ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭଦ୍ରକ ଜିଲ୍ଲାରେ କୃଷି କାର୍ଯ୍ୟର ଶୁଭାରମ୍ଭ ହୋଇଛି। ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପାରମ୍ପରିକ ଓଡ଼ିଆ ପୋଷାକ ପରିଧାନ କରି ମନ୍ତ୍ରୀ, ଜିଲ୍ଲାପାଳ ଓ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ବିଧିବଦ୍ଧ ପୂଜାର୍ଚ୍ଚନା କରି ‘ଅଖିମୁଠି ଅନୁକୂଳ’ ମାଧ୍ୟମରେ ଚଳିତ ବର୍ଷର କୃଷି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ‘ସିଏମ୍ କିଷାନ ସହାୟତା’ ଯୋଜନା ଅନ୍ତର୍ଗତ ଖରିଫ-୨୦୨୬ ପାଇଁ ସହାୟତା ରାଶି ପ୍ରଦାନ କରିଥିଲେ। ଭଦ୍ରକ ଜିଲ୍ଲାର ୨ ଲକ୍ଷ ୧୩ ହଜାର ୭୭୫ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୪୨ କୋଟି ୭୫ ଲକ୍ଷ ୫୦ ହଜାର ଟଙ୍କା ହସ୍ତାନ୍ତର କରାଯାଇଥିଲା। ଭୂମିହୀନ କୃଷି ପରିବାର ପ୍ରତ୍ୟେକଙ୍କୁ ୨,୦୦୦ ଟଙ୍କା ଲେଖାଏଁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ କହିଥିଲେ, “ଅକ୍ଷୟ ତୃତୀୟା ଆମ ମାଟି ଏବଂ ମାଟିର ମଣିଷଙ୍କ ସମୃଦ୍ଧିର ପର୍ବ। କୃଷକମାନଙ୍କ ଆର୍ôଥକ ମେରୁଦଣ୍ଡକୁ ସୁଦୃଢ଼ କରି ଏକ ବିକଶିତ ଓଡ଼ିଶା ଗଠନ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିଟି ବିକାଶମୂଳକ କାର୍ଯ୍ୟକୁ କ୍ଷେତ୍ର ସ୍ତରରେ ସଠିକ୍ ପ୍ରତିଫଳନ କରିବା ହେଉଛି ଜିଲ୍ଲା ପ୍ରଶାସନର ମୂଳ ଲକ୍ଷ୍ୟ।” ସେ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଭଲ ଫସଲ ପାଇଁ ପ୍ରାର୍ଥନା କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ଚାଷୀମାନେ ଦେଶ ଓ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ‘ସିଏମ୍ କିଷାନ’ ଯୋଜନା ମାଧ୍ୟମରେ ଦିଆଯାଉଥିବା ଆର୍ôଥକ ସହାୟତା ଚାଷୀମାନଙ୍କ ଆର୍ôଥକ ସ୍ଥିତିକୁ ସୁଦୃଢ଼ କରିବା ସହ ସେମାନଙ୍କୁ ଋଣଗ୍ରସ୍ତ ହେବାରୁ ସୁରକ୍ଷା ଦେଉଛି। ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ କହିଥିଲେ ଯେ, କୃଷି ହେଉଛି ରାଜ୍ୟବାସୀଙ୍କ ମୁଖ୍ୟ ଜୀବିକା ଏବଂ ରାଜ୍ୟର ପ୍ରାୟ ୭୦ ଶତାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ସହ ଚାଷୀମାନେ ସମୃଦ୍ଧ ହେଲେ ଦେଶର ପ୍ରକୃତ ପ୍ରଗତି ସମ୍ଭବ ବୋଲି ସେ କହିଥିଲେ। ପ୍ରୀତିରେଖା ମହାଲିକ, ଭଦ୍ରକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଶଶିଭୂଷଣ ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ, ଡ଼ଃ ସଞ୍ଜୟ ମହାନ୍ତି, ବରିଷ୍ଠ ବୈଜ୍ଞାନିକ ଏବଂ କେଭିକେର ମୁଖ୍ୟ, ଡ଼ଃ ବିଶ୍ୱରଞ୍ଜନ ନାୟକ, ଆରଆରଟିଟିଏସ୍ର ସହ-ନିର୍ଦ୍ଦେଶକ କାର୍ଯ୍ୟକ୍ରମରେ ଉପସ୍ଥିତ କୃଷକମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଓ ଉନ୍ନତ କୃଷି ପ୍ରଣାଳୀ ସମ୍ପର୍କରେ ସଚେତନ କରାଇଥିଲେ। ଧାମନଗର ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡା ମଂଚ ପରିଚାଳନା କରିଥିଲେ। ଏଥାରେ ଉଲ୍ଲେଖନୀୟ ଯେ, ଏହା ସହ ସିଏମ୍ କିଷାନ ଯୋଜନା ଅନ୍ତର୍ଭୁକ୍ତ କୃଷି ବିଦ୍ୟାନିଧି ଯୋଜନାରେ ୨୦୨୫-୨୬ ଶିକ୍ଷାବର୍ଷରେ ସମୁଦାୟ ୬୦୮୭ ଜଣ ଛାତ୍ରଛାତ୍ରୀଙ୍କୁ ସର୍ବମୋଟ ୨୫.୭୮ କୋଟି ଟଙ୍କାର ଶିକ୍ଷାବୃତି ପ୍ରଦାନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ସାଢେ ଚାରିଗୁଣ ଅଧିକ।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ଅକ୍ଷୟ ତୃତୀୟା ପାଳିତ; ଅଖିମୁଠି ଅନୁକୂଳ ସହ ଚାଷୀଙ୍କୁ ମିଳିଲା ‘ସିଏମ୍ କିଷାନ ସହାୟତା’,...








