Home ଓଡ଼ିଶା ଓଡିଶାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ସି.ପି.ଆଇ.(ଏମ୍‌)ର ବିରୋଧ

ଓଡିଶାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ସି.ପି.ଆଇ.(ଏମ୍‌)ର ବିରୋଧ

38

ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) ଓଡିଶାରେ ସ୍ୱଳ୍ପ ମଜୁରୀ, ଦରଦାମ ବୃଦ୍ଧି, ବେକାରୀ ଏବଂ ଚାଷୀମାନେଙ୍କ ଅଭାବୀ ଧାନ ବିକ୍ରୀ ଆଦି ସମସ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ସମୟରେ ଆର୍ଥିକ ସଙ୍କଟରୁ ରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ପରିବର୍ତ୍ତେ ବିଧାନ ସଭାରେ ବିଧାୟକମାନଙ୍କ ଦରମା, ଭତ୍ତା ବୃଦ୍ଧି ପାଇଁ ପ୍ରସ୍ତାବ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସି.ପି.ଆଇ.(ଏମ୍‌) ପକ୍ଷରୁ ଏକ ବିବତ୍ତିରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି ଯେବର୍ତ୍ତମାନ ବିଧାୟକମାନେ ଦରମା ଆକାରରେ ମାସିକ ୩୫ ହଜାର ଭତ୍ତା ବାବାଦକୁ ମାସିକ ୬୫ ହଜାର ଏପରି ମୋଟ ୧ ଲକ୍ଷ ଟଙ୍କା ପାଉଛନ୍ତି। ଏହା ବାଦେ ବିଧାନସଭା ଅଧିବେଶନରେ ଯୋଗଦେବା ବେଳେ ଦୈନିକ ୧୫୦୦ ଟଙ୍କା ଭତ୍ତା ପାଉଛନ୍ତି। ପେନସନ ପରିମାଣ ହେଉଛି ଆଜୀବନ ସର୍ବନିମ୍ନ ୩୦, ୦୦୦ ଟଙ୍କା। ଏତିକି ବେଳେ ରାଜ୍ୟ ସରକାର ରାଜ୍ୟରେ ସର୍ବନିମ୍ନ ଦୈନିକ ମଜୁରୀ ଅଣକୁଶଳୀ ଶ୍ରମିକମାନଙ୍କ ନିମନ୍ତେ ଭାରିଏକଲ ମହଙ୍ଗାଭତ୍ତା ସହିତ ମାତ୍ର ୩୨୬ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ମାସିକ ବିଧବା, ବାର୍ଦ୍ଧକ୍ୟ ଭତ୍ତା ଆଦି ମାତ୍ର ୩୦୦ଟଙ୍କା ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ୱ ହେଲେ ୫୦୦ଟଙ୍କା, ମାତ୍ର ୫ ବର୍ଷ ବିଧାୟକ ପଦରେ ରହି ଜୀବନ ତମାମ କେଉଁ ଆଧାରରେ ମାସିକ ୩୦ ହଜାର ଟଙ୍କା ପେନସନ ?ବିଧାୟକ, ସାଂସଦରୁ ପଞ୍ଚାୟତ ପୌରସଭା ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ହେବା ପେଷା କିମ୍ବା ଚାକିରୀ ନହେଁ। ସ୍ୱେଚ୍ଛାକୃତ ଭାବେ ଜନସେବା ଏବଂ ଜନସ୍ୱାର୍ଥର ପ୍ରହରୀ ଭାବେ ଉତ୍ସର୍ଗୀକୃତ ହେବା ଉଦ୍ଦେଶ୍ୟରେ ରାଜନୈତିକ ବା ସାମାଜିକ କର୍ମି ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥାଆନ୍ତି ଏବଂ ତ୍ୟାଗର ପ୍ରତୀକ ଭାବେ ନିଜକୁ ଉପସ୍ଥାପିତ କରିଥାଆନ୍ତି। କିନ୍ତୁ ନିର୍ବାଚିତ ହେବା ପରେ ଦରମା, ଭତ୍ତା ଓ ପେନସନ ବୃଦ୍ଧି ପାଇଁ ପ୍ରସ୍ତାବ ରାଜବାସୀ ଓ ରାଜ୍ୟ ରାଜକୋଷ ଉପରେ ବୋଝ ସଦୃଶ୍ୟ।ଓଡିଶା ରାଜ୍ୟ ସରକାର କେବଳ ବିଧାୟକ ନୁହଁନ୍ତି, ରାଜ୍ୟର ଉଚ୍ଚପଦସ୍ଥ ଅଫିସରମାନଙ୍କ ଦରମା ଭତ୍ତା ବୃଦ୍ଧି କରି ଏକ ଉଚ୍ଚ ଆୟକାରୀ ଗୋଷ୍ଠି ସୃଷ୍ଟି କରୁଛନ୍ତି। ତଳିଆ ଓ ମଧ୍ୟମ ବର୍ଗର ସବୁ କର୍ମଚାରୀମାନଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ସ୍ୱଳ୍ପ ବେତନରେ ଠିକା ନିଯୁକ୍ତି ଏବଂ ୨ ଲକ୍ଷ ୨୬ ହଜାର ସରକାରୀ ପଦବୀ ବିଭିନ୍ନ ବିଭାଗରେ ଖାଲିଥିବା ବେଳେ ତାହା ପୁରଣ ନକରି ସରକାରୀ ଓ ସରକାର ପରିଚାଳିତ ଉଦ୍ୟୋଗ ଗୁଡିକରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଆଉଟ୍‌ସୋର୍ସ କର୍ମଚାରୀ / ଶ୍ରମିକଙ୍କୁ ସ୍ୱଳ୍ପ ମଜୁରୀ ଓ ବେତନରେ ନିଯୁକ୍ତ କରିଛନ୍ତି। ରାଜ୍ୟରେ ଅର୍ଥଭାବ ଦର୍ଶାଇ ନିଯୁକ୍ତି ହେଉନାହିଁ। ତେବେ କେଉଁ ନ୍ୟାୟରେ ବିଧାୟକମାନଙ୍କ ଦରମା ଭତ୍ତା ବୃଦ୍ଧି କରାଯିବ।ଏତଦ୍ ବ୍ୟତୀତ ସର୍ବନିମ୍ନ ମଜୁରୀଠାରୁ କର୍ମଚାରୀ ଓ ଅଫିସରମାନଙ୍କ ଦରମା, ଭାତ୍ତା ବୃଦ୍ଧି କମିଶନଙ୍କ ଦ୍ୱାରା ବିଚାର ହୋଇ ସ୍ଥିର ହୋଇଥାଏ। କିନ୍ତୁ ବିଧାୟକ ଓ ସାଂସଦମାନଙ୍କ ଦରମା ଭତ୍ତା ପେନ୍‌ସନ୍ ବୃଦ୍ଧି ପାଇଁ ନିଜେ ନିଷ୍ପତ୍ତି କରିଥାଆନ୍ତି। ରାଜନୈତିକ ସ୍ତରରେ ପରସ୍ପର ବିରୋଧିତା ଥିବା ବେଳେ ଶାସକ ଓ ବିରୋଧି ଦଳର ପ୍ରତିନିଧିମାନେ ମିଳିତ ଭାବେ ଏକ ସ୍ୱରରେ ନିଜ ଆର୍ଥିକ ଲାଭ ପାଇଁ ଏକତ୍ର ପ୍ରସ୍ତାବ କରିବା କାହା ସ୍ୱାର୍ଥରେ ? ରାଜ୍ୟରେ ସାମାଜିକ କଲ୍ୟାଣ ପେନସନ ବୃଦ୍ଧି ରାଶି ବୃଦ୍ଧି, ଆଉଟସୋର୍ସ ଓ ଠିକା ନିଯୁକ୍ତି ପ୍ରଥାର ବିଲୋପ, ରାଜ୍ୟରେ ସର୍ବନିମ୍ନ ମଜୁରୀ ଦୈନିକ ସର୍ବନିମ୍ନ ୬୦୦ଟଙ୍କା ବୃଦ୍ଧି ଆଦି ଦାବି କରି ପ୍ରତିଦିନ ହଜାର ହଜାର ଉପେକ୍ଷିତ ଶ୍ରମିକ, କର୍ମଚାରୀ, ବେକାର ଯୂବକ ଯୁବତୀ ରାଜରାସ୍ତାକୁ ଓହ୍ଳାଉଥିବା ବେଳେ ସବୁ ଦଳର ବିଧାୟକ ଏକତ୍ରୀତ ହୋଇ ସେମାନଙ୍କ ଦାବି ପୂରଣ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ କି?ରାଜ୍ୟବାସୀଙ୍କ ଦୁରାବସ୍ଥା ବେଳେ ବିଧାୟକମାନଙ୍କର ଦରମା, ଭତ୍ତା, ପେନସନ ରାଶି ବୃଦ୍ଧି ଆଦୌ ଗ୍ରହଣୀୟ ନୁହେଁ ରାଜ୍ୟବାସୀ ସର୍ବତ୍ର ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସି.ପି.ଆଇ.(ଏମ୍‌) ପକ୍ଷରୁ ଆହ୍ୱାନ କରୁଛୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.