ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ, କଟକ ତରଫରୁ ଜିଲ୍ଲା ସଂସ୍କୃତିଭବନ ପରିସରରେ ଜିଲ୍ଲା ପ୍ରଶାସନ, ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁମଙ୍ଗଳ କମିଟିଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଶିଶୁଯତ୍ନ ଅନୁଷ୍ଠାନମାନଙ୍କରେ ଯତ୍ନ ମାନଦଣ୍ଡ ସୂଚକ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଡ଼ି.ଏସ୍.ପି. (ଏଚ୍.ଆର.ପି.ସି.) ଶ୍ରୀନିବାସ ମହାନ୍ତି ଯୋଗଦାନ କରିଥିଲେ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁମଙ୍ଗଳ କମିଟିର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ୍ତ କର, ସୁରକ୍ଷା ଅଧିକାରିଣୀ (ମହିଳା ଶିଶୁବିକାଶ) ସଂଗୀତା ଦେ, ଶିଶୁସୁରକ୍ଷା ଅଧିକାରୀ ବିଜୟକେତନ ସାହୁ, ଲୋକସୂଚନା ଅଧିକାରୀ ରମେଶ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ସଂଯୋଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂ କର୍ମଶାଳାର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଷୟ ବିଷାରଦ ରୂପେ ଶିଶୁ ଅଧିକାରକର୍ମୀ ତଥା ରୂଚିକା ଚାଇଲ୍ଡ ଲାଇନ୍, ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ବେଣୁଧର ସେନାପତି ଶିଶୁଯତ୍ନ ଅନୁଷ୍ଠାନମାନଙ୍କରେ ଯତ୍ନ ମାନଦଣ୍ଡ କିପରି ପାଳନ କରାଯିବା ଉଚିତ୍ ଏବଂ କର୍ମକର୍ତ୍ତାମାନଙ୍କର ଭୂମିକା ସମ୍ବନ୍ଧରେ ଚିତ୍ର ପ୍ରଦର୍ଶନ ମାଧ୍ୟମରେ କର୍ମଶାଳାରେ ଆଲୋକପାତ କରିଥିଲେ। କିଶୋର ନ୍ୟାୟ ଅଧିନିୟମ ୨୦୧୫ ଓ ଆଦର୍ଶ ନିୟମାବଳୀ ୨୦୧୬ ଅନୁଯାୟୀ ପ୍ରତ୍ୟେକ ଶିଶୁଯତ୍ନ ଅନୁଷ୍ଠାନରେ ସର୍ବନିମ୍ନ ଯତ୍ନ ମାନଦଣ୍ଡ ପାଳନ କରିବା ପାଇଁ ବିହିତ ବ୍ୟବସ୍ଥା ରହିଛି। ଉକ୍ତ ନିୟମାବଳୀକୁ ଆଧାର କରି ଶିଶୁର ଅଧିକାର, ନିଷ୍ପତ୍ତି ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେବା ଉଚିତ ଏବଂ ଶିଶୁର ସକ୍ରିୟ ଅଂଶ ଗ୍ରହଣ ସହ ତା’ର ଥଇଥାନ, ପରିବାରରେ ପୁନଃ ମିଳନ ପ୍ରକ୍ରିୟାରେ ଗୁରୁତ୍ୱଦେବା ଉଚିତ ବୋଲି କର୍ମଶାଳାରେ ଆଲୋକପାତ କରାଯାଇଥିଲା। ଏଥିସହ କେବଳ କିଶୋରନ୍ୟାୟ ଆଇନ ଅଧିନରେ ଥିବା ଶିଶୁଯତ୍ନ ଅନୁଷ୍ଠାନ ବ୍ୟତିତ ବିଭିନ୍ନ ବିଭାଗରେ ଅନ୍ତର୍ଭୁକ୍ତ ଥିବା ଛାତ୍ରାବାସ, ସ୍ୱତନ୍ତ୍ର ବିଦ୍ୟାଳୟ, ଅନୁଷ୍ଠାନର କୋମଳମତି ଶିଶୁମାନଙ୍କର ଅଧିକାର, ଆତ୍ମସମ୍ମାନ, ଆତ୍ମବିଶ୍ୱାସ ଓ ସୁରକ୍ଷା ଦେବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କର୍ମଶାଳାରେ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଶିଶୁର ସାର୍ବଭୌମିକ ବିକାଶ ଓ ସୁରକ୍ଷା ପ୍ରତି ଯତ୍ନଶୀଳ ହେବାସହ ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁମାନଙ୍କୁ ମାନସିକ ଚାପମୁକ୍ତ କରିବା ଏବଂ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ସର୍ବଦା ଚେଷ୍ଟିତ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାସ୍ତରରେ ପଞ୍ଜିକୃତ ଥିବା ଶିଶୁ ଅନୁଷ୍ଠାନର ଅଧୀକ୍ଷକ, ପରିବିକ୍ଷ ଅଧିକାରୀ, ପରାମର୍ଶଦାତା, ଗୃହପିତା, ମାତା, ଚାଇଲ୍ଡଲାଇନ୍ର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶିଶୁମଙ୍ଗଳ କମିଟିର ସଦସ୍ୟ ସତ୍ୟ ସୁନ୍ଦର ପୁହାଣ, ସଂଗୀତା ଗିରୀ ସମେତ ଶିଶୁସୁରକ୍ଷା ବିଭାଗର ଆନୁଷ୍ଠାନିକ ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା, ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ୍, ପରିବୀକ୍ଷଣ ଅଧିକାରୀ ସୁବ୍ରତ ଦାସ ଯୋଗଦାନ କରିଥିଲେ। ସଂଯୋଗର ମଣ୍ଡଳ ସଂଯୋଜିକା ରୂପାଲି ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମଣ୍ଡଳ ସଂଯୋଜକ ମନୋରଞ୍ଜନ ସାହୁ, ଜଗନ୍ନାଥ ସାହୁ, ହିସାବ ରକ୍ଷକ ରିଙ୍କୁ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ପରିବୀକ୍ଷ ଅଧିକାରୀ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।