Home ଓଡ଼ିଶା ହଠାତ ଶାହାଙ୍କ ଓଡ଼ିଶା ଗସ୍ତର କାରଣ କ’ଣ? ଭୁଆଁ ବନିଯିବେ କି ଶାହା!

ହଠାତ ଶାହାଙ୍କ ଓଡ଼ିଶା ଗସ୍ତର କାରଣ କ’ଣ? ଭୁଆଁ ବନିଯିବେ କି ଶାହା!

121

ଭୁବନେଶ୍ୱର:କୁଆଡ଼ିକି ଯିବ ଓଡ଼ିଶା ରାଜନୀତିର ମୋଡ଼?ଓଡ଼ିଶା ରାଜନୀତିରେ ଏବେ ଯେଉଁ ବିଷୟ ସବୁଠାରୁ ଅଧିକ ଆଲୋଚନା ହେଉଛି ତାହା ହେଲା ନୂଆ ଦଳ ଗଠନ।ନୂଆ ଏକ ମେଣ୍ଟ।ବୈଜୟନ୍ତ ପଣ୍ଡା ବିଜେଡିରୁ ବହିଷ୍କୃତ ହେବା ପରଠାରୁ ତାଙ୍କର ଆଗାମୀ ରଣନୀତି ସ୍ପଷ୍ଟ କରି ନାହାଁନ୍ତି।ଏବେ ପୁଣି ଦାମ ରାଉତ।ପୁଣି ଦିଲ୍ଲୀପ ରାୟ,ବିଜୟ ମହାପାତ୍ରଙ୍କ ପରି ହେଭିୱେଟ ନେତା ବିଜେପିରେ ଥାଇ ନଥିଲା ପରି।ତେଣେ ଦାମ ବାଣ ମାରୁଛନ୍ତି।ତେଣୁ ଏଭିତରେ ଏଇ ସବୁ ମାନଙ୍କୁ ନେଇ ଓଡ଼ିଶା ରାଜନୀତିରେ ଏକ ନୂଆ ସମ୍ମିକରଣ,ନୂଆ ମେଣ୍ଟ ତଥା ନୂଆ ଦଳ କଥା ଆଶଙ୍କା କରାଯାଉଛି।ଯାହା ଜଣାପଡୁଛି ଏସବୁ ସମ୍ମିକରଣ କେବଳ ଗୋଟିଏ ନିଷ୍ପତି ଉପରେ ନିର୍ଭର କରୁଛି।ସତେ ଯେପରି ସବୁ ରଣନୀତି ସେଇଠି ଲଟକି ରହିଯାଇଛି।ଏବଂ ତାହା ନରେନ୍ଦ୍ର ମୋଦୀ,ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା ତଥା ବିଜେପି କେନ୍ଦ୍ରୀୟ ସଙ୍ଗଠନ ନିଷ୍ପତି ଉପରେ ନିର୍ଭର କରୁଛି।

ବୈଜୟନ୍ତଙ୍କର ବିଜେପି ପ୍ରତି ଏବଂ କେନ୍ଦ୍ର ବିଜେପିର ବୈଜୟନ୍ତଙ୍କ ପ୍ରତି ରହିଥିବା ଆଗ୍ରହ କଥା ଆଲୋଚନା ହୋଇ ଆସୁଛି।ବୈଜୟନ୍ତ ଅନେକ ଥର ମୋଦୀ ସରକାରଙ୍କୁ ପ୍ରଶଂସା କରି ସାରିଛନ୍ତି।କଂଗ୍ରେସ ସଂସଦ ଚଲାଇ ନଦେବା ସମୟର ବେତନ ଫେରାଇବାକୁ ବିଜେପି ସାଂସଦ ମାନଙ୍କୁ ମୋଦି ଆଗ୍ରହ କରିଥିଲେ।ବିଜେଡିରେ ଥାଇ ବୈଜୟନ୍ତ ଏହା ଗ୍ରହଣ କରି ନିଜ ବେତନ ଗ୍ରହଣ କରିନଥିଲେ।ବିଜେପି ଆଡୁ ମଧ୍ୟ ସମାନ ସ୍ଥିତି।ମୋଦି ମଧ୍ୟ ବୈଜୟନ୍ତଙ୍କୁ ପ୍ରଶଂସା କରି ସାରିଛନ୍ତି।ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ଶୋକ ବାର୍ତ୍ତା ନେଇ ମୋଦି ଏକ ଲମ୍ବା ଚିଠି ମଧ୍ୟ ଲେଖିଥିଲେ।କେନ୍ଦ୍ର ବିଜେପିର ଅନେକ ବରିଷ୍ଠ ନେତାଙ୍କ ସହ ମଧ୍ୟ ବୈଜୟନ୍ତଙ୍କର ଭଲ ସଂପର୍କ।ସଙ୍ଘରୁ ସିଧାସଳଖ ଆସିଥିବା କେନ୍ଦ୍ର ବିଜେପିର ଆଗାମୀ ଭବିଷ୍ୟତ କୁହାଯାଉଥିବା ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାମମାଧବ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ବୈଜୟନ୍ତଙ୍କ ଘରକୁ ଆସିଥିଲେ।ଏବଂ ଏଠାରେ ବଡ଼ ଆଶ୍ଚର୍ଯ୍ୟର କଥା ରାମମାଧବ ଆସି ବୈଜୟନ୍ତଙ୍କୁ ସାକ୍ଷାତ କରି ଫେରିଗଲେ,କିନ୍ତୁ ରାଜ୍ୟ ବିଜେପିର ନେତା ଏହାର ଟେର ପାଇଲେନି।ତେବେ ଏସବୁ ଭିତରେ ଅନୁମାନ କରିବା ସ୍ୱାଭାବିକ ଯେ ବୈଜୟନ୍ତ ବିଜେପିରେ ମିଶିବେ।କିନ୍ତୁ ମିଶୁ ନାହାଁନ୍ତି କାହିଁକି?ବୈଜୟନ୍ତ ନିଷ୍ପତି ନେବାରେ ବିଳମ୍ବ କାହିଁକି କରୁଛନ୍ତି?ଦିଲ୍ଲୀପ ରାୟ,ବିଜୟ ମହାପାତ୍ର ମଧ୍ୟ ସେପରି ନିର୍ଣ୍ଣାୟକ ପଦକ୍ଷେପ ନେଉ ନାହାଁନ୍ତି କାହିଁକି?

ଏସବୁ ରହିଛି ବିଜେପିର ନେତୃତ୍ୱକୁ ନେଇ।ଓଡ଼ିଶା ବିଜେପିର ମୁଖିଆ ବସନ୍ତ ପଣ୍ଡା।କିନ୍ତୁ ନାମକୁ ମାତ୍ର।ସେ କେବଳ ରବର କଣ୍ଢେଇ।ଓଡ଼ିଶା ବିଜେପିକୁ ଚଳାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସବୁ କିଛି ତାଙ୍କ ଇଶାରାରେ ହୁଏ।କିଏ ମିଶ୍ରଣ ପର୍ବରେ ମିଶିବ,କିଏ ସାଙ୍ଗଠନିକ ଦାୟିତ୍ୱରେ ରହିବ,କାହାକୁ କଣଠେସା କରାଯିବ ସବୁ ନିଷ୍ପତି ତାଙ୍କର।ରାଜ୍ୟ ବିଜେପିର ଦାୟିତ୍ୱରେ ଥିବା ପ୍ରାୟ ସବୁ ନେତା/ନେତ୍ରୀ ବିଭିର୍ଣ୍ଣ ମୋର୍ଚ୍ଚାର ଅଧିକାରୀ ସମସ୍ତେ ଧର୍ମେନ୍ଦ୍ରଙ୍କର ବଶତା ସ୍ୱୀକାର କରି ସାରିଛନ୍ତି।ସଭାପତି ପରିବର୍ତ୍ତନ କଥା ଉଠି ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଆଲୋଚନା ହୋଇ ପୁଣି ଥମି ଯାଉଛି।କୁହାଯାଉଛି ସଂଘ ଏବଂ ତୃଣମୂଳ ସଙ୍ଗଠନ ଚାହୁଁଛି କିନ୍ତୁ ଧର୍ମେନ୍ଦ୍ର ଚାହୁଁ ନାହାଁନ୍ତି।ତେଣୁ ହୋଇ ପାରୁନି।ଉଭୟ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଦୁର୍ବଳ ଏବଂ ଧର୍ମେନ୍ଦ୍ରଙ୍କର ଅନୁଗତ ହୋଇଥିବାରୁ କିଛି ପରିବର୍ତ୍ତନ ହୋଇପାରୁନି।ଦଳ ବିରୋଧରେ କେହି ମନ୍ତବ୍ୟ ଦେଲେ ଚଳୁଛି,କିନ୍ତୁ ଧର୍ମେନ୍ଦ୍ରଙ୍କ କଥାରେ ନଗଲେ ତାକୁ ଦଳ ବିରୋଧୀ ଭାବରେ ଗ୍ରହଣ କରାଯାଉଛି।ମହିଳା ସୁରକ୍ଷା ଯାତ୍ରା ସମୟରେ ମୟୁରଭଞ୍ଜ ବିବାଦ ଏବଂ ଯାଜପୁର ବିବାଦ ପରି ଏପରି ଅନେକ ଉଦାହରଣ ରହିଛି।ସେଥିପାଇଁ ବୋଧେ ଗିରିଧର ଗମାଙ୍ଗଙ୍କ ପରି ନେତା ପ୍ରାଧାନ୍ୟ ପାଉଛନ୍ତି,ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରାରେ ଶୋଭାଯାତ୍ରା ଗାଡିରେ ବସୁଛନ୍ତି,କିନ୍ତୁ ବିଜୟ ମହାପାତ୍ର କଣଠେସା ହେଉଛନ୍ତି।ମୋଦୀଙ୍କ ଅନୁଗୁଳ,ତାଳଚେର ଗସ୍ତ ପୂର୍ବରୁ ସମୀକ୍ଷା ପାଇଁ ବୁଲିଲା ବେଳେ ପୁରୁଣା ନେତାଙ୍କୁ ଛାଡ଼ି କେନ୍ଦ୍ରମନ୍ତ୍ରୀ ନୂଆ ଭାବରେ ତାଙ୍କ ମାଧ୍ୟମରେ ଦଳକୁ ଆସିଥିବା ନେତାଙ୍କୁ ଧରି ଗାଡ଼ିରେ ବୁଲୁଛନ୍ତି।ମିଶ୍ରଣ ପର୍ବରେ ଧର୍ମେନ୍ଦ୍ରଙ୍କ ସ୍ବୀକୃତିରେ ଦଳରେ ପ୍ରବେଶ କରାଯାଉଛି।ଅଥଚ ଆଜି ପର୍ଯ୍ୟନ୍ତ ସେପରି କେହି ପ୍ରଭାବୀ ନେତା ବିଜେପିରେ ସାମିଲ ହୋଇପାରୁ ନାହାଁନ୍ତି।ଧର୍ମେନ୍ଦ୍ରଙ୍କ ମାଧ୍ୟମରେ ହିଁ ଦଳକୁ ଆସୁଥିବା ନେତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉଛି,ବିଜେପୁରରେ ଟିକେଟ ଦିଆଯାଉଛି।ରାଜ୍ୟ ବିଜେପିରେ ଚାଟୁକାର ଗୋଷ୍ଠୀଙ୍କ ପ୍ରଭାବ ଏତେ ବଢ଼ିଯାଇଛି ଯେ କୌଣସି କାର୍ଯ୍ୟକ୍ରମ ବେଳେ ନିଜେ ତ ନିଜେ ସେମାନଙ୍କ ଡ୍ରାଇଭର ମଧ୍ୟ ଭାଉ ଦେଖାଉଛନ୍ତି।

ଏଣେ ବିଜେପି ବିଜେଡି ମଧ୍ୟରେ ମଧ୍ୟ ଏକ ଖେଳ ଚାଲିଛି।ଉଭୟ ଉଭୟଙ୍କର ବିରୋଧୀ ଭାବରେ ସ୍ୱର ଉତ୍ତୋଳନ କରୁଛନ୍ତି।କିନ୍ତୁ କାର୍ଯ୍ୟଧାରା ଭିର୍ଣ୍ଣ ରହୁଛି।ସିବିଆଇ କଥା କୁହାଯାଉଛି,କିଛି ହେଉନି।ମୋଦି/ଶାହା ଓଡ଼ିଶା ଆସି ନବୀନଙ୍କୁ ସେପରି କେବେ ଆକ୍ଷେପ କରୁ ନାହାଁନ୍ତି।ଅବଶ୍ୟ ଏବେ କ’ଣ ମୋଦୀ ଏବଂ ନବୀନ ଟିକେ କୁହାକୁହି ହେଇଛନ୍ତି।ଅନେକ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ନବୀନଙ୍କୁ ପ୍ରଶଂସା ମଧ୍ୟ କରି ଯାଇଛନ୍ତି।ବିଜେଡି ପକ୍ଷରୁ ମଧ୍ୟ ସେହି ଏକା କଥା।ଜିଏସଟି ପ୍ରସଙ୍ଗ,ରାଷ୍ଟ୍ରପତି ନିର୍ବାଚନ,ଅନସ୍ଥା ପ୍ରସ୍ତାବ,ଉପାଧ୍ୟକ୍ଷ ନିର୍ବାଚନ ପରି ମୁଖ୍ୟ ମୁଖ୍ୟ ପ୍ରସଙ୍ଗରେ ବିଜେଡି ବିଜେପିକୁ ପରୋକ୍ଷ ବା ପ୍ରତ୍ୟକ୍ଷ ସମର୍ଥନ ଦେଇଛି।ସତେ ଯେପରି ଭିତରେ ଭିତରେ ଉଭୟଙ୍କର ଇଚ୍ଛା ଅଛି।କେବଳ ନିଜ ନିଜର ବଳ ଦେଖାଇ ହେଉଛନ୍ତି।କେନ୍ଦ୍ର ବିଜେପି ଏବଂ ବିଜେଡି ଏହିପରି ନିଜ ନିଜ ଯୋଜନାରେ ଅଛନ୍ତି।ଏଣେ ଧର୍ମେନ୍ଦ୍ର ଏହି ଯୋଜନା ଭିତରେ ନିଜେ ଶ୍ରେୟ ନେଇ ବୋଧେ ମିଶନ ଉପମୁଖ୍ୟମନ୍ତ୍ରୀ ଯୋଜନାରେ ରହୁଥିବା ପରି ଜଣାପଡ଼ୁଛି।ଏହି ସନ୍ଦେହ ହୁଏତ ବୈଜୟନ୍ତଙ୍କୁ ନିଷ୍ପତି ନେବାରେ ବିଳମ୍ବ କରାଉଛି,ଏବଂ ବିଜୟ ମହାପାତ୍ର,ଦିଲ୍ଲୀପ ରାୟ ଦୂରେଇ ରହୁଛନ୍ତି।

ଏ ଭିତରେ ଅମିତ ଶାହା ଓଡ଼ିଶା ଆସୁଛନ୍ତି।୨୪ ତାରିଖରେ ପୁରୀରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଶକ୍ତିକେନ୍ଦ୍ର ପ୍ରମୁଖ ମାନଙ୍କର ବୈଠକ ନେବେ ଶାହା।ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସେପ୍ଟେମ୍ବର ୨୯,୩୯ରେ ହେବାର ଥିଲା।ତେବେ ଏହାକୁ ହଠାତ ପରିବର୍ତ୍ତନ କରାଯାଇ ଆଗୁଆ,ଅର୍ଥାତ୍ ୨୩,୨୪,୨୫ରେ କରାଯାଉଛି।ଏ ଭିତରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦ୍ୟ ସମାପ୍ତ ହୋଇଛି।ପ୍ରତାପ ଷଡ଼ଙ୍ଗୀଙ୍କୁ ସେହି ବୈଠକକୁ ନିମନ୍ତ୍ରଣ କରାଯାଇଥିଲା।ଏବଂ ଏହାପରେ ଅମିତ ଶାହାଙ୍କ ହଠାତ ଗସ୍ତ ନିଷ୍ପତିରୁ ହୁଏତ କିଛି ଭିର୍ଣ୍ଣ ଆଶା କରାଯାଇପାରେ।ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବେ କିଛି ଦିନ ହେଲା ଦେଖା ଯାଉନାହାଁନ୍ତି।ସେ କିଛିଟା ଅସୁସ୍ଥ ଥିବା କୁହାଯାଉଛି।ସେଥିପାଇଁ ବୋଧେ ସେ ରାଷ୍ଟ୍ରୀୟ କାର୍ଯ୍ୟକରିଣୀରେ ଉପସ୍ଥିତ ନଥିଲେ।ଏବଂ ଏ ଭିତରେ କନକ ବର୍ଦ୍ଧନ ସିଂହଦେଓଙ୍କୁ ରାଜ୍ୟ କାର୍ଯ୍ୟକାରୀ ସଭାପତି ଏବଂ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ କରାଯିବା ନେଇ ଏକ ଆଲୋଚନା ମଧ୍ୟ ଶୁଣିବାକୁ ମିଳୁଛି।

ତେବେ,ଅମିତ ଶାହା ଆସି ସଙ୍ଗଠନ ଶକ୍ତି ପରଖିବାର ଥିବା ବେଳେ ଶାହାଙ୍କୁ ଭୁଆଁ ବୁଲାଇବାର ସବୁ ଯୋଜନା ପୁଣି ଥରେ ପ୍ରସ୍ତୁତ ହୋଇସାରିଛି।ପୂର୍ବରୁ ଚାଲାକ ଶାହାଙ୍କୁ ଓଡ଼ିଶା ବିଜେପି ଭୁଆଁ ବୁଲାଇ ସାରିଛି।ଭୁଆଁ ଭୁଲିଯାଇ ହିଁ ଶାହା ବୋଧେ ମିଶନ ୧୨୦ କଥା କହି ଦେଇଛନ୍ତି।ବଲାଙ୍ଗୀର ଗସ୍ତ ସମୟରେ ସାଙ୍ଗଠନିକ ସ୍ଥିତି ବୁଝିବା ସମୟରେ ତାଳମେଳ ରହୁନଥିବାରୁ ଶାହା ଅସନ୍ତୋଷ ପ୍ରକାଶ କରିଥିବା ଆଲୋଚନା ହୋଇଥିଲା।ଏହା ପରେ ଭୁବନେଶ୍ୱର ଗସ୍ତ ସମୟରେ ଶାହା ମଣ୍ଡଳ କମିଟି କାର୍ଯ୍ୟକର୍ତ୍ତାଙ୍କର ବୈଠକ ନେଇଥିଲେ।ସେଠାରେ ମଧ୍ୟ ଶାହାଙ୍କୁ ଭୁଲ ତଥ୍ୟ ଦିଆଯାଇଥିଲା।ଗୋଟିଏ ମଣ୍ଡଳରୁ ଦୁଇ ଜଣ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେବାକୁ ଥିବାବେଳେ ଦୁଇ ଯୋଡ଼ା ଲେଖାଏଁ ଯାଇଥିଲେ।ତାହା ପୁଣି ଗୋଷ୍ଠି ବିବାଦ ଭିତରେ ନିର୍ବଚନୀ ମଣ୍ଡଳୀର ଭିର୍ଣ୍ଣ ଭିର୍ଣ୍ଣ ନେତାଙ୍କ ମାଧ୍ୟମରେ।ଏବେ ତାର ପୁନରାବୃତ୍ତି ହେବାକୁ ଯାଉଛି।ମହିଳା ମୋର୍ଚ୍ଚା ସମ୍ମିଳନୀରେ ଶକ୍ତିକେନ୍ଦ୍ର ପ୍ରମୁଖ ମାନଙ୍କର ବୈଠକ ନେବେ ଶାହା।ଏଥିରେ ଆଶା ରଖାଯାଇଛି,ରାଜ୍ୟର ୭୮୯୨ ଶକ୍ତିକେନ୍ଦ୍ରରୁ ଶକ୍ତିକେନ୍ଦ୍ର ପ୍ରମୁଖଙ୍କ ସମେତ ପ୍ରତ୍ୟକ ମଣ୍ଡଳର ୨୧ ଜଣିଆ କମିଟି,ଜିଲ୍ଲା ତଥା ରାଜ୍ୟ ଅଧିକାରୀ ଉପସ୍ଥିତ ରହିବେ।ଏହା କିଛି କମ ବଡ଼ ଯୋଜନା ନୁହେଁ।ସାରା ରାଜ୍ୟରୁ ପ୍ରାୟ ୮୦୦୦ ମହିଳାଙ୍କ ସମାବେଶ।ତାହା ପୁଣି ରାଜ୍ୟର ସମସ୍ତ ଜିଲ୍ଲା,ମଣ୍ଡଳ,ବୁଥ ମାନେ ୭୮୯୨ ସ୍ଥାନରୁ ମହିଳା କାର୍ଯ୍ୟକର୍ତ୍ତା ପ୍ରତିନିଧିତ୍ୱ କରିବେ।ଏମିତିରେ ୮୦୦୦ ମହିଳାଙ୍କ ସମାବେଶ କରି ଶକ୍ତି ପ୍ରଦର୍ଶନ କରିବା ଏବଂ ୭୮୯୨ ସ୍ଥାନରୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ସଙ୍ଗଠନ ଶକ୍ତି ପ୍ରମାଣ କରିବା ଭିତରେ ବହୁ ଅନ୍ତର ଅଛି।ପ୍ରତିପକ୍ଷକୁ ଏହା ବିଚଳିତ କରିପାରେ।କିନ୍ତୁ ଏହା କ’ଣ ସମ୍ଭବ?ବିଜେପିର ମୂଳ ସଙ୍ଗଠନରେ ତ’ ଶକ୍ତିକେନ୍ଦ୍ର/ବୁଥ କାର୍ଯ୍ୟକର୍ତ୍ତା ନାହାଁନ୍ତି।ମୋର୍ଚ୍ଚାରେ ଆସିବେ କୁଆଡୁ?କିନ୍ତୁ ଯେଣେତେଣେ ଉପାୟରେ ଯେଣତେଣ ନାଁ ପୂରାଇ,ଯେଣତେଣ ମହିଳାଙ୍କୁ ସମବେତ କରାଇ ଶାହାଙ୍କୁ ପୁଣି ଥରେ ଭୁଆଁ ବୁଲାଇବାର ଯୋଜନା ହୋଇସାରିଛି।କାରଣ ଶକ୍ତିକେନ୍ଦ୍ର, ବୁଥ,ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ଛାଡ଼ନ୍ତୁ,ଏମାନଙ୍କୁ ସଙ୍ଗଠିତ କରିବା ପାଇଁ ଯେଉଁ ପ୍ରଭାରୀ/ସଂଯୋଜିକାଙ୍କୁ ଦାୟିତ୍ୱ ଦିଆଯାଇଛି ସେଥିରେ ଏମିତି କାର୍ଯ୍ୟକର୍ତ୍ତା ଅଛନ୍ତି ସେ ତାଙ୍କ ଦାୟିତ୍ୱ ଏବଂ କାର୍ଯ୍ୟକ୍ରମର ରୂପରେଖ କ’ଣ ତାହା ଜାଣି ନାହାଁନ୍ତି।ସେମାନେ ବା କିପରି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ୫୦/୫୨ କାର୍ଯ୍ୟକର୍ତ୍ତାଙ୍କୁ ପ୍ରସ୍ତୁତ କରାଇବେ?ଅସହାୟତା ଏବଂ ଖୋସାମତି ମହିଳା ମୋର୍ଚ୍ଚା କଥାରୁ ସ୍ପଷ୍ଟ ବାରି ହେଇଯାଉଛି।କାର୍ଯ୍ୟକର୍ତ୍ତାଙ୍କୁ ସୂଚନା ଦେବା ସମୟରେ କୁହାଯାଉଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶାକୁ ପୂରଣ କରିବା।ରାଜ୍ୟ ସଭାପତିଙ୍କ କଥା ସଂପୂର୍ଣ୍ଣ ଭୁଲି ଯାଇଛନ୍ତି।ମହିଳା ମୋର୍ଚ୍ଚା ସଙ୍ଗଠନ କେତେ ଶକ୍ତିଶାଳୀ ତା’ ନୁହେଁ,ଧର୍ମେନ୍ଦ୍ର ଶକ୍ତି ପ୍ରଦର୍ଶନ ପାଇଁ ମହିଳା ମୋର୍ଚ୍ଚାକୁ ଆୟୁଧ କଲା ପରି ଜଣାପଡ଼ୁଛି।୭୮୯୨ ଶକ୍ତିକେନ୍ଦ୍ର ପ୍ରମୁଖ୍ୟଙ୍କ ବୈଠକ ମାନେ ପୂର୍ବ ପ୍ରସ୍ତୁତି ଏବଂ ଏହା ସାଙ୍ଗଠନିକ ରଚନା।ଏମିତି ସେମିତି ମହିଳା ସମାବେଶ ନୁହେଁ ଯେ,ମହିଳା ବୁହାହେବେ।କିନ୍ତୁ ସମାବେଶକୁ ମହିଳାମାନେ ଯିବାକୁ ନିର୍ବଚନୀ ମଣ୍ଡଳୀ ନେତାଙ୍କ ସହାୟତା ଲୋଡ଼ା ଯାଇଛି।ବାସ୍ତବରେ ଏ ସମାବେଶ ସାଙ୍ଗଠନିକ ରଚନାରେ ନୁହେଁ,ବାସ୍ତବରେ ସମାବେଶକୁ ମହିଳା ବୁହାହେବେ ଏବଂ ଶାହା ଭୁଆଁ ବୁଲିଯିବେ।/ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.