ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଂଚଳ ଥାନା ନଳାଙ୍ଗରୁ ଯାଇଥିବା ହାଇଲେବୁଲ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ଜଣେ ନାବାଳକକୁ ଆଜି ସ୍ଥାନୀୟ ଲୋକ ଉଦ୍ଧାର କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ଖବର ପାଇ ଗ୍ରାମାଂଚଳ ପୁଲିସ୍ ମେଡିକାଲ ଓ ଘଟଣାସ୍ଥଳକୁ ଯାଇ ତଦନ୍ତ ଚାଲୁରଖିଛି। ଯୁକ୍ତ ଦୁଇରେ ପଢୁଥିବା ନାବାଳକ ରାଜୀବ ଲୋଚନ ପାଣିଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ଓ ରକ୍ତ ଜୁଡୁବୁଡୁ ଥିଲା। ତାଙ୍କ ମୁଣ୍ଡ ଓ ଦେହ ରେ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ ମା’ଙ୍କ କହିବା ଅନୁଯାୟୀ ତାଙ୍କ ପୁତ୍ର ରାଜୀବ ଗତକାଲି ସନ୍ଧ୍ୟା ୭ ଟାରୁ ଘରୁ ବାହାରକୁ ଯାଇଥିଲା। ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିଲା । ସାଙ୍ଗ ଓ ପରିବାର ଲୋକେ ରାତିତମାମ ଖୋଜିଥିଲେ । ତାହା ପରେ ବି କୌଣସି ପତା ମିଳିନଥିଲା । ପରେ ଆଜି ସକାଳ ୬ ଘଟିକାରେ ତାଙ୍କ ମା’ଙ୍କ ନିକଟକୁ ଫୋନ୍ରେ ତାଙ୍କ ପୁତ୍ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ନଳାଙ୍ଗ ହାଇଲେବୁଲ କେନାଲ ପାଖରେ ପଡିଥିବା ସଂପର୍କରେ ଜଣାଇଥିଲେ। ପରେ ରାଜୀବଙ୍କ ମା’ ତାଙ୍କ ସାନପୁତ୍ରକୁ ଧରି ଘଟଣାସ୍ଥଳରେ ପହଂଚିଥିଲେ। ତାଙ୍କ କହିବା ଅନୁଯାୟୀ ତାଙ୍କ ପୁତ୍ରର ଶରୀରର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଶରୀର ସଂପୂର୍ଣ୍ଣ ରକ୍ତରେ ଜୁଡୁବୁଡୁ ଥିଲା। ଘଟଣାସ୍ଥଳରେ ନାବାଳକର ମୋବାଇଲ୍, ବ୍ରେସ୍ଲେଟ୍ ଜବତ ହୋଇଛି। ତେବେ ଏହି ଘଟଣାର ସବିଶେଷ ରହସ୍ୟ ଏପର୍ଯ୍ୟନ୍ତ ଜଣାପଡିନଥିଲେ ମଧ୍ୟ ଏହା ପଛରେ ପ୍ରେମ ସଂପର୍କ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Home ଜିଲ୍ଲା ପରିକ୍ରମା ଧାରୁଆ ଅସ୍ତ୍ରରେ ନାବାଳକକୁ ମରଣାନ୍ତକ ଆକ୍ରମ, କେନାଲ ବନ୍ଧରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲା...







