ad
ଓଡ଼ିଶା

ତିନି ରାଜ୍ୟସଭା ଆସନରୁ ପଶ୍ଚିମ ଓଡ଼ିଶା ଭାଗରେ ଶୂନ

ସମ୍ବଲପୁର, ୨୧/୬ (ଓଡ଼ିଆ ପୁଅ) – ରାଜ୍ୟରୁ ଖାଲି ହେଉଥିବା ତିନୋଟି ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପୂର୍ବ ଥର ଅନଙ୍ଗ ଉଦୟ ସିଂହଦେଓ, ଏ.ଭି.ସ୍ୱାମୀ ଏବଂ ଦିଲ୍ଲୀପ ତିର୍କୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ଏହି ତିନୋଟି ରିକ୍ତ ପଦ ସକାଶେ ନିର୍ବାଚନ ହୋଇଥିଲା। ତିନୋଟି ଯାକ ଆସନ ହାତେଇବାରେ ବିଜୁ ଜନତା ଦଳ ପାଇଁ କୌଣସି ବ୍ୟାଘାତ ହୋଇନଥିଲା। ହେଲେ ଦିଲ୍ଲୀପ, ଅନଂଗ ଉଦୟ ଏବଂ ଶ୍ରୀ ସ୍ୱାମୀ ଙ୍କ ଜାଗାରେ ପଶ୍ଚିମ ଓଡ଼ିଶାରୁ ରାଜ୍ୟସଭାକୁ ଯିବାପାଇଁ ବିଜେଡ଼ିର ବହୁନେତାଙ୍କ ଆକାଂକ୍ଷା ରହିଥିଲା। ତାହା ଆଶାରେ ରହିଯାଇଥିଲା। ତେବେ ଏଥର ମଧ୍ୟ ମାଷ୍ଟର ଷ୍ଟ୍ରୋକ୍ରେ ଅଭ୍ୟସ୍ତ ନବୀନ ପଟ୍ଟନାୟକ ଆକସ୍ମିକ ଭାବରେ ରାଜ୍ୟସଭା ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରି ଅନ୍ୟମାନଙ୍କ ଆଶା ଆକାଂକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଅନ୍ୟ ପକ୍ଷରେ ବିଜେପି ପଶ୍ଚିମ ଓଡ଼ିଶାର ସବୁ ୫ଟି ଯାକ ଲୋକସଭା ଆସନ ହାସଲ କରିଥିଲେ। ହେଲେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ମଂଡ଼ଳରେ ଏମାନଙ୍କ ଭିତରୁ କେହିହେଲେ ଜାଗା ପାଇନାହାଁନ୍ତି। ଏବେ ରାଜ୍ୟସଭା ଉପ ନିର୍ବାଚନରେ ତାହାର ପୁନରାବୃତି ହୋଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

ପଶ୍ଚିମ ଓଡ଼ିଶାରେ ନୈରାଶ୍ୟ

ପୂର୍ବ ଥର ଯେଉଁ ତିନୋଟି ରାଜ୍ୟସଭା ଆସନ ପାଇଁ ଓଡ଼ିଶାରେ ନିର୍ବାଚନ ହୋଇଥିଲା, ସେହି ଆସନ ଗୁଡ଼ିକରେ ଅଧିଷ୍ଠିତ ଥିଲେ ପଶ୍ଚିମ ଓଡ଼ିଶାର ରାଜନେତା। ତେଣୁ ପଶ୍ଚିମ ଓଡ଼ିଶାରେ ଲୋକଙ୍କ ଭାବନା ଥିଲା ଯେ, ଅତିକମ୍ରେ ପଶ୍ଚିମ ଓଡ଼ିଶାରୁ ଦୁଇ ଜଣଙ୍କୁ ରାଜ୍ୟସଭାକୁ ଯିବାପାଇଁ ସୁଯୋଗ ମିଳିବ। ଏବେ ରାଜ୍ୟର ସମୁଦାୟ ୧୦ ଜଣଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶାରୁ କେବଳ ଜଣେ ମାତ୍ର ବିଜୁ ଜନତା ଦଳର ପ୍ରସନ୍ନ କୁମାର ଆଚାର୍ଯ୍ୟ ରାଜ୍ୟସଭାରେ ରହିଲେ। ତେଣୁ ପଶ୍ଚିମ ଓଡ଼ିଶା ପାଇଁ ନୈରାଶ୍ୟଜନକ ସ୍ଥିତି ବୋଲି ଆଲୋଚନା ଆରମ୍ଭ ହେଲାଣି। ଦଳର ବରିଷ୍ଟ ନେତା ଅନଂଗ ଉଦୟ ସିଂହଦେଓ, ଶ୍ରମିକ ନେତା ବିଜୟ ମହାନ୍ତି, ପୂର୍ବତନ ପୂର୍ତ ସଚିବ ଡ଼. ନଳିନୀ କାନ୍ତ ପ୍ରଧାନ, ଡ଼ା. ରାସେସ୍ୱରୀ ପାଣିଗା୍ରହୀ, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ମଧ୍ୟରୁ ଦୁଇଜଣ ରାଜ୍ୟସଭାକୁ ଯିବେ ବୋଲି ଇଲାକାରେ ଚର୍ଚ୍ଚା ଚାଲିଥିଲା।

ବର୍ତ୍ତମାନ ସୁଦ୍ଧା ରାଜ୍ୟସଭାକୁ ପଶ୍ଚିମ ଓଡ଼ିଶାରୁ ଯାଇଛନ୍ତି ୩୦ ଜଣ

ସମ୍ବଲପୁର – ରାଜ୍ୟସଭାକୁ ୧୯୫୨ ମସିହାରୁ ଆଜି ସୁଦ୍ଧା ଓଡ଼ିଶାରୁ ୧୨୪ ଜଣ ନିର୍ବାଚିତ ହୋଇଛନ୍ତି। ତନ୍ମଧ୍ୟରୁ ତିରିଶ ଜଣ ପଶ୍ଚିମ ଓଡ଼ିଶା ବାସୀନ୍ଦା ଅଟନ୍ତି। ଏହି ଏମାନଙ୍କ ମଧ୍ୟରୁ ଜାତୀୟ କଂଗ୍ରେସର ପ୍ରାର୍ଥୀଭାବେ ୧୧ ଜଣ ଏଠାରୁ ରାଜ୍ୟସଭାକୁ ଯାଇଛନ୍ତି। ଦିଲ୍ଲୀପ ରାୟ ଥରେ ବିଜେଡ଼ି ଓ ଥରେ ସ୍ୱାଧୀନ ପ୍ରାର୍ଥୀ ଭାବେ, କଳାହାଣ୍ଡି ବୀର କେଶରୀ ଦେଓ ୨ ଥର ଏବଂ ସୁନ୍ଦରଗଡ଼ର ସୁନ୍ଦରମଣି ପଟେଲ ୨ ଥର ଲେଖାଏଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଉକ୍ତ ୨୯ ଜଣଙ୍କ ମଧ୍ୟରୁ ଝାରସୁଗୁଡ଼ାର କିଶୋର କୁମାର ମହାନ୍ତି ୩ ବର୍ଷ ପାଇଁ, ସମ୍ବଲପୁରର ପତିତପାବନ ପ୍ରଧାନ ୫ ବର୍ଷ ପାଇଁ, କଳାହାଣ୍ଡିର ଭୁପିନ୍ଦର ସିଂହ ୨ ବର୍ଷ ପାଇଁ, ସମ୍ବଲପୁରର ଡ. ଶ୍ରଦ୍ଧାକର ସୂପକାର ୩ ବର୍ଷ ଏବଂ ଅନଙ୍ଗ ଉଦୟ ସିଂହଦେଓ ୪ ବର୍ଷ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେହିଭଳି ସୁନ୍ଦରଗଡ଼ର ଦେବାନନ୍ଦ ଅମାତ ମଧ୍ୟ କମ୍ ସମୟ ପାଇଁ ରାଜ୍ୟସଭାରେ ଥିଲେ। ଏହି ଜିଲ୍ଲାର ହରିହର ପଟେଲ ରାଜ୍ୟସଭାରେ ୬ ବର୍ଷିଆ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ପୂର୍ବରୁ ଇସ୍ତଫା ଦେଇଥିଲେ। ସେ ୧୯୫୮ ଏପ୍ରିଲ ୩ ତାରିଖରୁ ୧୯୬୪ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭାରେ ରହିଥିଲେ। ରାଜ୍ୟସଭାରେ ଜଣେ ସାଂସଦଙ୍କ କାର୍ଯ୍ୟକାଳ ୬ ବର୍ଷ ହୋଇଥିବା ବେଳେ ଏହି ୪ ଜଣ ପୂର୍ବ ସଦସ୍ୟ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ପୂର୍ବରୁ ସ୍ଥାନ ଖାଲି ପଡ଼ିବାରୁ ଷ୍ଟପ୍ଗ୍ୟାପ ବ୍ୟବସ୍ଥାରେ ନିର୍ବାଚିତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବୋଧରାମ ଦୁବେ (୧୯୫୨), ସ୍ୱପ୍ନାନନ୍ଦ ପାଣିଗ୍ରାହୀ (୧୯୫୪), ହରିହର ପଟେଲ (୧୯୫୮), ସୁନ୍ଦରମଣି ପଟେଲ (୧୯୫୨ ଓ ୬୮), ଦେବଗଡ଼ର ବୈରାଗୀ ଦ୍ୱିବେଦୀ, ସତ୍ୟାନନ୍ଦ ମିଶ୍ର (୧୯୬୨), ଡ଼. ଶ୍ରଦ୍ଧାକର ସୂପକାର (୧୯୬୭), ବୀର କିଶୋର ଦେଓ (୧୯୬୭ ଓ ୧୯୭୦), କୃଷ୍ଣଚନ୍ଦ୍ର ପଣ୍ଡା (୧୯୬୮), ସରସ୍ୱତୀ ପ୍ରଧାନ (୧୯୭୨), ଦେବାନନ୍ଦ ଅମାତ (୧୯୭୩), ନରସିଂହ ପ୍ରସାଦ ନନ୍ଦ (୧୯୭୬), ପତିତପାବନ ପ୍ରଧାନ (୧୯୭୭), ଧନେଶ୍ୱର ମାଝି (୧୯୭୮), ବନମାଳୀ ବାବୁ (୧୯୮୨), ଗଣେଶ୍ୱର କୁସୁମ (୧୯୮୪), ମନମୋହନ ମାଥୁର (୧୯୮୮), ବସନ୍ତ କୁମାର ଦାସ (୧୯୯୦), ଫି୍ରଡ଼ା ଟପ୍ନୋ (୧୯୯୬), ସନାତନ ବିଶି (୧୯୯୪), ଦିଲ୍ଲୀପ ରାୟ (୧୯୯୬ ଓ ୨୦୦୨), ମୋରିସ କୁଜୁର (୧୯୯୬), ସୁରେନ୍ଦ୍ର ଲାଠ (୨୦୦୨), ପ୍ରମିଳା ବହିଦାର (୨୦୦୨), କିଶୋର କୁମାର ମହାନ୍ତି (୨୦୦୬), ଅନଙ୍ଗ ଉଦୟ ସିଂହଦେଓ ଓ ଭୁପିନ୍ଦର ସିଂହ (୨୦୧୪), ମଙ୍ଗଳା କିଶାନ (୨୦୦୮) ଦିଲ୍ଲୀପ ତିର୍କୀ (୨୦୧୨) ଏବଂ ପ୍ରସନ୍ନ ଆଚାର୍ଯ୍ୟ (୨୦୧୬)। ଏମାନଙ୍କ ମଧ୍ୟରୁ ବନମାଳୀ ବାବୁ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ଫ୍ରିଡ଼ା ଟପ୍ନୋ ବିଧାନସଭା ଓ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଏହି ତିନି ଜଣ ରାଜ୍ୟରେ ମନ୍ତ୍ରୀପଦରେ ମଧ୍ୟ ରହିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top