Home ଜିଲ୍ଲା ପରିକ୍ରମା ରାସ୍ତା ବିବାଦକୁ ନେଇ ଉପୁଜିଛି ସମସ୍ୟା, ବାରସର ଓ ଗୋବିନ୍ଦପୁର ପଂଚାୟତ ବାସୀ ଆତଙ୍କିତ, ଗାଁରୁ...

ରାସ୍ତା ବିବାଦକୁ ନେଇ ଉପୁଜିଛି ସମସ୍ୟା, ବାରସର ଓ ଗୋବିନ୍ଦପୁର ପଂଚାୟତ ବାସୀ ଆତଙ୍କିତ, ଗାଁରୁ ବାହାରି ପାରୁନାହାନ୍ତି ୨ପଂଚାୟତର ଅଧିବାସୀ, ସୁରକ୍ଷା ଦାବିନେଇ ଶତାଧିକ ଲୋକଙ୍କ ଥାନା ସାମ୍ନାରେ ଧାରଣା

11

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନ ବାରସର ଓ ଗୋବିନ୍ଦପୁର ପଂଚାୟତ ଲୋକ ଆତଙ୍କିତ ହୋଇପଡିଛନ୍ତି। ଏକ ରାସ୍ତା ବିବାଦକୁ ନେଇ ସମସ୍ୟା ଉପୁଜିଛି। ଯେଉଁଥି ପାଇଁ ୨ପଂଚାୟତର ଲୋକ ତିହିଡି ଓ ପିରାହାଟ ଆସୁଥିବା ବେଳେ ବିନ୍ଧା ଛକ ନିକଟରେ କିଛି ଲୋକ ତାଙ୍କୁ ଧମକ ଚମକ ଦେଇ ଆତଙ୍କ ସୃଷ୍ଟି କରୁଛନ୍ତି। ଫଳରେ ଗାଁରୁ ବାହାରି ପାରୁନାହାନ୍ତି ୨ ପଂଚାୟତର ଅଧିବାସୀ ଭୟଭୀତ ହୋଇ ଗାଁରୁ ବାହାରି ପାରୁନାହାଁନ୍ତି । ଏପ୍ରକାର ଆତଙ୍କରାଜକୁ ନେଇ ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଂଚାୟତବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏହି ପରିପ୍ରେକ୍ଷୀରେ ସେହି ୨ପଂଚାୟତର ଶତାଧିକ ଗ୍ରାମବାସୀ ସୁରକ୍ଷା ଦାବିରେ ଗୁରୁବାର ପୀରହାଟ ଥାନା ସାମ୍ନାରେ ଧାରଣା ଦେଇଛନ୍ତି । ଏଥିସହ ବାରସର ପଂଚାୟତର ପୂର୍ବତନ ସରପଂଚ ରାଜାରାମ ମହାକୁଡ଼ ଓ ଗୋବିନ୍ଦପୁର ପଂଚାୟତ ପୂର୍ବତନ ସମିତିସଭ୍ୟ ମାନସ ରଞ୍ଜନ ନାୟକ ଏନେଇ ଥାନାରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି । ପଂଚାୟତବାସୀ ଦର୍ଶାଇଛନ୍ତି ଯେ ,ବହୁ ବର୍ଷ ପୂର୍ବେ ପଂଚାୟତର କେତେକ ବ୍ୟକ୍ତି ତିଆଡ଼ିସାହି ଠାରୁ ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଜମି ଦାନ କରିଥିଲେ । ପରେ ସେହି ଜମି ଉପରେ ରାସ୍ତା ନିର୍ମାଣ ହୋଇଥିଲା ଓ ଲୋକମାନେ ଯାତାୟତ କରିଥିଲେ । ସେହି ସ୍ଥାନରେ ବାସନ୍ତୀ ହାଇସ୍କୁଲ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଂଚାୟତ କାର୍ଯ୍ୟାଳୟ ଇତ୍ୟାଦି ଥିବାରୁ ରାସ୍ତା ନିର୍ମିତ ହେବାଦ୍ୱାରା ଉଭୟ ବାରସର ଓ ଗୋବିନ୍ଦପୁର ପଂଚାୟତବାସୀ ଉପକୃତ ହୋଇଥିଲେ । ତେବେ ୧୫ଦିନ ପୂର୍ବେ ଜମିଦାନ କରିଥିବା ବ୍ୟକ୍ତିଙ୍କର ଜଣେ ଉତରାଧିକାରୀ ସେହି ରାସ୍ତାକୁ ଅବରୋଧ କରି ବିଭିନ୍ନ ସ୍ଥାନରେ ସିମେଂଟ ପିଲର ଉଠାଇଥିଲେ । ଏହି କାର୍ଯ୍ୟକୁ କେତେକ ପଂଚାୟତବାସୀ ବିରୋଧ କରିବାରୁ ଉଭୟପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଗଣ୍ଡଗୋଳ ଉପୁଜିଥିଲା । ତେବେ ବ୍ୟକ୍ତିଗତ ଜାଗାରେ ପିଲର ପକାଇଥିବା ଅବରୋଧକାରୀ ଦର୍ଶାଇବା ସହ ଏନେଇ ତାଙ୍କ ସ୍ତ୍ରୀ ପୀରହାଟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଅଭିଯୋଗ କ୍ରମେ କେତେକ ପଂଚାୟତବାସୀଙ୍କ ନାଁରେ ଏକ ମକଦ୍ଦମା (ନଂ ୧୨୭/୨୬)ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସେହି ଅବରୋଧକାରୀ ଜଣକ ମଧ୍ୟ ତାଙ୍କର କେତେକ ସମ୍ପର୍କୀୟଙ୍କ ମାଧ୍ୟମରେ ବିଭିନ୍ନ ସମୟରେ ବିନ୍ଧା ବଜାରରେ ପଂଚାୟତର ଲୋକଙ୍କୁ ବିଭିନ୍ନ ପ୍ରକାର ଧମକ ଦେବା ସହ ଆତଙ୍କ ଚଳାଇ ମାନସିକ ନିର୍ଯାତନା ଦେଇଥିଲେ । ଏଥିରେ ଅତିଷ୍ଠ ଓ ଭୟଭୀତ ହୋଇ ୨ପଂଚାୟତର ଶତାଧିକ ଅଧିବାସୀ ଧାରଣା ଦେଇଥିଲେ । ପରେ ଆଇଆଇସି ରୋଜାଲିନ ବେହେରାଙ୍କ ସହ ବାରସର ସରପଂଚ ଚକ୍ରଧର ଦାସ, ପୂର୍ବତନ ସରପଂଚ ଶ୍ରୀ ମହାକୁଡ଼, ପୂର୍ବତନ ସରପଂଚ ମାନସ ରଞ୍ଜନ ସାହୁ, ପୂର୍ବତନ ସମିତିସଭ୍ୟ ଶ୍ରୀ ନାୟକ, ସମିତିସଭ୍ୟ କୈଳାସ ମାଝୀ, ବିପିନ ରାଉତ, କେଶବ ନାୟକ, ନୃସିଂହ ମହାକୁଡ଼, ପ୍ରଦୀପ୍ତ କୁମାର ମିଶ୍ର, ଦୀନବନ୍ଧୁ ମହାକୁଡ଼ ପ୍ରମୁଖ ଆଲୋଚନା କରି ଘଟଣା ସମ୍ପର୍କରେ ସୂଚନା ଦେବା ସହ ଆତଙ୍କ ସୃଷ୍ଟିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଥିଲେ । ଏହି ଘଟଣାର ତଦନ୍ତ କରାଯାଇ ବିନ୍ଧା ବଜାରରେ ପୋଲିସ ପଇଁତରା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ବେହେରା ପ୍ରତିଶ୍ରୁତି ଦେଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.