ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ଧରି ଅବହେଳିତ ହୋଇପଡ଼ିଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବେ ଅଞ୍ଚଳବାସୀଙ୍କ ପାଇଁ ଦୁର୍ଦ୍ଦଶାର କାରଣ ପାଲଟିଛି। ରାସ୍ତାରେ ଥିବା ଏକ ପୁରୁଣା ମିନିବ୍ରିଜ୍ର ପାର୍ଶ୍ୱ ଭୁଶୁଡ଼ି ପଡ଼ିବା ପରେ ଯାତାୟାତ ଏକପ୍ରକାର ବିପର୍ଯ୍ୟସ୍ତ ହୋଇଛି। ବ୍ରିଜ୍ ନିକଟରେ ଏକ ବଡ଼ ଖାତ ସୃଷ୍ଟି ହୋଇଥିବାରୁ ଯାନବାହନ ଚଳାଚଳ ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଛି। ଧାମନଗର ବ୍ଲକ ଅଧୀନ ପାଳସାହି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ବାହାରି ତିହିଡ଼ିଠାରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ୨୨ କିମି ଦୀର୍ଘ ଏହି ରାସ୍ତା ଉପରେ ଧାମନଗର ସମେତ ତିହିଡି ଏବଂ ଚାନ୍ଦବାଲି ବ୍ଳକର ଅନେକ ଗ୍ରାମର ଜନସାଧାରଣ ନିର୍ଭରଶୀଳ। ରଇପୁର ଗ୍ରାମର କଣ୍ଟିକା ପ୍ରଧାନସାହି ନିକଟରେ ଥିବା ପୁରୁଣା ମିନିବ୍ରିଜ୍ର ଗୋଟିଏ ପାର୍ଶ୍ୱ ନିକଟରେ ହୋଇଥିବା ବନ୍ୟାଜଳ ପ୍ରଭାବରେ ଭୁଶୁଡ଼ିଯାଇଛି। ଏହା ଫଳରେ ବ୍ରିଜ୍ ପାଖରେ ମାଟି ଧସି ବିପଜ୍ଜନକ ଅବସ୍ଥା ସୃଷ୍ଟି ହୋଇଛି। ରାସ୍ତାଟି ଦୈନିକ ଶତାଧିକ ଲୋକଙ୍କ ସମେତ ଛାତ୍ରଛାତ୍ରୀଙ୍କ ଯାତାୟାତର ମୁଖ୍ୟ ମାଧ୍ୟମ। ହେଲେ ତିନି ସପ୍ତାହ ହେଲା ମୁଖ୍ୟମନ୍ତ୍ରୀ ବସ୍ ସେବାର ବସ୍ ବାଙ୍କସାହି ପର୍ଯ୍ୟନ୍ତ ଯାଇପାରୁନାହିଁ। ଫଳରେ ଯାତ୍ରୀମାନଙ୍କୁ ବେତାଳିଗାଁ ପର୍ଯ୍ୟନ୍ତ ପ୍ରାୟ ୬ କିମି ବାଟ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥିସହ ଛାତ୍ରଛାତ୍ରୀ ଓ ରୋଗୀଙ୍କ ଯାତାୟାତ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ବ୍ରିଜ୍ର ତୁରନ୍ତ ମରାମତି କରି ରାସ୍ତାରେ ସ୍ୱାଭାବିକ ଯାତାୟାତ ବ୍ୟବସ୍ଥା କରିବାକୁ ଧାମନଗର ବ୍ଳକର ରଇପୁର ପାଳସାହି ପଞ୍ଚାୟତର ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି। ତୁରନ୍ତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଦୁର୍ଘଟଣାର ଆଶଙ୍କା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି।








