Home କଳାହାଣ୍ଡି କଳାହାଣ୍ଡିରେ ଘୋଷଣାର ଅଠର ଦିନ ପରେ ମଧ୍ୟ ଧାନକିଣା ମଣ୍ଡି ଆରମ୍ଭ ହୋଇପାରିନାହିଁ, ଆଗାମୀ ସାଧାରଣ...

କଳାହାଣ୍ଡିରେ ଘୋଷଣାର ଅଠର ଦିନ ପରେ ମଧ୍ୟ ଧାନକିଣା ମଣ୍ଡି ଆରମ୍ଭ ହୋଇପାରିନାହିଁ, ଆଗାମୀ ସାଧାରଣ ନିର୍ବାଚନରେ ଏହାର କଡା ପ୍ରଭାବ ପଡିପାରେ

130

କଳାହାଣ୍ଡି-୧୮.୧୧.୨୦୧୮ (ଓଡିଆପୁଅ) ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ ଠିକ ମୂଲ୍ୟ ଯୋଗାଇଦେବା ନିମନ୍ତେ ସରକାର ମିଲର୍ସଙ୍କୁ ହଟାଇ ରାଜ୍ୟ ଯୋଗାଣ ନିଗମ ଦ୍ୱାରା ସ୍ଥାନୀୟ ସମବାୟ ସମିତି (ପାକ୍ସ) ମାଧ୍ୟମରେ ମଣ୍ଡି ମାନଙ୍କରୁ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣିବା ବ୍ୟବସ୍ଥା କଲେ । ଗତ ୨୦୦୫ ମସିହାରୁ ପ୍ରଚଳିତ ଏହି ବ୍ୟବସ୍ଥାରେ ପ୍ରତିବର୍ଷ ଅଭାବୀ ଧାନବିକ୍ରୀ ସମସ୍ୟା ଲାଗି ରହିଥିବାର ଅନେକ ଅଭିଯୋଗ ହୋଇଆସୁଥିଲା । ଦୀର୍ଘ ୧୨/୧୩ ବର୍ଷ ପରେ ମଧ୍ୟ ସେହି ସମସ୍ୟା ସୁଧୁରି ପାରିନାହିଁ । ଅଦ୍ୟାବଧି ଯଥା ପୂର୍ବଂ ତଥା ପରଂ ଭଲି ଚାଷୀ ପଂଜୀକରଣ ଠାରୁ ଆରମ୍ଭ କରି ମଣ୍ଡି ମାନଙ୍କରେ ମିଲର୍ସ ଟେଗିଂ ଠାରୁ ଆରମ୍ଭ କରି ପାକ୍ସରେ କାଗଜପତ୍ର ବ୍ୟବସ୍ଥା ତଥା ଧାନକିଣା ଓ ଲିପ୍ଟିଂ ପର୍ଯ୍ୟନ୍ତ ସବୁଥିରେ ମିଲର୍ସଙ୍କ ନିୟନ୍ତ୍ରଣରେ ଧାନକିଣା ବ୍ୟବସ୍ଥା ଚାଲୁରହିଛି । ଆରଏମସି ପକ୍ଷରୁ ଭିତିଭୂମି ଯୋଗାଇ ଦେବାକୁ ବ୍ୟବସ୍ଥା ଥିବା ବେଳେ ପାକ୍ସ ପକ୍ଷରୁ ଧାନକିଣିବା ପାଇଁ ଶତକଡା ୨.୫ ଅନୁସାରେ କୋଟି କୋଟି ଟଙ୍କାର କମିଶନ ପାଉଥିବା ବେଳେ କୌଣସି ପ୍ରକାର ସଠିକ ବ୍ୟବସ୍ଥା କରିପାରିନାହାନ୍ତି । ପାକ୍ସ ଧାନକିଣିବା ପରେ ଟେଗିଂ ହୋଇଥିବା ମିଲର୍ସଙ୍କୁ କଷ୍ଟମ ମିଲିଂ ପାଇଁ ଧାନ ଦେବାର କାଗଜପତ୍ରରେ ଉଲ୍ଲେଖ ଥିବା ବେଳେ ବାସ୍ତବ କ୍ଷେତ୍ରରେ ମିଲର୍ସହିଁ ନିଜ ମନଇଚ୍ଛା ଚାଷୀଙ୍କ ଠାରୁ ଧାନ କିଣୁଥିବାର ଏବଂ ପାକ୍ସ କର୍ତୃପକ୍ଷ ନିଜ ଅସହାୟତା ଯୋଗୁଁ ବାଧ୍ୟ ହୋଇ ମଣ୍ଡିରେ ମିଲର୍ସଙ୍କ ଗୋଡାଣିଆ ହେଉଥିବା ପ୍ରକାଶ । ଏତଦବ୍ୟତୀତ ଏଫଏକୁ୍ୟ ବାହାନାରେ ସବୁ ପ୍ରକାର ଧାନକୁ ଏକ ପ୍ରକାର ତୁଳନା କରିଦେଇ ମଣ୍ଡି ମାନଙ୍କରେ ନିର୍ଦ୍ଧାରିତ ପରିମାଣରେ କଟଣି ବ୍ୟବସ୍ଥା ଚାଲୁରହିଥିବା ଯୋଗୁଁ ଚାଷୀ ବହୁତ କ୍ଷତିରେ ପଡୁଥିବା ଅଭିଯୋଗ ହୋଇଆସୁଛି ।
ଚଳିତ ବର୍ଷ ନଭେମ୍ବର ଏକ ତାରିଖ ଠାରୁ ମଣ୍ଡି ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଅଦ୍ୟାବଧି ମଣ୍ଡି ଖୋଲି ପାରିନାହିଁ । କେତେକ ସ୍ଥାନରେ ଚାଷିମାନେ ଟୋକନ ଧରି ମଣ୍ଡି ଅପେକ୍ଷାରେ ଥିବା ବେଳେ ମଣ୍ଡି ବ୍ୟବସ୍ଥା ଆରମ୍ଭ ହୋଇପାରିନଥିବାରୁ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ୪୦ ଲକ୍ଷ କ୍ୱିଂଟାଲ ଧାନ ଅମଳ ହେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୩୦ଲକ୍ଷ କ୍ୱିଂଟାଲ ଧାନ କିଣିବାକୁ ଟାର୍ଗେଟ ଆସିଥିବା କୁହାଯାଉଛି । ଜିଲ୍ଲା ସାରା ଛୋଟଚାଷୀମାନେ ୨ରୁ ୩ଲକ୍ଷ କ୍ୱିଂଟାଲ ଧାନ ଅମଳ କରିସାରିଥିବା ବେଳେ ସବୁବର୍ଷ ଭଲି ଏହିବର୍ଷ ମଧ୍ୟ ଅଭାବୀ ବିକ୍ରୀର ଶୀକାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଅଦ୍ୟାବଧି ମଣ୍ଡି ଆରମ୍ଭ କରାଯ୍ଧବନଥିବା ବେଳେ କେତେକ ସ୍ଥାନରେ ଚାଷୀ ଟୋକନ ପାଇଥିବା କୁହାଯାଉଛି ହେଲେ ଧାନ କିଣୁଥିବା ସମବାୟ ସଂସ୍ଥା ଭିତିଭୂଲି ଯୋଗାଉଥିବା ଆରଏମସି ସଂସ୍ଥା ଚାଷୀଙ୍କୁ ଧରାଛୁଆଁ ଦେଉନଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । ଧାନ ସଂଗ୍ରହ ବୈଠକରେ ନାମକୁ ମାତ୍ର ଚାଷୀଙ୍କୁ ଡକାଯାଇ ଯେଉଁ ସବୁ ପ୍ରତିଶୃତି ଦିଆଯାଉଛି ସେସବୁ କେବଳ କାଗଜପତ୍ରରେ ରହିଯାଉଥିବା ବେଳେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା ହେଉଥିବା ଚାଷୀ ମହଲରେ ଅଭିଯୋଗ ହେବାରେ ଲାଗିଛି । ମିଲର୍ସ ସରକାରଙ୍କ ଯୋଗାଣ ବିଭାଗ ସହ ଚୁକ୍ତିକୁ ନେଇ ଟଣା ଓଟଋା ଚାଲିଥିବା ବେଳେ ବିଚରା ନୀରିହ ଛୋଟ ଚାଷୀ ଧାନ ଅମଳ ସାରି ହରଡଘଣାରେ ପଡିରହୁଛି । ଚାଷୀଙ୍କୁ ଖାଲି ବସ୍ତା ଯୋଗାଇବା ଓ ପରିବହନ ଖର୍ଚ୍ଚକୁ ନେଇ ମିଲର୍ସ ଯୋଗାଣ ବିଭାଗ ସହ ଚୁକ୍ତି କରୁନଥିବା କୁହାଯାଉଛି ।

ଅନ୍ୟ ପକ୍ଷରେ ପ୍ରାୟ ଅଧିକାଂଶ ସ୍ଥାନରେ ବସ୍ତା ପାଇଁ ଚାଷୀ ହଇରାଣ ହରକତ ହେଉଥିବା ବେଳେ ପରିବହନ ଖର୍ଚ୍ଚ କମାଇବା ଆଳରେ ମିଲର୍ସଙ୍କ ମନମୁତାବକ ସୁବିଧାଜନକ ମଣ୍ଡି ଏପରିକି ଚାଷୀଙ୍କ ତୀବ୍ର ବାରଣ ସତ୍ୱେ ନିଜ ଅଂଚଳର ମଣ୍ଡି ରେ ହିଁ ଟେଗିଂ କରିଦିଆଯାଉ ଥିବାର ଦେଖାଯାଇଛି । ନିଜ ଅଂଚଳର ମଣ୍ଡିରେ ଟେଗିଂ ହେବା ପରେ ମିଲର୍ସ ଚାଷୀପଂଜୀକରନ ଠାରୁ ଆରମ୍ଭ କରି ଧାନ ଉଠାଣରେ ନାନା ଫନ୍ଦିଫିକର କାରସାଦି କରୁଥିବା ବେଳେ ଅଯଥାରେ ଚାଷୀ ହିଁ କ୍ଷତି ସହୁଥିବା ଚାଷୀ ମହଲରେ ଅଭିଯୋଗ ହେଥିଲେହେଁ ଯୋଗାଣ ବିଭାଗ ମିଲର୍ସଙ୍କୁ ସୁହାଇବା ବ୍ୟବସ୍ଥା କରୁଥିବା ଚାଷୀ ମହଲରେଏ ଅଭିଯୋଗ ହେଉଛି । କଳାହାଣ୍ଡିରେ ଆଗତୁରା ଛୋଟଧାନ ଅମଳ ହେଉଥିବା ଘଟଣାକୁ ଦୃଷ୍ଟିରେ ରଖି ସରକାର ନଭେମ୍ବର ପହିଲା ଠାରୁ କଳାହାଣ୍ଡିରେ ମଣ୍ଡି ବ୍ୟବସ୍ଥା ଆରମ୍ଭ କରିବାକୁ ଘୋଷଣା କରିଥିବା ବେଳେ ଅଦ୍ୟାବଧି ମଣ୍ଡି ଖୋଲାଯାଇ ପାରିନାହିଁ । ଯୋଗାଣ ବିଭାଗ ସବୁବେଳେ ମିଲର୍ସଙ୍କ କାରସାଦି ଆଗରେ ଆଣ୍ଠେଇବାକୁ ବାଧ୍ୟ ହେଉଛି ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ଇତିମଧ୍ୟରେ ରାଜ୍ୟ ଯୋଗାଣ ନିଗମ ପତ୍ରାଙ୍କ ୧୭୬୦୩/ ତା.୦୯.୧୧.୨୦୧୮ ମାଧ୍ୟମରେ କଳାହାଣ୍ଡି ର ପାକ୍ସ ଓ ଆରଏମସି ଗୋଦାମ ଗୃହ ସବୁ ଭଡାରେ ନେଇ ଚାଷୀଙ୍କ ଧାନ କିଣିବାକୁ କଳାହାଣ୍ଡି ସିଏସଓଙ୍କୁ ନିର୍ଦଶ ଦେଇଥିବା ଜଣାପଡିଛି ।  ଧର୍ମଗଡ ଉପଖଣ୍ଡରେ ଥିବା ଦୁଇଟି ଆରଏମସିରେ ଯଥେଷ୍ଟ ଗୋଦାମ ଗୃହ ତଥା ପ୍ରାୟ ସମସ୍ତ ପାକ୍ସରେ ମଧ୍ୟ ଗୋଦାମ ଗୃହ ଥିଲେ ସୁଦ୍ଧା ଯୋଗାଣ ନିଗମ ତଥା ପାକ୍ସ କର୍ତୃପକ୍ଷ ଚାଷୀଙ୍କ ଧାନ କିଣିବା ବ୍ୟବସ୍ଥା ଆରମ୍ଭ କରିପାରିନାହାନ୍ତି ।

ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ମିଲର୍ସଙ୍କ ଅପେକ୍ଷାରେ ପାକ୍ସ ରହିଥିବା କୁହାଯାଉଛି । ଅନ୍ୟପକ୍ଷରେ ଯୋଗ୍ୟ ବିବେଚିତ ହୋଇଥିବା ଜିଲ୍ଲାର ୭୪ ଗୋଟି ମିଲର୍ସ ସାମିହିକ ଭାବେ ଧାନ ସଂଗ୍ରହ ପ୍ରକ୍ରୀୟାରେ ସାମିଲ ହେବାକୁ ଲିଖିତ ଭାବେ ଜଣାଇଥିଲେହେଁ ମିଲିଂ ବାବଦ ଖର୍ଚ୍ଚ ଓ ରକ୍ଷଣା ବେକ୍ଷଣ ଖର୍ଚ୍ଚ କେତେ ଦିଆଯିବ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବୀ କରୁଥିବା ଜଣାପଡିଛି । ଇତି ମଧ୍ୟରେ ଯୋଗାଣ ବିଭାଗ ପଦାଧିକାରୀ ମାନଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲେହେଁ ସେଥିରୁ କୌଣସି ନିଷ୍ପତି ହୋଇପାରିନଥିବା ଜଣାପଡିଛି । ହେଲେ ସରକାର ମାତ୍ର ୭୪ ଜଣ ମିଲର୍ସଙ୍କ ସ୍ୱାର୍ଥ ପାଇଁ ଯୋଗାଣ ବିଭାଗ ଆଣ୍ଠେଇ ପଡି ଚାଷୀଙ୍କ କୌଣସି ପ୍ରକାର ଦାବୀ କୁ ଗୁରୁର୍ୱ ନଦେଇ ଷାଠିଏ ହଜାର ଚାଷୀଙ୍କ ବର୍ଷକର ପେଟପାଟଣା ସହ ଖେଳ ଖେଳୂଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । ଶହେରୁ କମ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦାବୀକୁ ଯୋଗାଣ ବିଭାଗ ସହଜରେ ମାନି ନେଉଥିବା ବେଳେ ମଣ୍ଡି ମାନଙ୍କରେ ସ୍ଥାନୀୟ ମିଲର୍ସକୁ ଟେଗିଂ କରାନଯାଇ ବାହାର ଯେକୌଣସି ମିଲସଙ୍କୁ ଟେଗିଂ କରିବାକୁ ବିଭିନ୍ନ ମଣ୍ଡିର ହଜାର ହଜାର ଚାଷୀ ଦାବୀ କରୁଥିବା ବେଳେ ସେସବୁ ଦାବୀକୁ ଅଗ୍ରାହ୍ୟ କରିଦେଉଥିବା ହେତୁ ଯୋଗାଣ ବିଭାଗ ଓ ପ୍ରଶାସନ ଚାଷୀଙ୍କୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ସହଜରେ ଅନୁମେୟ । ଏଭଲି ଘଟଣା ସବୁରୁ ସରକାର କିମ୍ବା ଯୋଗାଣ ବିଭାଗ ଚାଷୀଙ୍କ ପ୍ରତି କୌଣସି ଦରଦ ନଥିବା ଚାଷୀ ମହଲ ଠଉରାଇ ସାରିଲେଣି । ବାରମ୍ବାର ଅଭିଯୋଗ କରି ନିଷ୍ଫଳ ହେବା ପରେ ଚାଷୀ ଆଉ କାହାକୁ କିଛି କହୁନଥିବା ଏବଂ ଯେଣତେଣ ପ୍ରକାରେ ନିଜ ଧାନ ବିକି ଦେଉଥିବା ସଂଗେ ସଂଗେ ଏହାର କଡା ଜବାବ ଆଗାମୀ ସାଧାରଣ ନିର୍ବାଚନରେ ଚାଷୀ ମାନେ ଦେବେ ବୋଲି ଚାଷୀ ମହଲରେ ଆଲୋଚନା ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.