Home ଓଡ଼ିଶା ଓଡିଆରେ ଇଂଜିନିୟରିଂ ପୁସ୍ତକ ପ୍ରସ୍ତୁତିର ସମୀକ୍ଷା : ଶୀଘ୍ର ପାଠ୍ୟପୁସ୍ତକ ପ୍ରସ୍ତୁତିପାଇଁ ଭାରତୀୟ ବୈଷୟିକ ଶିକ୍ଷା...

ଓଡିଆରେ ଇଂଜିନିୟରିଂ ପୁସ୍ତକ ପ୍ରସ୍ତୁତିର ସମୀକ୍ଷା : ଶୀଘ୍ର ପାଠ୍ୟପୁସ୍ତକ ପ୍ରସ୍ତୁତିପାଇଁ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କ ଗୁରୁତ୍ୱ

13

ଭୁବନେଶ୍ୱର, ୨୫।୯ (ଓଡ଼ିଆ ପୁଅ) ଆସନ୍ତା ଶିକ୍ଷାବର୍ଷରେ ଓଡିଆରେ ଇଂଜିନିୟରିଂ ଶିକ୍ଷାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଓଡିଆରେ ପୁସ୍ତକ ଅନୁବାଦ ପଦ୍ଧତି କାର୍ଯ୍ୟର ସମୀକ୍ଷା କରାଯାଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେଙ୍କଦ୍ୱାରା ଆୟୋଜିତ ଏହି ବୈଠକରେ ପରିଷଦର ମୁଖ୍ୟ ସଂଯୋଜକ ତଥା କମ୍ପୁଟର ବିଜ୍ଞାନୀ ଚନ୍ଦ୍ରଶେଖର ବୁଦ୍ଧ କିପରି ଅତି ସହଜରେ କମ୍ପ୍ୟୁଟର ଅନୁବାଦ ପ୍ରୋଗ୍ରାମ ମାଧ୍ୟମରେ ଇଂରାଜୀରୁ ଯେକୌଣସି ଭାରତୀୟ ଭାଷାରେ ଇଂଜିନିୟରିଂ ପାଠର ସରଳ ଅନୁବାଦ ହୋଇପାରୁଛି, ତାହା ଉପସାପନ କରିଥିଲେ। ଓଡିଆରେ ଏହାର ଅନୁବାଦ ପ୍ରଦର୍ଶନ ବେଳେ କମ୍ପ୍ୟୁଟର ଅନୁବାଦ ସମ୍ପର୍କୀତ ଏପର୍ଯ୍ୟନ୍ତ ଯେତେସବୁ ଅନୁବାଦ ସଫ୍ଟୱେୟାର ଅଛି, ଏହା ସବୁଠାରୁ ଉତ୍କୃଷ୍ଟ ବୋଲି ଉପସ୍ଥିତ ଥିବା ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଓଡିଆଭାଷା ଉପରେ କାମ କରୁଥିବା କମ୍ପ୍ୟୁଟର ବିଜ୍ଞାନୀଗଣ ମତ ଦେଇଥିଲେ। ତେବେ ଅନୁବାଦ ସମୟରେ ବ୍ୟାକରଣଗତ ସମସ୍ୟା ନ ଥିବାବେଳେ ଓଡିଆ ଶବ୍ଦଗୁଚ୍ଛ ଅଧିକ ଦିଆଯାଇ ନ ଥିବାରୁ ଅନେକ ଇଂରଜୀ ଶବ୍ଦର ପ୍ରଚଳିତ ପ୍ରକୃତ ଓଡିଆ ଶବ୍ଦ ବଦଳରେ ବିକୃତ ରୂପାନ୍ତରଣ ଘଟୁଥିବାର ଦେଖିବାକୁ ମିଳିଥିଲା। ତେଣୁ ଏହାର ଭାଷା ସମୀକ୍ଷା କରିବାର ଆବଶ୍ୟକତା ଉପରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଗୁରୁତ୍ୱ ଆରୋପ କରାଯାଇଥିଲା। ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଏମ.ପି. ପୁନିଆ ଅନୁବାଦ କାର୍ଯ୍ୟକ୍ରମ ସହିତ ଓଡିଆ ପରିଭାଷା ପ୍ରସ୍ତୁତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଭାଷାର ଅନେକ ପରିଭାଷା ପ୍ରସ୍ତୁତ ହେଉଥିବାରୁ ଓଡିଆରେ ଏହା ତୁରନ୍ତ ପ୍ରସ୍ତୁତ କରାଯାଉ ବୋଲି କହିଥିଲେ। ଜଣେ ଛାତ୍ର ଏକ ନିର୍ଦ୍ଦିଷ୍ଟ ଭାଷା ପୃଷ୍ଠଭୂମିରୁ ଆସି ଉଚ୍ଚଶିକ୍ଷାପାଇଁ ବୈଷୟିକ ଶିକ୍ଷା ଗ୍ରହଣ କଲାବେଳେ ଇଂରାଜୀରେ ବୁଝିବା ଅସୁବିଧା ହେଉଥିବାରୁ ବୈଷୟିକ ଶିକ୍ଷା ପରିଷଦ ମାତୃଭାଷାରେ ଶିକ୍ଷାଦାନ ସାମଗ୍ରୀ ଯୋଗାଇବାପାଇଁ ନିର୍ଦ୍ଦଷ୍ଟ ଯୋଜନା ପ୍ରସ୍ତୁତ କରିଛି, ଯେଉଁଥିରେ ସମସ୍ତ ବୈଷୟିକ ଶବ୍ଦଗୁଡ଼ିକ ଇଂରାଜୀରେ ଏକ ଅନୁବାଦିତ ରୂପରେ ରହିବ। ବିଦ୍ୟାର୍ଥୀର ବୁଝିବା ସହଜ ହେବାପରେ ଏହାର ଉପସ୍ଥାପନାପାଇଁ ଇଂରାଜୀ ଭାଷା ଶିକ୍ଷା ବାଧ୍ୟତାମୂଳକ ରହିବ। ବିଦ୍ୟାର୍ଥୀଙ୍କପାଇଁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସହିତ ମିଳିତ ଭାବରେ ବୈଷୟିକ ଶିକ୍ଷା ପରିଷଦ ଓଡିଆରେ ବୈଷୟିକ ଶବ୍ଦକୋଷ ଓ ପୁସ୍ତକ ପ୍ରସ୍ତୁତ କରିବେ ବୋଲି ପରିଷଦର ନିର୍ଦ୍ଦେଶକ କର୍ଣ୍ଣେଲ ଭେଙ୍କଟ ସୂଚାଇଥିଲେ।

ଏହି ବୈଠକରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବସର ବେଉରିଆ, ପ୍ରଫେସର ଓଁକାରନାଥ ମହାନ୍ତି, ଡକ୍ଟର ସୁବ୍ରତ ପୃଷ୍ଟି, ଡକ୍ଟର ସିପ୍ରା ମଲ୍ଲିକ, ପ୍ରଫେସର ନଟବର ଶତପଥୀ, ବିଜୁ ପଟ୍ଟନାୟକ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ କୁଳପତି, ସୋଆ ବିଶ୍ୱଦ୍ୟାଳୟର କମ୍ପୁଟର ବିଭାଗର ମୁଖ୍ୟ ପ୍ରଫେସର ଅଜିତ ନାୟକ, ଓପେକାର ସଚିବ ଶ୍ରୀ ବିନୋଦ ଦାଶ, ପ୍ରଫେସର ଅଶୋକ ପଣ୍ଡା, ପ୍ରଫେସର କେ ଆର ଶ୍ରୀ ବତ୍ସନ, ଡକ୍ଟର କେ ସର୍ବେଶ୍ୱର ରାଓ, ଇଂ. ବିବେକ ପାଣି ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.