ad
ଓଡ଼ିଶା

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ଏକାତ୍ମ ମାନବ ଦର୍ଶନ

୨୫ ସେପ୍ଟେମ୍ବର ( ଦୀନଦୟାଲ ଜୟନ୍ତୀ ଉପଲକ୍ଷେ) ବିଶେଷ

ଡଃ ସମନ୍ୱୟ ନନ୍ଦ

ଜନସଂଘର ପୂର୍ବତନ ସଭାପତି ପଣ୍ଡିତ ଦୀନୟାଲଙ୍କ ସ୍ଥାନ ଭାରତୀୟ ଚିନ୍ତନ ପରମ୍ପରାରେ ଖୁବ ଗୁରୁତ୍ୱପୂର୍ଣ ବୋଲି ମନେ କରାଯାଇଥାଏା କାରଣ ସେ ପାଶ୍ଚାତ୍ୟ ଦାର୍ଶନିକ ମାନଙ୍କର ଖଣ୍ଡିତ ଦର୍ଶନ ସ୍ଥାନରେ ଭାରତୀୟ ଜୀବନ ପଦ୍ଧତିରେ ସମାହିତ ଏକାତ୍ମ ମାନବ ଦର୍ଶନକୁ ସେ ଆଧୁନିକ ପରିପ୍ରେକ୍ଷୀରେ ପ୍ରସ୍ତୁତ କରିଥିଲୋ

ଦୀନଦୟାଲଙ୍କର ବିକାଶର ଅବଧାରଣା ପାଶ୍ଚାତ୍ୟ ଦେଶ ମାନଙ୍କର ବିକାଶର ଅବଧାରଣାରୁ ସମ୍ପୂର୍ଣ ବିପରୀତ ଅଟେ। ମାନବ ଜୀବନର ସମସ୍ତ କାର୍ଯ୍ୟକଳାପର ସମସ୍ତ ଉଦ୍ଦେଶ୍ୟ ସୁଖ ପ୍ରାପ୍ତି ବୋଲି ସମସ୍ତେ ମନେ କରନ୍ତି। ପାଶ୍ଚାତ୍ୟ ଦେଶର ଲୋକ ତଥା ଆମ ଦେଶର ନୀତି ନିର୍ଧାରକ ମାନେ ମଧ୍ୟ ଭାବନ୍ତି ଯେ ଅଧିକରୁ ଅଧିକ ବସ୍ତୁର ଉପେଭୋଗ ହେଉଛି ସୁଖ। ଏହା ହିଁ ବିକାଶର ପ୍ରତୀକ। ତେବେ ଦୀନଦୟାଲ ଅଧିକ ଉପଭୋଗକୁ ବିକାଶର ପ୍ରତିଶବ୍ଦ ବୋଲି ମନେ କରୁ ନ ଥିଲେ। ଦୀନଦୟାଲଙ୍କ ଅନୁସାରେ ସୁଖକୁ ମନର ସ୍ଥିତି ହିଁ ସ୍ଥିର କରେ। ମନ ଉପରେ ନିୟନ୍ତ୍ରଣ ହିଁ ବାସ୍ତବିକ ବିକାଶ ଅଟେ। ସେ ସ୍ପଷ୍ଟ ଶବ୍ଦରେ କହୁଥିଲେଯେ ଉପଭୋଗ ଓ ଲାଳସାର ମାର୍ଗ ବ୍ୟକ୍ତିକୁ ରାକ୍ଷସତ୍ୱ ଆଡକୁ ଅଗ୍ରସର କରାଏ ଓ ମନ ଉପରେ ନିୟନ୍ତ୍ରଣ ହିଁ ମନୁଷ୍ୟକୁ ଦେବତ୍ୱ ଆଡକୁ ଅଗ୍ରସର କରେ। ପଣ୍ଡିତ ଦୀନଦୟାଲ ଏହି ଦେବତ୍ୱର ଅନୁସନ୍ଧାନ କରିବାରେ ବ୍ୟସ୍ତ ଥିଲେ। ମହାତ୍ମା ଗାନ୍ଧୀ ମଧ୍ୟ ଏକ ନିର୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଭୋଗ ଲାଳସାର ବିରୋଧୀ ଥିଲେ। ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ କୌଣସି ନୂତନ ମାର୍ଗ ଦେଖାଇ ନାହାନ୍ତି। ସେ ଭାରତ ବର୍ଷର ହଜାର ହଜାର ବର୍ଷର ପରମ୍ପରାକୁ ନୂତନ ପରିପ୍ରେକ୍ଷୀରେ ପ୍ରସ୍ତୁତ କରିଛନ୍ତି।

ମଣିଷର ଯେତିକି ଭୌତିକ ଆବଶ୍ୟକତା ରହିଛି ତାକୁ ପୂରା କରିବାର ମହତ୍ୱକୁ ଭାରତୀୟ ଚିନ୍ତନ ସ୍ୱୀକାର କରେ କିନ୍ତୁ ଏହାକୁ ସର୍ବସ୍ୱ ମନେ କରେ ନାହିଁ। ପାଶ୍ଚାତ୍ୟ ଚିନ୍ତନ କେବଳ ଶରୀରର ଆବଶ୍ୟକତା କଥା ଚିନ୍ତା କରୁଥିବା ବେଳେ ପଣ୍ଡିତ ଦୀନଦୟାଲ ଏକାତ୍ମ ମାନବ ଦର୍ଶନରେ କହନ୍ତି ଯେ ମଣିଷର କେବଳ ଶରୀରର ଆବଶ୍ୟକତା ନାହିଁ। ଶରୀର ବ୍ୟତୀତ ମନ, ବୁଦ୍ଧି ଓ ଆତ୍ମାର ମଧ୍ୟ ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ତଥା ଏମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ପାଇଁ ଭାରତୀୟ ସଂସ୍କୃତିରେ ପୁରୁଷାର୍ଥର ଚତୁଷ୍ଟୟ ଅବଧାରଣା ରହିଛିା ଦୀନଦୟାଲ ଆଜିର ଯୁଗରେ ଏହାକୁ ହିଁ ଭାରତର ବିକାଶର ମୂଳ ଆଧାର ବୋଲି ମନେ କରୁଥିଲେ। ପୁରୁଷାର୍ଥର ଏହି ଚାରୋଟି ଅବଧାରଣା ହେଲା ଧର୍ମ, ଅର୍ଥ, କାମ ଓ ମୋକ୍ଷ। ପୁରୁଷାର୍ଥ ହେଉଛି ଏପରି କର୍ମ ଯାହା ଦ୍ୱାରା ପୁରୁଷତ୍ୱ ସାର୍ଥକ ହୁଏ। ଧର୍ମ, ଅର୍ଥ, କାମ ଓ ମୋକ୍ଷର କାମନା ମନୁଷ୍ୟ ମଧ୍ୟରେ ସ୍ୱାଭବିକ ଭାବେ ରହିଥାଏ ଓ ଏହାକୁ ପାଳନ କଲେ ମନୁଷ୍ୟ ଶାନ୍ତି ପାଇଥାଏ।

ପାଶ୍ଟାତ୍ୟ ଦର୍ଶନରେ ମନୁଷ୍ୟର ଭୌତିକ ଆବଶ୍ୟକତାକୁ ପୂରା କରିବାକୁ ସୁଖ ବୋଲି ମନେ କରାଯାଇଥାଏ।

ଦୀନଦୟାଲ ଉପାଧ୍ୟାୟ ମଧ୍ୟ ଅର୍ଥ ଉପାର୍ଜନ କରି ନିଜର ଭୌତିକ ଆବଶ୍ୟକତା (କାମ) କୁ ପୂରା କରିବା ପାଇଁ ଜୋର ଦେଉଥିଲେ। ତେବେ ଦୀନଦୟାଲଙ୍କର ମତ ଥିଲା ଅର୍ଥ ଓ କାମ ଉପରେ ଧର୍ମର ନିୟନ୍ତ୍ରଣ ରହିବା ଆବଶ୍ୟକ। ଧର୍ମ ନିୟନ୍ତ୍ରଣରେ ହିଁ ମୋକ୍ଷ ପୁରୁଷାର୍ଥକୁ ପ୍ରାପ୍ତ କରାଯାଇ ପାରେ। ଯଦିଓ ଭାରତୀୟ ସଂସ୍କୃତିରେ ମୋକ୍ଷକୁ ସବୁଠାରୁ ବଡ ପୁରୁଷାର୍ଥ ବୋଲି ମନେ କରାଯାଇଛି ତେବେ କେବଳ ମୋକ୍ଷ ପାଇଁ ଚେଷ୍ଟା କରିବା ଦ୍ୱାରା ମନୁଷ୍ୟର କଲ୍ୟାଣ ହୁଏ ନାହିଁ। ଧର୍ମ, ଅର୍ଥ ଓ କାମ ଭଳି ପୁରୁଷାର୍ଥ ଗୁଡିକର ଯିଏ ଅବହେଳନା କରେ ସେ ମୋକ୍ଷର ଅଧିକାରୀ ହୋଇ ପାରେ ନାହିଁ।

ସେହିପରି ଧର୍ମ ହେଉଛି ଏକ ପ୍ରମୁଖ ପୁରୁଷାର୍ଥ ଯାହାର ଭାରତୀୟ ସଂସ୍କୃତିରେ ମାନ୍ୟତା ରହିଛି। କିନ୍ତୁ କେବଳ ଧର୍ମ ପୁରୁଷାର୍ଥକୁ ଶ୍ରେଷ୍ଠ ବୋଲି ସ୍ୱୀକାର କରାଯାଇ ନାହିଁ। ଧର୍ମ ବାକି ତିନୋଟି ପୁରୁଷାର୍ଥ ଅର୍ଥ, କାମ ଓ ମୋକ୍ଷର ପରିପୂରକ। ଯଦି କୌଣସି ବ୍ୟକ୍ତି ବ୍ୟବସାୟ କରେ ବା ଅନ୍ୟ କୌଣସି କାମ କରେ ତେବେ ସେ କେବଳ ଅର୍ଥ ଉପାର୍ଜନ କରିବାକୁ ଏପରି କରିବା ଉଚିତ ନୁହେଁ। ବ୍ୟବସାୟ କରୁଥିବା ଲୋକକୁ ସତ ବ୍ୟବହାର, ସଂଯମ, ତ୍ୟାଗ, ତପସ୍ୟା, ଅକ୍ରୋଧ, କ୍ଷମା, ଧୃତି ଓ ସତ୍ୟ ଆଦି ଧର୍ମର ବିଭିନ୍ନ ଲକ୍ଷଣକୁ ପାଳନ କରିବା ଉଚିତ। ଧର୍ମ ମାଧ୍ୟମରେ ହିଁ ଧନୋପାର୍ଜନ କରିବା ଆବଶ୍ୟକ। ଏଠାରେ ଧର୍ମର ଅର୍ଥ ଇଂରାଜୀର ରିଲିଜନ ଶବ୍ଦର ଅର୍ଥ ନୁହେଁ।

କାମ ପୁରୁଷାର୍ଥ ମଧ୍ୟ ଧର୍ମ ଆଧାରରେ ଚଳେ। ମନୁଷ୍ୟର ଏକଚାଟିଆ ମନୋଭାବକୁ ରୋକିବାରେ ଧର୍ମ ସହାୟକ ହୁଏ। ଅର୍ଥ ଉପରେ ଧର୍ମର ନିୟନ୍ତ୍ରଣକୁ ଭାରତୀୟ ସଂସ୍କୃତି ସ୍ୱୀକାର କରେ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କହୁଥିଲେ ଯେ ଧର୍ମ ଗୁରୁତ୍ୱପୂର୍ଣ କିନ୍ତୁ ଅର୍ଥ ମଧ୍ୟ ଅତ୍ୟନ୍ତ ଜରୁରୀ। ତେବେ ଏହା ଭୁଲିବା ଅନୁଚିତ ଯେ ଅର୍ଥର ଅଭାବରେ ଧର୍ମକୁ ରକ୍ଷା କରିବା ସମ୍ଭବ ନୁହେଁ। କାହା ନିକଟରେ ଅର୍ଥର ଅଭାବ ହେବା ଅନୁଚିତ। କାରଣ ଅର୍ଥ ଧର୍ମକୁ ବଂଚାଇ ରଖିବା ପାଇଁ ଜରୁରୀ। ଅର୍ଥର ଅଭାବ ଯେପରି ହାନିକାରକ ଅର୍ଥର ପ୍ରଭାବ ଅର୍ଥାତ ବହୁଳତା ମଧ୍ୟ ହାନିକାରକ ହୋଇ ପାରେ।

ପାଶ୍ଚାତ୍ୟ ଚିନ୍ତନ ମନୁଷ୍ୟକୁ ଭାଗ ଭାଗ କରି ଦେଖେ। ବ୍ୟକ୍ତିର ଶରୀର ସମ୍ପର୍କିତ ଆବଶ୍ୟକତା ଉପରେ ବିଚାର କରିଥାଏ। କିନ୍ତୁ ଭାରତୀୟ ଚିନ୍ତନରେ ଜୀବନକୁ ସମନ୍ୱିତ ଭାବେ ଚିନ୍ତା କରାଯାଇଥାଏ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ମତରେ ବ୍ୟକ୍ତିର ଶରୀର, ମନ, ବୁଦ୍ଧି ଓ ଆତ୍ମା ର ମଧ୍ୟ ବିକାଶ ପାଇଁ ମଧ୍ୟ ଚିନ୍ତା କରାଯିବା ଆବଶ୍ୟକ। ତେଣୁ ଚାରୋଟି ପୁରୁଷାର୍ଥରସମନ୍ୱିତ ବିକାଶ କଥା ଭାରତୀୟ ସଂସ୍କୃତିରେ କୁହାଯାଇଛି। ଏହା ହିଁ ପୂର୍ଣ ମାନବ ବା ଏକାତ୍ମ ମାନବର ପରିକଳ୍ପନା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top