Home ଜିଲ୍ଲା ପରିକ୍ରମା ମେଘା ପ୍ରକଳ୍ପ କମ୍ପାନୀର ଦାୟିତ୍ୱହୀନତା, ପାଇପ୍ ଫାଟି ରାସ୍ତାରେ ଆଣ୍ଠୁଏ ପାଣି,ଆରଡ଼ି-ଧୂଷୁରୀ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ମେଘା ପ୍ରକଳ୍ପ କମ୍ପାନୀର ଦାୟିତ୍ୱହୀନତା, ପାଇପ୍ ଫାଟି ରାସ୍ତାରେ ଆଣ୍ଠୁଏ ପାଣି,ଆରଡ଼ି-ଧୂଷୁରୀ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

1

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମେଘା ପ୍ରକଳ୍ପର ଦାୟିତ୍ୱ ନେଇଥିବା କମ୍ପାନୀର ଖାମଖିଆଲି ମନୋଭାବ ଓ ଦାୟିତ୍ୱହୀନତା ଯୋଗୁଁ ଆରଡ଼ି ରୁ ଧୂଷୁରୀ ଯିବା ମୁଖ୍ୟ ରାସ୍ତା ଏବେ ଜଳମଗ୍ନ ହେବାରେ ଲାଗିଛି। ରାସ୍ତାର ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଣ ପାଇଁ ବିଛାଯାଇଥିବା ପାଇପ୍ ଫାଟି ପାଣି ବାହାରୁ ଥିବାରୁ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିବା ସହ ନିକଟସ୍ଥ ଘର ଭିତରକୁ ମଧ୍ୟ ପାଣି ପଶିଯାଉଛି।ବିଶେଷକରି ଧୂଷୁରୀ, ପନ୍ଦରବାଟିଆ, ସାହୁସାହି ଆଦି ଅଂଚଳରେ ପାଇପ୍ ଫାଟିବା ଯୋଗୁଁ ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ଫଳରେ ରାସ୍ତାକଡ଼ରେ ଥିବା ଅନେକ ଘର ଭିତରକୁ ପାଣି ପଶି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘର ଅଗଣା ଓ ରାସ୍ତା ଏକାକାର ହୋଇପଡ଼ିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପକ୍ଷରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ପ୍ରବାହିତ ହେବା ଯୋଗୁଁ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହାସହ ଯାତାୟାତ ରେ ମଧ୍ୟ ଗୁରୁତର ବାଧା ସୃଷ୍ଟି ହେଉଛି। ଦୁଇଚକିଆ ଯାନ ଠାରୁ ଆରମ୍ଭ କରି ଚାରିଚକିଆ ଯାନ ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏପରିକି ରାସ୍ତାରେ ଥିବା ପାଣି ଯୋଗୁଁ ଯାନବାହନ ଚାଳକମାନେ ଦୁର୍ଘଟଣାର ଆଶଙ୍କାରେ ଯାତାୟାତ କରୁଛନ୍ତି।ଜନସାଧାରଣଙ୍କୁ ସୁବିଧାରେ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ମେଘା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ପାଇପ୍ ଫାଟି ଏଭଳି ଅବସ୍ଥା ସୃଷ୍ଟି ହେବା ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ କାର୍ଯ୍ୟ ତଦାରଖକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପାଇପ୍ ଫାଟିବା ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହେଉନଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଫାଟି ଥିବା ପାଇପ୍ ଗୁଡ଼ିକର ମରାମତି କରିବା, ରାସ୍ତା ଉପରେ ଜମିଥିବା ପାଣି ନିଷ୍କାସନ କରିବା ଏବଂ କ୍ଷତିଗ୍ରସ୍ତ ରାସ୍ତାର ମରାମତି କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏଥିସହିତ ମେଘା ପ୍ରକଳ୍ପର ଦାୟିତ୍ୱରେ ଥିବା କମ୍ପାନୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.