Home କେନ୍ଦ୍ରାପଡ଼ା ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିବାଦ : ସର୍ଭେ କରିନାହିଁ ଆଇଆଇଟି ହାଇଦ୍ରାବାଦ୍ ଟିମ୍‌

ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିବାଦ : ସର୍ଭେ କରିନାହିଁ ଆଇଆଇଟି ହାଇଦ୍ରାବାଦ୍ ଟିମ୍‌

67

କେନ୍ଦ୍ରାପଡ଼ା ୨୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଖରସ୍ରୋତାରେ ପ୍ରକଳ୍ପ ବିବାଦ ଘଟଣା ଏକ ଗୁରୁତ୍ୱପୁର୍ଣ୍ଣ ମୋଡ ନେଇଛି। ପାନୀୟ ଜଳ ପ୍ରକଳ୍ପ ପାଇଁ ଆଇଆଇଟି ହାଇଦ୍ରାବାଦର ଟିମ୍ ନା ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଛି ନା ଏଥିପାଇଁ ସେହି ଟିମ ସର୍ଭେ କରିଛି। ହାଇଦ୍ରାବାଦ୍ ଟିମ୍‌ର ସର୍ଭେ ନାଁରେ ଜାଲ୍ ରିପୋର୍ଟ ପ୍ରଦର୍ଶନ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ସତ୍ୟ ବୋଲି ଶେଷରେ ପ୍ରମାଣିତ ହୋଇଛି। ଟିମ୍‌କୁ ଏଥିପାଇଁ କେହି ସର୍ଭେ କରିବାକୁ କହିନଥିଲେ ବୋଲି ଆଇଆଇଟି ହାଇଦ୍ରାବାଦ୍ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ତେଣୁ ଟିମ ପ୍ରକଳ୍ପ ସ୍ଥଳକୁ ଯାଇ ସର୍ଭେ କରିନାହିଁ କିମ୍ବା ପ୍ରକଳ୍ପର ସାମାଜିକ ଓ ପରିବେଶୀୟ ପ୍ରଭାବ ସଂକ୍ରାନ୍ତରେ କୌଣସି ରିପୋର୍ଟ ପ୍ରଦାନ କରିନଥିବା ଆଇଆଇଟି ହାଇଦ୍ରାବାଦ୍‌ର ମୁଖ୍ୟ ଜନସୂଚନା ଅଧିକାରୀ ଡେପୁଟି ରେଜିଷ୍ଟ୍ରାର (ଏମ୍‌ଏସ୍‌) ସୟଦ ଅଲ୍ଲୀ ସାବିର୍ କହିଛନ୍ତି। ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ଇ-ମେଲ ଯୋଗେ ଆଇଆଇଟି ପକ୍ଷରୁ ମିଳିଥିବା ତଥ୍ୟରେ ସ୍ପଷ୍ଟିକରଣ ଦିଆଯାଇଛି। କେବଳ ସେତିକି ନୁହେଁ ହାଇଦ୍ରାବାଦ ଆଇଆଇଟି କେବେ ସର୍ଭେ କରିବାକୁ ନିଷ୍ପତ୍ତି ନେଲା, ଓଡିଶା ସରକାରଙ୍କ ସହ ଆଦାନପ୍ରଦାନ ହୋଇଥିବା ସମସ୍ତ ପତ୍ର, ସର୍ଭେ ସଂକ୍ରାନ୍ତ ଓଡିଶା ସରକାରଙ୍କ ଚିଠି, ସର୍ଭେ ବାବଦକୁ ବିଲ୍ ଓ ଏଥିବାବଦକୁ ପାରିଶ୍ରମିକ ପ୍ରଦାନ, କେଉଁ ତାରିଖରେ ଟିମ୍ ସର୍ଭେ କରିଥିଲା ଏବଂ ସର୍ଭେ କରିଥିବା ଟିମ୍‌ର ସଦସ୍ୟମାନଙ୍କ ସମ୍ପର୍କରେ ଶ୍ରୀ ମହାନ୍ତି ସୂଚନା ଅଧିକାର ଆଇନ୍‌ରେ ତଥ୍ୟ ମାଗିଥିଲେ। ତେବେ ଉତ୍ତର ସ୍ଥାନରେ ଅନୁପଲବ୍ଧ ବୋଲି ଦର୍ଶାଯାଇଛି। ସେଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ କେଉଁ ତାରିଖରେ ସର୍ଭେ ପାଇଁ କୁହାଯାଇଥିଲା ବୋଲି ପ୍ରଶ୍ନର ଉତ୍ତରରେ ଓଡିଶା ସରକାର ଏଥିପାଇଁ ସର୍ଭେ କରିବାକୁ କହିନଥିବା ଦର୍ଶାଯାଇଛି। ତେଣୁ ପ୍ରକଳ୍ପକୁ ନେଇ ସାଧାରଣ ଜନତାଙ୍କୁ ଯେ ସମ୍ପୁର୍ଣ୍ଣ ଅନ୍ଧାରରେ ରଖାଯାଇଛି ଏଥିରେ ଆଉ ବୁଝିବାକୁ ବାକି ନାହିଁ ବୋଲି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ ହୋଇଛି। ପ୍ରାରମ୍ଭରୁୁ ହାଇଦ୍ରାବାଦ୍ ଆଇଆଇଟି ରିପୋର୍ଟକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏପରି କୌଣସି ପ୍ରକାର ସର୍ଭେ ରିପୋର୍ଟ ସଂସ୍ଥା ଦେଇନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଭିତରକନିକା ଇକୋ ସେନ୍‌ସିଟିଭ୍ ଜୋନ୍ ମନିଟରିଂ କମିଟିର ସଭ୍ୟ ତଥା ‘ସମ୍ଭାବନା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଶ୍ରୀକାନ୍ତ ନାୟକ ଓ ଅନ୍ୟମାନେ ଏନେଇ ପୂର୍ବରୁ ଅଭିଯୋଗ କରିଆସୁଥିଲେ। ଶ୍ରୀ ନାୟକ ଦର୍ଶାଇଥିଲେ ଯେ ଓଡିଶା ସରକାର ବ୍ରାହ୍ମଣୀର ଶାଖାନଦୀ ଖରସ୍ରୋତାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଖରସ୍ରୋତା ବରୁଣାଡିହାରୁୁ ପାଣି ଉତ୍ତୋଳନ କରାଯାଇ ଭଦ୍ରକ ଜିଲ୍ଲାର ନୁଆହାଟଠାରେ ଏହାକୁ ବିଶୋଧନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୫ ମସିହା ଜୁନ୍ ୧୬ରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାଇ ୨ଟି ଯାକ ସ୍ଥାନ ଭିତରକନିକା ଇକୋ ସେନ୍‌ସିଟିଭ୍ ଜୋନ୍ ଅଧିନରେ ଆସୁଛି। ତେବେ ବିସ୍‌୍ମୟକର କଥା ହେଉଛି ଏଠାରେ ଏକ ସରକାରୀ ପ୍ରକଳ୍ପ ନିର୍ମାଣ ହେଉଥିଲେ ମଧ୍ୟ ସେଥିନିମନ୍ତେ ଭିତରକନିକା ଇକୋ ସେନ୍‌ସିଟିଭ୍ ଜୋନ୍ ମନିଟରିଂ କମିଟିର ଅନୁମୋଦନ ନିଆଯାଇନାହିଁ। ପରେ ଅନୁଷ୍ଠିତ ମନିଟରିଂ କମିଟି ବୈଠକରେ ବିଶେଷଜ୍ଞ କମିଟି ନିଯୁକ୍ତ କରାଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଶ୍ରୀ ନାୟକ ଯେତେବେଳେ ଉକ୍ତ ବୈଠକର ରିଜୋଲ୍ୟୁସନର ନକଲ ମାଗିଲେ ଡିଏଫ୍‌ଓ ତାଙ୍କୁ ଦେଇନଥିଲେ। ସେହିପରି ଡିସେମ୍ବର ୧୫ ତାରିଖରେ ମନିଟରିଂ କମିଟିର ଅନ୍ୟ ଏକ ବୈଠକ ଆହୂତ ହୋଇଥିଲା। ସେହି ବୈଠକରେ ତାଙ୍କୁ କମିଟିର ସମ୍ପାଦକ ଡିଏଫ୍‌ଓ ପରିବେଶୀୟ ଓ ସାମାଜିକ ପ୍ରଭାବ ଅନୁଧ୍ୟାନ (ଇଏସଆଇଏ)ରିପୋର୍ଟ ପ୍ରଦାନ କରିଥିଲେ। ତେବେ ଡିସେମ୍ବର ୩ରୁ ଡିସେମ୍ବର ୧୫ତାରିଖ ମଧ୍ୟରେ ଏତେଶୀଘ୍ର ଇଏସଆଇଏ ରିପୋର୍ଟ ପ୍ରସ୍ତୁତ ହେଲା କେମିତି ବୋଲି ଶ୍ରୀକାନ୍ତ ଆପତ୍ତି ଉଠାଇଥିଲେ। ଯେଉଁ ବିଶେଷଜ୍ଞ କମିଟି ଅନୁଧ୍ୟାନ କଲେ ତାହାର ସଦସ୍ୟ କିଏ ଥିଲେ ଓ ଏଥିପାଇଁ ମନିଟରିଂ କମିଟି କେବେ ତାଙ୍କ ପାଖକୁ ଚିଠି କରି ଜଣାଇଥିଲା ସେ ବାବଦରେ କୈାଣସି ସୂଚନା ଦିଆଯାଇନଥିଲା। ଫଳରେ ସର୍ଭେ ରିପୋର୍ଟର ବୈଧତା ଓ ସତ୍ୟତାକୁ ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହା ଆଜି ସତ୍ୟ ବୋଲି ପ୍ରମାଣିତ ହୋଇଛି ବୋଲି ପରିବେଶବିତ ଶ୍ରୀକାନ୍ତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.