Home Top News ମହିଳା ମୋର୍ଚ୍ଚାକୁ ପ୍ରଶ୍ନ; ମହିଳା ମୋର୍ଚ୍ଚାର ଏ’ ପ୍ରଶ୍ନ ..

ମହିଳା ମୋର୍ଚ୍ଚାକୁ ପ୍ରଶ୍ନ; ମହିଳା ମୋର୍ଚ୍ଚାର ଏ’ ପ୍ରଶ୍ନ ..

73

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୧୧ ଜଣ ମହିଳା ସ୍ଥାନ ପାଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ପରେ ଏବେ ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିରେ ୧୧ ଜଣ ମହିଳା ମନ୍ତ୍ରୀ ମଣ୍ଡଳୀରେ ସ୍ଥାନ ପାଇଛନ୍ତି, ଯାହାକି ସର୍ବାଧିକ। ଏହାକୁ ନେଇ ଉତ୍ସାହିତ ଅଛି ବିଜେପି ମହିଳା ମୋର୍ଚ୍ଚା। ଏହା ମହିଳା ମାନଙ୍କ ପାଇଁ ଏକ ଗୌରବର ବିଷୟ ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ ଏଥିଲାଗି କୃତଜ୍ଞତା ଜଣାଇବା ସହ ପ୍ରଶଂସା କରି ମହିଳା ମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଛି ମହିଳା ମୋର୍ଚ୍ଚା। ସମ୍ବର୍ଦ୍ଧନା ସଭାରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନଥି ଶ୍ରୀନିବାଶନ ମହିଳା ମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ, ଏଠାରେ ଆଜି ଆସି ପହଞ୍ଚି ପାରିଥିବା ମହିଳା ମାନେ କାହାର ଝିଅ, କାହାର ଭଉଣୀ ଯୋଗୁଁ ନୁହେଁ ବରଂ ନିଜର ଦକ୍ଷତା ଏବଂ କଠିନ ପରିଶ୍ରମ ଯୋଗୁଁ ପହଞ୍ଚି ପାରିଛନ୍ତି। ଅନ୍ୟାନ୍ୟ ମନ୍ତ୍ରୀମାନଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ମୃତି ଇରାଣୀ ସେହି କଥାକୁ ଅଧିକ ବ୍ୟାଖ୍ୟା କରି କହିଥିଲେ, ଏ ସନ୍ଦେଶ ଭାରତର ସମସ୍ତ ନାରୀଙ୍କୁ ଯେ, ଜରୁରୀ ନୁହଁ ଯେ ତୁମେ କୌଣସି ବଡ଼ ଘରେ ଜନ୍ମ ନେଇଥାଅ। ଜରୁରୀ ନୁହେଁ ଯେ କୌଣସି ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ହିଁ ଭବିଷ୍ୟ ଉଜ୍ଜ୍ୱଳ ହୋଇ ପାରିବ। ମୋଦୀ ସରକାର ସମୟରେ ପ୍ରତ୍ୟେକ ମହିଳାଙ୍କ ପାଇଁ ଏହା ଏକ ଆବାହନ ଯେ ଯଦି ତୁମେ ଦୃଢ଼ ନିଷ୍ପତ୍ତି ନେଇଗଲ, ତେବେ ତୁମେ ବି ସମ୍ମାନର ସହିତ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିପାରିବ। ଭାନଥିଙ୍କ ପରେ ସ୍ମୃତିଙ୍କ ଏହି ବକ୍ତବ୍ୟ ଅନେକ ମହିଳା ନେତ୍ରୀଙ୍କ ମଧ୍ୟରେ ଏକ ଉତ୍ସାହ ଆଣି ଦେଇଥିବ ଏବଂ ମନରେ ଏକ ଆଶାର ସଞ୍ଚାର ସୃଷ୍ଟି କରିଦେଇଥିବ ନିଶ୍ଚିତ। ଆଶାବାଦୀ ହେବା ନିଶ୍ଚିତ ଭଲ। କିନ୍ତୁ, ଏହା ମଧ୍ୟ ସତ ଯେ, ନିରାଶାଜନକ ବାତାବରଣ ଭିତରେ ମିଥ୍ୟା ଆଶାବାଦୀ ହୋଇ ପରବର୍ତ୍ତୀ ମୁହୂର୍ତ୍ତରେ ଯେଉଁ ନିରାଶା ମିଳେ ତାହା ଆହୁରୀ କ୍ଷତିକାରକ ହୋଇଥାଏ। ଅବଶ୍ୟ ମହିଳା ମାନଙ୍କୁ ଶ୍ରେୟ ଦେବା ନେଇ ମୋଦି ପ୍ରଶଂସାର ପାତ୍ର। କିନ୍ତୁ, ଏଠାରେ ଆମେ ଓଡ଼ିଶା ବିଜେପିରେ ମହିଳା ନେତ୍ରୀଙ୍କ ଭିବିଷ୍ୟତ କଥା ନେଇ ଆଲୋଚନା କରିବା। ଏଠାରେ କ’ଣ ବାସ୍ତବରେ ଦକ୍ଷତା ଏବଂ ପରିଶ୍ରମର ମୂଲ୍ୟ ରହିଛି? ନାଁ, କୌଣସି ରାଜନୈତିକ ପରିବାରରେ ଜନ୍ମ, କୌଣସି ନେତାଙ୍କ ଭଉଣୀ, ପତ୍ନୀ କିମ୍ବା ଝିଅ ହେବାର ମହତ୍ତ୍ୱ ଅଧିକ ରହିଛି? ବିନା ଗଡଫାଦର (ପୁରୁଷ ନେତାଙ୍କ ଛତ୍ରଛାୟା) ବିନା କେବଳ ଦକ୍ଷତା, ପରିଶ୍ରମ ବଳରେ ଜଣେ ମହିଳା ନେତ୍ରୀ କ’ଣ ଏଠି ନିଜର ପରିଚୟ ସୃଷ୍ଟି କରିପାରିବ? ନିକଟରେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ଜିଲ୍ଲା ପରିଷଦ ନିର୍ବାଚନରେ ୫୦% ମହିଳାଙ୍କୁ ଟିକେଟ ଦିଆଯିବା କଥା ନେଇ ଆଲୋଚନା ହେଉଥିଲା। ବାସ୍ତବରେ ଏ’ ଯେଉଁ ୫୦% ମହିଳାଙ୍କୁ ଟିକେଟ ଦିଆଯିବ, ସେମାନଙ୍କ ଦକ୍ଷତା, ପରିଶ୍ରମ ଭିତ୍ତିରେ ସଙ୍ଗଠନ ପାଇଁ ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ଟିକେଟ୍ ଦିଆଯିବ? ନାଁ, କୌଣସି ନେତାଙ୍କ ଭଉଣୀ, ପତ୍ନୀ କିମ୍ବା ଝିଅଙ୍କୁ କିମ୍ୱା କୌଣସି ଗଡଫାଦରଙ୍କ ସୁପାରିଶରେ ଟିକେଟ୍ ବଣ୍ଟନ କରାଯିବ? ଟିକେଟ ପାଇବା ଆଶା କରିବା ଭୁଲ୍ ନୁହେଁ, କିନ୍ତୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଫଲୋୟର୍ସ ବଢ଼ାଇବାକୁ ପଡ଼ିବ ବୋଲି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।ଫଲୋୟର୍ସ ବଢ଼ାଇବା ସହ ଅବଶ୍ୟ ଲୋକ ସଂପର୍କ ବଢ଼ାଇବା କଥା ନେଇ ମଧ୍ୟ ଧର୍ମେନ୍ଦ୍ର କହିଥିଲେ। କିନ୍ତୁ, ଫଲୋୟର୍ସ ବଢ଼ାଇ ସେମାନେ ଟିକେଟ ପାଇବେ ନାଁ, କେବଳ ମନ୍ତ୍ରୀଙ୍କ ପାଇଁ ପ୍ରାୟୋଜିତ ଢଙ୍ଗରେ ଆସୁଥିବା ଫଟୋ, ପୋଷ୍ଟର ସେୟାର୍ କରିବାରେ ସୀମିତ ରହିଯିବେ? ନାଁ, କେବଳ ଲିପ୍ ସର୍ଭିସ ପାଇଁ ସେମାନେ ବ୍ୟବହାର ହେବେ?

୨୦୧୯ ନିର୍ବାଚନ ସମୟରେ ବିଜେପିର ଜଣେ ପରିଚିତ ନାରୀ ନେତ୍ରଙ୍କ ଏକ ଟ୍ୱିଟ୍ ଆସିଥିଲା। ଆଜିକାର ରାଷ୍ଟ୍ରୀୟ ପ୍ରବକ୍ତା ସାଇନା ଏନ. ସି ମହିଳା ସଂରକ୍ଷଣ ନେଇ ନବୀନ ପଟ୍ଟନାୟକଙ୍କ ସିଧାସଳଖ ପ୍ରଶଂସା କରିଥିଲେ। ସମାଜରେ ୫୦% ଭାଗିଦାର ଥାଇ ମଧ୍ୟ ମହିଳା ମାନଙ୍କୁ କୌଣସି ରାଜନୈତିକ ଦଳ ସୁଯୋଗ ଦେଉନଥିବା ବେଳେ ନବୀନ ପଟ୍ଟନାୟକ ଅଧିକ ସଂଖ୍ୟାରେ ମହିଳା ପାର୍ଥିଙ୍କୁ ଟିକେଟ ଦେଇଥିବାରୁ ସାଇନା ନବୀନଙ୍କୁ ପ୍ରଶଂସା କରିଥିଲେ। ଏଥିରୁ ଅନ୍ୟମାନେ ଶିଖିବା ଉଚିତ୍ ବୋଲି କହିବା ସହ ମହିଳାମାନେ ନିଜ ନିଜ ଦଳରେ ଏ’ ପ୍ରସଙ୍ଗ ଉଠାଇବା ଉଚିତ୍ ବୋଲି ସାଇନା କହିଥିଲେ। ସାଇନା ଟ୍ୱିଟ୍ କରିଥିଲେ, “ସବୁ ରାଜନୈତିକ ଦଳ ଜାଗ୍ରତ ହେବା ଆବଶ୍ୟକ। ମତଦାନରେ ମହିଳା ମାନଙ୍କର ୫୦% ଭାଗିଦାରୀ ରହିଛି। ଓଡ଼ିଶାରେ ନବୀନ ପଟ୍ଟନାୟକ ୩୩% ମହିଳାଙ୍କୁ ଟିକେଟ ଦେଇଛନ୍ତି। ଯେତେବେଳେ କି ଅନ୍ୟ ସବୁ ଦଳରେ ମହିଳାମାନେ କେବଳ ଲିପ୍ ସର୍ଭିସ୍ (ଭାଷଣ ବାଜି)ରେ ବ୍ୟବହୃତ ହେଉଛନ୍ତି।”

ବାସ୍ତବରେ ଏଠି ସାଙ୍ଗଠନିକ ଦାୟିତ୍ୱ କ୍ଷେତ୍ରରେ ହେଉ ଅବା ଟିକେଟ୍ ବଣ୍ଟନ କ୍ଷେତ୍ରରେ ହେଉ ଦକ୍ଷତା କିମ୍ବା ସଙ୍ଗଠନ ପ୍ରତି ସମର୍ପିତ ଆଧାରରେ ନୁହେଁ, ନେପୋଟିଜିମ୍, ଗଡ଼ଫାଦରଙ୍କ ସୁପାରିଶ କିମ୍ବା ପ୍ରିୟାପ୍ରୀତି ତୋଷଣରେ ସୁଯୋଗ ମିଳିଥାଏ ବୋଲି କୁହାଯାଏ। ଓଡ଼ିଶାରେ ଆଗକୁ ପଞ୍ଚାୟତ, ଜିଲ୍ଲା ପରିଷଦ ନିର୍ବାଚନ ଆସୁଛି। ପୌର ନିର୍ବାଚନ ମଧ୍ୟ ହୋଇପାରେ। ଦେଖିବାକୁ ରହିଲା କେତେ ମହିଳାଙ୍କୁ ସୁଯୋଗ ଦିଆଯାଉଛି? ଯେଉଁ ମାନଙ୍କୁ ସୁଯୋଗ ମିଳୁଛି, ସେମାନଙ୍କୁ ସେମାନଙ୍କ ଦକ୍ଷତା ଆଧାରରେ ସୁଯୋଗ ମିଳୁଛି, ନାଁ କେବଳ ନେପୋଟିଜିମ୍ (ପାରିବାରିକ ରାଜନୀତି) ଆଧାରରେ ଯେପରି କି ପତ୍ନୀ, ଭାଉଜ, ଖୁଡ଼ି, ଭଉଣୀ, ଝିଅ କିମ୍ବା କେଉଁ ନେତାଙ୍କ ଅନୁଗ୍ରହରେ ବା କୌଣସି ଗଡ଼ଫାଦରଙ୍କ ଆଧାରରେ ସୁଯୋଗ ମିଳୁଛି। ଏମିତିରେ କେବଳ ବିଜେପି ମହିଳା ମୋର୍ଚ୍ଚାକୁ ଯେ ଏ’ ପ୍ରଶ୍ନ କିମ୍ବା ମହିଳା ମୋର୍ଚ୍ଚାର ଜଣେ ସାଧାରଣ ନେତ୍ରୀ ବା କାର୍ଯ୍ୟକର୍ତ୍ତାର ଏ’ ପ୍ରଶ୍ନ ନୁହେଁ। ବିଜେଡି ଏବଂ କଂଗ୍ରେସ ଦଳ ପାଇଁ ମଧ୍ୟ ସେହି ସମାନ ପ୍ରଶ୍ନ ହୋଇପାରେ।
-@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.