ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ

ତାଳଚେର,୧୬/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଉପଖଣ୍ଡ ଡାକ୍ତରଖାନାଠାରେ ୧୨ କୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଡାକ୍ତର,କର୍ମଚାରୀ କାର୍ଟର ସମୁହକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ  ପ୍ରତାପ ଜେନା ବୁଧବାର ଦିନ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ମେଡ଼ିକାଲ ପରିସରରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ଶ୍ରୀଯୁକ୍ତ ଜେନା ନିଜ ଅଭିଭାଷଣରେ ବର୍ତମାନ ରାଜ୍ୟ ସରକାରଙ୍କର ଲୋକାଭିମୂଖୀ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ସୂଚନା ଦେବା ବର୍ତମାନ କୈାଣସି ବ୍ୟକ୍ତି ଅର୍ଥାଭାବରୁ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ୟୁଜର ଫି ଛାଡ଼ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଏହି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ମା ଓ ଶିଶୁଙ୍କ ଚିକିତ୍ସା ପାଇଁ ଏକ ମାଇଲଖୁଂଟ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ  ଉପଖଣ୍ଡ ଡାକ୍ତରଖାନାରେ ଅଲଟ୍ରା ସାଉଣ୍ଡ ମେସିନ୍, ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଏବଂ ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲ ନିଜ ବକ୍ତବ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ବାରମ୍ବାର ଅନୁଗୋଳ ଗସ୍ତ ଏବଂ ବିଭିନ୍ନ ଡାକ୍ତରଖାନାକୁ ଗସ୍ତ କରି ବିଭିନ୍ନ ସମସ୍ୟାକୁ ନିରୀକ୍ଷଣ କରି ସେଗୁଡ଼ିକର ସମାଧାନ କରିବାକୁ ଚେଷ୍ଟିତ ହୋଇଥିବାରୁ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡା. ରବିଚନ୍ଦ୍ର ଗଡ଼ନାୟକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଉପଖଣ୍ଡ ଡାକ୍ତରଖାନାର ଚିକିତ୍ସକ  ଡା ଅଶୋକ କୁମାର କର ଏବଂ ଡା ଅଶୋକ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ତାଳଚେର ନଗରପାଳ ପବିତ୍ର ଭୂତିଆ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରତିକୂଳ ପାଗ ସତ୍ୱେ ବହୁ ସଂଖ୍ୟାରେ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ଗୋଟିଏ ଦିନ ପୂର୍ବରୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କଣିହାଁ ବ୍ଲକ ଅନ୍ତର୍ଗତ କୁଳୁମି ଠାରେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରକୁ ଉଦଘାଟନ କରିଥିଲେ । ତାଙ୍କ ସହ ପାଲଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହେଶ ସାହୁ,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ,ସିଡିଏମଓ ରବିଚନ୍ଦ୍ର ଗଡ଼ନାୟକ,ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ,କଣିହାଁ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ସୁମନ୍ତ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *