Home ଆମ ପର୍ବ ପର୍ବାଣୀ ଆଜିଠୁ ଆରମ୍ଭ ଧର୍ମ ମାସ କାର୍ତ୍ତିକ: ପଡ଼ିଥାଏ ଅନେକ ପର୍ବପର୍ବାଣୀ

ଆଜିଠୁ ଆରମ୍ଭ ଧର୍ମ ମାସ କାର୍ତ୍ତିକ: ପଡ଼ିଥାଏ ଅନେକ ପର୍ବପର୍ବାଣୀ

638

କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଇଥାଏ।ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ।କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି। ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଏବଂ ପରବର୍ତ୍ତୀ ମାସ ମାର୍ଗଶୀର।ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ।ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ।ମାସ ସାରା ଆମିଷ ଭକ୍ଷଣ ବାରଣ ରହିଛି। ମାସସାରା ପାଳି ନ’ ପାରିଲେ ପଞ୍ଚୁକ ପାଞ୍ଚଦିନ ଆମିଷ ଭକ୍ଷଣ ନିହାତି ବାରଣ ରହିଛି।କୁହାଯାଏ ଏପରିକି ପଞ୍ଚୁକ ଏହି ପାଞ୍ଚ ଦିନରେ ବଗ ମଧ୍ୟ ଆମିଷ ଖାଇବା ଛାଡ଼ିଦିଏ।କାର୍ତ୍ତିକ ମାସ ମଧ୍ୟରେ ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା (ବୋଇତ ବନ୍ଦାଣ), ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଆଦି ପୂଜା ପର୍ବାଣୀ ପଡ଼ିଥାଏ।ହିନ୍ଦୁ ମହିଳାମାନେ ଏହି କାର୍ତ୍ତିକ ମାସରେ ଅତି ନିଷ୍ଠାର ସହ ପାଳନ କରିଥାଆନ୍ତି ହବିଷ।ସେମାନଙ୍କୁ ହବିଷ୍ୟାଳି କୁହାଯାଏ।ହବିଷ ପାଇଁ ପୁରୀରେ ବହୁ ଭିଡ଼ ପରିଲିକ୍ଷିତ ହୋଇଥାଏ।”ମାସମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦ୍ରିକାଧାମ ଶ୍ରେଷ୍ଠ ଅଟନ୍ତି।ଏ ତିନି କଳି ଯୁଗରେ ଅତ୍ୟନ୍ତ ଦୁର୍ଲଭ”।
“ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ
ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍”।
ଅର୍ଥାତ:- କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ।କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ।ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର।ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ।

କାର୍ତ୍ତିକ ମାସରେ ପାଳନ କରାଯାଉଥିବା ପର୍ବ ପର୍ବାଣୀ :-
କୃଷ୍ଣ ଚତୁର୍ଥୀରେ କରୱା ଚୌଥ, କୃଷ୍ଣ ଦ୍ୱାଦଶୀରେ ଗୋବତ୍ସା ଦ୍ୱାଦଶୀ, କୃଷ୍ଣ ତ୍ରୟୋଦଶୀରେ ଧନ ତ୍ରୟୋଦଶୀ ବା ଧନତେରାସ ବା ଧନ୍ୱନ୍ତରୀ ଜୟନ୍ତୀ, କୃଷ୍ଣ ଚତୁର୍ଦ୍ଦଶୀରେ ନରକ ଚତୁର୍ଦ୍ଦଶୀ, ଅମାବାସ୍ୟାରେ କାଳୀ ପୂଜା, ଦୀପାବଳୀ ଓ ପୟାଶ୍ରାଦ୍ଧ।ସେହିପରି ଶୁକ୍ଳ ଦ୍ୱିତୀୟାରେ ଯମ ଦ୍ୱିତୀୟା, ଶୁକ୍ଳ ଚତୁର୍ଥୀରେ ନାଗ ଚତୁର୍ଥୀ, ଶୁକ୍ଳ ପଞ୍ଚମୀରେ ଲାଭ ପଞ୍ଚମୀ, ଶୁକ୍ଳ ଷଷ୍ଠୀରେ ଛଠ ପୂଜା, ଶୁକ୍ଳ ଅଷ୍ଟମୀରେ ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ, ଶୁକ୍ଳ ନବମୀରେ ଅଅଁଳା ନବମୀ ଏବଂ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭୀଷ୍ମ ପଞ୍ଚକ, ଶୁକ୍ଳ ଏକାଦଶୀରେ ଦେବଉତ୍ଥାପନ ଏକାଦଶୀ ବା ପ୍ରବୋଧିନୀ ଏକାଦଶୀ, ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ, ଶୁକ୍ଳ ଦ୍ୱାଦଶୀରେ ଗରୁଡ଼ ଦ୍ୱାଦଶୀ, ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ, ତ୍ରୟୋଦଶୀରେ ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଶୁକ୍ଳ ଚତୁର୍ଦ୍ଦଶୀରେ ବୈକୁଣ୍ଠ ଚତୁର୍ଦ୍ଦଶୀ, ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ, ମଳତିଥିରେ ନାଗାର୍ଜୁନ ବେଶ ଏବଂ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶ ବା ସୁନାବେଶ।
//- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.