Home Top News ମମିତା ମେହେର ପ୍ରସଙ୍ଗରେ ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମମିତା ମେହେର ପ୍ରସଙ୍ଗରେ ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି: ମୁଖ୍ୟମନ୍ତ୍ରୀ

117

ଭୁବନେଶ୍ୱର: ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ଘଟଣା ମୋତେ ଗଭୀର ଭାବେ ବ୍ୟଥିତ କରିଛି। ଏହି ଘଟଣାର ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ତଦନ୍ତ ହେବ। ଆଇନ ତା’ ବାଟରେ ଯିବ। ଏଭଳି ଜଘନ୍ୟ ହତ୍ୟାକାଣ୍ଡରେ ଯିଏ ଦୋଷୀ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ବିଧାନସଭାରେ ଏମିତି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭାବେ ସବୁବେଳେ ମହିଳା ଓ ଦୁର୍ବଳ ବର୍ଗଙ୍କୁ ନ୍ୟାୟ ଦେବାକୁ ମୁଁ ସଂକଳ୍ପବଦ୍ଧ। ମମିତା ମେହେର ଘଟଣାରେ ନିରପେକ୍ଷ ତଦନ୍ତର ଅନୁଧ୍ୟାନ ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କୁ ଦାୟିତ୍ୱ ଦିଆଯାଇଛି । ଏପରିକି ଏନେଇ ମୋ ସରକାର ଜଣେ ବିଚାରପତିଙ୍କୁ ତଦନ୍ତ ପକ୍ରିୟା ଅନୁଧ୍ୟାନ କରିବା ପାଇଁ ନିଯୁକ୍ତ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲା। ଏହା ସତ୍ତ୍ୱେ ମଧ୍ୟ ବିରୋଧୀ ବିଧାୟକ ଜଣେ ସଦସ୍ୟଙ୍କୁ ଗୃହକୁ ପ୍ରବେଶ ନକରାଇଦେବା ଉକ୍ତ ସଦସ୍ୟଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ପୋଲିସ ସମ୍ପୂର୍ଣ୍ଣ ଚାପମୁକ୍ତ ହୋଇ ପକ୍ଷପାତିତା ନକରି ତଥ୍ୟ ଓ ପ୍ରମାଣ ଆଧାରରେ ନିର୍ଭୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ମହିଳା ଅପରାଧ କ୍ଷେତ୍ରରେ ଦୋଷୀ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ମୁଁ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇଛି।

ବିଧାନସଭା ଲଗାତର ଅଚଳ ରହୁଥିବା ନେଇ ମୁଖ୍ୟମନ୍ତ୍ରୀ ବିବୃତିରେ କହିଲେ, ଏ ସମ୍ବେଦନଶୀଳ ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି। ଏହା ଅତ୍ୟନ୍ତ ଦୁଃଖ ଦାୟକ। ଯେକୌଣସି ମାମଲାରେ ପୋଲିସ ଯଦି ତଦନ୍ତରେ ଅବହେଳା କରିଛି, ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅତୀତରେ ମହିଳା ହିଂସା ସମ୍ପର୍କିତ ସମ୍ବେଦନଶୀଳ ମାମଲା ସିବିଆଇ କିମ୍ବା ହାଇକୋର୍ଟଙ୍କ ଅନୁଧ୍ୟାନରେ ତଦନ୍ତ କରାଯାଇଛି। ରାଜ୍ୟ ପୋଲିସର ତଦନ୍ତରେ କାହାକୁ ଅନୁକମ୍ପା ଦେଖା ଯାଇନାହିଁ ବୋଲି ସମ୍ପୃକ୍ତ ସଂସ୍ଥା ନିଜ ତଦନ୍ତ ରିପୋର୍ଟରେ ପ୍ରକାଶ କରିଛନ୍ତି। ଗୃହରେ ବିରୋଧୀ ବିଧାୟକମାନେ ଯେଉଁଭଳି ଢଙ୍ଗରେ ଏହି ଘଟଣାକୁ ରାଜନୀତିର ରଙ୍ଗ ଦେଉଛନ୍ତି, ତାହା ମୋତେ ମର୍ମାହତ କରିଛି। ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା, ମହାମାରୀ କରୋନା ମୁକାବିଲା ନେଇ ବେଶ ଚାପରେ ଅଛନ୍ତି। ଏହା ଛଡ଼ା ଚାଷୀ ପ୍ରସଙ୍ଗ, ଚାଉଳ ଉଠାଣରେ ଏଫସିଆଇର ମନମାନୀ, କେବିକେ ଓ ଆଦିବାସୀ ଜିଲ୍ଲାକୁ କେନ୍ଦ୍ର ଘର ଯୋଗାଣରେ ବାଧା ଦେଉଛି। ସେପଟେ ଦରଦାମ ବୃଦ୍ଧି, ରନ୍ଧନ ଗ୍ୟାସର ଦୁଇ ଗୁଣା ଦର ସହ ରାଜ୍ୟକୁ କେନ୍ଦ୍ରୀୟ ପାଣ୍ଠି ହ୍ରାସ ସାଧାରଣ ଲୋକଙ୍କୁ ବେସ ପ୍ରଭାବିତ କରୁଛି। ଏସବୁ ପ୍ରସଙ୍ଗରେ ବିରୋଧୀ ବିଧାନସଭାରେ ଆଲୋଚନା କରିବା ବଦଳରେ ଶସ୍ତା ରାଜନୀତିରେ ମାତିଛନ୍ତି।

ମୋ ସରକାରକୁ ଓଡ଼ିଶାବାସୀ ସର୍ବଦା ଭରସା, ସମର୍ଥନ ଓ ଆଶୀର୍ବାଦ ଦେଇ ଆସିଛନ୍ତି। ମମିତା ମେହେର ପରିବାରକୁ ସରକାର ନ୍ୟାୟ ଦେବେ, ଏନେଇ ମୁଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ମମିତାର ବାପା,ମାଆ ମଧ୍ୟ ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି। ସରକାରଙ୍କ ସଠିକ ତଦନ୍ତ ଏବଂ ପରିବାରର ଅନୁରୋଧ ସତ୍ତ୍ୱେ ମଧ୍ୟ ବିରୋଧି ଦଳ ଗୁଡ଼ିକ ମମିତା ମେହେର ମୃତ୍ୟୁ ଘଟଣାକୁ ରାଜନୀତିର ରଙ୍ଗ ଦେଉଛନ୍ତି। ଯାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.