Home ଜିଲ୍ଲା ପରିକ୍ରମା ଯୋଜନାକୁ ୫ ବର୍ଷ ପୂରିବ, ପୋଷ୍ୟଗ୍ରାମକୁ ବିକାଶ ଛୁଇଁ ପାରିଲାନି

ଯୋଜନାକୁ ୫ ବର୍ଷ ପୂରିବ, ପୋଷ୍ୟଗ୍ରାମକୁ ବିକାଶ ଛୁଇଁ ପାରିଲାନି

33

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଂସଦ ପୋଷ୍ୟଗ୍ରାମ ଗ୍ରହଣ ଯୋଜନାକୁ ୫ ବର୍ଷ ପୁରିବ ହେଲେ ଗ୍ରାମକୁ ବିକାଶ ଛୁଇଁ ପାରିଲାନି । ଅଧୁରା ରହିଗଲା ସାଂସଦଙ୍କ ଆଦର୍ଶ ଗ୍ରାମ ଗଠନ ଯୋଜନା । କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ଅଧୁରା ରହିଗଲା ବିକାଶ । କେବଳ କାଗଜପତ୍ରରେ ରହିଗଲା ବିକାଶ ଯୋଜନା । ଗତ୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର ସାଂସଦଙ୍କୁ ପର୍ଯ୍ୟୟ କ୍ରମେ ନିଜ ଅଂଚଳରେ ଥିବା ଗୋଟିଏ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରାଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଧାରକରି ତତ୍କାଳୀନ ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ଏବଂ ଉକ୍ତ ଗ୍ରାମର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ନିଜ ହାତ ପାଣ୍ଠିରୁ ଅର୍ଥ ମଧ୍ୟ ମଂଜୁର କରିଥିଲେ । ସେ ଆଜି ଧରା ପୃଷ୍ଠରେ ନାହାନ୍ତି କି ତାଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇପାରି ନାହିଁ । ଯାହାକି ବଡ଼ ଦୁଃଖ ଓ ଅନୁତାପର ବିଷୟ । ଗତ ୨୦୧୬ ମସିହା ଡ଼ିସେମ୍ବର ମାସ ୨୧ ତାରିଖରେ ସାଂସଦଙ୍କ ହାତ ପାଣ୍ଠି ଅର୍ଥରେ ଲୋକାର୍ପିତ ହୋଇଥିଲା ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା ।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୩ ଗୋଟି ଆଲୋକ ସ୍ତମ୍ଭ ଲୋକାର୍ପଣ କରାଯାଇଥିଲା । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଧିରେ ଧିରେ ଏହି ଆଲୋକ ସ୍ତମ୍ଭରୁ ହାତ ଗଣତି କିଛି ସ୍ତମ୍ଭକୁ ଛାଡ଼ି ଦେଲେ ଆଉ ସବୁ ସ୍ତମ୍ଭ ଏବେ ଅକାମି ହୋଇ ପଡ଼ିଥିବା ବେଳେ ଅନ୍ଧାରରେ ବୁଡ଼ି ରହିଛି ସାଂସଦଙ୍କ ପୋଷ୍ୟଗ୍ରାମ ପୁରୁଷଣ୍ଢ । ଗତ ୨୦୧୭ ମସିହାରେ ପଂଚାୟତ ପୁର୍ନଗଠନ ପରେ ପୁରୁଷଣ୍ଢରୁ ଭାଗ ହୋଇ ବିଟିପୁର ଏକ ନୂତନ ପଂଚାୟତ ହୋଇଥିବା ସତ୍ୱେ ପୁରୁଷଣ୍ଢ ପଂଚାୟତରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ରାସ୍ତାଘାଟ, ପରିମଳ ଏବଂ ପାନୀୟଜଳ ସମସ୍ୟା ଆଜିବି ଉତ୍କଟ ଥିବାର ଅଭିଯୋଗ ହେଉଛି । ରାଉତରାପୁର ଦେହୁରୀସାହୀ-ମହାନ୍ତିପଡ଼ା ଓ ହଳଦିପହଣୀ ସ୍କୁଲ ଠାରୁ ଗ୍ରାମକୁ ସଂଯୋଗୀକରଣ ସେତୁ, ଦମଦମା ଓ ନୂଆପୋଖରୀ ପଡ଼ିଆକୁ ମିନି ଷ୍ଟାଡ଼ିୟମ, ଚିଲଡ୍ରେନ ପାର୍କ, ଡ୍ରେନେଜ ବ୍ୟବସ୍ଥା, ଉଠାଜଳସେଚନ ବ୍ୟବସ୍ଥା, ବସଷ୍ଟାଣ୍ଡ, ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା ପ୍ରସଙ୍ଗ ମଧ୍ୟରୁ ବସ୍‌ଷ୍ଟାଣ୍ଡ ନିର୍ମାଣ ଓ ହଳଦୀପହଣୀ ସେତୁ ନିର୍ମାଣ ସଂପୂର୍ଣ୍ଣ ହୋଇ ନଥିବା ବେଳେ ଅନ୍ୟସବୁ ପ୍ରସଙ୍ଗ କେବଳ ପ୍ରସଙ୍ଗରେ ରହିଯାଇଛି । ସବୁ ଠାରୁ ବଡ଼ କଥା ହେଲା ଏଠାରେ ଥିବା ଜିଲ୍ଲାର ଅନ୍ୟତମ ସର୍ବ ପୁରାତନ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟାମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗ । ଏହାର ପୁନରୁଦ୍ଧାର ଲାଗି ମାନ୍ୟବର ସାଂସଦ ନିଜ ହାତ ପାଣ୍ଠି ଅର୍ଥରୁ ଏକ କାଳୀନ ୧ କୋଟି ୯ ଲକ୍ଷ ୭୦ହଜାର ଟଙ୍କା ମଂଜୁର କରିଥିଲେ । ଯେତିକି ଅର୍ଥ ଏହିପ୍ରାଚୀନ ବିଦ୍ୟାଳୟ ପୁନରୁଦ୍ଧାରରେ ମଂଜୁର କରିଥିଲେ ସେହି ଅର୍ଥରେ ଏହି ଅଂଚଳର ରାସ୍ତାଘାଟ, ଗମନାଗମନ ଏବଂ ପାନୀୟଜଳ ବ୍ୟବସ୍ଥାରେ ଏକ ବଡ ଧରଣର ସୁଧାର ଅଣାଯାଇ ପାରିଥାନ୍ତା । ହେଲେ ଏହି ଏ୍ୟୌତିହାସିକ ବିଦ୍ୟାଳୟର ପୁନରୁଦ୍ଧାର ସକାଶେ ସାଂସଦ ଆଖିବୁଜି ଅର୍ଥ ମଂଜୁର କରିଥିଲେ ।

କିନ୍ତୁ ବିଦ୍ୟାଳୟ ପୁନରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନଥିଲା ପରେ ମୋ ସ୍କୁଲ ଅଭିଯାନ ଅର୍ଥ ଉକ୍ତ ବିଦ୍ୟା ମନ୍ଦିରରେ ବିନିଯୋଗ ହୋଇଥିଲା ଏବଂ ୨୦୨୦ ମସିହାରେ ରାଜ୍ୟ ସରକାର ଉଚ୍ଚାକାଂକ୍ଷା ବିଦ୍ୟାଳୟ ତଥା ୫-ଟି ରୂପାନ୍ତରିତ ବିଦ୍ୟାଳୟରେ ଅର୍ନ୍ତଭୁକ୍ତ କରି ସ୍ମାର୍ଟ କ୍ଲାସ ରୁମ,ଇ-ଲାଇବ୍ରେରୀ,ବିଜ୍ଞାନାଗାର ଏବଂ ଅତ୍ୟାଧୁନିକ କମ୍ପ୍ୟୁଟର କକ୍ଷ ନିର୍ମାଣ କରିବା ସହିତ ସର୍ବାଙ୍ଗୀନ ସୈାନ୍ଦର୍ଯ୍ୟ କରଣ ନିମନ୍ତେ ୩୦ଲକ୍ଷ ଟଙ୍କା ମଂଜୁର କରିଥିଲେ । ଏହି ସବୁ ଅର୍ଥ ବ୍ୟୟରେ ବିଦ୍ୟାମନ୍ଦିର ନୂତନତ୍ୱ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ପବିତ୍ର ଶିଶୁ ଦିବସ ଅବସରରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଆଦର୍ଶ ଗ୍ରାମ ଗଠନ କ୍ଷେତ୍ରରେ କୋଟି କୋଟି ଟଙ୍କା ମଂଜୁରି ସତ୍ତ୍ୱେ ପୋଷ୍ୟଗ୍ରାମର ବିକାଶ ସାଧିତ ହୋଇ ନପାରିବା ବିଭାଗୀୟ ଅଧିକାରୀ ଏବଂ ଜନନେତାଙ୍କ ସମେତ ଘଟଣା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ଏଥିଲାଗି ପୋଷ୍ୟ ଗ୍ରାମବାସିନ୍ଦା ଯୋଜନା କାର୍ଯ୍ୟକାରୀ କରୁଥିବା ସରକାରୀ କଳର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.