Home ଜିଲ୍ଲା ପରିକ୍ରମା ମେଡ଼ିକାଲରେ ବୋଲେରୋ ମାଡ଼ିଯିବା ଘଟଣାକୁ ୩ମାସ ପୁରିଲା, ବଂଚିବା ପାଇଁ ତନ୍ମୟୀଙ୍କ ସଂଗ୍ରାମ ଜାରୀ, ପ୍ରଶାସନ...

ମେଡ଼ିକାଲରେ ବୋଲେରୋ ମାଡ଼ିଯିବା ଘଟଣାକୁ ୩ମାସ ପୁରିଲା, ବଂଚିବା ପାଇଁ ତନ୍ମୟୀଙ୍କ ସଂଗ୍ରାମ ଜାରୀ, ପ୍ରଶାସନ ଖୁବ ଶୀଘ୍ର ସହାୟତାର ହାତ ବଢାଇବ – ଜିଲ୍ଲାପାଳ

27

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶେଷରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରଶାସନ ଖୁବ୍ ଶୀଘ୍ର ସହାୟତା ଓ ଚିକିତ୍ସାର ସୁବିଧା ଯୋଗାଇ ଦେବାର ପ୍ରତିଶୃତି ଦେଇ ବଂଚିବା ପାଇଁ ସଂଗ୍ରାମ ଜାରୀ ରଖିଥିବା ତନ୍ମୟୀଙ୍କ ଆଶାରେ ଆଲୋକ ସୃଷ୍ଟି କରିଥିବା ଜଣାପଡ଼ିଛି। ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗତ ଜୁନ ମାସ ୧ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ରୋଗୀ ଓ ତାଙ୍କ ସଂପର୍କୀୟମାନେ ଚିକିତ୍ସା ପାଇଁ କାଉଣ୍ଟର ଆଗରେ ଲମ୍ବାଧାଡ଼ିରେ ଟିକେଟ କରିବାକୁ ଠିଆ ହୋଇଥିବା ସମୟରେ ଏକ ବଲେରୋ ରୋଗୀଙ୍କ ଆଡ଼କୁ ମାଡ଼ି ଆସିଥିଲା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟାନ୍ୟ ଗୁରୁତର ଆହତମାନଙ୍କୁ ଭଦ୍ରକ ଓ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ଆଗରପଡ଼ାସ୍ଥିତ ବଡ଼ମହିଁଷଗୋଠ ଗ୍ରାମର ତନ୍ମୟୀ ଜେନା(୨୮) ଏକ ଶିଶୁକୁ ଦୁର୍ଘଟଣାରୁ ବଂଚାଇ ନିଜେ ଦୁର୍ଘଟଣାର ଶିକାର ହୋଇଥିଲେ। ପରେ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧିନ ରହିଥିଲେ। ତାଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଯିବା ସହ ହାତରେ ୨ ଟି ଆଙ୍ଗୁଠି ଭାଙ୍ଗି, ଜଙ୍ଘରେ ଗଭୀର ଆଘାତ ଲାଗିଥିଲା। ପରବର୍ତ୍ତି ସମୟରେ ଜଘଂରେ ମାଂସ ପଚିବାରୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା।

ଏବେ ସୁଦ୍ଧା ତିନି ତିନି ଧର ଅପରେସନ କରାଗଲାଣି। ବ୍ୟୟ ବହୁଳ ଅପରେସନ ଓ ପ୍ଲାଷ୍ଟିକ ସର୍ଜରୀ କରି ତନ୍ମୟୀଙ୍କ ସ୍ୱାମୀ ରଂଜନ ବର୍ତ୍ତମାନ ହତୋତ୍ସାହ ହୋଇପଡ଼ିଛନ୍ତି। ନିଜ କାମ ଧନ୍ଦା ବନ୍ଦ ହୋଇ ପଡ଼ିଥିବା ବେଳେ ଗୋଟେ ପଟେ ଶଯ୍ୟାଶାୟୀ ସ୍ତ୍ରୀ ଓ ଅନ୍ୟପଟେ ୨ଗୋଟି ଛୁଆଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ରଂଜନ ଓ ତାଙ୍କ ପରିବାର। ଏହିପରି ଏକ ଘଟଣାରେ ତନ୍ମୟୀଙ୍କୁ ଟଙ୍କା ଟିଏ ସରକାରୀ ସହାୟତା ମିଳିନଥିବା ବେଳେ ମାନବିକତା ଦୃଷ୍ଟି କୋଣରୁ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀ କେହିବି ତାଙ୍କୁ ଭେଟି ନଥିବା ପରିବାରର ଲୋକେ କହିବା ବଡ଼ ଦୁଃଖ ଓ ବିଡ଼ମ୍ବନାର ବିଷୟ। ଆଗରପଡ଼ା ମେଡ଼ିକାଲ କର୍ତ୍ତୃପକ୍ଷ ସରକାରୀ ମେଡ଼ିସିନ ଯୋଗାଇ ଦିଆଯାଉଥିବା କହିଥିବା ବେଳେ ଏହି ପରି ଏକ ଘଟଣାରେ ତନ୍ମୟୀଙ୍କ ଚିକିତ୍ସା ଓ ଆର୍ଥିକ ସହାୟତା ପାଇଁ ପ୍ରଶାସନ ଖୁବ୍ ଶୀଘ୍ର ସହାୟତାର ହାତ ବଢାଇବ ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରକାଶ କରିଥିବାରୁ ବଂଚିବା ପାଇଁ ସଂଗ୍ରାମ ଜାରୀ ରଖିଥିବା ତନ୍ମୟୀଙ୍କ ଆଶାରେ ଆଲୋକ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.