Home ଜିଲ୍ଲା ପରିକ୍ରମା ଷୋଳମପୁର ବୌଦ୍ଧବିହାର; ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ହେବ ଉନ୍ନୟନ କାର୍ଯ୍ୟ

ଷୋଳମପୁର ବୌଦ୍ଧବିହାର; ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ହେବ ଉନ୍ନୟନ କାର୍ଯ୍ୟ

23

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ଷୋଳମପୁର ବୌଦ୍ଧବିହାର’ ଉନ୍ନୟନ ପାଇଁ ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା’ର ବୈଷୟିକ ଦଳ ଶୁକ୍ରବାର ଅନୁଧ୍ୟାନ କରି ଉନ୍ନୟନ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ସପ୍ତାହରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଏହା ଦ୍ୱିତୀୟ ଅନୁଧ୍ୟାନ ଥିଲା । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱର ସହକାରୀ ଅଧିକ୍ଷକ ଭାଗିରଥି ଗଡତିଆଙ୍କ ନେତୃତ୍ୱରେ ସହକାରୀ ପ୍ରତ୍ନତତ୍ତ୍ୱବିତ ଡଃ ଅରୁଣିମା ପତି, ଡଃ ବୈଭବ କୁମାର ଶ୍ରୀବାସ୍ତବ ଓ ଫଟୋଗ୍ରାଫର ପ୍ରିୟଦର୍ଶନୀ କର ପ୍ରମୁଖ ଅନୁଧ୍ୟାନ କରି ବିଭିନ୍ନ ବସ୍ତୁ ସଂଗ୍ରହ କରିଥିଲେ । ଏହି ବୌଦ୍ଧବିହାର ସ୍ତୁପ(ମାଉଣ୍ଡ)ର ‘ପ୍ରବେଶ ଦ୍ୱାର’ ଭଗ୍ନାବଶେଷ, ରଘୁନାଥଜୀଉମନ୍ଦିର ଉତ୍ତରପାଶ୍ୱର୍ କାନ୍ଥରେ ଖୋଦେଇ ହୋଇଥିବା ବିରଳ ବୁଦ୍ଧ ‘ଅଷ୍ଟମହାଶ୍ଚର୍ଯ୍ୟ’ ମୂର୍ତ୍ତି, ସନ୍ତେଶ୍ୱରୀ ମନ୍ଦିର ସମ୍ମୁଖରେ ଅସୁରକ୍ଷିତ ଭାବେ ଥିବା ବିଭିନ୍ନ ମୂର୍ତ୍ତି, ମାଉଣ୍ଡ ଆଦି ସର୍ମ୍ପରେ ଅନୁଧ୍ୟାନ କରିଥିଲେ । ଏହି ଐତିହାସିକ କିର୍ତ୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ଜିଲ୍ଲାପାଳଙ୍କ ସହଯୋଗରେ ପ୍ରାରମ୍ଭିକ ପଦକ୍ଷେପ ନିଆଯିବ ବୋଲି ସଂସ୍ଥାର ପ୍ରତିନିଧି ଦଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗେଷ୍ଟ ହାଉସ ନିର୍ମାଣ, ମୂର୍ତ୍ତି ସଂରକ୍ଷଣ, ସୂପ୍ତ ଖନନ, ମୂର୍ତ୍ତି ଉଦ୍ଧାର, ସୂଚନା ଫଳକ ସ୍ଥାପନ, ଜଗୁଆଳି ନିଯୁକ୍ତି ଆଦି କାର୍ଯ୍ୟ ପ୍ରାଥମିକ ପର୍ଯ୍ୟାୟରେ ହାତକୁ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବୌଦ୍ଧବିହାର ବିକାଶ ପାଇଁ କାର୍ଯ୍ୟକରୁଥିବା ବିଶ୍ୱମ୍ଭର ରାଉତ ଅନୁଧ୍ୟାନକାରୀମାନଙ୍କୁ ପଥପ୍ରଦର୍ଶନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏହି ବୌଦ୍ଧବିହାର ବିକାଶ ପାଇଁ ପଦକ୍ଷେପ ନେବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.