Home ଜିଲ୍ଲା ପରିକ୍ରମା ଧାମନଗର ବିଜେଡି ରାଜନୀତିକୁ ନେଇ ଚର୍ଚ୍ଚା, ବାଦ୍ ପଡିବେ ମୁକ୍ତି-ରାଜେନ୍ଦ୍ର, ୧୫ ଜଣିଆ କମିଟି ହାତରେ...

ଧାମନଗର ବିଜେଡି ରାଜନୀତିକୁ ନେଇ ଚର୍ଚ୍ଚା, ବାଦ୍ ପଡିବେ ମୁକ୍ତି-ରାଜେନ୍ଦ୍ର, ୧୫ ଜଣିଆ କମିଟି ହାତରେ ରହିବ ସଙ୍ଗଠନ

61

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଜେଡି ରାଜନୀତିରୁ ହଟିବେ ମୁକ୍ତି-ରାଜେନ୍ଦ୍ର । ନିର୍ବାଚନ ମଣ୍ଡଳୀରେ ଦୀର୍ଘ୍ୟମିଆଦି ମୁକ୍ତି-ରାଜେନ୍ଦ୍ର ବିବାଦର ସମାଧାନ ସକାସେ ଗତ ପ୍ରାୟ ୬ ମାସ ତଳେ ଦଳିୟ ନେତୃତ୍ୱ କୌଣସି ଏକକ ନେତାଙ୍କୁ ଦିଆନଯାଇ ଏକ ୧୫ ଜଣିଆ କମିଟି ହାତରେ ନ୍ୟସ୍ତ କରାଯିବା ଘଟଣାରୁ ଏହି କଥା ସ୍ପଷ୍ଟ ହୋଇଛି । ଏବେ ନହେଲେ ମଧ୍ୟ ଆଗକୁ ଧାମନଗର ରେ ନୂଆ ମୁହଁ ଦେଇ ସମସ୍ୟାର ସ୍ଥାଇ ସମାଧାନ କରାଯିବା ଲକ୍ଷରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଚର୍ଚା ହେଉଛି । ଯାହାର ବ୍ଲୁପ୍ରିଂଟ ପଡୋଶୀ ଯାଜପୁର ଜିଲ୍ଲାରୁ ପ୍ରସ୍ତୁତ ହେଉଥିବା ଚର୍ଚା ହେଉଛି । ଏଥିସକାସେ ଧାମନଗର ବିଧାନସଭା ଆସନରେ ଏକକ ନେତୃତ୍ୱ ଚୟନ କରାନଯାଇ ଏକ କମିଟି ମାଧ୍ୟମରେ ପରସ୍ଥିତି ଉପରେ ନଜର ରଖାଯାଇଥିବା କୁହାଯାଉଛି । ଆଗକୁ ପୌର ଏବଂ ପଂଚାୟତ ନିର୍ବାଚନ ଆସୁଥିବା ବେଳେ ଏହା ପଛକୁ ରହିଛି ଗୁରୁତ୍ୱପୁର୍ଣ୍ଣ ସାଧାରଣ ନିର୍ବାଚନ । ତେଣୁ ଏହା ଆଗରୁ ଦଳକୁ ସୁସଙ୍ଗଠିତ କରି ଅସଲ ନେତା ଚୟନ କରିବାକୁ ଦଳିୟ ନେତାଙ୍କର ଏହି ପ୍ରୟାସ ବୋଲି କୁହାଯାଉଛି ।

ଗତ ସାଧାରଣ ନିର୍ବାଚନରେ ଜିଲ୍ଲାବ୍ୟାପି ଦଳକୁ ସଫଳତା ମିଳିଥିଲେ ମଧ୍ୟ ଧାମନଗର ବିଧାନ ସଭା ଆସନରେ ମୁକ୍ତି-ରାଜେନ୍ଦ୍ର ବିବାଦ ଯୋଗୁ ଏହି ଆସନ ହାତଛଡା ହୋଇଥିଲା । ଏଥିସକାସେ ନିର୍ବାଚନ ମଣ୍ଡଳୀର ଦୁଇ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ,ମୁକ୍ତିକାନ୍ତ ମଣ୍ଡଳ ଏବଂ ପଂଚାୟତସମିତି ଅଧକ୍ଷ ଅଶୋକ ନାୟକଙ୍କୁ ସିଧାସଳଖ ଭାବେ ନହେଲେ ମଧ୍ୟ ପରୋକ୍ଷଭାବେ ଉତରଦାୟୀ କରାଯାଇଥିଲା । କ୍ଷମତା ଏବଂ ରାଜନୈତିକ ପ୍ରତିଷ୍ଟା ସକାସେ ଏହି ନେତାମାନଙ୍କ ମଧ୍ୟରେ ପରସ୍ପର ବିରୋଧି ଆଭିମୁଖ୍ୟ ଶେଷରେ ଦଳକୁ ଆସନ ହାତଛଡା କରିବାକୁ ପଡିଥିଲା । ନିର୍ବାଚନରେ ପରାଜୟ ସତ୍ୱେ ଦଳିୟ ନେତାଙ୍କର ଏଥିନେଇ ଚେତନା ଉଦୟ ହୋଇ ନଥିଲା । ପରାଜୟ ପରେ ମଧ୍ୟ ବାକିତକ କ୍ଷମତା ଉପଭୋଗ କରିବାକୁ ନେତାଙ୍କ ମଧ୍ୟରେ ପ୍ରବଳ ଦଳାଚକଟା ଆରମ୍ଭ ହୋଇ ଯାଇଥିଲା । ଯାହାକି ଆଗକୁ ଦଳପାଇଁ ଆଦୈା ଶୁଭଙ୍କର ହେବ ନାହିଁ ବିବେଚନା କରି ରାଜ୍ୟ ନେତୃତ୍ୱ ଏହି ଧରଣର ଆଭିମୁଖ୍ୟ ଗ୍ରହଣ କରିଥିବା କୁହାଯାଉଛି । ତେବେ ଧାମନଗର ବିଜେଡି ରାଜନୀତିରେ ଏହି କ୍ଷମତା ବିକେନ୍ଦ୍ରୀକରଣ ଫର୍ମୁଲା କାହାର ଏବଂ ଏହାର ମୁଳ ଉଦ୍ଧେଶ୍ୟ କଣ ତାହା ଏଯାଏ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏହା ପଛରେ ନିର୍ବାଚନ ମଣ୍ଡଳୀର ନେତୃତ୍ୱ ପରିବର୍ତନର ଆଭାଷ ସ୍ପଷ୍ଟ ବାରି ହୋଇ ପଡିଛି । ପଂଚାୟତ ସ୍ତରିୟ ନେତାଙ୍କୁ ଏହି କମିଟିରେ ସ୍ଥାନିତ କରାଯାଇ କମିଟିର ମୁଖ୍ୟ ଭାବେ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ,ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଏବଂ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ରଖାଯାଇଛି ।

ଏହି ବୁଝାମଣା ପରେ ଆପାତତ ଧାମନଗର ବିଜେଡିରେ ଦଳିୟ ନେତାଙ୍କ ମଧ୍ୟରେ ବଢିଚାଲିଥିବା ଦୁରତା ଅନେକାଂଶରେ ହ୍ରାସ ପାଇଛି । ହେଲେ ଏହି ବୁଝାମଣାକୁ ନେଇ ଦଳ ସନ୍ତୁଷ୍ଟ ହୋଇଥିଲେ ମଧ୍ୟ କର୍ମିମାନେ ସନ୍ତୁଷ୍ଟ ନଥିବା କୁହାଯାଉଛି । ଦଳିୟ ପରାଜୟକୁ ଇତିମଧ୍ୟରେ ୨ ବର୍ଷ ବିତିଲାଣି ହେଲେ ତଳସ୍ତରର କର୍ମିମାନେ ଆଜିସୁଦ୍ଧା ପ୍ରକୃତପକ୍ଷେ ସେମାନଙ୍କ ନେତା କିଏ ତାହା ଜାଣି ପାରୁ ନାହାନ୍ତି । ନିର୍ବାଚନ ମଣ୍ଡଳୀରେ ଦଳ କ୍ଷମତା ହରାଇଥିବା ହେତୁ ତଳସ୍ତର କର୍ମିମାନେ ଶାସନଗତ ସୁବିଧା ନପାଇ କିଛି ବିଜେପି ମୁହାଁ ହେଉଥିବା ବେଳେ ଆଉକିଛି ଦଳରେ ଥାଇ ମଧ୍ୟ ସେମାନଙ୍କ ଅତ୍ୟନ୍ତ ଅସହାୟ ମନେ କରୁଛନ୍ତି । କମିଟି ହାତରେ କ୍ଷମତା ହସ୍ତାନ୍ତର କରାଯାଇଥିବା ହେତୁ କମିଟିର ମୁଖ୍ୟ ଭାବେ ଦଳର ଉପରମହଲ ନେତା ମାନେ ସାଧାରଣ କର୍ମିଙ୍କ ନିକଟରେ ଉତ୍ତରଦାୟୀ ହୋଇ ପାରୁ ନାହାନ୍ତି । ତେଣେ କ୍ଷମତା ୧୫ ଜଣିଆ କମିଟି ହାତରେ ନ୍ୟସ୍ତ ଥିବା ହେତୁ ଏକକ ସଦସ୍ୟ ଭାବେ କେହି କୌଣସି ନିଷ୍ପତି ନେଇ ପାରୁ ନାହାନ୍ତି । କୁହାଯାଇଛି ପଡୋଶୀ ଜିଲ୍ଲା ବିଜେଡି ନେତୃତ୍ୱ ଇଙ୍ଗିତରେ ପରିଚାଳିତ ହେଉଛି ଧାମନଗର ବିଜେଡି ସଙ୍ଗଠନ । ଅନ୍ୟପକ୍ଷରେ ଗଠିତ କମିଟିର ମୁଖ୍ୟ ଭାବେ ଭଦ୍ରକ ଜିଲ୍ଲାର ୩ ବରିଷ୍ଟ ନେତାଙ୍କୁ ଏଥିରେ ସାମିଲ କରାଯାଇଥିଲେ ମଧ୍ୟ ଫୋକସରେ ରହିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ । ଯାହାଙ୍କ ସୁପାରିସ ରେ ଏହି ଧରଣର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଉଛି । କାରଣ ଦଳିୟ କ୍ଷମତା ଏବଂ ରାଜନୈତିକ ଗୁରୁତ୍ୱ ଦୃଷ୍ଟିରୁ ବ୍ୟମୋକେଶ ଏବେ ଜିଲ୍ଲା ବିଜେଡି ରାଜନୀତିରେ ଆଗରେ ରହିଛନ୍ତି । ତେଣୁ ଧାମନଗର ବିଧାନସଭା ଆସନରେ ତାଙ୍କୁ ଅତିକ୍ରମ କରିଯିବା ଭଳି ଜଣେ ପୁରୁଣା ନେତା ଚୟନ କରି ନିଜକୁ ଅଡୁଆରେ ପକାଇବା ଅପେକ୍ଷା ତାଙ୍କ ଇଙ୍ଗିତରେ ପରିଚାଳିତ ହେବା ଭଳି ଜଣେ ନୂଆ ନେତା ଯୋଗାଡରେ ଦଳ ରହିଥିବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.