Home ଜିଲ୍ଲା ପରିକ୍ରମା ବରଗଡା ପାକ୍ସର ସଂପାଦକଙ୍କ ଚାଷୀମାରଣ ନୀତି , ଗତ ୩ ଆର୍ଥିକ ବର୍ଷରେ ଚାଷୀମାନଙ୍କ ଠାରୁ...

ବରଗଡା ପାକ୍ସର ସଂପାଦକଙ୍କ ଚାଷୀମାରଣ ନୀତି , ଗତ ୩ ଆର୍ଥିକ ବର୍ଷରେ ଚାଷୀମାନଙ୍କ ଠାରୁ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ, ଜିଲାପାଳଙ୍କ ଦ୍ୱାରସ୍ଥ

24

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାଷୀମାନଙ୍କୁ ନିୟମିତ ଠକେଇରେ ଲିପ୍ତ ଥିବା ଧାମନଗର ବ୍ଲକ୍ ଗୋବିନ୍ଦପୁର ପଂଚାୟତ ଅଧୀନସ୍ଥ ବରଗଡା ପାକ୍ସର ସଂପାଦକ ଅଶୋକ କୁମାର ବସନ୍ତିଆଙ୍କ ବିରୁଦ୍ଧରେ ଆଜି ଉକ୍ତ ପଂଚାୟତବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗକାରୀ ଚାଷୀମାନଙ୍କ ମଧ୍ୟରେ ପ୍ରଭାତ କୁମାର ସେଠୀ, ଆନନ୍ଦ ଚନ୍ଦ୍ର ସାହୁ, ମୁରଲୀଧର ଜେନା, ପ୍ରଭାକର ନାଥ, ପ୍ରମୋଦ କୁମାର ବେହେରା, ଭଗବାନ ସେଠୀ, ରଥ ପ୍ରସାଦ ବେହେରା, ବିଜୟ କୁମାର ରାଉତ, ବିକାଶ କୁମାର ପଲାଇ, ଅନୀଲ କୁମାର ପୃଷ୍ଟି ପ୍ରମୁଖ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ରରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ ସମସ୍ତ ଚାଷୀମାନେ ଗୋବିନ୍ଦପୁର ପଂଚାୟତର ଅଧିବାସୀ ଥାଇ ବରଗଡା ସେବା ସମବାୟ ସମିତି ଅଧୀନରେ ବସବାସ କରିଆସୁଛନ୍ତି । ଗତ ୩ ବର୍ଷ ହେବ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଧୁଷୁରୀ ଥାନା ପକ୍ଷରୁ କୌଣସି ଅନୁସନ୍ଧାନ କିମ୍ବା ସଂପୃକ୍ତ ସଂପାଦକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଗତ ୨୦୧୮-୧୯ ଖରିଫ ଋତୁରେ ୨ ହଜାର କ୍ୱିଣ୍ଟାଲ ଧାନ ବାବଦ ୨୦ ଲକ୍ଷ ଟଙ୍କା, ୨୦୧୯-୨୦ ରେ ହଜାରେ କ୍ୱିଣ୍ଟାଲ ଧାନ ବାବଦ ୧୦ ଲକ୍ଷ ଓ ୨୦୨୦-୨୧ ରେ ହଜାରେ କ୍ୱିଣ୍ଟାଲ ଧାନ ବାବଦ ୧୦ ଲକ୍ଷ ଟଙ୍କାର ଧାନ ବର୍ଷବର୍ଷ ଧରି ସରକାର ନେଉନାହାଁନ୍ତି ବୋଲି ଦର୍ଶାଇ ସଂପୃକ୍ତ ସଂପାଦକ ଶ୍ରୀ ବସନ୍ତିଆ ଚାଷୀମାନଙ୍କୁ ଠକି ଚାଲିଛନ୍ତି । ପରେ ନିଜ ଇଚ୍ଛା ମୁତାବକ ଶାଗ ମାଛ ଦରରେ ଚାଷୀମାନଙ୍କୁ ପରିଶୋଧ କରୁଛନ୍ତି ।

ଏ ବିଷୟରେ ଥାନାରେ ଅଭିଯୋଗ କଲେ ପୁଲିସ୍ ଶୁଣୁନଥିବାବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଛି । କିନ୍ତୁ ସେମାନଙ୍କ ଭଳି ଚାଷୀମାନେ ବାର ଦୁଆର ଶୁଣ୍ଢିପିଣ୍ଢା ବୁଲି ନ୍ୟାୟ ପାଉନାହାଁନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ୨୦୨୦-୨୧ ବର୍ଷରେ ହଜାରେ କ୍ୱିଣ୍ଟାଲ ଧାନ ମିଲ୍‌ରେ ମହଜୁଦ ଥିବାବେଳେ ତାହା ଇତିମଧ୍ୟରେ ବିକ୍ରି ହୋଇଯାଇଛି । ସେ ବାବଦ ୩୩ ଜଣ ଚାଷୀ ଟଙ୍କାଟିଏ ମଧ୍ୟ ପାଇନାହାଁନ୍ତି । ଇଚ୍ଛାପୁର ଗ୍ରାମର ଖଗେଶ୍ୱର ରାଉତଙ୍କ ଠାରୁ ୧୯୧ କ୍ୱିଣ୍ଟାଲ ଧାନ ଶ୍ରୀ ବସନ୍ତିଆ ନେଇଥିବାବେଳେ ଟଙ୍କାଟିଏ ମଧ୍ୟ ଦେଇନାହାଁନ୍ତି । ଯାହା ଅନୁସନ୍ଧାନ ସାପେକ୍ଷ । ଏଣୁ ଏହି ବିଷୟରେ ଏକ ନିରପେକ୍ଷ ତଦନ୍ତ କରି ୭ ଦିନ ମଧ୍ୟରେ ସଂପୃକ୍ତ ପାକ୍ସର ସଂପାଦକ ଶ୍ରୀ ବସନ୍ତିଆଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପର୍ଯ୍ୟାୟକ୍ରମେ ସମିତି ଅଫିସ୍‌, ଏଆରସିଏସ୍ ଅଫିସ୍‌, ସିଏସ୍‌ଓଙ୍କ କାର୍ଯ୍ୟାଳୟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଲାପକାଇ ଆମରଣ ଅନଶନ କରିବେ ବୋଲି ସଂପୃକ୍ତ ଚାଷୀମାନେ ଚେତାବନୀ ଦେଇଛନ୍ତି । ଏହାର ଏକକିତା ନକଲ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ମୁଖ୍ୟମନ୍ତ୍ରୀ, ଏଫ୍‌ଏସ୍‌ସିଡବ୍ଲ୍ୟୁ କମିଶନର, ସିଓଓପିର କମିଶନର, ୫-ଟି ସଚିବ, ଏଫ୍‌ଏସ୍‌ସିଡବ୍ଲ୍ୟୁର ଏମ୍‌ଡି, ଏସ୍‌ପି, ସିଏସ୍‌ଓ, ଏଆରସିଏସ୍‌, ଭଦ୍ରକଙ୍କ ଗୋଚରାର୍ଥେ ନିମନ୍ତେ ପ୍ରେରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.