରା ଭାରତବାସୀଙ୍କଠାରୁ ଏ ଦେଶରୁ କରୋନାମୁକ୍ତ କରିବାକୁ। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ୨୧ ଦିନରୁ ଯାଇ ୩ ମାସ ହେଲାଣି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି। ଏହା କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅପାରଗତା ପାଇଁ। ତାହାର କାରଣ, ପ୍ରଥମେ ସରକାର କହିଲେ କିଛି ଅଫିସରମାନେ କରୋନା ମହାମାରୀକୁ ମୁକାବିଲା କରିବାପାଇଁ। ପରବର୍ତ୍ତି ସମୟରେ କହିଲେ ଯେଉଁ ପ୍ରବାସୀମାନେ ଓଡ଼ିଶାକୁ ଫେରିବେ, ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବେ ଓ ତାଙ୍କ କଥା ସରକାର ବୁଝିବେ। ଏହା ଘୋଷଣା କଲାପରେ ଲୋକେ ଘରମୁହାଁ ହୋଇଗଲେ। ସିଆଡ଼େ ଚାକିରୀ ନାହିଁ, ଖାଇବାକୁ ନାହିଁ, ତେଣୁ ଲୋକେ ଦୁର୍ଦ୍ଦିନରେ ଅଛନ୍ତି। ଏଣୁ ନିଜ ରାଜ୍ୟ ଆସିବା ପାଇଁ ବିକଳ ହୋଇ କିଏ ଚାଲିଚାଲି, କିଏ ସାଇକେଲ୍‌ରେ, କିଏ ଟ୍ୟାଙ୍କର ମାଧ୍ୟମରେ ଆସିଲେ। ପୁଣି ମଝିରେ ଗୋଟେ ସରକାର କଥା କହିଲେ ନିଜ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ପାଇଁ ରେଳଭଡ଼ା ଖର୍ଚ୍ଚ କେନ୍ଦ୍ର ସରକାର ୮୫ ପ୍ରତିଶତ ଓ ରାଜ୍ୟ ସରକାର ୧୫% ବହନ କରିବେ। ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ପ୍ରବାସୀ ଶ୍ରମିକଙ୍କ ରେଳଭଡ଼ା ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବୁ ବୋଲି ପ୍ରସ୍ତାବ ଦେଲୁ। କିନ୍ତୁ ସରକାର ଆମ କଥା ଶୁଣିଲେ ନାହିଁ, ସମୟ ଦେଲେନାହିଁ କି ସହଯୋଗ ମଧ୍ୟ କଲେନାହିଁ। ବର୍ତ୍ତମାନ ଏହି ସ୍ଥିତିରେ ତାଲବନ୍ଦ ଆସ୍ତେଆସ୍ତେ ଖୋଲିବା ଆରମ୍ଭ କଲାଣି। କିନ୍ତୁ ସରକାର ଗଣତନ୍ତ୍ର ତାଲାଟିକୁ କାହିଁକି ବନ୍ଦ କରି ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ। କାରଣ ଯାହା ଦେଖାଯାଉଛି, ପ୍ରଧାନମନ୍ତ୍ରୀ ମୋଦି ମହାଶୟ କାଲି ଯେଉଁ ମିଟିଂ କଲେ, ସେଥିରେ ଆମ ରାଜ୍ୟର କେହି ମନ୍ତ୍ରୀ ନଥିଲେ, କିନ୍ତୁ କେନ୍ଦ୍ରମନ୍ତ୍ରୀ ଥିଲେ। ୧୯୯୯ ମସିହା ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓଡ଼ିଶା ଗସ୍ତରେ ଆସିଥିଲେ। ସେ ଯେଉଁ ମିଟିଂ କରିଥିଲେ, ସେଥିରେ ସ୍ୱାସ୍ଥ୍ୟ ଓ ଶକ୍ତି ମନ୍ତ୍ରୀ ହିସାବରେ ଆମେ ଯୋଗ ଦେଇଥିଲୁ। କିନ୍ତୁ ଏଠାରେ ଉଭୟ ମୋଦି ଓ ନବୀନ ବୈଜ୍ଞାନିକ କାରଣ ଦର୍ଶାଇ କୌଣସି ରାଜନୈତିକ ଲୋକ, ସାମାଜିକ ଲୋକ, ବରିଷ୍ଠ ଲୋକଙ୍କ ସହିତ ଆଲୋଚନା କରୁନାହାଁନ୍ତି। ତେଣୁ ଏ ଗଣତନ୍ତ୍ରକୁ ଏକ ରକମ ଚାବି ପକାଇ ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଦୟାକରି ଗଣତନ୍ତ୍ର ତାଲାକୁ ଖୋଲି ଏବଂ ସମସ୍ତଙ୍କ ସହିତ ଆଲୋଚନା କରି ଯେଉଁ ମହବିପତ୍ତି ଆସୁଛି ବୋଲି ତାକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ। ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ବା ପରବର୍ତ୍ତୀ ସମୟରେ ଯେଉଁ ଭୟାବହ ପରିସ୍ଥିତି ହେବ, ଜନସାଧାରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ କ୍ଷମା କରିବେ ନାହିଁ। ଗୋଟେ ଉଦାହଣ ଦେଇ ଶ୍ରୀ ପଟ୍ଟନାୟକ କହିଲେ ୨୦ ବର୍ଷ ଧରି ପ୍ରଚାର କରୁଛନ୍ତି, ଆମେ ଏତେ କୋଠା ଘର କରିଛୁ, ତେବେ ଏବେ ପ୍ରଶ୍ନ ଉଠୁଛି, ଏତେ ଚାଳଘର ଆସିଲା କେଉଁଠୁ। ଯେଉଁ ଚାଳଘରକୁ ସେହି ଚାଳଘର ରହିଛି। ଦୀର୍ଘବର୍ଷ ଧରି ତିଆରି ହେଉଥିବା କୋଠାଘର କାହାକୁ ଦିଆଯାଉଛି ବୋଲି ସରକାର ଉଚ୍ଚ ଦେବା ଉଚିତ୍। କିଛି ମୁଷ୍ଟିମେୟ ସରକାରୀ ଅଫିସରଙ୍କୁ ଧରି ଏହି ମହାମାରୀ ‘କରୋନା’କୁ ମୁକାବିଲା କରିବା ଅସମ୍ଭବ। ଶାସନ ଏମିତି କରାଯାଏନାହିଁ। ଅନ୍ୟ ରାଜ୍ୟରୁ କିଛି ଶିଖନ୍ତୁ। ବର୍ତ୍ତମାନ ଯେମିତି ଓଡ଼ିଶାରେ ଶାସନ ଚାଲିଛି, ଲୋକେ ହନ୍ତସନ୍ତ ହେଉଛନ୍ତି, ଆହୁରି ମଧ୍ୟ ହେବେ। ଏଣୁ ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଅନୁରୋଧ କରିଛନ୍ତି, ଶୀଘ୍ର ଗଣତନ୍ତ୍ରର ତାଲା ଖୋଲି ସମସ୍ତଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବାକୁ। ନ ହେଲେ ଭୟାବହ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.