ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ପାରଳାଖେମୁଣ୍ଡି, ୪ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ବ୍ଳକ ପାଇଁ ମୋଟ ୬୮କୋଟି ୯୩ଲକ୍ଷ୧୬ହଜାର ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ଠାରେ ହେଲିକେପ୍ଟରରୁ ଅବତରଣ କରିବାପରେ ବିଭିନ୍ନ ବିଭାଗର ୬ଗୋଟି ଷ୍ଟଲରୁ ଯାଇ ପରିଦର୍ଶନ କରିଥିଲେ। ସେହିପରି ଭାବେ ବିଭିନ୍ନ ହିତାଧିକାରୀଙ୍କୁ ବଣ୍ଟନ କରାଯିବାକୁ ଥିବା ଚେକ, ପଟ୍ଟା, କାର୍ଯ୍ୟାଦେଶ ଇତ୍ୟାଦିର ଶୁଭାରମ୍ଭ ହୋଇଥିଲା। ତାପରେ ସେଠାରେ ରାମଗିରି ଠାରେ ୧୦୦ମେଟି୍ରକଟନ କ୍ଷମତା ବିଶିଷ୍ଟ ଶିତଳ ଭଣ୍ଡାର, ଗୁମ୍ମା ଠାରେ ଆଦର୍ଶ ବିଦ୍ୟାଳୟ, ନୁଆଗଡ ଠାରେ ୩୩କେଭି ସବଷ୍ଟେସନ, ଗୁମ୍ମା କୃଷକ ସୂଚନା ଓ ସହାୟତା କେନ୍ଦ୍ର, ଆଲିଗଣ୍ଡା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ରାୟଗଡା ଠାରେ କର୍ମଚାରୀ ବାସଭବନ, ଲକ୍ଷ୍ମୀପୁର- ଜିନଡା ରାସ୍ତାର ମହେନ୍ଦ୍ର ତନୟା ନଦୀ ଉପରେ ସେତୁ, ଆର.ଉଦୟଗିରି ଠାରେ ଏଏନଏମ କେନ୍ଦ୍ର, କାଶିନଗର ବ୍ଳକର ସିଧାମଡଙ୍ଗ ଠାରେ ଭାରତ ନିର୍ମାଣ ରାଜିବ ଗାନ୍ଧି ସେବା କେନ୍ଦ୍ର, ଚାନ୍ଦିପୁଟ ଠାରେ ୨୦୦ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରାବାସ ଇତ୍ୟାଦି ମୋଟ ୨୦ଗୋଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଅନ୍ୟପକ୍ଷରେ ଓଡିଶା ଓ ଆନ୍ଧ୍ର ତଥା ପାରଳାଖେମୁଣ୍ଡି ଓ ପୁରୁଣାପାଟଣାକୁ ସଂଯୋଗ କରୁଥିବା ୭କୋଟି ୩୫ଲକ୍ଷଟଙ୍କା ବ୍ୟୟରେ ନିର୍ମିତ ମହେନ୍ଦ୍ର ତନୟା ନଦୀ ଉପରେ ନୁତନ ସେତୁର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାପାଳ ଅନୁପମ ସାହା, ଆରକ୍ଷି ଅଧିକ୍ଷକ ଅମୁଲ୍ୟ କୁମାର ଦାସ, ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ, ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ପୁର୍ବତନ ମନ୍ତ୍ରୀ ଡ.ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ଡ.ସିଦ୍ଧାନ୍ତ ମହାପାତ୍ର, ଜିଲା ଜନଜାତି ବିକାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିଲା ବିଜେଡି ସଭାପତି ପ୍ରଦିପ ନାୟକ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *