Home ଜିଲ୍ଲା ପରିକ୍ରମା ରାମନବମୀ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ, ଡି.ଜେ., ମଦ, ସାମାଜିକ ଗଣମାଧ୍ୟମର ଦୂରୁପଯୋଗ ନିଷେଧ...

ରାମନବମୀ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ, ଡି.ଜେ., ମଦ, ସାମାଜିକ ଗଣମାଧ୍ୟମର ଦୂରୁପଯୋଗ ନିଷେଧ ଉପରେ ପ୍ରାଧାନ୍ୟ

32

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ରାମନବମୀ ପର୍ବ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲ୍ଲି, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗଦେଇଥିଲେ। ରାମନବମୀ କମିଟିର ସଭାପତି ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ଚନ୍ଦ୍ର ପଢ଼ିହାରୀ ପ୍ରମୁଖ ଆସନ୍ତା ରାମନବମୀ ପାଳନର କାର୍ଯ୍ୟସୂଚୀ ସମ୍ବନ୍ଧରେ ବିସ୍ତୃତ ଭାବେ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରଦତ୍ତ ସୂଚନା କ୍ରମେ ଭଦ୍ରକର ଐତିହାସିକ ଗାନ୍ଧୀପଡ଼ିଆଠାରେ ସବୁ ବର୍ଷ ପରି ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବ ୭ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆୟୋଜିତ ହେବ। ୩୩ ବର୍ଷରେ ପଦାର୍ପଣ କରିଥିବା ଭଦ୍ରକର ଏହି ଗଣମହୋତ୍ସବ ଉପଲକ୍ଷେ ମାର୍ଚ୍ଚ ୧୨ ତାରିଖରେ ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହେବ। ଯାହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଚାନ୍ଦବାଲି ବାଇପାସ୍ ଦେଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୨୨ରେ ରାଷ୍ଟ୍ରୀୟ ନବବର୍ଷ ପାଳନ, ଗୋପୂଜନ ଓ ସାଧୁସନ୍ଥ ପୂଜନ ହେବ। ୨୪ ଓ ୨୫ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ୨୬ରେ ବାଲ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୭ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୮ରେ ଆଜ୍ଞାମାଳ ଯାତ୍ରା ପରେ ମହିଳାମାନଙ୍କ ଦ୍ୱାରା କଳସ ଯାତ୍ରା ଓ ଶ୍ରୀରାମନବମୀ ଯଜ୍ଞ ଆରମ୍ଭ କରାଯିବ।

୨୯ରେ ୧୦୮ ହନୁମାନ ଚାଳିଶା ପାଠ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୩୦ରେ ଯଜ୍ଞ ପୂର୍ଣ୍ଣାହୂତି ଓ ନଗର ସଂକୀର୍ତ୍ତନ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପର୍ବ ଆୟୋଜନ ନେଇ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ସହିତ ଏଥିପାଇଁ ଆବଶ୍ୟକ ଆନୁସଙ୍ଗିକ ବିଭିନ୍ନ କାର୍ଯ୍ୟ ସମ୍ପାଦନ ନେଇ ବିସ୍ତୃତ ଆଲୋଚନା ସହିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୪ଦିନ ଧରି ଜିଲ୍ଲା ତମାମ୍ ମଦ ଦୋକାନ ବନ୍ଦ ପାଇଁ ଜିଲ୍ଲାପାଳ ପ୍ରକାଶ କରିବା ସହିତ ପାନୀୟ ଜଳ ଯୋଗାଣ, କଳସ ଶୋଭାଯାତ୍ରାରେ ରାସ୍ତାରେ ଜଳ ସିଞ୍ଚନ, ମେଢ଼ ପରିକ୍ରମା କରିବାକୁ ଥିବା ରାସ୍ତାରେ ଆଲୋକ ବ୍ୟବସ୍ଥା, ଗଛର ଡାଳକଟା, ରାସ୍ତା ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ଅଗ୍ନିଶମ ସେବା ବ୍ୟବସ୍ଥା ଆଦି ସମ୍ବନ୍ଧରେ ସଦସ୍ୟ ମାନଙ୍କ ମତାମତ କ୍ରମେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ମେଢ଼ ଶୋଭାଯାତ୍ରାରେ ଡି.ଜେ. ବ୍ୟବହାର ସମ୍ପୁର୍ଣ୍ଣ ନିଷେଧ କରାଯିବା ଉପରେ ଏସ୍‌.ପି.ଙ୍କ ଦ୍ୱାରା ପ୍ରଦତ୍ତ ପ୍ରସ୍ତାବ ପ୍ରତି ବୈଠକରେ ସହମତି ପ୍ରକାଶ ପାଇଥିଲା। ସେହିପରି ବିଭିନ୍ନ ସମୟରେ ହଠାତ୍ ବିଶୃଙ୍ଖଳା ସୃଷ୍ଟି କରୁଥିବା ସାମାଜିକ ଗଣମାଧ୍ୟମର ଦୂରୁପଯୋଗ ପ୍ରତି ସତର୍କତା ଓ ସଚେତନତା ସୃଷ୍ଟି ଦିଗରେ ସମସ୍ତ ଦିଗରୁ ପ୍ରଚେଷ୍ଟା ଜାରି ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏପରି ଘଟଣା ଘଟିଲେ ହଠାତ୍ କ୍ରିୟା ପ୍ରତିକ୍ରିୟା ପ୍ରକାଶ ନକରି ପୋଲିସର ସହାୟତା ନେବାକୁ ପରାମର୍ଶ ଦିଆଯାଇଥିଲା। ମୁସଲିମ୍ ଜମାତ୍ ତରଫରୁ ବୈଠକରେ ଯୋଗଦେଇଥିବା ସେକ୍ ଅନୱାର ହୋସେନ୍‌, ଅବଦୁଲ ମୋକିତ୍ ଖାଁ ଜମାତ୍ ତରଫରୁ ଏହି ପର୍ବ ପାଳନ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଶାନ୍ତି କମିଟିର ସଦସ୍ୟ ଭାବେ ସୁଧାକର ରାଉତ, ବିଦ୍ୟାଧର ସାହୁ, ଅତିସ ବେହେରା ପ୍ରମୁଖ ମଧ୍ୟ ଆଲୋଚନାରେ ମତାମତ ରଖିଥିଲେ। ଡି.ଏସ୍‌.ପି., ଡି.ଆଇ.ବି. କମଳଲୋଚନ ଭୂୟାଁ, ସିଟି ଡି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ, ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ନାୟକ, ସ୍ପେଶାଲ ବ୍ରାଞ୍ଚର ତ୍ରିଲୋଚନ ରାଉତ, ରାମନବମୀ କମିଟିର ଜିଲ୍ଲା ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଅନ୍ୟ ସଦସ୍ୟମାନେ ଏଥିରେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.