Home ଜିଲ୍ଲା ପରିକ୍ରମା ହ୍ରାସ ପାଉଛ ଜଳସ୍ତର : ୩୦୨ ପ୍ରକଳ୍ପର ଭବିଷ୍ୟତ ନେଇ ସନ୍ଦେହ

ହ୍ରାସ ପାଉଛ ଜଳସ୍ତର : ୩୦୨ ପ୍ରକଳ୍ପର ଭବିଷ୍ୟତ ନେଇ ସନ୍ଦେହ

100

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଟି ତଳେ ରହିଛି ଏ ସୃଷ୍ଟିର ଅମୃତ । ଯାହାକୁ ଜୀବନ ବୋଲି କୁହାଯାଉଛି । ହେଲେ ଏହି ଅମୃତକୁ ଏମିତି ଅପଚୟ କରାଯାଉଛି ଯେ, ତାହା ଧୀରେ ଧୀରେ ଦୁର୍ମୁଲ୍ୟ ହେବାରେ ଲାଗିଛି । ଏହି ଅମୃତ ବା ପାଣି ସୃଷ୍ଟିର ଜୀବନ । ଏହି ସୃଷ୍ଟିର ଜୀବନ ସଂରକ୍ଷଣ ଅତି ଜରୁରୀ ହୋଇପଡିଛି । ପ୍ରତି ଗ୍ରାମରେ ନିରାପଦା ପାନୀୟ ଜଳ ଯୋଗାଣ କରିବାର ଲକ୍ଷ୍ୟ ନେଇ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଅନୁଦାନରେ ନିର୍ମାଣ ଚାଲିଛି ଜଳଯୋଗାଣ ପ୍ରକଳ୍ପ । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ପ୍ରକଳ୍ପଗୁଡିକର ରକ୍ଷଣା ବେକ୍ଷଣକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେବାକୁ ଆରମ୍ଭ ହେବାକୁ ଲାଗିଛି । ଭଦ୍ରକ ଜିଲାର ବିଭିନ୍ନ ବ୍ଲକ୍‌ରେ ଅଦ୍ୟାବଧି ୩୦୨ ଟି ସ୍ଥାନରେ ମାଟି ତଳୁ ବୋରିଙ୍ଗ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । ଭଦ୍ରକ ବ୍ଲକ୍‌ରେ ୫୧ ଟି, ଭଣ୍ଡାରିପୋଖରୀ ବ୍ଲକ୍‌ରେ ୨୮ଟି, ବନ୍ତ ବ୍ଲକ୍‌ରେ ୨୪ଟି, ଧାମନଗର ବ୍ଲକ୍‌ରେ ୫୦ଟି, ଚାନ୍ଦବାଲି ବ୍ଲକ୍‌ରେ ୫୨ ଟି, ବାସୁଦେବପୁର ବ୍ଲକ୍‌ରେ ୫୫ଟି ଓ ତିହିଡି ବ୍ଲକ୍‌ରେ ୪୪ଟି ପାଇପ୍ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବା କାଗଜପତ୍ରରେ ରହିଛି । ଏହା ବାଦ୍ ନୂଆ କରି ଭଦ୍ରକରେ ୭ଟି, ଭଣ୍ଡାରିପୋଖରୀରେ ୧୪ଟି, ବନ୍ତରେ ୯ଟି, ଧାମନଗରରେ ୮ଟି, ଚାନ୍ଦବାଲିରେ ୯ଟି, ବାସୁଦେବପୁରରେ ୧୬ଟି ଓ ତିହିଡି ବ୍ଲକ୍‌ରେ ୧୦ଟି ପ୍ରକଳ୍ପ ନୂଆକରି ନିର୍ମାଣ ଚାଲୁଛି । ବାସ୍ତବରେ ଆଗରୁ ଚାଲୁଥିବା ୩୦୨ ଟି ପାନୀୟ ଜଳ ପ୍ରକଳ୍ପରୁ ସାରା ଜିଲାରେ ୨୮ଟି ପ୍ରକଳ୍ପ ଅଚଳ ଅବସ୍ଥାରେ ଥିଲେ ମଧ୍ୟ କର୍ତ୍ତୃପକ୍ଷ ତାହାକୁ ଖାତିର କରୁନାହାଁନ୍ତି । କାଗଜପତ୍ରରେ ଏହିସବୁ ପ୍ରକଳ୍ପ ଠିକ୍ ଠାକ୍ ଅଛି ବୋଲି ପ୍ରସ୍ତୁତ ହେଉଛି । କୋଟି କୋଟି ଟଙ୍କାର ଏହି ଭୂତଳ ଜଳ ପ୍ରକଳ୍ପ ଲୋକଙ୍କ ପାଇଁ ଅର୍ଥ ବ୍ୟୟ କରି କରାଯାଉଥିଲେ ମଧ୍ୟ ଠିକାଦାରଙ୍କ ଘୋଟାଲା ଯୋଗୁଁ ଏହା ଅଚଳ ହୋଇଯାଉଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ପଂଚାୟତକୁ ହସ୍ତାନ୍ତର କରାଯାଇଛି । ଏଥିପାଇଁ ତ୍ରୟୋଦଶ ଅର୍ଥ କମିଶନର ଅର୍ଥ ବରାଦ କରାଯାଇଛି । କିନ୍ତୁ ଲକ୍ଷ୍ୟ ରହିଛି ଜନସାଧାରଣ ଘରକୁ ପାଣି ସଂଯୋଗ ନେଇ ପଂଚାୟତରେ ଯେଉଁ ଅର୍ଥ ଜମା କରିବେ, ସେଥିରୁ ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ଭବିଷ୍ୟତରେ କରାଯିବ । ବହୁ ଗଭୀରରୁ ଭୂତଳ ଜଳ ପମ୍ପ ସାହାଯ୍ୟରେ କଢାଯାଇ ପାଇପ୍ ସାହାଯ୍ୟରେ ଜଳ ଯୋଗାଇ ଦିଆଯାଉଥିବା ଦୃଷ୍ଟିରୁ ଅଗଭୀର ନଳକୂପ ତୁଳନାରେ ଏହା ଅଧିକ ନିରାପଦ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହୁଥିବାବେଳେ ସାଧାରଣ ଲୋକେ ଏଥିରେ ବିଶେଷ ପ୍ରଭାବିତ ହେଉନଥିବା ଦେଖାଯାଇଛି ।

 

ପୁରା ଚାନ୍ଦବାଲି ବ୍ଲକ୍ ଓ ବାସୁଦେବପୁର, ତିହିଡି, ଧାମନଗର ବ୍ଲକ୍‌ର ଆଂଶିକ ଅଂଚଳକୁ ବାଦ୍ ଦେଲେ ଅନ୍ୟ ସ୍ଥାନମାନଙ୍କରେ ୬୦/୭୦ ଫୁଟ୍ ଗଭୀରତାରେ ପାନୀୟ ଜଳ ମିଳିଥାଏ । ଏହି ସବୁ ଅଂଚଳରେ ପ୍ରଥମେ ୫୦୦ ଟଙ୍କା ଓ ମାସିକ ୩୦ ଟଙ୍କା ଅର୍ଥ ପୈଠ କରି କେହି ଘରକୁ ପାନୀୟ ଜଳ ସଂଯୋଗ ନେବାକୁ ରାଜି ନୁହଁନ୍ତି । ତିହିଡି ବ୍ଲକ୍‌ର ସଦର ଭାଟପଡା ପଂଚାୟତରେ ଗତ ତିନିବର୍ଷ ଭିତରେ ମାତ୍ର ଦୁଇଜଣ ନିଜ ଘର ପାଇଁ ପାନୀୟ ଜଳ ସଂଯୋଗ ନେବା ଏହି କଥାର ଯଥାର୍ଥତାକୁ ବୁଝାଏ । ତିହିଡି ବ୍ଲକ୍ ସଦର ଭାଟପଡା ପଂଚାୟତରେ ପିଇବା ପାଣି ଏବେ ସ୍ୱପ୍ନ ହୋଇଛି । ପିଇବା ପାଣି ପ୍ରକଳ୍ପ ତିହିଡି ଗାଁ ଦାଣ୍ଡରେ ଆଉ ନାହିଁ କି ପାଣି ବାହାରୁନି । ଗୋଟିଏ ଗୋଟିଏ ପ୍ରକଳ୍ପ ଆଗରୁ ୫୦ ଲକ୍ଷ ଖର୍ଚ୍ଚ ହେଉଥିଲାବେଳେ ଏବେ ଦେଢକୋଟି ଟଙ୍କା ପର୍ଯ୍ୟନ୍ତ ନିର୍ମାଣ ପାଇଁ ଖର୍ଚ୍ଚ ହେଉଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବାବେଳେ ଏହାର ଭବିଷ୍ୟତରେ ରକ୍ଷଣାବେକ୍ଷଣ କିପରି କରାଯିବ, ସେ ନେଇ ସମସ୍ତେ ଚିନ୍ତିତ । ସରକାର ପ୍ରକଳ୍ପ ଗୁଡିକ ସ୍ଥାପନ କରିବାରେ ଲକ୍ଷ୍ୟ ଧାର୍ଯ୍ୟ କରିଦେଉଥିବାରୁ ଯେଉଁଠାରେ ଆବଶ୍ୟକତା ନାହିଁ, ସେଠାରେ ମଧ୍ୟ ପାଇପ୍ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହାଫଳରେ ପାଇପ୍ ଜଳ କେଉଁଠି ଦିନସାରା ଭାସୁଛି ତ ପୁଣି କେଉଁଠି ଲୋକେ ଏହି ଜଳକୁ ଚାଷ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ବହୁ ସଚେତନ ଲୋକ ମଧ୍ୟ ଏହି ଜଳର ଅପଚୟ କରୁଛନ୍ତି । ଏହାସହିତ ନିମ୍ନମାନର କାର୍ଯ୍ୟ ଯୋଗୁଁ ବହୁ ପ୍ରକଳ୍ପ ଠିକ୍ ଭାବେ କାର୍ଯ୍ୟ କରୁନାହିଁ । ବିଦ୍ୟୁତ୍ ବିଲ ପୈଠ କରାନଯିବା ତଥା ଲୋ-ଭୋଲଟେଜ୍ ବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡିଯିବା କାରଣରୁ ମଧ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ବନ୍ଦ ହୋଇ ପଡିରହୁଛି । ଭୂତଳ ଜଳ ସୀମିତ ହୋଇଥିବା ଦୃଷ୍ଟିରୁ ଏହାର ସଠିକ୍ ବିନିଯୋଗର ବହୁ ଆବଶ୍ୟକତା ରହିଛି । ସଚେତନତା ଅଭାବରୁ ମାଟି ତଳର ଏହି ଅମୃତକୁ ଆମେ ଯେଉଁପରି ନଷ୍ଟ କରିଚାଲିଛୁ, ତାହା ଆମ ପାଇଁ ଖୁବ୍ ଶୀଘ୍ର ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । କିଛିବର୍ଷ ତଳେ ଭଦ୍ରକ ଜିଲାର ୪ଟି ବ୍ଲକ୍‌ରେ ଭୂତଳ ଜଳସ୍ତର ହ୍ରାସ ପାଉଥିବା କାରଣରୁ ଚାଷପାଇଁ ବୋରୱେଲ୍ ଖୋଳିବାର ଯେଉଁ ରିହାତି ପ୍ରଦାନ କରାଯାଉଥିଲା, ତାହା ପ୍ରତ୍ୟାହାର କରି ନିଆଯାଇଥିଲା । ଭୂତଳ ଜଳର ସୁରକ୍ଷା କରାନଗଲେ ବିଭିନ୍ନ କ୍ଷତିକାରକ ଖଣିଜ ପଦାର୍ଥ ଦ୍ୱାରା ଆମର ପାନୀୟ ଜଳ ସଂକ୍ରମିତ ହେବ ଓ ଏହା ଫଳେ କର୍କଟ ପରି ବିଭିନ୍ନ ଭୟଙ୍କର ରୋଗ ସୃଷ୍ଟି ହେବା ନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି । ଏ ସଂପର୍କରେ ଜନ ସଚେତନତା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.